Breaking News

ହାଇକୋର୍ଟରେ ସିପାହି/କନେଷ୍ଟବଳ ନିଯୁକ୍ତି ମାମଲା

ସିପାହି/କନେ‌ଷ୍ଟବଳ ପଦ ପୂରଣ ପାଇଁ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟା ଆଗେଇ ପାରିବ ନାହିଁ। ୨୦୨୪ ସେପ୍ଟେମ୍ବର ୨୨ର ନିଯୁକ୍ତି ବିଜ୍ଞପ୍ତି ଆଧାରରେ ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି।

କଟକ: ସିପାହି/କନେ‌ଷ୍ଟବଳ ପଦ ପୂରଣ ପାଇଁ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟା ଆଗେଇ ପାରିବ ନାହିଁ। ୨୦୨୪ ସେପ୍ଟେମ୍ବର ୨୨ର ନିଯୁକ୍ତି ବିଜ୍ଞପ୍ତି ଆଧାରରେ ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୦କୁ ଧାର୍ଯ୍ୟ କରିଛନ୍ତି।

ଆଜି ହାଇକୋର୍ଟରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ସରକାରଙ୍କ ତରଫରୁ ଯୁକ୍ତି ଉପସ୍ଥାପନ କରାଯାଇଥିବା ବେଳେ ପରବର୍ତ୍ତୀ ଶୁଣାଣି ସମୟରେ ପ୍ରତିପକ୍ଷ ଯୁକ୍ତି ରଖିବେ। ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୬ ବର୍ଷ କୋହଳ ପାଇଁ ଜଣିକିଆ ଖଣ୍ଡପୀଠ ପ୍ରଦାନ କରିଥିବା ୨୦୨୪ ଡିସେମ୍ବର ୫ର ରାୟ ବିରୋଧରେ ରାଜ୍ୟ ସରକାର ଦାୟର କରିଥିବା ରିଟ୍ ଅପିଲ୍‌ର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଅରିନ୍ଦମ ସିହ୍ନା ଓ ଜଷ୍ଟିସ୍‌ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜଣିକିଆ ଖଣ୍ଡପୀଠ ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୬ ବର୍ଷ କୋହଳ କରିବା ପାଇଁ ଗତ ଡିସେମ୍ବର ୫ରେ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟର ବିଭିନ୍ନ ବାଟାଲିୟନ୍‌ରେ ୧୩୬୦ଟି ସିପାହି/କ‌ନେଷ୍ଟବଳ ପଦ ପୂରଣ ପାଇଁ ୨୦୨୪ ସେପ୍ଟେମ୍ବର ୨୨ରେ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ଜାରି ରହିଥିବା ନିଯୁକ୍ତି ପ୍ରକ୍ରିୟାରେ ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୬ ବର୍ଷ କୋହଳ କରାଯିବ। ବୟସ ସୀମା କୋହଳ ପ୍ରସଂଗ ଅନ୍ତର୍ଭୁକ୍ତ କରି ଓଡ଼ିଶା ପୁଲିସ ଷ୍ଟେଟ୍‌ ସିଲେକ୍ସନ ବୋର୍ଡ ଅଧ୍ୟକ୍ଷ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିବେ। ସବୁ ବର୍ଗର ପ୍ରାର୍ଥୀଙ୍କୁ ଏହି ୬ ବର୍ଷ ବୟସ କୋହଳ ସୁବିଧା ମିଳିବ। ଅନ୍‌ଲାଇନ୍‌ରେ ଏପରି ପ୍ରାର୍ଥୀମାନେ କିପରି ନିଜ ଦରଖାସ୍ତ ଦାଖଲ କରିବେ ସେ ନେଇ ବୋର୍ଡ ଆବଶ୍ୟକ ବ୍ୟବସ୍ଥା କରିବ।

କରୋନା ମହାମାରୀ କାରଣରୁ ଗୋଟିଏ ଥର ପାଇଁ ସର୍ବାଧିକ ବୟସ ସୀମା କୋହଳ ପାଇଁ ନିର୍ଦ୍ଦେଶ ଦିଆଯାଉଛି ବୋଲି ହାଇକୋର୍ଟ କହିଥିଲେ। ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ଓ ଓ ପ୍ରଭାବିତ ପ୍ରାର୍ଥୀଙ୍କ ପାଇଁ ସ୍ବଚ୍ଛତା ପ୍ରସଂଗ ସୁନିଶ୍ଚିତ କରିବା ଲାଗି ଏହି ନିର୍ଦ୍ଦେଶ ପ୍ରଦାନ କରାଯାଇଛି। ମୂଳ ନିଯୁକ୍ତି ବିଜ୍ଞପ୍ତିରେ ଉଲ୍ଲେଖ କଟ୍ ଅଫ୍ ତାରିଖ ଠାରୁ ୬ ବର୍ଷ ବୟସ କୋହଳ ସୁବିଧା ପ୍ରାର୍ଥୀ ପାଇ ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରି ପାରିବେ। ଅସାଧାରଣ ପରିସ୍ଥିତିରେ ଥରକ ପାଇଁ ଏହି ବୟସ ସୀମା କୋହଳ ବ୍ୟବସ୍ଥା କରାଯାଉଛି, ଏହାକୁ କେହି ନଜିର ଭାବେ ଭବିଷ୍ୟତରେ ଗ୍ରହଣ କରାଯିବ ନାହିଁ ବୋଲି ହାଇକୋର୍ଟ କହିଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ଦୁଇ ଜଣିଆ ଖଣ୍ଡପୀଠରେ ରିଟ୍ ଅପିଲ ଦାୟର କରିଥିଲେ। ୨୦୨୪ ଡିସେମ୍ବର ୨୩ରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ଆବେଦନକୁ ଗ୍ରହଣ କରି ଡିସେମ୍ବର ୫ର ରାୟ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ପ୍ରାର୍ଥୀଙ୍କ ତରଫରୁ ଆଇନଜୀବୀ ରାଜୀବ ରଥ, ବିପ୍ଳବ ବାହାଲି, ମଦନମୋହନ ଦାସ ମାମଲା ପରିଚାଳନା କରୁଛନ୍ତି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.