Breaking News

ହାଇବ୍ରିଡ୍‌ ଶୌଚାଳୟ ହାଲିଆ: ସାଢ଼େ ୧୮ ଲକ୍ଷ ବରବାଦ

୧୮ ଲକ୍ଷ ୪୩ ହଜାର ଟଙ୍କାରେ ନିର୍ମାଣ ହୋଇଥିଲା ହାଇବ୍ରିଡ୍‌ ଶୌଚାଳୟ। ଲକ୍ଷ୍ୟ ଥିଲା ମାର୍କେଟ୍‌କୁ ଆସୁଥିବା ଗ୍ରାହକ ଓ ମାର୍କେଟ୍‌ କମ୍ପ୍ଲେକ୍ସର ବ୍ୟବସାୟୀ ମାଗଣାରେ ସେବା ପାଇବେ। ୨୦୧୮ ଜୁଲାଇ ୨ରେ ତତ୍‌କାଳୀନ ସଂସ୍କୃତି ଓ ପର୍ଯ୍ୟଟନ...

ଚନ୍ଦ୍ରଶେଖରପୁର: ୧୮ ଲକ୍ଷ ୪୩ ହଜାର ଟଙ୍କାରେ ନିର୍ମାଣ ହୋଇଥିଲା ହାଇବ୍ରିଡ୍‌ ଶୌଚାଳୟ। ଲକ୍ଷ୍ୟ ଥିଲା ମାର୍କେଟ୍‌କୁ ଆସୁଥିବା ଗ୍ରାହକ ଓ ମାର୍କେଟ୍‌ କମ୍ପ୍ଲେକ୍ସର ବ୍ୟବସାୟୀ ମାଗଣାରେ ସେବା ପାଇବେ। ୨୦୧୮ ଜୁଲାଇ ୨ରେ ତତ୍‌କାଳୀନ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା ଏହାକୁ ଉଦ୍‌ଘାଟନ କରିଥିଲେ। ବିଏମ୍‌ସିର ଜନପ୍ରତିନିଧି ବି ସାମିଲ୍‌ ହୋଇଥିଲେ। ହାଇବ୍ରିଡ୍‌ ଶୌଚାଳୟ ଦେଖି ଲୋକେ ବି ବେଶ୍‌ ଆନନ୍ଦିତ ହୋଇଥିଲେ। ହେଲେ ୫ ବର୍ଷ ମଧ୍ୟରେ ହାଇବ୍ରିଡ୍‌ ଶୌଚାଳୟର ହୁଲିଆ ବଦଳି ଯାଇଛି। ଶୌଚ ଦୂରର କଥା ଶୌଚାଳୟ ଭିତରକୁ ପ୍ରବେଶ ପାଇଁ ଲୋକଙ୍କୁ ନାକେଦମ ହେବାକୁ ପଡ଼ୁଛି। ଏଭଳି ଚିତ୍ର ବିଏମ୍‌ସି ୧୩ ନମ୍ବର ୱାର୍ଡ ଚନ୍ଦ୍ରଶେଖରପୁର ବିଡିଏ ମାର୍କେଟ୍‌ କମ୍ପ୍ଲେକ୍ସରେ ଦେଖିବାକୁ ମିଳିଛି। ମାସ ପରେ ମାସ ଗଡ଼ି ଚାଲିଥିଲେ ମଧ୍ୟ ଏଥିପ୍ରତି କାହାର ବି ନିଘା ନାହିଁ। ପ୍ରଶାସନର ଦୃଷ୍ଟି ପଡ଼ୁନି କି ଜନପ୍ରତିନିଧି ଏଥିପ୍ରତି ଦୃଷ୍ଟି ହେଉ ନାହାନ୍ତି। ପରିଣାମ ସ୍ବରୂପ ଅଞ୍ଚଳବାସୀଙ୍କ ମଧ୍ୟରେ ଏବେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଦେୟମୁକ୍ତ ଶୌଚାଳୟ ଲେଖାଯିବା ସହ ମହିଳା ଓ ପୁରୁଷଙ୍କ ପାଇଁ ଅଲଗା ଅଲଗା ଶୌଚାଳୟ ରହିଛି। ହେଲେ ତାହା ଏବେ ଆଉ ବ୍ୟବହାର ଯୋଗ୍ୟ ହୋଇ ରହି ନାହିଁ। ତଳ ଚଟାଣ ଦବି ଯିବାରୁ ଶୌଚାଳୟ ଆଉ ବସିବା ଯୋଗ୍ୟ ‌ହୋଇ ରହି ନାହିଁ। ପ୍ରବେଶ ପଥର ଡାହାଣ ପାର୍ଶ୍ବରେ କର୍ମଚାରୀଙ୍କ ପାଇଁ ଗୋଟିଏ ବିଶ୍ରାମଗୃହ ରହିଥିଲେ ମଧ୍ୟ ତାହା ବ୍ୟବହାର ଯୋଗ୍ୟ ନୁହେଁ। ତଥାପି ସେଠାରେ ଜଣେ ବ୍ୟକ୍ତି ନିଜର ସାମଗ୍ରୀ ରଖିବା ସହ ସେଠାରେ ରହୁଛନ୍ତି। ଶୌଚାଳୟର ବିଭିନ୍ନ ରୁମ୍‌ରୁ ଖଣ୍ଡଖଣ୍ଡ କରି ଟାଇଲ୍‌ ଉଠିଯାଉଥିବାରୁ କେତେବେଳେ ଯେ କିଏ ଆହତ ହେବ ସେନେଇ କେହି କିଛି କହିପାରିବେ ନାହିଁ। ଗ୍ରାହକ ଗଦାଧର ମାଇତିଙ୍କ କହିବାନୁଯାୟୀ ବାହାରୁ ଲେଖାଯାଇଛି ହାଇବ୍ରିଡ୍‌ ଶୌଚାଳୟ। ମାତ୍ର ଭିତରେ ହାଇବ୍ରିଡ୍‌ ବୋଲି କିଛି ନାହିଁ। ଏହା ଶୌଚ ପାଇଁ ଯୋଗ୍ୟ ନୁହେଁ। ପ୍ରତିଦିନ ଏଠାକୁ ଶତାଧିକ ଲୋକ ଆସୁଥିଲେ ମଧ୍ୟ ନିରାଶ ହୋଇ ଫେରୁଛନ୍ତି। ପ୍ରଶାସନ ନିଦ କେବେ ଭାଙ୍ଗିବ ତାହାକୁ ଆମେ ଚାହିଁ ରହିଛୁ। ଜଣେ ବ୍ୟବସାୟୀ କହିଛନ୍ତି ଯେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। ଲୋକେ ପ୍ରତିଦିନ ହଇରାଣ ହେଉଛନ୍ତି। ଏସମ୍ପର୍କରେ ୧୩ ନମ୍ବର ୱାର୍ଡ କର୍ପୋରେଟର ଇତିଶ୍ରୀ ଦାସଙ୍କୁ ପଚାରିବାକୁ ସେ କିଛି କହିବାକୁ ମନା କରିଦେଇଥିଲେ।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.