Breaking News

ହାତକଡ଼ି ପିନ୍ଧି ବିରୋଧ ପ୍ରଦର୍ଶନ: ସଂସଦରେ ‘ବେଆଇନ ପ୍ରବାସୀ’ ତାତି

ବେଆଇନ ଭାବେ ଆମେରିକାରେ ରହୁଥିବା ୧୦୪ ଜଣ ଭାରତୀୟ ନାଗରିକଙ୍କୁ ହାତକଡ଼ି ପିନ୍ଧାଇ ପ୍ରତ୍ୟର୍ପଣ କରାଯିବା ମାମଲାରେ ଜାତୀୟ ରାଜନୀତି ସରଗରମ ହୋଇଛି। ଆଜି ବିରୋଧୀ ଦଳମାନେ ଏହି ପ୍ରସଙ୍ଗରେ ସଂସଦରେ ସରକାରକୁ ଘେରିଛନ୍ତି।

ନୂଆଦିଲ୍ଲୀ: ବେଆଇନ ଭାବେ ଆମେରିକାରେ ରହୁଥିବା ୧୦୪ ଜଣ ଭାରତୀୟ ନାଗରିକଙ୍କୁ ହାତକଡ଼ି ପିନ୍ଧାଇ ପ୍ରତ୍ୟର୍ପଣ  କରାଯିବା ମାମଲାରେ ଜାତୀୟ ରାଜନୀତି ସରଗରମ ହୋଇଛି। ଆଜି ବିରୋଧୀ ଦଳମାନେ ଏହି ପ୍ରସଙ୍ଗରେ ସଂସଦରେ ସରକାରକୁ ଘେରିଛନ୍ତି। କଂଗ୍ରେସ, ଡିଏମ୍‌କେ, ସମାଜବାଦୀ ପାର୍ଟି ସମେତ ଇଣ୍ଡି ମେଣ୍ଟର ବିଭିନ୍ନ ସହଯୋଗୀ ଦଳର ସାଂସଦମାନେ  ଉଭୟ ଗୃହରେ ଏହି ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ।  ସଂସଦ ଭବନ ବାହାରେ ବିରୋଧୀ ଦଳଙ୍କ ବିକ୍ଷୋଭ ସମୟରେ ଅନେକ ସଦସ୍ୟ ହାତକଡ଼ି ପିନ୍ଧିଥିବା ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ, ବୁଧବାର  ଆମେରିକାର ଏକ ସାମରିକ ବିମାନରେ ଅମୃତସରରେ ପହଞ୍ଚିଥିବା  ପ୍ରବାସୀମାନେ ଦାବି କରିଛନ୍ତି ଯେ ଯାତ୍ରା ସମୟରେ ସେମାନଙ୍କ ହାତରେ ହାତକଡ଼ି ପିନ୍ଧାଯିବା ସହ ଗୋଡ଼କୁ ମଧ୍ୟ ଚେନ୍‌ରେ ବନ୍ଧା ଯାଇଥିଲା।  ଏଭଳି ପ୍ରତ୍ୟର୍ପଣ ଅମାନବୀୟ ଦର୍ଶାଇ ବିରୋଧୀ ସାଂସଦଙ୍କ ହଙ୍ଗାମା ଯୋଗୁଁ  ଅପରାହ୍‌ଣ ୨ଟା ପର୍ଯ୍ୟନ୍ତ ଲୋକସଭା କାର୍ଯ୍ୟ ମୁଲତବୀ ରଖାଯାଇଥିଲା। ରାଜ୍ୟସଭାରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଥିଲା। ସଂସଦ ଭବନ ବାହାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ  ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ସହ  ଅନେକ ସାଂସଦ ବିକ୍ଷୋଭ ପ୍ରଦର୍ଶନ କରି ଦେଶାନ୍ତର ହୋଇଥିବା ଲୋକଙ୍କ ପ୍ରତି ହେଉଥିବା ବ୍ୟବହାରକୁ ନିନ୍ଦା କରିଥିଲେ।  ଭାରତୀୟଙ୍କ ପ୍ରତି ଅମାନବୀୟ ବ୍ୟବହାର  ରୋକିବା ପାଇଁ ଆମେରିକା ସହ ଭାରତର କୂଟନୈତିକ ସମ୍ପର୍କକୁ କାହିଁକି ଉପଯୋଗ କରାଗଲା ନାହିଁ ବୋଲି ସେମାନେ ପ୍ରଶ୍ନ କରିଥିଲୋ। ପ୍ରିୟଙ୍କା ଗାନ୍ଧୀ  ପ୍ରଶ୍ନ କରିଥିଲେ ଯେ  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉତ୍ତମ ସମ୍ପର୍କ ଥିବା କୁହାଯାଉଥିଲେ ମଧ୍ୟ ମୋଦୀ କାହିଁକି ସମ୍ମାନଜନକ ପ୍ରତ୍ୟର୍ପଣ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନେଲେ ନାହିଁ ତାହାର ଜବାବ ଦେବାକୁ ହେବ।

ଶତାଧିକ ଭାରତୀୟ ନାଗରିକଙ୍କୁ ଯେଭଳି ବ୍ୟବସ୍ଥାରେ ପ୍ରତ୍ୟର୍ପଣ କରାଯାଇଛି ତାହା ଆଦୌ ଗ୍ରହଣୀୟ ନୁହେଁ ବୋଲି କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି। ବେଆଇନ ଭାବେ ଥିବା ଲୋକଙ୍କୁ ଦେଶାନ୍ତର କରିବାର  ଆଇନଗତ ଅଧିକାର ଆମେରିକାର ରହିଥିଲେ ମଧ୍ୟ ଏଭଳି ଅମାନବୀୟ ନୀତି କଦାପି ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।  ଯଦି ସେମାନେ ଭାରତୀୟ ନାଗରିକ ବୋଲି ପ୍ରମାଣିତ ହୁଅନ୍ତି, ତେବେ ସେମାନଙ୍କୁ ଆମ ଦେଶରେ ଗ୍ରହଣ କରିବା ଆମର ଆଇନଗତ ଦାୟିତ୍ୱ ଅଟେ। କିନ୍ତୁ ଯେଭଳି ଭାବରେ  ହାତକଡ଼ି ପିନ୍ଧାଇ ହଠାତ୍ ଭାରତୀୟଙ୍କୁ ସାମରିକ ବିମାନରେ ଭର୍ତ୍ତି କରାଯାଇଥିଲା, ତାହା ନିନ୍ଦନୀୟ ବୋଲି ଥରୁର କହିଛନ୍ତି। କଂଗ୍ରେସ ସାଂସଦ ଦର୍ଶାଇଛନ୍ତି ଯେ ଗତବର୍ଷ ବାଇଡେନ୍ ପ୍ରଶାସନ ଅଧୀନରେ ୧୧୦୦ରୁ ଅଧିକ ଭାରତୀୟଙ୍କୁ ପ୍ରତ୍ୟର୍ପଣ କରାଯାଇଥିଲେ ମଧ୍ୟ ଏଭଳି ଅପମାନଜନକ ପ୍ରକ୍ରିୟା ଅବଲମ୍ବନ କରାଯାଇନଥିଲା । ସୂଚନାଯୋଗ୍ୟ,  ଗତକାଲି ଆମେରିକା ଦୂତାବାସ  ମୁଖପାତ୍ର ବେଆଇନ ପ୍ରବାସୀଙ୍କୁ ପ୍ରତ୍ୟର୍ପଣ ପ୍ରସଙ୍ଗରେ କହିଛନ୍ତି ଯେ ପ୍ରତ୍ୟେକ ବେଆଇନ ପ୍ରବାସ ମାମଲାରେ ନିର୍ଦ୍ଦିଷ୍ଟ ବିବରଣୀ ପ୍ରଦାନ କରାଯାଇପାରିବ ନାହିଁ।   ଆମେରିକା ତା’ର ସୀମା ସୁରକ୍ଷା ନୀତି ଏବଂ ଇମିଗ୍ରେସନ୍ ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରୁଛି।  ବେଆଇନ ପ୍ରବାସ ଆମେରିକା ପାଇଁ ବିପଦର କାରଣ ହେଉଥିବାରୁ ଏହାକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ଆମେରିକା କହିଛି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.