Breaking News

ହାତୀ ପାଇଁ ଅସହାୟ ଚାଷୀ: ୮୫ ହେକ୍ଟର ଜମିରୁ ଧାନଚାଷ ଉଜାଡ଼ିଦେଲେ

ବାଲେଶ୍ବର ଜିଲ୍ଲା ନୀଳଗିରି ଓ ଔପଦା ଅଞ୍ଚଳରେ ମାତିଛନ୍ତି ହାତୀ। ଚଳିତ ବର୍ଷ ଧାନଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛନ୍ତି ହାତୀପଲ। ଖାଇ ଓ ଦଳିଚକଟି ପ୍ର‌ାୟ ୮୫ ହେକ୍ଟର ଜମିର ଚାଷ ଉଜାଡ଼ିଛନ୍ତି।

ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରି ଓ ଔପଦା ଅଞ୍ଚଳରେ ମାତିଛନ୍ତି ହାତୀ। ଚଳିତ ବର୍ଷ ଧାନଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛନ୍ତି ହାତୀପଲ। ଖାଇ ଓ ଦଳିଚକଟି ପ୍ର‌ାୟ ୮୫ ହେକ୍ଟର ଜମିର ଚାଷ ଉଜାଡ଼ିଛନ୍ତି। ବାଲେଶ୍ବର ଜିଲ୍ଲା କୁଲଡ଼ିହା ଅଭୟାରଣ୍ୟରେ ବିଭିନ୍ନ ପ୍ରଜାତିର ପଶୁପକ୍ଷୀ ରହୁଥିବା ବେଳେ ହାତୀମାନେ ମଧ୍ୟ ବିଚରଣ କରନ୍ତି। ୨୦୨୪ ମସିହା ବନ ବିଭାଗ ତଥ୍ୟ ଅନୁଯାୟୀ; କୁଲଡ଼ିହାରେ ମୋଟ ୬୮ଟି ହାତୀ ଅଛନ୍ତି। ଏମାନଙ୍କ ସହ ୫୪ଟି ଝାଡ଼ଖଣ୍ଡୀ ହାତୀ ନୀଳଗିରି ଅଞ୍ଚଳରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି।

୮୫ ହେକ୍ଟର ଜମିରୁ ଧାନଚାଷ ଉଜାଡ଼ିଦେଲେ
୧୯ ଘର ଭାଙ୍ଗିଲେ, ଜଣଙ୍କୁ ମାରିଲେ

ଉଲ୍ଲେଖ ଥାଉକି; ୨୭୨.୭୫ ବର୍ଗ କିଲୋମିଟର ବ୍ୟାପ୍ତ କୁଲଡ଼ିହା ଅଭୟାରଣ୍ୟ ଏବଂ ୧୯୫ ବର୍ଗ କିଲୋମିଟର ବ୍ୟାପ୍ତ ଝାଡ଼ଖଣ୍ଡ ଡଲମା ଅଭୟାରଣ୍ୟର ପରିବେଶ ବିଗିଡ଼ିବାରେ ଲାଗିଛି। ଫଳରେ ଜୀବଜନ୍ତୁମାନେ ରହଣି ସହ ଖାଦ୍ୟ ଓ ପାନୀୟଜଳ ଜନିତ ସମସ୍ୟାକୁ ସାମ୍ନା କରୁଛନ୍ତି। ଖାଦ୍ୟାଭାବ ଯୋଗୁଁ ହାତୀ ପରି ବଡ଼ ଜୀବମାନେ ଜଙ୍ଗଲରୁ ବାହାରି ବିଭିନ୍ନ ଗାଁରେ ପଶୁଛନ୍ତି। ଜମିରେ ଧାନଫସଲ ଖାଉଛନ୍ତି ଓ ନଷ୍ଟ କରୁଛନ୍ତି। ସେହିପରି ଘର ମଧ୍ୟ ଭାଙ୍ଗି ଦେଉଛନ୍ତି। ଲୋକଙ୍କୁ ମାରିବା ସହ ଗୁରୁତର କରୁଛନ୍ତି। ତଥ୍ୟ ଅନୁସାରେ; ଚଳିତ ବର୍ଷ ନୀଳଗିରିରେ ୧୦ ହଜାର ୨୪୦ ହେକ୍ଟର ଏବଂ ଔପଦାରେ ୯ ହଜାରରୁ ଅଧିକ ହେକ୍ଟର ଜମିରେ ଧାନଚାଷ କରାଯାଇଥିଲା। ବାତ୍ୟା ‘ଦାନା’ରେ ପାଖାପାଖି ୧ ହଜାର ହେକ୍ଟର ଜମିର ଫସଲ ନଷ୍ଟ ହୋଇଥିଲା। ପରେ କୁଲଡ଼ିହାର ହାତୀମାନେ ପ୍ରାୟ ୫୫ ହେକ୍ଟର ଏବଂ ଝାଡ଼ଖଣ୍ଡର ହାତୀମାନେ ପ୍ରାୟ ୩୦ ହେକ୍ଟର ଜମିର ଧାନ ଫସଲ ନଷ୍ଟ କରିଛନ୍ତି। ସେହିପରି ହାତୀମାନେ ୧୯ଟି ଘର ମଧ୍ୟ ଭାଙ୍ଗିଛନ୍ତି। ଅନ୍ୟପଟେ ହାତୀ ଆକ୍ରମଣ ଫଳରେ ୬ ଜଣ ଗୁରୁତର ଆହତ ହୋଇଥିବା ବେଳେ ମେ ୧୭ ତାରିଖ ଦିନ ଢୋଲପୁର ଅଞ୍ଚଳର ହରେକୃଷ୍ଣ ପ୍ରଧାନଙ୍କ ମୃତ୍ୟୁ ଘଟିଛି।

ହାତୀଙ୍କ ପାଇଁ ଧାନଚାଷୀମାନେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେମାନେ ଚାଷ କରିବାକୁ ଆଣିଥିବା ଋଣ କିପରି ଶୁଝିବେ, ସେଇ ଚିନ୍ତାରେ ପଡ଼ିଛନ୍ତି। କ୍ଷତି ପାଇଁ ସରକାର ଚାଷୀଙ୍କୁ ଏକର ପ୍ରତି ୧୦ ହଜାର ଟଙ୍କା ଦେଉଥିବା ବେଳେ ତାହା ସମୁଦ୍ରକୁ ଶଙ୍ଖେ ବୋଲି ଅଭିଯୋଗ ହେଉଛି।  ଜନବସତିରେ ହାତୀ ପ୍ରବେଶ ରୋକିବା ପାଇଁ ଟ୍ରେଞ୍ଚ୍‌ ଖନନ, ସୋଲାର୍‌ ଫେନ୍‌ସିଂ ବ୍ୟବସ୍ଥା କରିବାକୁ ଦାବି ହେଉଛି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.