Breaking News

ହୀନମନ୍ୟ ଟ୍ରମ୍ପ

ଏହା ସମସ୍ତେ ଜାଣନ୍ତି ଯେ ଟ୍ରମ୍ପଙ୍କ ମୂଳ ଆହ୍ବାନ - ‘ମେକ୍‌ ଆମେରିକା ଗ୍ରେଟ ଏଗେନ’ ବା ‘ପୁଣି ଥରେ ଆମେରିକାକୁ ମହାନ କରି ଗଢ଼ି ‌େତାଳ’ - ର ଏକ ଅଂଶ ହେଉଛି ଏହି ‘ଟାରିଫ’ ଯୁଦ୍ଧ।

ଏହା ସମସ୍ତେ ଜାଣନ୍ତି ଯେ ଟ୍ରମ୍ପଙ୍କ ମୂଳ ଆହ୍ବାନ – ‘ମେକ୍‌ ଆମେରିକା ଗ୍ରେଟ ଏଗେନ’ ବା ‘ପୁଣି ଥରେ ଆମେରିକାକୁ ମହାନ କରି ଗଢ଼ି ‌େତାଳ’ – ର ଏକ ଅଂଶ ହେଉଛି ଏହି ‘ଟାରିଫ’ ଯୁଦ୍ଧ। ଏହାକୁ ଲକ୍ଷ୍ୟ କରି ପ୍ରସିଦ୍ଧ ଇସ୍ରାଏଲୀ ଲେଖକ ଓ ବିଦ୍ବାନ (‘ସାପିଏନ୍‌ସ’ର ଲେଖକ) ୟୋଭାଲ ନୋଆ ହାରାରି କହିଥାଆନ୍ତି ଯେ ‘ଏଗେନ୍‌’ ବା ‘ପୁଣି ଥରେ’ ବୋଲି ଟ୍ରମ୍ପଙ୍କ ଉକ୍ତି ସୂଚାଇଥାଏ ଯେ ତାଙ୍କ ଧାରଣାରେ ଆମେରିକା ଆଉ ପୂର୍ବ ଭଳି ମହାନ ହୋଇ ରହିନାହିଁ।

ଗଲା ଏପ୍ରିଲ ୯ ତାରିଖରୁ ଯୁକ୍ତରାଷ୍ଟ୍ର ଆମେରିକା ଦ୍ବାରା ପ୍ରାରମ୍ଭ ହୋଇଥିବା ‘ଟିକସ ଯୁଦ୍ଧ’ ପରେ ଯଦିଓ ଷ୍ଟକ୍‌ ବଜାରରେ ରକ୍ତପାତ ଘଟି ସାରିଛି ଏବଂ ଅବଶିଷ୍ଟ ପୃଥିବୀ ଏକତ୍ର ହୋଇ ମୁକାବିଲା କରିବାର ବାଟ ଖୋଜିବାରେ ଲାଗିଛି, ସେତିକି ବେଳେ ଏକ ନୂଆ ଓ ଅନୁମାନାତୀତ ମୋଡ଼ ଘଟି ପରିସ୍ଥିତିକୁ ଅଧିକ ଜଟିଳ ଓ ଅନିଶ୍ଚିତ କରି ଦେଇଛି। ଏହି ନୂତନ ସ୍ଥିତିରେ ଅନ୍ତତଃ କିଛି ସମୟ ଲାଗି ଅବଶିଷ୍ଟ ପୃଥିବୀ ଉପରୁ ଦୃଷ୍ଟି ହଟାଇ ନେଇ ଆମେରିକା କେବଳ ଚୀନ ଉପରେ ଖଡ୍‌ଗ ଉତ୍ତୋଳନ କରି ଛିଡ଼ା ହୋଇଥିବା ଭଳି ଦିଶିଥାଏ। ଏହା କାହାକୁ ଅଜ୍ଞାତ ନୁହେଁ ଯେ ପୃଥିବୀର ଶୀର୍ଷତମ ସ୍ଥାନୀୟ ଏହି ଦୁଇ ଅର୍ଥ-ମହାଶକ୍ତିଙ୍କ ମଧ୍ୟରେ ତିକ୍ତତା ବେଶ୍‌ ପୁରୁଣା। ସ୍ବାଭାବିକ ଭାବେ ଏବେ ତାହା ଅଧିକ ଘନୀଭୂତ ହୋଇଛି। ଏଭଳି ଏକ ଯୁଦ୍ଧରେ ଉଭୟ ଦେଶର ଭବିଷ୍ୟତ୍‌ ଗତିପଥ କିଭଳି ହେବ, ତାହା ତ ସମୟ କହିବ, କିନ୍ତୁ ଯେଉଁ କା‌ରଣରୁ ସହସା ଏଭଳି ଏକ ଅଭାବନୀୟ ସ୍ଥିତି ଜନ୍ମ ନେଲା, ତା’ର କାରଣ ଯେ ଟ୍ରମ୍ପଙ୍କ ହୀନମନ୍ୟତା, ତହିଁ‌ରେ ସନ୍ଦେହ ନାହିଁ, ଯାହା ଏକ କ୍ଷୁଦ୍ର ଆଲୋଚନା ପରେ ହୁଏତ ସ୍ପଷ୍ଟ ହୋଇପାରେ!
କହିବା ଅନାବଶ୍ୟକ ଯେ ଟ୍ରମ୍ପଙ୍କ ‘ଟାରିଫ’ (ଟିକସ) ଆମ୍ରକଣରେ ଚୀନକୁ ସର୍ବାଧିକ କ୍ଷତାକ୍ତ କରିବାର ଉଦ୍ଦେଶ୍ୟ ସ୍ପଷ୍ଟ; କାରଣ ଚୀନ ଉତ୍ପାଦିତ ଦ୍ରବ୍ୟ ଉପରେ ସର୍ବାଧିକ ୫୪% ଆମଦାନି ଟିକସ ଲାଗୁ କରାଯାଇଥିଲା। କିନ୍ତୁ ଏହି ଆକ୍ରମଣରେ ନତଶିର ନ ହୋଇ ଅନ୍ତ ପର୍ଯ୍ୟନ୍ତ ସଂଘର୍ଷ କରିବାର ଉଦ୍‌ଘୋଷଣା ସହିତ ଆମେରିକା ଦ୍ବାରା ଉତ୍ପାଦିତ ଦ୍ରବ୍ୟ ଉପ‌ରେ ଚୀନ ପକ୍ଷରୁ ଉଚ୍ଚ ୩୪% ଆମଦାନି ଟିକସ ଲାଗୁ କରାଯିବା ଭଳି ଘଟଣା ଏହି ‘ଟାରିଫ’ ଯୁଦ୍ଧକୁ ଅଧିକ ଉତ୍ତେଜନାପ୍ରବଣ କରିଛି। ଏଭଳି ଆକ୍ରମଣ ଓ ପାଲଟା ଆକ୍ରମଣର ଶେଷ ଫଳଶ୍ରୁତି ସ୍ବରୂପ ଯାହା ଦେଖିବାକୁ ମିଳିଛି ତାହା ହେଲା ଆମେରିକାରେ ଚୀନ ପ୍ରସ୍ତୁତ ସାମଗ୍ରୀ ଉପରେ ୧୨୪% ହାରରେ ଟିକସ ଏବଂ ଚୀନରେ ଆମେରିକା ଜାତ ଦ୍ରବ୍ୟ ଉପରେ ୮୪% ହାରର ଟିକସ; ଯାହା ସଂପୂର୍ଣ୍ଣ ଅଭୂତପୂର୍ବ। ତେବେ, ଏହା ସହିତ ଆମେରିକା ଏକ ନୂତନ ରଣନୀତିର ପ୍ରୟୋଗ କରିଛି, ଯହିଁରେ ଚୀନ ବ୍ୟତୀତ ପ୍ରାୟ ଅନ୍ୟ ସମସ୍ତ ରାଷ୍ଟ୍ର (୭୫ରୁ ଅଧିକ) ଅନ୍ତତଃ ତିନି ମାସ ଲାଗି ନୂତନ ଟିକସ ବ୍ୟବସ୍ଥାରୁ ମୁକ୍ତ ରହିବେ। କହିବା ଅନାବଶ୍ୟକ ଯେ ଏହା ଫଳରେ ଅ‌ମେରିକା ଓ ଏହି ସମସ୍ତ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆଲୋଚନା ଓ ବୁଝାମଣା ଲାଗି ମାର୍ଗ ପ୍ରଶସ୍ତ ହେବ ଏବଂ ଟିକସ ଆକ୍ରମଣର ଘୋଷଣା ପରେ ପରିସ୍ଥିତିର ମୁକାବିଲା ଲାଗି ଚୀନ ଓ ଅବଶିଷ୍ଟ ପୃଥିବୀ ଏକତ୍ର ହେବା ଲାଗି ଯେଉଁ ପୃଷ୍ଠଭୂମି ପ୍ରସ୍ତୁତ ହେବା ଆରମ୍ଭ କରିଥିଲା, ତହିଁରେ ବିରାମ ଲାଗିବ। ପ୍ରକାଶ ଥାଉ କି ଇତିମଧ୍ୟରେ ଚୀନ, ଜାପାନ ଓ ଦକ୍ଷିଣ କୋରିଆ ମଧ୍ୟରେ ନୂତନ ବାଣିଜ୍ୟ ଚୁକ୍ତି ସଂପାଦିତ ହେବାର ଉପକ୍ରମ ହେଉଥିଲା; ୟୁରୋପୀୟ ସଂଘ ସହିତ ଚୀନ ପକ୍ଷରୁ ସଂପର୍କ ସ୍ଥାପନ କରାଯାଇଥିଲା; ଭାରତ ଓ ଚୀନ ମଧ୍ୟରେ ଥିବା ସଂର୍ପକର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଭାରତକୁ ସରାଗରେ କୋଳାଗ୍ରତ କରିବାକୁ ଚୀନ ଆଗଭର ହୋଇଥିଲା। ତେଣୁ, ଅବଶିଷ୍ଟ ପୃଥିବୀ ଉପରେ ସାମୟିକ ଭାବେ ଅତିରିକ୍ତ ଟିକସ ଛାଡ଼ ହୋଇଯିବା ପରିପ୍ରେକ୍ଷୀରେ ସୃଷ୍ଟ ନୂତନ ଦୃଶ୍ୟପଟ‌େର ଚୀନ ଏକ ନିଃସଙ୍ଗ ସୈନିକ ଭଳି ଏକାକୀ ଯୁଦ୍ଧ ସମ୍ମୁଖୀନ ହେବା ପ୍ରାୟ ସୁନିଶ୍ଚିତ। କହିବା ବାହୁଲ୍ୟ ଯେ ବର୍ତ୍ତମାନ ଆମେରିକାରେ ଚୀନ ଏବଂ ଚୀନରେ ଆମେରିକା ସଂପୂର୍ଣ୍ଣ ରୂପେ ବିକ୍ରୟ ଅଯୋଗ୍ୟ ହୋଇ ଉଠି‌େବ ଏବଂ ଉଚ୍ଚ ମୂଲ୍ୟ ହେତୁ ପ୍ରିୟ ଦ୍ରବ୍ୟ ଖର୍ଦ୍ଦି କରି ନ ପାରି ସାଧାରଣ ଗ୍ରାହକ ହିଁ ସର୍ବାଧିକ ସନ୍ତପ୍ତ ହେବେ। ଆମେରିକା ପୃଥିବୀର ବୃହତ୍ତମ କ୍ରେତା ରାଷ୍ଟ୍ର ଏବଂ ଚୀନ ବୃହତ୍ତମ ବିକ୍ରେତା ରାଷ୍ଟ୍ର ହୋଇଥିବାରୁ ଏହି ଯୁଦ୍ଧ ହୁଏତ ଏକ ଇଙ୍ଗିତ ପ୍ରଦାନ କରିପାରେ ଯେ ପୃଥିବୀର ବଜାର କାହାର ଆଧିପତ୍ୟାଧୀନ ହେବ, କ୍ରେତାର ନା ବିକ୍ରେତାର?
ଏହିି ପରିପ୍ରେକ୍ଷୀରେ ଚୀନ ଓ ଆମେରିକା ମଧ୍ୟରେ ଏ ଯାବତ୍‌ ହୋଇ ଆସିଥିବା ବାଣିଜ୍ୟ ଉପରେ ଏକ କ୍ଷିପ୍ର ଦୃଷ୍ଟିପାତ କରାଯାଉ। ପରିସଂଖ୍ୟାନ କହିଥାଏ ଯେ ଆମେରିକା ଚୀନରୁ ୪୬୨ ବିଲିଅନ ଡଲାର ମୂଲ୍ୟର ଦ୍ରବ୍ୟ କ୍ରୟ ବା ଆମଦାନି କରୁଥିବା ବେଳେ ଚୀନକୁ ମାତ୍ର ୨୦୦ ବିଲିଅନ ଡଲାର ମୂଲ୍ୟର ଦ୍ରବ୍ୟ ବିକ୍ରୟ ବା ରପ୍ତାନି କରିଥାଏ; ଯାହା ଏକ ଅତ୍ୟନ୍ତ ନିଦାରୁଣ ନିଅଣ୍ଟିଆ ସ୍ଥିତି। ଯଦିଓ ସେବା କ୍ଷେତ୍ରରେ ଆମେରିକା ଅଧିକ ରପ୍ତାନି କରି ପ୍ରାୟ ୩୨ ବିଲିଅନ ଡଲାର ମୂଲ୍ୟର ଲାଭ କରିଥାଏ, ତାହା ଦ୍ରବ୍ୟ କ୍ଷେତ୍ରରେ ପରିଦୃଷ୍ଟ ନିଅଣ୍ଟିଆ ସ୍ଥିତି ସମ୍ମୁଖରେ ନଗଣ୍ୟ ଭଳି ପ୍ରତୀୟମାନ ହୋଇଥାଏ। ଏଭଳି ଏକ ସ୍ଥିତିରେ ଯାହା ଟ୍ରମ୍ପଙ୍କ ଲାଗି ଅଧିକ ଅସହନୀୟ ହୋଇଥାଏ, ତାହା ହେଲା ଉଭୟ ରାଷ୍ଟ୍ର ମଧ୍ୟରେ ତିକ୍ତତା ବିଦ୍ୟମାନ ଥିବା ସତ୍ତ୍ବେ ଆମେରିକା ଭୂମିରେ ଦ୍ରବ୍ୟ ବିକ୍ରୟ କରି ଚୀନ ନିଜକୁ ପରିପୁଷ୍ଟ କରି ଚାଲିବା ଏବଂ ‌େଦୖନନ୍ଦିନ ସାମଗ୍ରୀରୁ ଆରମ୍ଭ କରି ଯାନବାହନ ପର୍ଯ୍ୟନ୍ତ ଅତ୍ୟନ୍ତ ବିବିଧ ପର୍ଯ୍ୟାୟର ସାମଗ୍ରୀ ଲାଗ ଆମେରିକୀୟମାନଙ୍କୁ ଚୀନ ଉପରେ ନିର୍ଭରଶୀଳ କରି ପକାଇବା। କେବଳ ସେତିକି ନୁହେଁ, ଏହି ପରିପ୍ରେକ୍ଷୀରେ ଆଉ ଯେଉଁ ବିଷୟଟି ଟ୍ରମ୍ପଙ୍କୁ ଆହତ କରୁଥିବ, ତାହା ହେଲା, ଉଭୟ ଦେଶ ପରସ୍ପର ଠାରୁ କିଣାବିକା କରୁଥିବା ପ୍ରମୁଖ ସାମଗ୍ରୀର ପ୍ରକାର ଓ ପରିମାଣ। ନିମ୍ନ ଉଦାହରଣରୁ ଏହା ସ୍ପଷ୍ଟ ହେବ।
ଆମେରିକା ଚୀନରୁ ଯେଉଁ ଦ୍ରବ୍ୟ ସର୍ବାଧିକ କ୍ରୟ କରିଥାଏ, ସେହି ଶ୍ରେଣୀର ଦ୍ରବ୍ୟ ଚୀନକୁ ସର୍ବାଧିକ ବିକ୍ରୟ ମଧ୍ୟ କରିଥାଏ ଏବଂ ତାହା ହେଉଛି ବୈଦ୍ୟୁତିକ ଓ ଇଲେକ୍‌ଟ୍ରୋନିକ୍‌ସ ସରଞ୍ଜାମ। କିନ୍ତୁ ବିଡ଼ମ୍ବନା ହେଲା, ଦ୍ରବ୍ୟ ପର୍ଯ୍ୟାୟରେ ଆମେରିକାର କ୍ରୟ ପରିମାଣ ପ୍ରାୟ ୪୪୦ ବିଲିଅନ ଡଲାର ହୋଇଥିବା ବେଳେ ବିକ୍ରୟର ପରିମାଣ ମାତ୍ର ପ୍ରାୟ ୧୪୭ ବିଲିଅନ ଡଲାର; ଯାହାର ଅର୍ଥ ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ଏକଦା ଅନତିକ୍ରମ୍ୟ ଆମେରିକା ଏବେ ପ୍ରତିଯୋଗିତାର ପୃଷ୍ଠ ଭାଗରେ। ସେହିଭଳି ଚୀନରୁ ଅାମେରିକା ଯାଉଥିବା ସର୍ବାଧିକ ରପ୍ତାନିଯୋଗ୍ୟ ଦ୍ରବ୍ୟ ମଧ୍ୟରେ ଉତ୍କୃଷ୍ଟ ଯନ୍ତ୍ରପାତି ଥିବା ବେଳେ ଆମେରିକାରୁ ଚୀନ ଯାଉଥିବା ଦ୍ରବ୍ୟର ତାଲିକାରେ ଶୀର୍ଷ ସ୍ଥାନରେ ରହିଛି ସୋୟାବିନ, ଆଲମଣ୍ଡ ଓ ପିସ୍ତା ଭଳି କୃଷିଜାତ ଦ୍ରବ୍ୟ। ଏଭଳି ଏକ ସ୍ଥିତି ଟ୍ରମ୍ପଙ୍କ ସକାଶେ ଅସ୍ବସ୍ତିକର ହୋଇଥିବା ସୁନିଶ୍ଚିତ, ଯାହାକୁ ଲକ୍ଷ୍ୟ କରି ବିଶିଷ୍ଟ ଆମେରିକୀୟ ରାଜନୈତିକ ପର୍ଯ୍ୟବେକ୍ଷକ ଫରିଦ ଜାକାରିଆ କହନ୍ତି ଯେ ଟ୍ରମ୍ପ ତାଙ୍କ ଅଧୀନସ୍ଥ ଆମେରିକାକୁ ବିଂଶ ଶତାବ୍ଦୀର ପ୍ରାରମ୍ଭ କାଳକୁ ଘେନି ଯିବାକୁ ଚାହାନ୍ତି, ଯେଉଁ ସମୟରେ ଶିଳ୍ପ ଓ ପ୍ରଯୁକ୍ତି ଗବେଷଣା କ୍ଷେତ୍ରରେ ସେ ଦେଶ ଥିଲା ଧ୍ରୁବତାରା ତୁଲ୍ୟ ଏବଂ ଯାହା ଆମେରିକାକୁ ପୃଥିବୀର ସର୍ବାଧିକ ସମୃଦ୍ଧ ଓ ଧନିକ ରାଷ୍ଟ୍ରରେ ପରିଣତ କରିଥିଲା। ପ୍ରକାଶ ଥାଉ କି ଟ୍ରମ୍ପଙ୍କ ‘ଟାରିଫ’ ଯୁଦ୍ଧର ଏକ ନିହିତ ଉଦ୍ଦେଶ୍ୟ ହେଲା ବିଦେଶର ଶିଳ୍ପୋଦ୍ୟୋଗୀମାନଙ୍କୁ ଆମେରିକାରେ ଶିଳ୍ପ ସ୍ଥାପନ କରିବାକୁ ଏକ ରକମର ବାଧ୍ୟ କରି ପକାଇବା, କାରଣ ସେମାନଙ୍କ କାରଖାନା ଆମେରିକାରେ ଦ୍ରବ୍ୟ ଉତ୍ପାଦନ କଲେ ଯାଇ ତାହା ସେଠାରେ ଶସ୍ତା ହୋଇ ପ୍ରତିଯୋଗିତାକ୍ଷମ ଓ ଲାଭଦାୟକ ହୋଇ ପାରିବ। ପ୍ରକାଶ ଥାଉ କି ଅତିକାୟ ଆମେରିକୀୟ ‘ଟେକ୍‌ କଂପାନି’ଗୁଡ଼ିକ (ଫେସବୁକ୍‌, ୟୁଟ୍ୟୁବ ଓ ହ୍ବାଟ୍‌ସଆପ ଇତ୍ୟାଦି ଭଳି) ପୃଥିବୀର ଜନମତ, ଧାରଣା ଓ ବ୍ୟା‌ଖ୍ୟାନର ନିର୍ମାଣ ଓ ନିୟନ୍ତ୍ରଣ‌େର ନିର୍ବିକଳ୍ପ ହୋଇଥିଲେ ହେଁ ତାହା ଟ୍ରମ୍ପଙ୍କୁ ସନ୍ତୁଷ୍ଟ କରି ନ ଥାଏ। ଟେସ୍‌ଲା ଭଳି ଗୋଟିଏ ଯାନର ବିକଳ୍ପ ଚୀନରୁ ଉପଲବ୍‌ଧ ହୋଇଯିବା ତାଙ୍କ ଲାଗି ଅସହ୍ୟ ହୋଇଥାଏ।
ଏହା ସମସ୍ତେ ଜାଣନ୍ତି ଯେ ଟ୍ରମ୍ପଙ୍କ ମୂଳ ଆହ୍ବାନ – ‘ମେକ୍‌ ଆମେରିକା ଗ୍ରେଟ ଏଗେନ’ ବା ‘ପୁଣି ଥରେ ଆମେରିକାକୁ ମହାନ କରି ଗଢ଼ି ‌େତାଳ’ – ର ଏକ ଅଂଶ ହେଉଛି ଏହି ‘ଟାରିଫ’ ଯୁଦ୍ଧ। ଏହାକୁ ଲକ୍ଷ୍ୟ କରି ପ୍ରସିଦ୍ଧ ଇସ୍ରାଏଲୀ ଲେଖକ ଓ ବିଦ୍ବାନ (‘ସାପିଏନ୍‌ସ’ର ଲେଖକ) ୟୋଭାଲ ନୋଆ ହାରାରି କହିଥାଆନ୍ତି ଯେ ‘ଏଗେନ୍‌’ ବା ‘ପୁଣି ଥରେ’ ବୋଲି ଟ୍ରମ୍ପଙ୍କ ଉକ୍ତି ସୂଚାଇଥାଏ ଯେ ତାଙ୍କ ଧାରଣାରେ ଆମେରିକା ଆଉ ପୂର୍ବ ଭଳି ମହାନ ହୋଇ ରହିନାହିଁ। ଏହା ହିଁ ସେହି ହୀନମନ୍ୟତା, ଯେଉଁ ବିଷୟରେ ଏହି ସ୍ତମ୍ଭର ଉପକ୍ରମରେ କୁହାଯାଇଛି ଓ ଯାହା ପୃଥିବୀକୁ ସହସା ଦୋହଲାଇ ଦେଇଥିବା ଭଳି ଟିକସ ଯୁଦ୍ଧର ସୂତ୍ରପାତ ଘଟାଇଛି।

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.