Breaking News

ହୀରା ଚିହ୍ନଟ

ବିଡ଼ମ୍ବନାଟି ହେଲା ଅବ୍ୟାହତି ନେବା ପରେ କ୍ରୀଡ଼ା ତାରକାମାନଙ୍କ ପୁନର୍ବାସ ସକାଶେ ଏ ଯାବତ୍‌ କୌଣସି ବିଧିବଦ୍ଧ ବ୍ୟବସ୍ଥା ଦୃଷ୍ଟିଗୋଚର ହୋଇନାହିଁ। ତେବେ, କେବଳ ସରକାରଙ୍କ ଆଡ଼କୁ ତର୍ଜନୀ ନିର୍ଦ୍ଦେଶ କରିବା...

ବିଡ଼ମ୍ବନାଟି ହେଲା ଅବ୍ୟାହତି ନେବା ପରେ କ୍ରୀଡ଼ା ତାରକାମାନଙ୍କ ପୁନର୍ବାସ ସକାଶେ ଏ ଯାବତ୍‌ କୌଣସି ବିଧିବଦ୍ଧ ବ୍ୟବସ୍ଥା ଦୃଷ୍ଟିଗୋଚର ହୋଇନାହିଁ। ତେବେ, କେବଳ ସରକାରଙ୍କ ଆଡ଼କୁ ତର୍ଜନୀ ନିର୍ଦ୍ଦେଶ କରିବା ମଧ୍ୟ ପରିପକ୍ବତା ନୁହେଁ। କ୍ରୀଡ଼ା ସଂଗଠନ ବା ଫେଡେରେସନଗୁଡ଼ିକ ମଧ୍ୟ ଏ ଦିଗରେ ଅତ୍ୟନ୍ତ ନିଷ୍କ୍ରିୟ। ଆଉ ସମାଜ? ଯେଉଁ ଜନସମାଜରୁ ଏହି ପ୍ରତିଭାମାନଙ୍କ ଉନ୍ମେଷ ଘଟିଥାଏ, ତାହା ଅନ୍ତତଃ ସାମାନ୍ୟ ସଂବେଦନଶୀଳ ହେବ ବୋଲି ସ୍ବାଭାବିକ ଭାବେ ଆଶା କରାଯାଏ। କିନ୍ତୁ ବାସ୍ତବରେ ତାହା ଘଟି ନ ଥାଏ।

୨୦୦୨ ମସିହା, ଜାନୁଆରି ମାସ ୨୧ ତାରିଖରେ ମର୍ମଭେଦୀ ଦାରିଦ୍ର୍ୟ ମଧ୍ୟରେ ମଖନ ସିଂହଙ୍କ ମୃତ୍ୟୁ ଘଟିଲା। ଉତ୍କଟ ମଧୁମେହ ହେତୁ ପାଦରେ ଏକ ସାମାନ୍ୟ କ୍ଷତ ଦୁରାରୋଗ୍ୟରେ ପରିଣତ ହୋଇଯାଇଥିବାରୁ ଅଗତ୍ୟା ତାଙ୍କ ଡାହାଣ ଗୋଡ଼ଟିକୁ ଶରୀରଚ୍ୟୁତ କରି ଦିଆଯାଇଥିଲା ଏବଂ କୃତ୍ରିମ କାଠ ଗୋଡ଼ଟିଏ ଲଗାଇବା ସକାଶେ ସେ ଋଣଗ୍ରସ୍ତ ହୋଇ ପଡ଼ିଥିଲେ। ଏହି ସ୍ତମ୍ଭର ପାଠକପାଠିକାମାନେ ଏକ ନିରୀହ ପ୍ରଶ୍ନ କରିପାରନ୍ତି ଯେ ଏହି ମଖନ ସିଂହ ମହାଶୟ କିଏ? କିନ୍ତୁ ବାସ୍ତବରେ ଏହା ଏକ ନିଦାରୁଣ ଭାବେ ବିଡ଼ମ୍ବିତ ପ୍ରଶ୍ନ, କାରଣ ୧୯୬୪ ମସିହାରେ କଲିକତାରେ ଆୟୋଜତ ହୋଇଥିବା ‘ନେସନାଲ ଗେମ୍‌ସ’ ବା ‘ଜାତୀୟ ଖେଳକୁଦ’ ପ୍ରତିଯୋଗିତାରେ ୪୦୦ ମିଟର ଦୌଡ଼ ସ୍ପର୍ଦ୍ଧା‌ରେ କିଂବଦନ୍ତୀୟ ମିଲଖା ସିଂହଙ୍କୁ ପରାଜିତ କରିଥିବା ସେ ହେଉଛନ୍ତି ଏକମାତ୍ର ଭାରତୀୟ ଆଥଲେଟ। ୧୯୫୯ ମସିହାରୁ ୧୯୬୪ ମସିହା ପର୍ଯ୍ୟନ୍ତ ପାଞ୍ଚ ବର୍ଷବ୍ୟାପୀ ତାଙ୍କର ଚମକପ୍ରଦ କ୍ୟାରିଅରରେ ସେ ରାଷ୍ଟ୍ରୀୟ, ଏସୀୟ ଓ ଅଲିଂପିକ୍‌ସ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ଏବଂ ଜିଣିଥିଲେ ସମୁଦାୟ ୧୨ଟି ସ୍ବର୍ଣ୍ଣ, ୩ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଏବଂ ରାଷ୍ଟ୍ରୀୟ ସମ୍ମାନ ଅର୍ଜୁନ ପୁରସ୍କାର। ପ୍ରତୀକ ଶର୍ମାଙ୍କ ଦ୍ବାରା ଲିଖିତ ମଖନ ସିଂହଙ୍କ ଜୀବନୀ ପୁସ୍ତକ ‘ଏ ଫରଗଟନ ହିରୋ: ଦ କିଙ୍ଗ ଅଫ ଦି ରେସିଙ୍ଗ ପାଥ୍‌’ (ଜଣେ ବିସ୍ମୃତ ନାୟକ: ଦୌଡ଼ ପଥର ରାଜା)ରେ ବର୍ଣ୍ଣିତ ଅଛି କିଭଳି ମିଲଖା ସିଂହ ଠାଏ କହିଥିଲେ ଯେ ତାଙ୍କ ସମୟର ଅଦ୍ଭୁତକର୍ମା ପାକିସ୍ତାନୀ ଧାବକ ଅବଦୁଲ ଖଲିଫଙ୍କ ତୁଳନାରେ ମଖନଙ୍କ ଉପସ୍ଥିତି ତାଙ୍କୁ ଅଧିକ ତ୍ରସ୍ତ କରିଥାଏ। ମଖନ ସିଂହ ୧୯୭୨ ମସିହାରେ ଜଣେ ସୁବେଦାର ଭାବେ ଭାରତୀୟ ସୈନ୍ୟବାହିନୀରୁ ଅବସର ନେବା ପରେ ଗୁଜରାଣ ମେଣ୍ଟାଇବା ସକାଶେ ଟ୍ରକ୍‌ ଚାଳକରେ ପରିଣତ ହୋଇଥିଲେ, ଯେଉଁ ବୃତ୍ତିଟି ଛିନ୍ନ ପାଦ ସହିତ ତାଙ୍କୁ ପରିତ୍ୟାଗ କରିଥିଲା। ତା’ ପର ଠାରୁ ମଖନ ସଂହ ସପରିବାର ଦାରିଦ୍ର୍ୟର ଅତଳ ଗର୍ଭରେ ଲୀନ ହୋଇଯାଇଥିଲେ। ଏବେ ଦ୍ବିତୀୟ ପ୍ରଶ୍ନ: ମୃତ୍ୟୁର ତେଇଶ ବର୍ଷ ପରେ ହଠାତ୍‌ ସେ ସ୍ମରଣକୁ ଆସନ୍ତି କାହିଁକି? ଏହାର କାରଣ ଗଲା ୧୧ ତାରିଖରେ ଏହି ସମ୍ବାଦପତ୍ରରେ ପ୍ରକାଶିତ ଏକ ବିଚଳିତକର ସମ୍ବାଦ ଯେ ଜାତୀୟ ମହିଳା ଫୁଟ୍‌ବଲ୍‌ ଟିମ୍‌ର ଅଂଶ ଭାବେ ଏକଦା ଚମକପ୍ରଦ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଥିବା ଦୁଇ ଖେଳାଳି କିଭଳି ଅସହନୀୟ ଦାରିଦ୍ର୍ୟ ହେତୁ ବିଡ଼ି ବଳି ବା ପର ଘରେ ପାଇଟି କରି ଜୀବନ ଅତିବାହିତ କରୁଛନ୍ତି। ସୁତରାଂ, ସ୍ବାଭାବିକ ଭାବେ ତୃତୀୟ ପ୍ରଶ୍ନ ଯେ କ୍ରୀଡ଼ା ଜଗତର ଜ୍ୟୋତିଷ୍କମାନେ କ୍ରମେ ଭୂପତିତ ଉଲ୍‌କା‌ ପିଣ୍ଡ ଭଳି ହଜି ଯାଆନ୍ତି କାହିଁକି?
ଆଠ ଶହ ମିଟର ଦୌଡ଼ ସ୍ପର୍ଦ୍ଧାରେ ବିଶ୍ବ ରେକର୍ଡ ପ୍ରତିଷ୍ଠା କରିଥିବା ପ୍ରସିଦ୍ଧ କେନୀୟ ଧାବକ ଡେଭିଡ ରୁଡିସା ଏକ ସାକ୍ଷାତ୍‌କାର ସମୟରେ ଯାହା କହିଥିଲେ, ତା’ର ସାରାଂଶ ହେଲା ଭାଗ୍ୟ ତାଙ୍କ ସମକକ୍ଷ ସାମର୍ଥ୍ୟ ଅନେକଙ୍କୁ ଦେଇଥିଲା, କେବଳ ଭାଗ୍ୟ ଦ୍ବାରା ପ୍ରଦତ୍ତ ଦୁଇ ପାଦ ଅଧିକ ଯିବାର ‘ବୋନସ’ ତାଙ୍କୁ ସାଫଲ୍ୟର ଶୀର୍ଷରେ ପହଞ୍ଚାଇ ଦେଇଥିବା ବେଳେ ଅନ୍ୟମାନେ କ୍ଷେତକୁ ଫେରିଯିବାକୁ ବାଧ୍ୟ ହେଲେ। କହିବାର ତାତ୍ପର୍ଯ୍ୟ ହେଲା ଦରିଦ୍ର ଓ ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ସଫଳତାର ଶୃଙ୍ଗରେ ପହଞ୍ଚିବାର ଟିକକ ପୂର୍ବରୁ ପାଦ ଖସିଗଲେ ଖେଳାଳିମାନେ ବିସ୍ମୃତିର ଅତଳ ଗର୍ତ୍ତରେ ହିଁ ପତିତ ହୁଅନ୍ତି।
ଶହେ ମିଟର ଦୌଡ଼ରେ ବିଶ୍ବ ରେକର୍ଡ ଅଧିକାରୀ ପ୍ରସିଦ୍ଧ ଜାମାଇକୀୟ ଧାବକ ୟୁସେନ ବୋଲ୍‌ଟ ଠାଏ ଯାହା କହିଥିଲେ, ତାହା ହେଲା, ‘ମାତ୍ର ନଅ ସେକେଣ୍ଡର ବୈଦ୍ୟୁତିକ ପ୍ରଦର୍ଶନ ସକାଶେ ମୁଁ ପ୍ରତି ଦିନ ମରୁଥାଏ।’ କହିବା ବାହୁଲ୍ୟ ବିଭିନ୍ନ କ୍ରୀଡ଼ା ସ୍ପର୍ଦ୍ଧାମାନଙ୍କରେ ସାମର୍ଥ୍ୟ ମୁତାବକ ସାଫଲ୍ୟ ପ୍ରଦର୍ଶନ କରୁଥିବା ପ୍ରତ୍ୟେକ ଖେଳାଳି ଏହି ସମାନ ପ୍ରକାର ଦହନ ଦେଇ ଯାଆ‌ନ୍ତି, କାରଣ କ୍ରୀଡ଼ା ପ୍ରତିଦ୍ବନ୍ଦ୍ବିତାରେ ଜିଣିବା‌ ସକାଶେ ଆବେଗ, ଶ୍ରମ ଓ ଅଭ୍ୟାସ ବ୍ୟତୀତ ଅନ୍ୟ କୌଣସି ‘ସର୍ଟ କଟ୍‌’ ନ ଥାଏ। ସୁତରାଂ, ଜୀବନର ସର୍ବାଧିକ ସକ୍ଷମ ସମୟ ତହିଁରେ ନିମଜ୍ଜିତ ରହିଥିବା ଖେଳାଳିମାନେ ଆପଣା କ୍ୟାରିଅର ଅନ୍ତ ହେବା ପରେ ନିଜକୁ ଏଭଳି ଉଲଙ୍ଗ ଅସହାୟତା ମଧ୍ୟ‌େର ଆବିଷ୍କାର କରନ୍ତି ଯେ ନାଲିଫିତା ତଳେ ଚପି ହୋଇ ରହିଥିବା ସରକାରୀ ପ୍ରତିଶ୍ରୁତିକୁ ଉଜାଗର କରିବା ବା ଚାକିରିଟିଏ ବା ଭତ୍ତା ଲାଭ କରିବା ସକାଶେ ଉଚ୍ଚ ପଦାସୀନମାନଙ୍କୁ ବାରମ୍ବାର ଗୁହାରି କରିବା ହୁଏତ ସେମାନଙ୍କ ଲାଗି ଏକ ଆବଶ୍ୟକତାରେ ପରିଣତ ହୋଇଯାଏ; କିନ୍ତୁ ‘ଦୁନିଆଦାରି’ର କୌଶଳ ଆୟତ୍ତ କରି ନଥିବା ଅନେକ ଖେଳାଳି ତାହା କରି ପାରନ୍ତି ନାହିଁ। ଏବଂ ଏହା ମଧ୍ୟ ସତ ଯେ ପ୍ରାୟତଃ କ୍ରୀଡ଼ା ପ୍ରତିଭାମାନଙ୍କ ଆବିର୍ଭାବ ଘଟିଥାଏ ଦାରିଦ୍ର୍ୟ କବଳିତ ଗ୍ରାମାଞ୍ଚଳରେ ବା ଅଣନିଃଶ୍ବାସୀ କରି ପକାଉଥିବା ଭଳି ସହରାଞ୍ଚଳର ବସ୍ତିମାନଙ୍କରେ। ଏଣେ, ଖେଳାଳିମାନଙ୍କ ଅତି ସଂକ୍ଷିପ୍ତ କ୍ୟାରିଅରରେ ସେମାନଙ୍କ ଚମକ ଶୀଘ୍ର ମଳିନ ପଡ଼ିଯାଏ। ସେତେବେଳକୁ ନୂତନ ତାରକାମାନେ ଉଦୟ ହୋଇ ସାରିଥାଆନ୍ତି। ତେଣୁ ଆମ ରାଜ୍ୟର ମୀନା ଆଇନ୍ଦ ବା ଦୀପ୍ତି କିସାନ ବା ତନୁଜା ବ‌ାଗେ ବା ହକି ଖେଳାଳି ସନ୍ତୋଷ ମାଝୀ ହୁଅନ୍ତୁ ବା ଉତ୍ତର ପ୍ରଦେଶର ମୀନାକ୍ଷୀରାଣୀ ହୁଅନ୍ତୁ ବା ଏସୀୟ ରୋପ୍ୟ ପଦକ ବିଜେତା ମହାରାଷ୍ଟ୍ରର ସର୍ବେଶ ହୁଅନ୍ତୁ; ନଭ ଚ୍ୟୁତ ତାରକାଗଣ ପୁଣି ଦାରିଦ୍ର୍ୟ ମଧ୍ୟକୁ ପ୍ରତ୍ୟାବର୍ତ୍ତନ କରନ୍ତି ଏବଂ ସ୍ବୀକୃତିଶୂନ୍ୟ ବାତାବରଣରେ ଶ୍ରମିକରେ ପରିଣତ ହୁଅନ୍ତି ବା ରୁଡିସାଙ୍କ ଭାଷାରେ କ୍ଷେତକୁ ଫେରି ଯାଆନ୍ତି!
ଏଭଳି ସ୍ଥଳେ ପ୍ରଶ୍ନ ଉଠେ ଯେ କ୍ରୀଡ଼ା ତାରକାମାନଙ୍କ ତତ୍ତ୍ବା‌ବଧାରକ କିଏ ହେବା ଉଚିତ? ସରକାର ନା କ୍ରୀଡ଼ା ସଂଗଠନମାନ ନା ସମାଜ? ପ୍ରକାଶ ଥାଉ କି ସଂପ୍ରତି କ୍ରୀଡ଼ା କ୍ଷେତ୍ରରେ ତୁଳନାତ୍ମକ ଭାବେ ଅଧିକ ପୁଂଜି ବିନିଯୁକ୍ତ ହେଉଛି। ଆମ ରାଜ୍ୟରେ ଏହା ଦୃଶ୍ୟମାନ ମଧ୍ୟ। ଓଡ଼ିଶା ସରକାରଙ୍କ ପୃଷ୍ଠପୋଷକତାରେ ଜାତୀୟ ହକି ଦଳ ପାଇଥିବା ସଫଳତା (ଅଲିଂପିକ ବ୍ରୋଞ୍ଜ ସମେତ) ସର୍ବତ୍ର ପ୍ରଶଂସାର ପାତ୍ର ହୋଇଛି। ସଂପ୍ରତି ଆମ ରାଜ୍ୟରେ ପ୍ରାୟ ପଚାଶଟି ଛୋଟ ବଡ଼ ଷ୍ଟାଡିଅମ (କେତେକ ନିର୍ମାଣାଧୀନ) ବିଦ୍ୟମାନ, ଯାହା କ୍ରୀଡ଼ା ପ୍ରତିଭାମାନଙ୍କ ବିକାଶରେ ସହାୟକ ହେଉଛି। ପ୍ରତିଭା ଚିହ୍ନଟ ସହିତ ବିକାଶ ଲାଗି ସମନ୍ବିତ ଉଦ୍ୟମମାନ ପରିଲକ୍ଷିତ ହେଉଛି, ଯହିଁରେ କ୍ରୀଡ଼ା ହଷ୍ଟେଲମାନ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। କିନ୍ତୁ, ବିଡ଼ମ୍ବନାଟି ହେଲା ଅବ୍ୟାହତି ନେବା ପରେ କ୍ରୀଡ଼ା ତାରକାମାନଙ୍କ ପୁନର୍ବାସ ସକାଶେ ଏ ଯାବତ୍‌ କୌଣସି ବିଧିବଦ୍ଧ ବ୍ୟବସ୍ଥା ଦୃଷ୍ଟିଗୋଚର ହୋଇନାହିଁ। ତେବେ, କେବଳ ସରକାରଙ୍କ ଆଡ଼କୁ ତର୍ଜନୀ ନିର୍ଦ୍ଦେଶ କରିବା ମଧ୍ୟ ପରିପକ୍ବତା ନୁହେଁ। କ୍ରୀଡ଼ା ସଂଗଠନ ବା ଫେଡେରେସନଗୁଡ଼ିକ ମଧ୍ୟ ଏ ଦିଗରେ ଅତ୍ୟନ୍ତ ନିଷ୍କ୍ରିୟ। ଆଉ ସମାଜ? ଯେଉଁ ଜନସମାଜରୁ ଏହି ପ୍ରତିଭାମାନଙ୍କ ଉନ୍ମେଷ ଘଟିଥାଏ, ତାହା ଅନ୍ତତଃ ସାମାନ୍ୟ ସଂବେଦନଶୀଳ ହେବ ବୋଲି ସ୍ବାଭାବିକ ଭାବେ ଆଶା କରାଯାଏ। କିନ୍ତୁ ବାସ୍ତବରେ ତାହା ଘଟି ନ ଥାଏ। ମଖନ ସିଂହ ଏବଂ ତାଙ୍କ ଦୁଇ ତରୁଣ ପୁତ୍ର ବୁଭୁକ୍ଷା ଓ ବିନା ଚିକିତ୍ସାରେ ମୃତ୍ୟୁ ବରଣ କରିଥିଲେ ତାଙ୍କ ନିଜ ଗ୍ରାମରେ! ଏହା ହିଁ ଚରମ ଦୁର୍ଭାଗ୍ୟ।
୨୦୧୧ ମସିହା, ଅଗଷ୍ଟ ମାସ‌େର ମଖନ ସିଂହଙ୍କ ଜରାଗ୍ରସ୍ତ ପତ୍ନୀ ଯେତେବେଳେ ଅଶ୍ରୁ ସଜଳ ଚକ୍ଷୁରେ ତାଙ୍କ ସ୍ବାମୀ ଲାଭ କରିଥିବା ଅର୍ଜୁନ ପୁରସ୍କାର ଟ୍ରଫିକୁ ବିକ୍ରି କରିଦେବାର ଉଦ୍ୟମ କଲେ, ସେତିକି ବେଳେ ପଞ୍ଜାବ ସରକାରଙ୍କ ଦୃଷ୍ଟି ତାଙ୍କ ଦାରିଦ୍ର୍ୟ ପ୍ରପୀଡ଼ିତ ପରିବାର ଉପରେ ପଡ଼ିଥିଲା ଏବଂ ଜୀବିତ ରହିଥିବା ତାଙ୍କର ଏକମାତ୍ର ଭିନ୍ନକ୍ଷମ ପୁତ୍ରକୁ ସରକାରୀ ଚାକିରିଟିଏ ମିଳିଥିଲା। ଉଲ୍ଲେଖଯୋଗ୍ୟ ଯେ ଏହି ଖବରକାଗଜରେ ସମ୍ବାଦଟିଏ ପ୍ରକାଶ ପାଇବା ପରେ ଆମ ରାଜ୍ୟରେ ମଧ୍ୟ ସେମିତି ଘଟିଛି, ଯହିଁରେ ରାଜ୍ୟସ୍ତରୀୟ ପ୍ରତିନିଧିତ୍ବ କରିଥିବା ଖେଳାଳିମାନଙ୍କ ତାଲିକା ପ୍ରସ୍ତୁତ କରିବା ସକାଶେ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆମେ ଆଶା କରିବା ଯେ ଏହି ନିର୍ଦ୍ଦେଶ ଯଥାଶୀଘ୍ର କାର୍ଯ୍ୟକାରୀ ହେବ। କୋହିନୁର ହୀରା ସଂଦର୍ଭରେ ରହିଥିବା ଏକ କାହାଣୀ ଅନୁସାରେ ଗୋଲକୁଣ୍ଡା ଅଞ୍ଚଳର ଜଣେ କୃଷକ ତା’ ଜମିରେ ପଡ଼ିଥିବା ଏକ ସ୍ପଟିକତୁଲ୍ୟ ପଥରକୁ ତା’ ପିଲାମାନେ ଖେଳିବେ ବୋଲି ଘରକୁ ନେଇ ଯାଇଥିଲା, ଯାହା ତା’ ଘର ଅଗଣାରେ ଅବହେଳିତ ହୋଇ ଅନେକ ଦିନ ପଡ଼ି ରହିଥିଲା। ଅଗତ୍ୟା ଜଣେ ଭବଘୁରା ଯାଯାବର ଚାଷୀ ଘରେ ଅତିଥି ହୋଇଥିବା ବେଳେ ତାହା ଏକ ବହୁମୂଲ୍ୟ ହୀରା ବୋଲି ଚିହ୍ନଟ କରନ୍ତେ ଇତିହାସ ସୃଷ୍ଟି ହୋଇଥିଲା। ଆମ କ୍ରୀଡ଼ା ଜଗତର ହୀରାମାନେ ସେମାନଙ୍କ ଚମକ ଦେଖାଇ ସାରି ଆମ ଅଗଣାରେ ମଳିନ ସ୍ପଟିକ ଭଳି ପଡ଼ି ରହିଥିବା ବେଳେ ସରକାରଙ୍କ ପଦକ୍ଷେପରୁ ମନେ ହେଉଛି ଯେ ହୀରା ଚିହ୍ନଟର ବେଳ ଉପନୀତ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.