Breaking News

ହୀରା ରାଇଜର ହୀରା ପୁଅ

ଆଫ୍ରିକାର ହୀରା ବିଶ୍ୱବଜାରକୁ ଦଖଲ କରିବାର ଯଥେଷ୍ଟ ପୂର୍ବରୁ ଓଡ଼ିଶାର ହୀରା ଦେଶ ବିଦେଶରେ ପ୍ରସିଦ୍ଧି ଲାଭ କରିଥିଲା। ଅନେକଙ୍କ ମତରେ, ଆମ ରାଜ୍ୟର ହୀରାକୁଦରୁ ଉତ୍ପାଦିତ ହୀରା ହେଉଛି ପୃଥିବୀର ସର୍ବପ୍ରାଚୀନ ହୀରା ମଧ୍ୟରୁ ଅନ୍ୟତମ।

ଆଫ୍ରିକାର ହୀରା ବିଶ୍ୱବଜାରକୁ ଦଖଲ କରିବାର ଯଥେଷ୍ଟ ପୂର୍ବରୁ ଓଡ଼ିଶାର ହୀରା ଦେଶ ବିଦେଶରେ ପ୍ରସିଦ୍ଧି ଲାଭ କରିଥିଲା। ଅନେକଙ୍କ ମତରେ, ଆମ ରାଜ୍ୟର ହୀରାକୁଦରୁ ଉତ୍ପାଦିତ ହୀରା ହେଉଛି ପୃଥିବୀର ସର୍ବପ୍ରାଚୀନ ହୀରା ମଧ୍ୟରୁ ଅନ୍ୟତମ। ଅତୀତରେ ୟୁରୋପୀୟ ଦେଶଗୁଡ଼ିକରେ ହୀରାକୁଦ-ହୀରାର ବିଶେଷ ଚାହିଦା ଥିଲା ବୋଲି ବିଶ୍ୱର ଅନେକ ପ୍ରାଚୀନ ଗ୍ରନ୍ଥରେ ଉଲ୍ଲେଖ ରହିଛି। ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀର ରୋମାନ ବିଦ୍ୱାନ ଟଲେମୀଙ୍କ ‘ଜିଓଗ୍ରାଫିଆ’ ପୁସ୍ତକରେ ହୀରାର ପେଣ୍ଠ ‘ସମ୍ବଳକ’ ବିଷୟରେ ଉଲ୍ଲେଖ ରହିଛି। ରୋମ ସାମ୍ରାଜ୍ୟର ସମ୍ରାଟ ଓ ସାମ୍ରାଜ୍ଞୀମାନଙ୍କର ସମ୍ବଳକର ହୀରା ପ୍ରତି ଅହେତୁକ ଆକର୍ଷଣ ଥିଲା। କଳିଙ୍ଗର ବିଭିନ୍ନ ବନ୍ଦର ଦେଇ ଏହି ହୀରା ବିଦେଶକୁ ଯାଉଥିବା କଥା ଚୀନ ପରିବ୍ରାଜକ ହୁଏନସାଂଙ୍କ ବିବରଣୀ କହେ। ହୀରାକୁଦରୁ ପ୍ରାପ୍ତ ହୀରା ଆଜି ମଧ୍ୟ ଫ୍ରାନ୍‌ସ, ଇରାନ ସମେତ ପୃଥିବୀର ବିଭିନ୍ନ ଦେଶରେ ରହିଛି ବୋଲି ଶୁଣିବାକୁ ମିଳେ। ୧୭୬୬ ମସିହାରେ ସମ୍ବଲପୁରର ରାଜା ଅଭୟ ସିଂହ ବଙ୍ଗ ଗଭର୍ଣ୍ଣର ରବର୍ଟ କ୍ଲାଇଭଙ୍କୁ ଷୋହଳ କ୍ୟାରେଟ ‘ଓଡ଼ିଶା ହୀରା’ ଉପହାର ଦେଇଥିବା କଥା ସରକାରୀ ରେକର୍ଡରୁ ଜଣାପଡ଼େ।

ତେବେ ପ୍ରାଚୀନ କାଳରେ ହୀରା ବ୍ୟବସାୟର କେନ୍ଦ୍ରସ୍ଥଳୀ ଥିବା ହୀରାକୁଦ ଅଞ୍ଚଳ ଆଧୁନିକ କାଳରେ ଅନେକ ଆନ୍ଦୋଳନ, ସଂଗ୍ରାମ ଓ ବିଦ୍ରୋହକୁ ପ୍ରତ୍ୟକ୍ଷ ଭାବେ ସାମ୍ନା କରିଛି। ଏଠାରେ ବ୍ରିଟିଶମାନଙ୍କର ରାଜ୍ୟ ଦଖଲ, ଭୂମି ହରଣ, ରାଜଗାଦି ଉପରେ ନିୟନ୍ତ୍ରଣ ଆଦି ଦୌରାତ୍ମ୍ୟ ମାତ୍ରାଧିକ ବୃଦ୍ଧି ପାଇଥିଲା, ଯାହା ଥିଲା ସ୍ଥାନୀୟ ବାସିନ୍ଦାଙ୍କ ଭାତହାଣ୍ଡିକୁ ପ୍ରହାର କରିବା ଭଳି। ଏହି ଯନ୍ତ୍ରଣାରୁ ଆରମ୍ଭ ହୋଇଯାଇଥିଲା ସଂଘର୍ଷ, ସଂଘର୍ଷରୁ ରକ୍ତପାତ ଓ ଶେଷରେ ଉଲଗୁଲାନ। ଉଲଗୁଲାନର ମହାନାୟକ ଥିଲେ ବିପ୍ଳବୀ ବୀର ସୁରେନ୍ଦ୍ର ସାଏ। ସାଙ୍ଗରେ ଥିଲେ ଛବିଳ, ଉଦନ୍ତ, କୁଞ୍ଜେଲ ଆଦି ବୀର ଭ୍ରାତାଗଣ। ହୀରାକୁଦ ଅଞ୍ଚଳ ସନ୍ନିକଟ ଅଗନା ଅଗନି ବନସ୍ତ ଦେବ୍ରିଗଡ଼ ହିଁ ଥିଲା ସାଏ ଭ୍ରାତାଗଣଙ୍କ ସଶସ୍ତ୍ର ସଂଗ୍ରାମର ପବିତ୍ର ପୀଠ। ଦେବ୍ରିଗଡ଼ ଜଙ୍ଗଲର ବାରବଖରା ଠାରେ ହିଁ ବୀର ସୁରେନ୍ଦ୍ରଙ୍କ ସାମରିକ ଘାଟି ଥିଲା। ଜନ୍ମମାଟି ଖିଣ୍ଡା ଏବଂ ରଣଭୂମି କୁଦୋପାଲି ଠାରୁ ଅନତି ଦୂରରେ ସ୍ଥିତ ଏହି ବିଶାଳ ଜଙ୍ଗଲକୁ ସେ ନିଜ ବାସସ୍ଥଳୀ ଭାବେ ବାଛିନେଇଥିଲେ। ଜଙ୍ଗଲର ଗଛଲତା, ପଶୁପକ୍ଷୀ, ସରୀସୃପ ଆଦିଙ୍କୁ ନିଜ କୁଟୁମ୍ବ ବିଚାରି ଆଦରି ନେଇଥିଲେ। ବୀର ସାଏ ଭ୍ରାତାଗଣଙ୍କର ମହାସଂଗ୍ରାମ ପର୍ଯ୍ୟାୟକ୍ରମେ ୧୮୨୭ରୁ ଆରମ୍ଭ ହୋଇ ୧୮୬୪ ମସିହା ପର୍ଯ୍ୟନ୍ତ ବଳବତ୍ତର ରହିଥିଲା। ଏହି ମୁକ୍ତି ସଂଗ୍ରାମରେ ସୁରେନ୍ଦ୍ର ସାଏଙ୍କ ଭାଇ ଛବିଳ ସାଏଙ୍କ ସମେତ ତାଙ୍କ ପୁଅ ତଥା ସମସ୍ତ ପରିବାର ସଦସ୍ୟ ଝାସ ଦେଇଥିଲେ। କୁଦୋପାଲି ଘାଟିର ରକ୍ତାକ୍ତ ସଂଗ୍ରାମରେ ଛବିଳ ସାଏଙ୍କ ସମେତ ମୋଟ ୫୭ ଜଣ ଯୋଦ୍ଧା ବୀରଗତି ଲଭିଥିଲେ। ଆଜୀବନ କାରାଦଣ୍ଡର ଯନ୍ତ୍ରଣା ଭିତରେ ସୁରେନ୍ଦ୍ର ସାଏ ଓ ଭାଇ ଉଦନ୍ତ ସାଏଙ୍କର ଦେହାନ୍ତ ହୋଇଥିଲା। ବୀର ସୁରେନ୍ଦ୍ର ସାଏଙ୍କ ରଣହୁଙ୍କାର, ପରାକ୍ରମ ଓ ଶାଣିତ ଯୁଦ୍ଧକୌଶଳର ମୂକସାକ୍ଷୀ ମଧ୍ୟ ଥିଲା ଦେବ୍ରିଗଡ଼ ସଂଲଗ୍ନ ହୀରାକୁଦ ଦ୍ୱୀପାଞ୍ଚଳ।

ଅତୀତରେ ଅସରନ୍ତି ହୀରା ପଥର ସାଉଁଟିଛି ଏହି ହୀରା ରାଇଜ। କିନ୍ତୁ ଏହାର ସବୁଠୁ ଦାମୀ ହୀରା- ବୀର ସୁରେନ୍ଦ୍ର ସାଏ, ଯାହାଙ୍କ ପରି ଏକ ଚିର-ଜୀବନ୍ତ ହୀରାକୁ ହରାଇ ହୀରାକୁଦ ଅଞ୍ଚଳ ଆଜି ବି ଝୁରି ହେଉଛି। ଜାନୁଆରି ୨୩ ତାରିଖରେ ସାରା ଦେଶ ଯେତେବେଳେ ଏହି ବୀର ସନ୍ତାନଙ୍କ ଜୟନ୍ତୀ ପାଳିବ, ହୀରାକୁଦ ପୁଣି ଗୁମୁରି ଗୁମୁରି ବିଳପି ଉଠିବ। ସଜଳ ଆଖିରେ ଦେବ୍ରିଗଡ଼ ଆଡ଼େ ଚାହିଁ ପୁଣି ଥରେ ଖୋଜିବ, ତା’ ହୀରା ପୁଅକୁ, ତା’ ମାଟିର ଯୋଗ୍ୟତମ ସନ୍ତାନକୁ।

ପାଖାପାଖି ଏକ ଶତାବ୍ଦୀ ପରେ ହୀରାକୁଦର ଭୂଗୋଳ ସମ୍ପୂର୍ଣ୍ଣ ବଦଳିଗଲା। ବିଶାଳ ନଦୀବନ୍ଧ ଯୋଜନାର ଉପକ୍ରମରେ, ଆଉ ଅକାତକାତ ପାଣି ତଳେ ଚିରକାଳ ପାଇଁ ଲୁଚିଗଲା ବୁଡ଼ି ଅଞ୍ଚଳ ହୀରାକୁଦ-ହୀରାର ଦୀପ୍ତି। ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ପରେ ପରେ ପ୍ରଥମ ମନ୍ତ୍ରିମଣ୍ଡଳ ଗଠିତ ହୋଇଥିଲା। ଏହି ମନ୍ତ୍ରିମଣ୍ଡଳ ଭାରତର ଜଣାଶୁଣା ଇଞ୍ଜିନିୟର ସାର୍ ଏମ୍. ବିଶ୍ୱେଶ୍ୱରୟାଙ୍କ ଠାରୁ ରାଜ୍ୟର ଉତ୍କଟ ବନ୍ୟା ସମସ୍ୟାର ସମାଧାନ ନିମନ୍ତେ ପରାମର୍ଶ ଲୋଡ଼ିଥିଲା। ପରବର୍ତ୍ତୀ କାଳରେ ଅର୍ଥାତ୍ ୧୯୪୫ ମସିହାରେ ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ କମିଟି ବସିଲା ମହାନଦୀ ଉପରମୁଣ୍ଡରେ ବୃହତ୍‌ ଜଳସେଚନ ପ୍ରକଳ୍ପ ନିର୍ମାଣ ଲାଗି। ଏମ୍. ବିଶ୍ୱେଶ୍ୱରୟା ଓ ବାବାସାହେବ ଆମ୍ବେଦକର ଉଭୟଙ୍କ ପରାମର୍ଶକୁ ଭିତ୍ତି କରି ଏହି ପ୍ରକଳ୍ପ ପାଇଁ ସବୁଠୁ ଉପଯୁକ୍ତ ସ୍ଥାନ ବିବେଚିତ ହେଲା ହୀରାକୁଦ ଦ୍ୱୀପାଞ୍ଚଳ ଓ ପରେ ଏହିଠାରେ ହିଁ ନଦୀବନ୍ଧର ଭିତ୍ତି ପ୍ରସ୍ତର ସ୍ଥାପନ କରାଗଲା। ୧୯୫୩ ମସିହାରେ ନଦୀବନ୍ଧ ନିର୍ମାଣ ସମ୍ପୂର୍ଣ୍ଣ ହେଲା। ଉଦ୍‌ଘାଟନ ହେଲା ୧୯୫୭ ମସିହା ଜାନୁଆରି ମାସ ୧୩ ତାରିଖରେ। ଏହା ଥିଲା ସ୍ୱାଧୀନ ଭାରତର ମେଗା-ଡ୍ୟାମ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଅନ୍ୟତମ। ଏସିଆର ସର୍ବବୃହତ୍ ମାଟିବନ୍ଧ ଭାବେ ହୀରାକୁଦର ଖ୍ୟାତି ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଡ୍ୟାମର ଜଳଭାଗ ୭୪୩ ବର୍ଗ କିଲୋମିଟର ପରିମିତ ବିଶାଳ ଅଞ୍ଚଳରେ ବ୍ୟାପି ରହିଛି। ନଦୀବନ୍ଧର ୨୫.୮ କିଲୋମିଟର ଦୈର୍ଘ୍ୟ ମଧ୍ୟରୁ ମୁଖ୍ୟ ଡ୍ୟାମର ଦୈର୍ଘ୍ୟ ହେଉଛି ୪.୮ କିଲୋମିଟର।

ବିଶ୍ୱାସ ରହିଛି ଯେ ହୀରକୁଦ ବନ୍ଧର ପାଣିତଳେ ଅର୍ଥାତ୍‌ ନିମ୍ନଦେଶରେ ଅବକ୍ଷେପିତ ମୃତ୍ତିକାରେ ହୀରାର ଉପସ୍ଥିତି ଥାଇପାରେ। ତେବେ ପାଣି ତଳୁ ହୀରା ମିଳୁ କି ନ ମିଳୁ, ପାଣି ଉପରେ କିନ୍ତୁ ଓଡ଼ିଶାକୁ ହୀରା ଯୋଗାଇଚାଲିଛି ହୀରାକୁଦ- ଭିନ୍ନ ଏକ ରୂପରେ। ସେ ହୀରା ଜଳବିଦ୍ୟୁତ୍‌ର ହୀରା, ସେ ହୀରା ଜଳସେଚନର ହୀରା। ଶତାବ୍ଦୀ ଶତାବ୍ଦୀ ଧରି କରାଳ ବନ୍ୟାରେ ବାରମ୍ବାର ଧ୍ୱସ୍ତବିଧ୍ୱସ୍ତ ହୋଇପଡୁଥିବା ଓଡ଼ିଶାର କୃଷିକ୍ଷେତ୍ର ପାଇଁ ଅମର ବରଦାନ ପାଲଟିଛି ହୀରାକୁଦ। ହୀରାକୁଦ ଯୋଗୁଁ ମହାନଦୀ ଅବବାହିକାରେ ବନ୍ୟା ବିଭୀଷିକା ଯଥେଷ୍ଟ ହ୍ରାସ ପାଇଛି। ପ୍ରକୃତରେ, ମହାନଦୀ ଓଡ଼ିଶାର ଜୀବନରେଖା ହେଲେ, ହୀରାକୁଦ ହେଉଛି ଏହାର ହୃତ୍‌ପିଣ୍ଡ ଏବଂ ଶାସନ ଓ ବରଗଡ଼ କେନାଲ ହେଉଛନ୍ତି ଏହାର ଦୁଇ ମୁଖ୍ୟ ଧମନୀ। ସୁତରାଂ ମହାନଦୀର ତଳ ମୁଣ୍ଡରେ ବନ୍ୟା ନିୟନ୍ତ୍ରଣ ସାଙ୍ଗକୁ ଉପର ମୁଣ୍ଡରେ ବ୍ୟାପକ ଜଳସେଚନ ଫଳରେ ଓଡ଼ିଶାର ଏକ ବୃହତ୍‌ ଅଞ୍ଚଳରେ ଆର୍ଥିକ ବିକାଶର ସ୍ୱପ୍ନ ସାକାର ହୋଇଛି। ଅବିଭକ୍ତ ସମ୍ବଲପୁର, ବିଶେଷକରି ବରଗଡ଼ ଅଞ୍ଚଳ ଓଡ଼ିଶାର ଭାତହାଣ୍ଡି ପାଲଟିଛି। ଜଳସେଚନ ଯୋଗୁଁ ସ୍ଥାନୀୟ ଅଞ୍ଚଳର କୃଷିକାର୍ଯ୍ୟ ପୂର୍ବାପେକ୍ଷା ବ୍ୟାପକ ଓ ଉନ୍ନତ ହୋଇପାରିଛି। ଫଳରେ ଉଭୟ ସ୍ଥାନୀୟ ଓ ରାଜ୍ୟ ଅର୍ଥନୀତି ସୁଦୃଢ଼ ହେବାରେ ଲାଗିଛି। ଓଡ଼ିଶାର ଆର୍ଥିକ ବିକାଶରେ ହୀରାକୁଦର ଅବଦାନ ଅତୁଳନୀୟ। ଏହି ବିକାଶର ଧାରାରେ ଏବେ ଧୀରେ ଧୀରେ ଯୋଡ଼ି ହେଉଛି ନୂତନ କୃଷି ପ୍ରଣାଳୀ, ଅତ୍ୟାଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର ଇତ୍ୟାଦି। ଏସବୁ ବଳରେ ଜଳବାୟୁ ଭିତ୍ତିକ ବ୍ୟାପକ ଓ ସଘନ କୃଷିକାର୍ଯ୍ୟକୁ ପ୍ରୋତ୍ସାହନ ଦେଇ ଅବିଭକ୍ତ ସମ୍ବଲପୁର ଅଞ୍ଚଳ ଓଡ଼ିଶାର କୃଷି-ସମୃଦ୍ଧିର କର୍ଣ୍ଣଧାର ହୋଇ ବିକଶିତ ଓଡ଼ିଶାର ମୂଳଦୁଆ ପକାଇବା ଆରମ୍ଭ କରିଛି।
କୃଷି ଓ କୃଷକ ସଶକ୍ତ ହେବା ପରେ ସମୟ ଆସିଛି, କୃଷି ଭିତ୍ତିକ ଅର୍ଥନୀତିରୁ ଜ୍ଞାନ ଭିତ୍ତିକ ଅର୍ଥନୀତି ଆଡ଼କୁ ଅଗ୍ରସର ହେବା ପାଇଁ। ସୁଦୂର ଅତୀତରେ ଏହି ଅଞ୍ଚଳ ଏକ ଆନ୍ତର୍ଜାତିକ ଜ୍ଞାନ କେନ୍ଦ୍ର ଭାବେ ଗଢ଼ିଉଠିଥିଲା। ଏଣୁ ମୋର ଦୃଢ଼ ବିଶ୍ୱାସ, ହୀରା ରାଇଜର ସେହି ହଜିଲା ଗୌରବକୁ ଆମେ ପୁଣି ଥରେ ଫେରାଇ ଆଣିପାରିବା। ଏହାକୁ ପୁନର୍ବାର ଶିକ୍ଷା ଓ ଜ୍ଞାନର ଏନ୍ତୁଡ଼ିଶାଳରେ ପରିଣତ କରିପାରିବା। ହୀରାକୁଦ ଓ ଆଖପାଖ ଅଞ୍ଚଳରେ ସ୍ଥାପିତ ଶିକ୍ଷାନୁଷ୍ଠାନମାନ ଏ ଦିଗରେ କାର୍ଯ୍ୟ କରିଆସୁଛନ୍ତି। ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ, ବୀର ସୁରେନ୍ଦ୍ର ସାଏ ଭେଷଜ ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ ପରି ରାଜ୍ୟ ସ୍ତରର ଅନୁଷ୍ଠାନ ସାଙ୍ଗକୁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇ.ଆଇ.ଏମ୍‌.) ପରି ଜାତୀୟ ଖ୍ୟାତିସମ୍ପନ୍ନ ପ୍ରତିଷ୍ଠାନ ଯୋଗୁଁ ଏ ଅଞ୍ଚଳ ଆଜି ଦେଶର ଶିକ୍ଷା ମାନଚିତ୍ରରେ ଏକ ବିଶେଷ ସ୍ଥାନ ଅଧିକାର କରିପାରିଛି।

ସେହିପରି, ସାଏ ଭ୍ରାତାଗଣଙ୍କ ଉଲଗୁଲାନର କେନ୍ଦ୍ରସ୍ଥଳୀ ଦେବ୍ରିଗଡ଼ ଜଙ୍ଗଲ ଆଜି ବନ୍ୟପ୍ରାଣୀ ଅଭୟାରଣ୍ୟ ରୂପେ ବିଶେଷ ପରିଚୟ ଲାଭ କରିଛି। ୩୪୬.୯୧ ବର୍ଗ କିଲୋମିଟର କ୍ଷେତ୍ରଫଳରେ ବ୍ୟାପ୍ତ ଏହି ଜଙ୍ଗଲ ହେଉଛି ହୀରାକୁଦର ସୁରକ୍ଷା କବଚ। ଏକଦା ବୀର ସୁରେନ୍ଦ୍ର ଓ ତାଙ୍କ ସାଥୀମାନଙ୍କୁ ଅଭୟ ଦେଉଥିବା ଏହି ଜଙ୍ଗଲ ଆଜି ବିଭିନ୍ନ ପ୍ରକାରର ଉଦ୍ଭିଦ ଓ ଜୀବଜନ୍ତୁଙ୍କ ପାଇଁ ଏକ ନିରାପଦ ଆଶ୍ରୟସ୍ଥଳୀ। ଏଠାରେ ଥିବା ୨୦୦ରୁ ଅଧିକ ଜାତିର ପକ୍ଷୀ, ୪୦ ଜାତିର ସ୍ତନ୍ୟପାୟୀ ଜୀବ, ୧୨ ଜାତିର ଉଭୟଚର ଜୀବ, ୪୦ ଜାତିର ସରୀସୃପ, ୮୫ ଜାତିର ପ୍ରଜାପତି, ୪୨ ଜାତିର ମାଛ, ୩୯ ଜାତିର ପତଙ୍ଗ ଓ ୩୮ ଜାତିର ବୁଢ଼ିଆଣୀ ଦେଶବିଦେଶର ବନ୍ୟଜନ୍ତୁପ୍ରେମୀ ପର୍ଯ୍ୟଟକ, ଗବେଷକ ଓ ଉତ୍ସାହୀ ଆବିଷ୍କାରକ ମାନଙ୍କର ପ୍ରିୟ ଗନ୍ତବ୍ୟରେ ପରିଣତ ହୋଇଛି। ମୋତେ ଲାଗେ, ଦେବ୍ରିଗଡ଼ର ସବୁଜିମା ଓ ହୀରାକୁଦର ନୀଳିମା, ଦୁହେଁ ମିଶି ହୀରା ରାଇଜର ସମ୍ଭ୍ରାନ୍ତିକୁ ସତେ ଯେମିତି ସଦର୍ପ ବଖାଣି ଚାଲିଛନ୍ତି। ଉଭୟ ହୀରାକୁଦ ଓ ଦେବ୍ରିଗଡ଼ର ଯୁଗଳବନ୍ଦୀରେ ମୁଁ ଦେଖିପାରୁଛି ପର୍ଯ୍ୟଟନର ଅସୀମ ସମ୍ଭାବନା। ଏହା ଏଭଳି ଏକ ଯୁଗଳବନ୍ଦୀ, ଯହିଁ ଅନ୍ତର୍ଜାତୀୟ ବାଣିଜ୍ୟର କଥା ସାଙ୍ଗକୁ ସଂଗ୍ରାମ ଓ ସଂଗ୍ରାମୀଙ୍କ ବଳିଦାନର ଗାଥା ମଧ୍ୟ ସାଇତା ହୋଇ ରହିଛି। ବୌଦ୍ଧ ବଜ୍ରଯାନ ପୋଥିର ‘ଉଡ୍ଡିୟାନ ପୀଠ’ ହେଉ ଅବା ହେଉ ବ୍ରିଟିଶ ନଥିପତ୍ରର ‘ଉଡ଼ିୟା କଣ୍ଟ୍ରି’, ସବୁଠି ଦିଶୁଛି ହୀରା ରାଇଜର ବିଭା ଓ ବିଭବ। ଅତୀତରେ ଅସରନ୍ତି ହୀରା ପଥର ସାଉଁଟିଛି ଏହି ହୀରା ରାଇଜ। କିନ୍ତୁ ଏହାର ସବୁଠୁ ଦାମୀ ହୀରା- ବୀର ସୁରେନ୍ଦ୍ର ସାଏ, ଯାହାଙ୍କ ପରି ଏକ ଚିର-ଜୀବନ୍ତ ହୀରାକୁ ହରାଇ ହୀରାକୁଦ ଅଞ୍ଚଳ ଆଜି ବି ଝୁରି ହେଉଛି। ଜାନୁଆରି ୨୩ ତାରିଖରେ ସାରା ଦେଶ ଯେତେବେଳେ ଏହି ବୀର ସନ୍ତାନଙ୍କ ଜୟନ୍ତୀ ପାଳିବ, ହୀରାକୁଦ ପୁଣି ଗୁମୁରି ଗୁମୁରି ବିଳପି ଉଠିବ। ସଜଳ ଆଖିରେ ଦେବ୍ରିଗଡ଼ ଆଡ଼େ ଚାହିଁ ପୁଣି ଥରେ ଖୋଜିବ, ତା’ ହୀରା ପୁଅକୁ, ତା’ ମାଟିର ଯୋଗ୍ୟତମ ସନ୍ତାନକୁ।

ଓଡ଼ିଶା ଇତିହାସର ମୂକସାକ୍ଷୀ ହୀରାକୁଦ। ଓଡ଼ିଶାର ବର୍ତ୍ତମାନ ଓ ଭବିଷ୍ୟତ୍‌ ଅର୍ଥନୈତିକ ଅଭିବୃଦ୍ଧିର ମୂଳଦୁଆ ବି ହୀରାକୁଦ। ଇତିମଧ୍ୟରେ ହୀରାକୁଦ ନଦୀବନ୍ଧ ପ୍ରତିଷ୍ଠାକୁ ୬୮ ବର୍ଷ ପୂରିଛି। ସେହିପରି ଆଉ କିଛିଦିନ ପରେ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମର ୨୧୬ ବର୍ଷ ପୂରିବ। ୧୩ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଏହି ଅବଧି ଆମ ପାଇଁ ଏକ ସମ୍ଭାବନାର ଅବଧି। ପବିତ୍ର ମକର ସଂକ୍ରାନ୍ତି ଠାରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହୋଇଛି। ଏ ଉତ୍ତରାୟଣ, ଓଡ଼ିଶା ବିକାଶର ବଡ଼ ପାହାଚକୁ ବାଟ କଢ଼ାଇବ, ଏ ଆଶା ଆମର ଅଛି। ଆଶା ମଧ୍ୟ ଅଛି ଯେ ଓଡ଼ିଶା ବିକାଶର ନନ୍ଦିଘୋଷ ରଥ ସମ୍ବଲପୁରରୁ ହିଁ ଗଡ଼ିବ।
(ମତାମତ ଲେଖକଙ୍କ ନିଜସ୍ବ)

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.