Breaking News

ହୁ’ରୁ ଓହରିଲା ଆମେରିକା: କ’ଣ ହେବ ପରିଣାମ?

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ରୁ ଆମେରିକାର ସଦସ୍ୟତା ଶେଷ କରିବାକୁ ଘୋଷଣା ସହ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିଛନ୍ତି। ୨୦୨୪ ଆମେରିକାର ବିଶ୍ବ ସ୍ବାସ୍ଥ୍ୟ ରଣନୀତିର ସମୀକ୍ଷା କରାଯିବା ଏବଂ ଏଥିରେ ବଡ଼ ପରିବର୍ତ୍ତନ ଅଣାଯିବ ବୋଲି ଟ୍ରମ୍ପ କହିଛନ୍ତି।

ୱାସିଂଟନ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ରୁ ଆମେରିକାର ସଦସ୍ୟତା ଶେଷ କରିବାକୁ ଘୋଷଣା ସହ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିଛନ୍ତି। ୨୦୨୪ ଆମେରିକାର ବିଶ୍ବ ସ୍ବାସ୍ଥ୍ୟ ରଣନୀତିର ସମୀକ୍ଷା କରାଯିବା ଏବଂ ଏଥିରେ ବଡ଼ ପରିବର୍ତ୍ତନ ଅଣାଯିବ ବୋଲି ଟ୍ରମ୍ପ କହିଛନ୍ତି।  ହୁ’ରୁ ଓହରିବା ସଂକ୍ରାନ୍ତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମାରେ ସ୍ୱାକ୍ଷର କରିବା ଅବସରରେ ସେ କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆମକୁ ଠକୁଛି ଓ ଲୁଟୁଛି। ଏହା ପୂର୍ବରୁ ସେ କହିଥିଲେ ଯେ ସ୍ୱାସ୍ଥ୍ୟ ସଂଗଠନକୁ ଆମେରିକା ଚୀନ୍‌ଠାରୁ ଅଧିକ ପାଣ୍ଠି ଯୋଗାଉଛି କିନ୍ତୁ ହୁ ଯେପରି କୋଭିଡ୍-୧୯ ମହାମାରୀ ଓ ଅନ୍ୟାନ୍ୟ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସଙ୍କଟର ମୁକାବିଲା କରିଛି, ତାହା ନୈରାଶ୍ୟଜନକ।

ଆମେରିକାର ସଦସ୍ୟତା ସମାପ୍ତ କରିବାର ଏହି ଧାରଣା ଅପ୍ରତ୍ୟାଶିତ ନୁହେଁ, କାରଣ ଏହା ୨୦୨୦ରୁ ଆସିଛି  ଏବଂ କୋଭିଡ୍-୧୯ ମହାମାରୀ ସମୟରେ ସେ ହୁ’କୁ ବାରମ୍ବାର ସମାଲୋଚନା କରିଥିଲେ। ‘ଚୀନ୍‌ର ମାଲିକାନା ଓ ନିୟନ୍ତ୍ରଣ’ ପାଇଁ ହୁ’ ମନ୍ଥର ଗତିରେ ଚୀନ୍‌ର ଇଶାରାରେ କାର୍ଯ୍ୟ କରୁଛି ବୋଲି ଟ୍ରମ୍ପ କହିଥିଲେ। ୧୯୪୮ ମସିହାରୁ ସ୍ବାସ୍ଥ୍ୟ ସଂଗଠନରେ ଆମେରିକାର ପ୍ରମୁଖ ଆର୍ଥିକ ଯୋଗଦାନ ରହିଥିବାରୁ ଏହି ନିଷ୍ପତ୍ତିର ପରିଣାମ ଗୁରୁତ୍ୱପୂର୍ଣ୍ଣ। ହୁ’ର ମୋଟ ପାଣ୍ଠିରେ ଆମେରିକାର ଯୋଗଦାନ ପ୍ରାୟ ୧୮% ରହିଛି। ନିକଟରେ ୨୦୨୪-୨୦୨୫ ପାଇଁ ଏହାର ଦୁଇବର୍ଷିଆ ବଜେଟ୍ ୬.୮ ବିଲିୟନ ଡଲାର ଥିଲା।

ଆମେରିକାର ପ୍ରତ୍ୟାହାର ଯୋଗୁ ହୁ’ କେବଳ ନିଜର ସବୁଠାରୁ ବଡ଼ ଦାତାଙ୍କୁ ହରାଇବ ନାହିଁ, ଆମେରିକୀୟମାନେ ବି ସ୍ୱାସ୍ଥ୍ୟ ଏଜେନ୍ସିଠାରୁ ଗୁରୁତ୍ୱପୂର୍ଣ୍ଣ ସୂଚନାରୁ ବଞ୍ଚିତ ‌ହେବେ। ଆମେରିକା ଏହି ସଂଗଠନରୁ ଓହରିଯିବାକୁ ଚାହୁଥିବା ଘୋଷଣା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦୁଃଖପ୍ରକାଶ କରିଛି। ହୁ କହିଛି, ଆମେ ଆଶା କରୁଛୁ, ଆମେରିକା ନିଷ୍ପତ୍ତିର ପୁନର୍ବିଚାର କରିବ ଏବଂ ଆମେ ସମଗ୍ର ବିଶ୍ୱର କୋଟି କୋଟି ଲୋକଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ତଥା ଆମେରିକା ଓ ହୁ ମଧ୍ୟରେ ଭାଗୀଦାରି ବଜାୟ ରଖିବା ପାଇଁ ଗଠନମୂଳକ ଆଲୋଚନା କରିବାକୁ ଆଗ୍ରହୀ। ହୁ’ ବିଶ୍ୱ ସ୍ୱାସ୍ଥ୍ୟ ବିପଦ ଉପରେ ନଜର ରଖିଥାଏ, ନୂତନ ଟିକା ଓ ଔଷଧର ଫର୍ମୁଲେସନ ଓ ଫଳପ୍ରଦତାର ମୂଲ୍ୟାଙ୍କନ କରେ, ଉଦୀୟମାନ ସ୍ୱାସ୍ଥ୍ୟ ସଙ୍କଟ ଓ ଚାଲୁଥିବା ସମସ୍ୟାଗୁଡିକର ପ୍ରତିକ୍ରିୟାକୁ ସମନ୍ୱୟ କରେ ଏବଂ ଜରୁରିକାଳୀନ ପରିସ୍ଥିତିରେ ଦେଶଗୁଡିକୁ ବିଶେଷଜ୍ଞ ସହାୟତା ପ୍ରଦାନ କରେ। ଟ୍ରମ୍ପଙ୍କ ପ୍ରଥମ ରାଷ୍ଟ୍ରପତି କାର୍ଯ୍ୟକାଳ ସମୟରେ ସେ ହୁ’କୁ ପାଣ୍ଠି ଯୋଗାଣ ବନ୍ଦ କରିଦେଇଥିଲେ। ତେବେ ଜୋ ବାଇଡେନ୍ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହି ଆଦେଶକୁ ବଦଳାଇ ଦେଇଥିଲେ।

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.