Breaking News

ହୃଦ୍‌ରୋଗରେ ପୀଡ଼ିତ ଶିଶୁଙ୍କ ଜନନୀ ପଲକ

ଏହାଙ୍କ ବିଷୟରେ ଖବରକାଗଜ ବା ପତ୍ରପତ୍ରିକାରେ ବିଶେଷ କୌଣସି ପ୍ରତିବେଦନ ଆଦୌ ପଢ଼ିବାକୁ ମିଳେନାହିଁ। ବିଶ୍ବର ତୃତୀୟ ଦ୍ରୁତ ପ୍ରଗତିଶୀଳ ଦେଶ, ଯେଉଁଠାରେ ଆଜି ମଧ୍ୟ ବର୍ଷକୁ ପ୍ରାୟ ଅଧକୋଟିରୁ ଅଧିକ ଶିଶୁ ଏକପ୍ରକାର ବିନା ଚିକିତ୍ସାରେ ମୃତ୍ୟୁବରଣ କରୁଛନ୍ତି...

ଉପସ୍ଥାପନା: ପ୍ରଦୀପ କୁମାର ରାୟ

ଏହାଙ୍କ ବିଷୟରେ ଖବରକାଗଜ ବା ପତ୍ରପତ୍ରିକାରେ ବିଶେଷ କୌଣସି ପ୍ରତିବେଦନ ଆଦୌ ପଢ଼ିବାକୁ ମିଳେନାହିଁ। ବିଶ୍ବର ତୃତୀୟ ଦ୍ରୁତ ପ୍ରଗତିଶୀଳ ଦେଶ, ଯେଉଁଠାରେ ଆଜି ମଧ୍ୟ ବର୍ଷକୁ ପ୍ରାୟ ଅଧକୋଟିରୁ ଅଧିକ ଶିଶୁ ଏକପ୍ରକାର ବିନା ଚିକିତ୍ସାରେ ମୃତ୍ୟୁବରଣ କରୁଛନ୍ତି, ସେହି ଦେଶରେ ହୁଏତ ତାଙ୍କର ପ୍ରାପ୍ୟ ଥିଲା ସୁପର୍‌ ସେଲିବ୍ରିଟିର ସମ୍ମାନ! ଆପଣ ବାଟରେ ଘାଟରେ ବିଭିନ୍ନ ବର୍ଗର ଲୋକଙ୍କୁ ପଚାରି ଦେଖନ୍ତୁ- ପଲକ ମୁଚ୍ଛଲଙ୍କୁ କ’ଣ ଆପଣ ଜାଣିଛନ୍ତି? ଅଧିକାଂଶ ଏହି ନାରୀଙ୍କୁ ଆଦୌ ଚିହ୍ନି ନାହାନ୍ତି ବୋଲି କହିବେ। ଜଣେ ଅଧେ କହିପାରନ୍ତି- ହଁ ବୋଧହୁଏ ଗୀତ ଗାଆନ୍ତି। ବାସ୍‌। ଅଥଚ ମାତ୍ର ୩୨ ବର୍ଷରେ ଏହି ଯୁବତୀ ଯାହା ଯାହା କରିଛନ୍ତି ତାହା ସାଧାରଣ ମନୁଷ୍ୟଙ୍କ କଳ୍ପନାର ବାହାରେ।

ପଲକ ମୁଚ୍ଛଲ ଗୀତ ଗାଆନ୍ତି। ମାତ୍ର ୪ବର୍ଷ ବୟସରେ ସଂଗୀତ ଜଗତରେ ପ୍ରବେଶ କଲ୍ୟାଣଜୀ-ଆନନ୍ଦଜୀ ଲିଟିଲ୍‌ ଷ୍ଟାର୍‌ ଗ୍ରୁପ୍‌ର ହାତଧରି। ୯ ବର୍ଷ ବୟସରେ ପ୍ରଥମ ଆଲବମ୍‌। ୧୪ବର୍ଷ ବୟସରେ ଛୋଟ ସହର ଇନ୍ଦୋରରୁ ବଲିଉଡ୍‌କୁ ଆଗମନ। ତା’ରି ଭିତରେ ୩ଟି ଆଲବମ୍‌ ବାହାରିଯାଇଛି। ବଲିଉଡ୍‌ରେ ପ୍ରବେଶ ମାତ୍ରେ ହିଁ ଟି-ସିରିଜ୍‌ର ହାତଧରି ୪ର୍ଥ ଆଲ୍‌ବମ୍‌ ଏବଂ ବଲିଉଡ୍‌ ସିନେମାରେ ପ୍ରଥମ ପ୍ରଚ୍ଛଦପଟ ଗାୟିକା। ଏହାପରେ ‘ବୀର’, ‘ଏକ ଥା ଟାଇଗର୍‌’ , ‘ପ୍ରେମ୍‌ ରତନ ଧନ ପାୟୋ’, ‘ଏମ୍‌ ଏସ୍‌ ଧୋନି’ ସହ ଗୋଟିଏ ପରେ ଗୋଟିଏ ସିନେମାରେ ହିଟ୍‌ ଗୀତ ଗାଇଛନ୍ତି ପଲକ। ହିନ୍ଦୀ, ତେଲୁଗୁ, ବାଂଲା, ଓଡ଼ିଆ ସହ ପ୍ରାୟ ୧୭ଟି ଭାଷାରେ ଗୀତ ଗାଇଛନ୍ତି ସେ। କାର୍ଗିଲ ଯୁଦ୍ଧ ସମୟରେ ମାତ୍ର ୭ବର୍ଷ ବୟସରେ ନିଜ ସହର ଇନ୍ଦୋରର ରାସ୍ତାରେ ବୁଲି ବୁଲି ଗୀତ ଗାଇ ମୋଟ୍‌ ୨୫,୦୦୦ ଟଙ୍କା ସଂଗ୍ରହ କରି ଆହତ ଭାରତୀୟ ସେନାବାହିନୀଙ୍କ ଚିକିତ୍ସା ପାଇଁ ଦେଇଥିଲେ ପଲକ। ସେହିବର୍ଷ ଅର୍ଥାତ୍ ୧୯୯୯ ମସିହାରେ ଓଡ଼ିଶାର ମହାବାତ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ଇନ୍ଦୋର ସହରର ଦୋକାନ ବୁଲି ଗୀତ ଗାଇ ପଠାଇଥିଲେ ୩୮,୦୦୦ ଟଙ୍କା। ୨୦୦୦ ମସିହାରେ ଇନ୍ଦୋରର ଜଣେ ସ୍କୁଲ୍‌ ଛାତ୍ରର ହାର୍ଟ ଅପରେସନ୍‌ ପାଇଁ ୮ବର୍ଷ ବୟସର ପଲକ ରାସ୍ତାରେ ସୋ’ କରି ସଂଗ୍ରହ କରିଥିଲେ ୫୧,୦୦୦ ଟଙ୍କା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ପଲକଙ୍କର ଏହି ଉଦ୍ୟୋଗର କଥା ଶୁଣି ଡକ୍ଟର ଦେବୀ ସେଠୀ ସେହି ସ୍କୁଲ୍‌ ଛାତ୍ରର ଚିକିତ୍ସା ବିନାମୂଲ୍ୟରେ କରିବା ପାଇଁ ସିଦ୍ଧାନ୍ତ ନେଇଥିଲେ।

ରୂପକଥା ଯେତେବେଳେ ବାସ୍ତବ ହୁଏ ସେତେବେଳେ ତାହା ଅନେକ ସ୍ବପ୍ନପୂରଣ କରିପାରେ। ସେହି ଛାତ୍ର ଲୋକେଶର ସଫଳ ଅପରେସନ୍‌ ପରେ ଆନନ୍ଦରେ ତା’ର ବାପାମା’ ଏକ ଆଞ୍ଚଳିକ ଖବରକାଗଜର ସାକ୍ଷାତ୍‌କାରରେ ଏହିକଥା ଜଣାଇବା ବେଳେ ଆହୁରି ୩୩ ଜଣ ଶିଶୁଙ୍କ କଥା ଲୋକଲୋଚନକୁ ଆସେ ଯେଉଁମାନେ ଦୁରାରୋଗ୍ୟ ହୃଦ୍‌ରୋଗରେ ପୀଡ଼ିତ। ଅତଏବ ସେହି ୨୦୦୦ ମସିହାରେ ୮ବର୍ଷର ପଲକ ଗୋଟିଏ ପରେ ଗୋଟିଏ ଷ୍ଟେଜ୍‌ରେ ସୋ’ କରି ସେହି ଅସହାୟ ଶିଶୁମାନଙ୍କର ଚିକିତ୍ସା ପାଇଁ ଦାନ କରନ୍ତି ମୋଟ୍ ୨ ଲକ୍ଷ ୨୫ ହଜାର ଟଙ୍କା। ସେହି ଟଙ୍କାରେ ୫ଜଣ ଶିଶୁଙ୍କର ସଫଳ ଅପରେସନ୍‌ ହୁଏ। ସେ ଯେଉଁସବୁ ଷ୍ଟେଜ୍‌ ସୋ’ କରନ୍ତି, ସେହି ବ୍ୟାନର୍‌ରେ ଲେଖାଯାଇଥାଏ- ‘ଦିଲ୍‌ ସେ ଦିଲ୍‌ ତକ୍‌’। ୨୦୦୧ରୁ ୨୦୦୬, ୫ବର୍ଷ ଭିତରେ ପଲକ ତାଙ୍କର ସାନଭାଇ ପଲାଶକୁ ସାଥିରେ ନେଇ ହଜାରରୁ ଉର୍ଦ୍ଧ୍ବ ଷ୍ଟେଜ୍‌ ସୋ’ କରି ସଂଗ୍ରହ କରନ୍ତି ଏକ କୋଟି କୋଡ଼ିଏ ଲକ୍ଷ ଟଙ୍କା। ଯେଉଁ ଅର୍ଥରେ ୨୩୪ ଜଣ ଶିଶୁଙ୍କର ସଫଳ ଚିକିତ୍ସା କରାଯାଇଥିଲା। ଏହାପରେ ପଲକ ପ୍ରତିଷ୍ଠା କରନ୍ତି ‘ପଲକ ମୁଚ୍ଛଲ ହାର୍ଟ ଫାଉଣ୍ଡେସନ୍‌’। ୧୮ ବର୍ଷରେ ପାଦ ଥାପିବା ପୂର୍ବରୁ ପଲକ ପ୍ରାୟ ୨କୋଟି ଟଙ୍କା ସଂଗ୍ରହ କରି ମୋଟ ୩୫୦ ଜଣ ଶିଶୁଙ୍କର ଚିକିତ୍ସା କରାଇବା ପାଇଁ ସକ୍ଷମ ହୋଇଥିଲେ। ଇନ୍ଦୋର, ମୁମ୍ବାଇ ଓ ବେଙ୍ଗାଲୁରୁର ହାର୍ଟ ସ୍ପେସାଲିଷ୍ଟମାନଙ୍କର ହିସାବ ଅନୁସାରେ ୨୦୨୪ ମସିହା ଡିସେମ୍ବର ମାସ ପର୍ଯ୍ୟନ୍ତ ଏଯାବତ୍ ୩୦୦୦ରୁ ଉର୍ଦ୍ଧ୍ବ ଶିଶୁମାନଙ୍କ ହାର୍ଟ ଅପରେସନ୍‌ ହୋଇଛି ପଲକ ଓ ପଲାଶଙ୍କ ଉପାର୍ଜିତ ଅର୍ଥରେ। ୩୦୦୦ରୁ ଉର୍ଦ୍ଧ୍ବ ଶିଶୁ ଆଜି ପଢୁଛନ୍ତି, ଖେଳୁଛନ୍ତି, ସୁସ୍ଥ ଜୀବନ ଅତିବାହିତ କରୁଛନ୍ତି ତାଙ୍କର ହାତଧରି। ତାଙ୍କୁ ଗୋଟିଏ ସାକ୍ଷାତ୍‌କାରରେ ପ୍ରଶ୍ନ କରାଯାଇଥିଲା- “ଆପଣ ତ ବର୍ତ୍ତମାନ ଜଣେ ପ୍ରତିଷ୍ଠିତ ପ୍ଲେବ୍ୟାକ୍ ସିଙ୍ଗର୍‌। ତଥାପି ଷ୍ଟେଜ୍‌ ସୋ’ କାହିଁକି କରନ୍ତି? ବିନା ଦ୍ବିଧାରେ ସେ କହିଥିଲେ- “ମୋ ପାଇଁ ଗୋଟିଏ କନ୍‌ସର୍ଟ ମାନେ ୧୦/୧୧ ଜଣ ଶିଶୁଙ୍କର ହାର୍ଟ ଅପରେସନ୍‌। କରିବି ନାହିଁ?’’

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.