Breaking News

ୟୁଏସ୍‌ଏଡ୍‌ ପାଣ୍ଠିକୁ ନେଇ ଟ୍ରମ୍ପଙ୍କ ନୂଆ ମନ୍ତବ୍ୟ: ‘ଲାଞ୍ଚ ଯୋଜନା’ରେ ଭାରତକୁ ଟଙ୍କା ପଠାଯାଉଥିଲା

ଭାରତୀୟ ନିର୍ବାଚନକୁ ନେଇ ନିଜ ଦାବିର ଗୋଟିଏ ଦିନ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର କହିଛନ୍ତି ଯେ ଭାରତରେ ମତଦାନ ହାରରେ ଉନ୍ନତି ଆଣିବା ପାଇଁ ୟୁଏସ୍‌ଏଡ୍‌ ଫେଡେରାଲ ପାଣ୍ଠି ଏକ ‘କିକ୍‌ବ୍ୟାକ୍ (ଲାଞ୍ଚ) ଯୋଜନା’ ଥିଲା ଏବଂ ଏହି ଯୋଜନାରେ ଭାରତକୁ ଅର୍ଥ ପଠାଯାଉଥିଲା।

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନକୁ ନେଇ ନିଜ  ଦାବିର ଗୋଟିଏ ଦିନ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର କହିଛନ୍ତି ଯେ ଭାରତରେ ମତଦାନ ହାରରେ ଉନ୍ନତି ଆଣିବା ପାଇଁ ୟୁଏସ୍‌ଏଡ୍‌ ଫେଡେରାଲ ପାଣ୍ଠି ଏକ ‘କିକ୍‌ବ୍ୟାକ୍ (ଲାଞ୍ଚ) ଯୋଜନା’ ଥିଲା ଏବଂ ଏହି  ଯୋଜନାରେ ଭାରତକୁ ଅର୍ଥ ପଠାଯାଉଥିଲା। କ’ଣ ଘଟୁଛି ସେ ବିଷୟରେ କାହାର ଧାରଣା ନାହିଁ ଏବଂ ଆମେରିକାର ଅର୍ଥକୁ କିଭଳି ବିନିଯୋଗ କରାଯାଉଥିଲା ତାହାକୁ ନେଇ ଲୋକେ ଚିନ୍ତା କରନ୍ତୁ ବୋଲି ଟ୍ରମ୍ପ କହିଛନ୍ତି। ରାଜଧାନୀ ୱାସିଂଟନରେ ରିପବ୍ଲିକାନ୍ ଗଭର୍ଣ୍ଣର୍ସ ଆସୋସିଏସନକୁ ଦେଇଥିବା ଭାଷଣରେ ଟ୍ରମ୍ପ କହିଛନ୍ତି, ଆମେରିକାରେ ମତଦାନ ହାର କମ୍ ରହିଥିବା ବେଳେ ଅନ୍ୟଦେଶରେ ମତଦାନ ବୃଦ୍ଧି ପାଇଁ ଆମେ ଟଙ୍କା ଦେଉଛୁ।

ଆମେ ଆମ ନିଜର ମତଦାନ ପ୍ରତି ଯତ୍ନବାନ ହେବା ଉଚିତ। ଟ୍ରମ୍ପ କହିଛନ୍ତି, ବାସ୍ତବରେ ଏହା ଏକ କିକ୍‌ବ୍ୟାକ୍ ଯୋଜନା, ସେମାନେ ଏହାକୁ ପାଆନ୍ତି, ଖର୍ଚ୍ଚ କରନ୍ତି ଏବଂ ସେମାନେ ସେମାନେ କିଛି ହାସଲ କରନ୍ତି। କ’ଣ ଚାଲିଛି ସେ ବିଷୟରେ କାହାର କିଛି ଧାରଣା ନାହିଁ। ବୁଧବାର ଟ୍ରମ୍ପ ପୂର୍ବର ଜୋ ବାଇଡେନ୍ ପ୍ରଶାସନ ଭାରତୀୟ ନିର୍ବାଚନରେ ହସ୍ତକ୍ଷେପ କରିବାର ସଙ୍କେତ ଦେଇ ୟୁଏସ୍‌ଏଡ୍‌ ଅଧୀନରେ ଭାରତରେ ମତଦାନ ପାଇଁ ୨୧ ନିୟୁତ ଡଲାର ଖର୍ଚ୍ଚ କରିବାର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇଥିଲେ। ସେ ଆହୁରି କହିଛନ୍ତି ଯେ ବାଇଡେନ ପ୍ରଶାସନ ଭାରତରେ ଅନ୍ୟ କାହାକୁ ନିର୍ବାଚିତ କରିବା ପାଇଁ ପ୍ରୟାସ କରୁଥିଲା। ଏହାପରେ ରାଷ୍ଟ୍ରପତି କହିଥିଲେ ଯେ ସେ ଭାରତରେ ମୋଦୀ ସରକାରଙ୍କ ନିକଟରେ ଏହି ପ୍ରସଙ୍ଗ ଉଠାଇବେ। ଫେବ୍ରୁଆରି ୧୬ରେ ଟେସ୍‌ଲାର ସିଇଓ  ଏଲନ୍ ମସ୍କଙ୍କ ନେତୃତ୍ୱାଧୀନ ଡିଓଜିଇ ଦାବି କରିଥିଲା ଯେ ୟୁଏସଏଡ୍‌ ଅଧୀନରେ ଭାରତରେ ମତଦାନ ବୃଦ୍ଧି କରାଯିବା ନାମରେ ୨୧ ନିୟୁତ ଡଲାର ଆବଣ୍ଟନ କରାଯାଇଥିଲା।

ବୈଦେଶିକ ମନ୍ତ୍ରଣାଳୟ କହିଲା ଚିନ୍ତାଜନକ; ତଦନ୍ତ ଜାରି, ଇଣ୍ଡିଆନ ଏକ୍ସପ୍ରେସ୍‌ର ଅନୁସନ୍ଧାନ ରିପୋର୍ଟ ଭିନ୍ନ କଥା କହୁଛି

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ଭାରତୀୟ ନିର୍ବାଚନରେ ବାହ୍ୟ ହସ୍ତକ୍ଷେପ କରାଯାଇଥିବା ସଂକ୍ରାନ୍ତ ମନ୍ତବ୍ୟ ଦେଇଥିବା ବେଳେ ଏହାକୁ ନେଇ କେନ୍ଦ୍ର ସରକାର ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିଦେଶ ମନ୍ତ୍ରଣାଳୟ ଏହାକୁ ଚିନ୍ତାଜନକ ବୋଲି କହିଛି। ଆମେରିକାର ଆନ୍ତର୍ଜାତିକ ବିକାଶ ଏଜେନ୍ସି (ୟୁଏସ୍ଏଡ୍‌) ଭାରତର ନିର୍ବାଚନୀ ପ୍ରକ୍ରିୟାକୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ୨୧ ନିୟୁତ ଡଲାର ଆବଣ୍ଟନ କରିଥିବା ଟ୍ରମ୍ପ ଅଭିଯୋଗ କରିବା  ଏଭଳି ଯୋଜନାକୁ ରଦ୍ଦ କରିଛନ୍ତି।

ଏକ ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏହି ଦାବିକୁ ଗଭୀର ଚିନ୍ତାଜନକ ବୋଲି ବର୍ଣ୍ଣନା କରିବା ସହ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହି ମାମଲାର ଯାଞ୍ଚ କରାଯାଉଛି ବୋଲି କହିଛନ୍ତି। ଚଳିତ ସପ୍ତାହ ପ୍ରାରମ୍ଭରେ ମିଆମିରେ ଟ୍ରମ୍ପ ଭାରତକୁ ୟୁଏସ୍‌ଏଡ୍‌ ଅନୁଦାନ ରଦ୍ଦ କରିବାକୁ ଘୋଷଣା କରିଥିଲେ ଏବଂ ଦାବି କରିଥିଲେ ଯେ ପୂର୍ବ ଜୋ ବାଇଡେନଙ୍କ ନେତୃତ୍ୱାଧୀନ ପ୍ରଶାସନ ‘ଅନ୍ୟ କାହାକୁ ନିର୍ବାଚିତ କରିବାକୁ’ ଏବଂ ଭାରତର ୨୦୨୪ ଲୋକସଭା ନିର୍ବାଚନରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲା।

ତେବେ ଇଣ୍ଡିଆନ୍ ଏକ୍ସପ୍ରେସ୍‌ର ଏକ ଅନୁସନ୍ଧାନ ରିପୋର୍ଟରେ ଦାବି କରାଯାଇଛି ଯେ ୨୦୦୮ ପରଠାରୁ ଭାରତରେ କୌଣସି ନିର୍ବାଚନ ସମ୍ବନ୍ଧୀୟ ପ୍ରକଳ୍ପ ପାଇଁ ୟୁଏସ୍‌ଏଡ୍‌ ଅନୁଦାନ ଆସିନାହିଁ। ଏହା ବଦଳରେ ଏସିଆରେ ଏକମାତ୍ର ୟୁଏସ୍‌ଏଡ୍‌ ପାଣ୍ଠିପ୍ରାପ୍ତ ପଦକ୍ଷେପ ହେଉଛି ବାଂଲାଦେଶର ଭୋଟର୍‌ ଅଂଶଗ୍ରହଣ ପ୍ରକଳ୍ପ ‘ମାଇ ଭୋଟ୍ ଇଜ୍ ମାଇନ’ ପାଇଁ ୨୦୨୨ରେ ମଞ୍ଜୁର ହୋଇଥିବା ୨୧ ନିୟୁତ ଆମେରିକୀୟ ଡଲାର ଅନୁଦାନ।

ଭାରତରେ ୟୁଏସ୍‌ଏଡ୍‌ ପାଣ୍ଠିକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ   ମନ୍ତବ୍ୟ ପରେ  ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି। ବିଜେପି କଂଗ୍ରେସକୁ କଡ଼ା ସମାଲୋଚନା କରିବା ସହ ରାହୁଲ ଗାନ୍ଧୀଙ୍କୁ ‘ଦେଶଦ୍ରୋହୀ’ ବୋଲି  କହିଛି। ଅନ୍ୟପକ୍ଷରେ କଂଗ୍ରେସ ଇଣ୍ଡିଆନ୍ ଏକ୍ସପ୍ରେସ୍ ରିପୋର୍ଟ ଉପରେ ଆଲୋକପାତ କରିବା ସହ ବିଜେପି କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛି।  ଶାସକ ଦଳ ହିଁ ବିଦେଶୀ ପାଣ୍ଠିର ନିଜ ଦ୍ବାରା ବ୍ୟବହାର ଉପରୁ ଧ୍ୟାନ ହଟାଇବା ଉଦ୍ଦେଶ୍ୟରେ  ଏଭଳି ମନ୍ତବ୍ୟ ଦେଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଭାରତରେ କାର୍ଯ୍ୟରତ  ଏଜେନ୍ସିମାନଙ୍କଠାରୁ ୟୁଏସଏଡ୍‌ ପାଣ୍ଠି ଏବଂ ଆର୍ଥିକ ଯୋଗଦାନ ବିଷୟରେ ଏକ ଶ୍ୱେତପତ୍ର ଜାରି କରିବାକୁ ମଧ୍ୟ କଂଗ୍ରେସ କେନ୍ଦ୍ର ସରକାରଙ୍କୁ କହିଛି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.