Breaking News

ୟୁଟ୍ୟୁବର୍‌ ରଣବୀରଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ ଦେଶବ୍ୟାପୀ ଝଡ଼

ପିତାମାତା ଓ ଯୌନ ସମ୍ପର୍କକୁ ନେଇ ସୋସିଆଲ ମିଡ଼ିଆ ଇନ୍‌ଫ୍ଲୁଏନ୍ସର ରଣବୀର ଆଲ୍ଲାହବାଦିଆଙ୍କ ଅଶାଳୀନ ମନ୍ତବ୍ୟ ବିବାଦ ସୃଷ୍ଟି କରିଛି। ହାସ୍ୟ ଅଭିନେତା ସମୟ ରାଇନାଙ୍କ ଦ୍ୱାରା ପରିଚାଳିତ ୟୁଟ୍ୟୁବ୍...

ମୁମ୍ବାଇ: ପିତାମାତା ଓ ଯୌନ ସମ୍ପର୍କକୁ ନେଇ ସୋସିଆଲ ମିଡ଼ିଆ ଇନ୍‌ଫ୍ଲୁଏନ୍ସର ରଣବୀର ଆଲ୍ଲାହବାଦିଆଙ୍କ ଅଶାଳୀନ ମନ୍ତବ୍ୟ ବିବାଦ ସୃଷ୍ଟି କରିଛି। ହାସ୍ୟ ଅଭିନେତା ସମୟ ରାଇନାଙ୍କ ଦ୍ୱାରା ପରିଚାଳିତ ୟୁଟ୍ୟୁବ୍ ରିୟଲିଟି ସୋ’ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’‌ରେ ଆଲ୍ଲାହବାଦିଆ କହିଥିଲେ, ତୁମେ ତୁମର ପିତାମାତାଙ୍କୁ ସାରା ଜୀବନ ପ୍ରତିଦିନ ଯୌନସମ୍ପର୍କ ରଖୁଥିବା ଦେଖିବାକୁ ପସନ୍ଦ କରିବ ନା ଥରେ ଏଥିରେ ଯୋଗ ଦେଇ ଏହାକୁ ସବୁଦିନ ପାଇଁ ବନ୍ଦ କରିବ? ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ୟୁଟ୍ୟୁବର ଆହ୍ଲାବାଦିଆ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସମେତ ରାଜନେତା, ସାମାଜିକ କର୍ମୀ, ସୋସିଆଲ ମିଡିଆ ବ୍ୟବହାରକାରୀ ଓ ଅନ୍ୟମାନେ ତାଙ୍କ ମନ୍ତବ୍ୟକୁ ଅଶ୍ଳୀଳ ଓ ଆପତ୍ତିଜନକ ବୋଲି କହି ତୀବ୍ର ସମାଲୋଚନା କରିଛନ୍ତି। ଆଲ୍ଲାହବାଦିଆ କ୍ଷମା ମାଗିବା ଅବସରରେ କହିଛନ୍ତି, କମେଡି ମୋର ବିଶେଷତା ନୁହେଁ। ମୁଁ ଆଶା କରୁଛି, ଆପଣ ଜଣେ ମଣିଷ ଭାବରେ ମୋତେ କ୍ଷମା କରିଦେବେ। ଆଲ୍ଲାହବାଦିଆଙ୍କ ଆପତ୍ତିଜନକ ମନ୍ତବ୍ୟ ବିବାଦ ସୃଷ୍ଟି କରିବା ପରେ ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି)ର ଜଣେ ସଦସ୍ୟ ସୋମବାର ୟୁଟ୍ୟୁବ୍‌କୁ ଏକ ଚିଠି ଲେଖି ଏହାକୁ ପ୍ଲାଟଫର୍ମରୁ ହଟାଇବାକୁ କହିଛନ୍ତି।

ଏନ୍‌ଏଚ୍‌ଆର୍‌ସିର ସଦସ୍ୟ ପ୍ରିୟଙ୍କା କାନୁନଗୋ ତାଙ୍କ ଚିଠିରେ ଲେଖିଛନ୍ତି ଯେ, ଅଧିକାର କମିଟି ନିକଟକୁ ଏକ ଅଭିଯୋଗ ଆସିଛି। ଏହି ଅଭିଯୋଗ ଅନୁସାରେ, ସମୟ ରାଇନାଙ୍କ ଦ୍ୱାରା ଆୟୋଜନ କରାଯାଇଥିବା ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ ନାମକ ୟୁଟ୍ୟୁବ୍ ସୋ’ରେ ଭାରତୀୟ ସମାଜ ବିରୋଧରେ ଅତ୍ୟନ୍ତ ଆପତ୍ତିଜନକ, ଅନୁପଯୁକ୍ତ ଓ ଅଶ୍ଳୀଳ ମନ୍ତବ୍ୟ ରହିଛି। ଏହି ଚିଠି ୟୁଟ୍ୟୁବ୍‌ର ପବ୍ଲିକ୍ ପଲିସି ମୁଖ୍ୟଙ୍କୁ ଲେଖାଯାଇଛି। ସୋ’ର ନକାରାତ୍ମକତା, ଭେଦଭାବପୂର୍ଣ୍ଣ ଦୃଷ୍ଟିକୋଣ, ଧାର୍ମିକ ଓ ସାଂସ୍କୃତିକ ଅସହିଷ୍ଣୁତା ଏବଂ ବିଶେଷ କରି ମହିଳା ଓ ଶିଶୁଙ୍କ ପ୍ରତି ଅସମ୍ମାନଜନକ ଓ ଅଶ୍ଳୀଳ ବିଚାରଧାରାକୁ ନେଇ ଏହି ଅଭିଯୋଗରେ ଉଦ୍‌ବେଗ ପ୍ରକାଶ ପାଇଛି। ବାକ୍ ସ୍ୱାଧୀନତା ଆଳରେ ଏହି ସୋ’ରେ ବିଭ୍ରାନ୍ତିକର ବାର୍ତ୍ତା ସହିତ ଅଶ୍ଳୀଳ ବିଷୟବସ୍ତୁ ପ୍ରସାରିତ ହୋଇଥିବା ଅଭିଯୋଗ ହୋଇଛି। ଏହି ବିଷୟବସ୍ତୁ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌), ଯୌନ ଅପରାଧରୁ ଶିଶୁ ସୁରକ୍ଷା (ପୋକ୍‌ସୋ) ଆଇନ, ସୂଚନା ପ୍ରଯୁକ୍ତି ବିଦ୍ୟା (ଆଇଟି) ଆଇନ ଏବଂ ଅନ୍ୟାନ୍ୟ ପ୍ରଯୁଜ୍ୟ ଆଇନର ବିଭିନ୍ନ ଆଇନଗତ ବ୍ୟବସ୍ଥାର ଉଲ୍ଲଂଘନ ବୋଲି ଜଣାପଡ଼ୁଛି। କେବଳ ସେତିକି ନୁହେଁ, ଏହି ସୋ’ ଭାରତୀୟ ସମ୍ବିଧାନରେ ଥିବା ଧାର୍ମିକ ସ୍ୱାଧୀନତା ଏବଂ ମହିଳା ଓ ଶିଶୁଙ୍କ ସୁରକ୍ଷା ସମ୍ବନ୍ଧୀୟ ମୌଳିକ ଅଧିକାରକୁ ଗୁରୁତର ଭାବେ ଉଲ୍ଲଂଘନ କରୁଛି ବୋଲି ଚିଠିରେ ଦର୍ଶାଯାଇଛି। ଅଭିଯୋଗର ଏକ ନକଲ ଚିଠି ସହ ଯୋଡ଼ାଯାଇଛି।

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.