Breaking News

ୟୁଟ୍ୟୁବ୍‌ରୁ ଚାଷ ଶିଖିଲେ, ଏବେ ଶିଖାଉଛନ୍ତି

ସରକାରୀ ଚାକିରି ପଛରେ ଗୋଡ଼ାଇ ଅନେକେ ମାନସିକ ଦୁଶ୍ଚିନ୍ତାର ଶିକାର ହେଉଛନ୍ତି। କେତେକ ଇନ୍‌ଷ୍ଟା ରିଲ୍‌ସ୍‌ ଓ ୟୁଟ୍ୟୁବ୍‌ ସର୍ଟସ୍‌ ‌ଦେଖି ବରବାଦ ହେଉଛନ୍ତି। ହେଲେ ସେ ୟୁଟ୍ୟୁବ୍‌ରେ ଚାଷ ଶିଖି ସ୍ବାବଲମ୍ବୀ ହୋଇଛନ୍ତି।

ଦେବଦଳନ ରଥ

ଭୁବନେଶ୍ବର: ସରକାରୀ ଚାକିରି ପଛରେ ଗୋଡ଼ାଇ ଅନେକେ ମାନସିକ ଦୁଶ୍ଚିନ୍ତାର ଶିକାର ହେଉଛନ୍ତି। କେତେକ ଇନ୍‌ଷ୍ଟା ରିଲ୍‌ସ୍‌ ଓ ୟୁଟ୍ୟୁବ୍‌ ସର୍ଟସ୍‌ ‌ଦେଖି ବରବାଦ ହେଉଛନ୍ତି। ହେଲେ ସେ ୟୁଟ୍ୟୁବ୍‌ରେ ଚାଷ ଶିଖି ସ୍ବାବଲମ୍ବୀ ହୋଇଛନ୍ତି। କେବଳ ସ୍ବାବଲମ୍ବୀ ହୋଇ ନାହାନ୍ତି ବରଂ ଅନ୍ୟ ବେକାର ଯୁବକଯୁବତୀଙ୍କ ପାଇଁ ଆଦର୍ଶ ହୋଇଛନ୍ତି। ସେ ହେଉଛନ୍ତି ବାରଙ୍ଗ ବ୍ଲକ୍‌ ରତାଗଡ଼ ନୂଆସାହି ଗ୍ରାମର ଯୁବଚାଷୀ ବିଘ୍ନେଶ୍ବର ପଢ଼ିଆରୀ(୪୫) ଓ ଦୀପକ ସେନାପତି(୨୮)। ବିଲରେ ବାଇଗଣ ଓ କୋବି ଚାଷ କରି ଆର୍ଥିକ ସ୍ବଚ୍ଛଳ ହୋଇଛନ୍ତି। କମ୍‌ ଖର୍ଚ୍ଚରେ ନୂଆ ଜ୍ଞାନକୌଶଳ ପ୍ରୟୋଗ କରି କ୍ଷେତରେ ସବୁଜିମା ଭରିଛନ୍ତି।
ବିଘ୍ନେଶ୍ବର ପରିବାର ପ୍ରତିପୋଷଣ ପାଇଁ କେବଳ ଚାଷ ଉପରେ ନିର୍ଭର କରନ୍ତି। ବର୍ତ୍ତମାନ ସେ ୧୬୦ ଡେସିମିଲ୍‌ କ୍ଷେତରେ ବାଇଗଣ ଚାଷ କରିଥିଲା ବେଳେ ୧୦୦ ଡେସିମିଲ୍‌ ଜମିରେ ବ୍ରୋକ୍‌ଲି, ୧୫୦ ଡେସିମିଲ୍‌ ଜମିରେ ବନ୍ଧାକୋବି ଓ ୩୨ଡେସିମିଲ୍‌ ଜମିରେ କଲରା ଲଗାଇଛନ୍ତି। ଚାଇନିଜ୍‌ କୋବି ପ୍ରତି ଆଗ୍ରହ ସୃଷ୍ଟି ହେବାରୁ ପ୍ରାୟ ୩୨ଡେସିମିଲ୍‌ ଜମିରେ ଏହି ନିଆରା ପରିବା ଚାଷ କରିଛନ୍ତି। ଶୀତଋତୁ ପରେ ସୁଇଟ୍‌ କର୍ଣ୍ଣ ଓ ଭେଣ୍ଡିଚାଷ ମଧ୍ୟ କରୁଛନ୍ତି। ବର୍ତ୍ତମାନ ବ୍ରୋକ୍‌ଲି ଓ ମିଠାମକାର ଚାହିଦା ଅଧିକ ରହୁଥିବାରୁ ଏହା ବେଶ୍‌ ଲାଭଜନକ ହୋଇଛି। ମେସିନ୍‌ ସାହାଯ୍ୟରେ ମଞ୍ଜି ଲଗାଇବା ଠାରୁ ଆରମ୍ଭ କରି ୟୁଟ୍ୟୁବ୍‌ ଭିଡିଓ ଦେଖି ରୋଗପୋକ ନିରାକରଣ କରିପାରୁଛନ୍ତି। ଏହି ଚାଷରୁ ବାର୍ଷିକ ୧୨ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି ବୋଲି ବିଘ୍ନେଶ୍ବର କହିଛନ୍ତି।

ସେହିପରି ଦୀପକ ବର୍ତ୍ତମାନ ଏମ୍‌ସ୍‌ ଭୁବନେଶ୍ବରରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟରତ। ଆଗରୁ ତାଙ୍କ ବାପା ଚାଷ ସମ୍ଭାଳୁଥିଲା ବେଳେ ୨ବର୍ଷ ହେଲା ସେ ଚାଷ ପ୍ରତି ଆଗ୍ରହ ବଳାଇଛନ୍ତି। ପ୍ରତିଦିନ ଡ୍ୟୁଟିରୁ ଫେରି ଦୀପକ ସିଧା କ୍ଷେତକୁ ଚାଲିଯାଆନ୍ତି। କେତେବେଳେ କୋଡ଼ା ଖୋସା, କେତେବେଳେ ପାଣି ଦେବାରେ ମାତିଯାଆନ୍ତି। ୬୦ ଡେସିମିଲ୍‌ ଜମିରେ ବାଇଗଣ, ୪୦ ଡେସିମିଲ୍‌ ଜମିରେ ବନ୍ଧାକୋବି, ୩୨ ଡେସିମିଲ୍‌ ଜମିରେ ଚାଇନିଜ୍‌ କୋବି, ୬୦ ଡେସିମିଲ୍‌ ଜମିରେ କଲରା, ୪୦ ଡେସିମିଲ୍‌ ଜମିରେ ନାଲି ବନ୍ଧାକୋବି ଓ ୬୦ ଡେସିମିଲ୍‌ ଜମିରେ ବ୍ରୋକ୍‌ଲି ଲଗାଇଛନ୍ତି। ସେହିପରି ଚାଷ ପାଇଁ ଉନ୍ନତ ପ୍ରଣାଳୀ, ଉପଯୁକ୍ତ ଜଳବାୟୁ ଓ ଆବଶ୍ୟକ ସାମଗ୍ରୀ ବିଷୟରେ ୟୁଟ୍ୟୁବ୍‌ ଦ୍ବାରା ସୂଚନା ପାଇପାରୁଛନ୍ତି ବୋଲି କହିଛନ୍ତି।

କୋବି ଚାଷ ପାଇଁ ସଢ଼ା ଗୋବର ଖତ, ଯବକ୍ଷାରଜାନ, ଫସଫରସ୍ ଓ ପଟାସ୍ ସାର ପ୍ରୟୋଗ କରି କ୍ଷେତର ଉର୍ବରତାକୁ ବଜାୟ ରଖୁଛନ୍ତି। କୋବି ଓ ବାଇଗଣ ପତ୍ରର ଫଟୋ ଉଠାଇ ଗୁଗୁଲ ଲେନ୍‌ସ ସାହାଯ୍ୟରେ ସ୍କାନ୍‌ କରି ରୋଗପୋକ ବାବଦରେ ଜାଣିପାରୁଛନ୍ତି। ବାଇଗଣ କେଜି ପିଛା ୪୦ଟଙ୍କା ବିକ୍ରି କରୁଥିଲା ବେଳେ ବ୍ରୋକ୍‌ଲି ୪୦ଟଙ୍କା, ଚାଇନିଜ୍‌ କୋବି ୫୦, ଫୁଲକୋବି ୩୦ଟଙ୍କା, କଲରା ୬୦ଟଙ୍କାରେ ବିକ୍ରି ହେଉଛି। ବ୍ୟବସାୟୀମାନେ କ୍ଷେତ ପାଖକୁ ଆସି ପରିବା କିଣି ନେଉଛନ୍ତି। ଏବେ ପରୀକ୍ଷାମୂଳକ ଭାବେ ନାଲି ବନ୍ଧାକୋବି ଚାଷ ଆରମ୍ଭ କରିଥିବା ନେଇ ଦୀପକ କହିଛନ୍ତି। ଗତବର୍ଷ ସୁଇଟ୍‌ କର୍ଣ୍ଣ ଗୋଟାକ ୧୨ଟଙ୍କା ହିସାବରେ ବିକ୍ରି ହୋଇଥିଲା ବେଳେ ଏବର୍ଷ ମଧ୍ୟ ଏଥିରୁ ଭଲ ଉପାର୍ଜନ ହବ ବୋଲି ସେ ଆଶା ରଖିଛନ୍ତି। ଚାଷ କାମରୁ ଦୀପକ ବାର୍ଷିକ ପ୍ରାୟ ୮ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି। ଉଭୟ ଚାଷୀଙ୍କୁ ଦେଖି ବର୍ତ୍ତମାନ କିଏ କେତେ ଅଧିକ ଚାଷ କରିପାରୁଛି ସେ ନେଇ ଏହି ଅଞ୍ଚଳରେ ଯୁବଚାଷୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ସୃଷ୍ଟି ହୋଇଛି।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.