Breaking News

ୟୁଡିଆଇଏସ୍‌ ପ୍ଲସ୍‌ ରିପୋର୍ଟରେ,ସ୍କୁଲ ନାମଲେଖା ଦେଶରେ କମିଛି ୩୭ ଲକ୍ଷ, ରାଜ୍ୟରେ ବଢ଼ିଛି ଲକ୍ଷେ

ଭୁବନେଶ୍ବର,୦୪/୦୧:  ଦେଶରେ ସ୍କୁଲ ନାମଲେଖା କମିଥିବା ବେଳେ ଓଡ଼ିଶାରେ ନାମଲେଖା ବଢ଼ିଛି । ଦେଶରେ ୨୦୨୨-୨୩ ଶିକ୍ଷାବର୍ଷ ଅପେକ୍ଷା ୨୦୨୩-୨୪ ଶିକ୍ଷାବର୍ଷରେ ନାମଲେଖା ୩୭ ଲକ୍ଷ ହ୍ରାସ ପାଇଛି । କିନ୍ତୁ ଓଡ଼ିଶାରେ ୧ଲକ୍ଷରୁ ଅଧିକ ଶିକ୍ଷାର୍ଥୀ ସ୍କୁଲକୁ ଆସିଛନ୍ତି । ନିକଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ୟୁନିଫାଏଡ୍‌ ଡିଷ୍ଟ୍ରିକ୍ଟ ଇନ୍‌ଫର୍ମେସନ ସିଷ୍ଟମ ଫର ଏଜୁକେସନ ପ୍ଲସ୍‌ ର ରିପୋର୍ଟରେ ଏପରି ତଥ୍ୟ ପ୍ରକାଶ ପାଇଛି । ରିପୋର୍ଟ ଅନୁଯାୟୀ, ୨୦୨୨-୨୩ ବର୍ଷରେ ରାଜ୍ୟରେ ୭୬.୪ ଲକ୍ଷ ଶିକ୍ଷାର୍ଥୀ ସ୍କୁଲରେ ନାମ ଲେଖାଇଥିଲେ । ହେଲେ ୨୦୨୩-୨୪ ବର୍ଷରେ ଏହା ବୃଦ୍ଧି ପାଇ ୭୭.୫ ଲକ୍ଷ ଶିକ୍ଷାର୍ଥୀ ନାମ ଲେଖାଇଛନ୍ତି । ଏହି ପିଲାଙ୍କ ମଧ୍ୟରୁ ସର୍ବାଧିକ ସରକାରୀ ସ୍କୁଲରେ ନାମ ଲେଖାଇଛନ୍ତି ।

ରାଜ୍ୟରେ ୬୧,୬୯୩ଟି ସ୍କୁଲ ରହିଛି । ଏଥିରେ ୨୦୨୩-୨୪ ଶିକ୍ଷା ବର୍ଷରେ ମୋଟ ୭୭ ଲକ୍ଷ ୫୬ ହଜାର ୯୧୦ ଜଣ ନାମ ଲେଖାଇଛନ୍ତି । ଏଥିରୁ କେବଳ ସରକାରୀ ସ୍କୁଲରେ ୫୨ ଲକ୍ଷ ୯ହଜାର ୫୯୪ ଜଣ ନାମ ଲେଖାଛନ୍ତି । ୯ ଲକ୍ଷ ୭୦ ହଜାର ୭୫୯ ଜଣ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ନାମ ଲେଖାଇଛନ୍ତି । ଘରୋଇ ସ୍କୁଲରେ ୧୪ ଲକ୍ଷ ୮୩ ହଜାର ୫୮୨ ଜଣ ଏବଂ ଅନ୍ୟ ସ୍କୁଲରେ ୯୨ ହଜାର ୯୭୫ ଜଣ ନାମ ଲେଖାଇଛନ୍ତି । ଚଳିତବର୍ଷ ଓଡ଼ିଶାରେ ପ୍ରଥମ ଶ୍ରେଣୀରେ ୬ ଲକ୍ଷ ୪୬ ହଜାର ୬୭୨ ଜଣ ନାମଲେଖାଇଛନ୍ତି । ଖୁସିର କଥା ହେଲା ସେମାନଙ୍କ ମଧ୍ୟରୁ ୪ଲକ୍ଷ ୮୯ ହଜାର ୨୫୬ ଜଣ ଅଙ୍ଗନବାଡ଼ି କେନ୍ଦ୍ରରେ ପଢ଼ିବା ପରେ ସ୍କୁଲରେ ନାମ ଲେଖାଇଛନ୍ତି । ସେହିପରି ପ୍ରଥମ ଶ୍ରେଣୀରେ ନାମଲେଖାଇଥିବା ପିଲାଙ୍କ ମଧ୍ୟରୁ କେବଳ ୪ ଲକ୍ଷ ୮୨ ହଜାର ୮୦୭ ଜଣ ସରକାରୀ ସ୍କୁଲରେ ନାମ ଲେଖାଇଛନ୍ତି ।  ଏମାନଙ୍କ ମଧ୍ୟରୁ ୪ ଲକ୍ଷ  ୫୧ ହଜାର ୭୫୬ ଜଣ ଅଙ୍ଗନବାଡ଼ି କେନ୍ଦ୍ରରୁ ଆସିଛନ୍ତି । ସକରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ନାମ ଲେଖାଇଥିବା ୫୨୮୯ ପିଲାଙ୍କ ମଧ୍ୟରୁ ୩୫୯୭ ଜଣ ଅଙ୍ଗନବାଡ଼ି କେନ୍ଦ୍ରୁ ଆସିଛନ୍ତି ।

ସେହିପରି ଆଶ୍ଚର୍ଯ୍ୟର କଥା ଘରୋଇ ସ୍କୁଲରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇଥିବା ୧ଲକ୍ଷ ୪୪ ହଜାର ୨୧ଜଣଙ୍କ ମଧ୍ୟରୁ ୩୦ ହଜାର ୪୦୬ ଜଣ ଅଙ୍ଗନବାଡ଼ି କେନ୍ଦ୍ରରୁ ଆସିଛନ୍ତି । ରାଜ୍ୟରେ ୪୮ ହଜାର ୬୭୧ଟି ସରକାରୀ ସ୍କୁଲ ଥିବା ବେଳେ ୬ ହଜାର ୪୨ଟି ଘରୋଇ ସ୍କୁଲ ରହିଛି । ଅନ୍ୟପଟେ ଡ୍ରପ୍‌ ଆଉଟ ହାର ବିଶେଷ କରି ମାଧ୍ୟମିକ ସ୍ତରରେ (ନବମ ଓ ଦଶମ ଶ୍ରେଣୀ) ଅଧିକ ରହିଛି । ପ୍ରାଥମିକ ସ୍ତରରେ (ପ୍ରଥମରୁ ପଞ୍ଚମ)ଡ୍ରପ୍‌ ଆଉଟ ହାର ପ୍ରତିଶତ ଓଡ଼ିଶାରେ ଶୂନ୍ୟ ରହିଛି । ଉଚ୍ଚ ପ୍ରାଥମିକ (ଷଷ୍ଠରୁ ଅଷ୍ଟମ ଶ୍ରେଣୀ) ସ୍ତରରେ ୨.୦ ପ୍ରତିଶତ ରହିଛି । ମାଧ୍ୟମିକ ସ୍ତରରେ ୧୨.୭୬ ପ୍ରତିଶତ ରହିଛି । ସେହିପରି ୨୦୨୨-୨୩ ଶିକ୍ଷାବର୍ଷରେ ଶୂନ୍ୟ ଶିକ୍ଷାର୍ଥୀ ଥିବା ସ୍କୁଲ ସଂଖ୍ୟା ୩୩ ଥିବାବେଳେ ୨୦୨୩-୨୪ରେ ଏହାକୁ ୮କୁ ଖସିଆସିଛି ।

 

 

 

 

 

ସୌଜନ୍ୟ-ପ୍ରମେୟ

 

Comments are closed.