Breaking News

ୟୁପି ସରକାରଙ୍କ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନରେ ସୁପ୍ରିମ୍‌କୋର୍ଟ କ୍ଷୁବ୍ଧ: ଭଙ୍ଗାଯାଇଥିବା ଘର ପୁଣି ନିର୍ମାଣ ଅନୁମତି

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆଇନକୁ ବେଖାତିର୍‌ କରି ବୁଲଡୋଜର କାର୍ଯ୍ୟାନୁଷ୍ଠାନ ହୋଇଥିବାରୁ ସୁପ୍ରିମ୍‌କୋର୍ଟ କ୍ଷୁବ୍ଧ ହୋଇଛନ୍ତି । ସୁପ୍ରିମ୍‌କୋର୍ଟ ଆବେଦନକାରୀଙ୍କୁ ନିଜ ଖର୍ଚ୍ଚରେ ଘର ପୁନଃନିର୍ମାଣ ପାଇଁ ନିର୍ଦ୍ଦେଶ ଦେବା ସହ...

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆଇନକୁ ବେଖାତିର୍‌ କରି ବୁଲଡୋଜର କାର୍ଯ୍ୟାନୁଷ୍ଠାନ ହୋଇଥିବାରୁ ସୁପ୍ରିମ୍‌କୋର୍ଟ କ୍ଷୁବ୍ଧ ହୋଇଛନ୍ତି । ସୁପ୍ରିମ୍‌କୋର୍ଟ   ଆବେଦନକାରୀଙ୍କୁ ନିଜ ଖର୍ଚ୍ଚରେ ଘର ପୁନଃନିର୍ମାଣ ପାଇଁ ନିର୍ଦ୍ଦେଶ ଦେବା ସହ  ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ସଂପର୍କିତ ପୁର୍ବ ଆଦେଶ କଡ଼ାକଡ଼ି ଭାବେ ପାଳନ କରିବାକୁ ସରକାରଙ୍କୁ କହିଛନ୍ତି। ଆବେଦନକାରୀଙ୍କ ତରଫରୁ ଅଦାଲତଙ୍କୁ କୁହାଯାଇଥିଲା ଯେ ସଂପୃକ୍ତ ଜମିର କିଛି ଅଂଶ ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦର ମାଲିକାନାରେ ଥିବାରୁ ରାଜ୍ୟ ସରକାର ଏହି ଘରଗୁଡ଼ିକୁ ଭାଙ୍ଗି ଦେଇଛନ୍ତି। ୨୦୨୩ରେ ଅତିକଙ୍କୁ ହତ୍ୟା କରାଯାଇଥିଲା। ଜଷ୍ଟିସ ଅଭୟ ଏସ୍ ଓକା ଓ ଜଷ୍ଟିସ ଉଜ୍ଜଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରୁଥିଲେ। ସୁପ୍ରିମ୍ କୋର୍ଟ କହିଛନ୍ତି ଯେ ଆବେଦନକାରୀମାନଙ୍କୁ ନିଜ ଖର୍ଚ୍ଚରେ ଭାଙ୍ଗି ଯାଇଥିବା ଘରଗୁଡ଼ିକର ପୁନଃନିର୍ମାଣ କରିବାକୁ ଅନୁମତି ଦିଆଯିବ। ତେବେ ଏଥିରେ କିଛି ସର୍ତ୍ତ ଅନ୍ତର୍ଭୁକ୍ତ କରାଯାଇଛି। ଉଦାହରଣ ସ୍ୱରୂପ ନିର୍ଦ୍ଧାରିତ ସମୟ ମଧ୍ୟରେ ଆପିଲେଟ୍ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିବାକୁ ପଡ଼ିବ। ଅଦାଲତ କହିଛନ୍ତି ଯେ ଯଦି ସେମାନଙ୍କ ଆବେଦନ ଖାରଜ ହୋଇଯାଏ, ତେବେ ଆବେଦନକାରୀଙ୍କୁ ନିଜ ଖର୍ଚ୍ଚରେ ଘର ଭାଙ୍ଗିବାକୁ ପଡ଼ିବ।

ସେମାନେ ନିଜ ଖର୍ଚ୍ଚରେ ଘରର ପୁନଃନିର୍ମାଣ କରିପାରିବେ ବୋଲି ଆମେ ଆଦେଶ ଦେବୁ ଏବଂ ଯଦି ଆବେଦନ ଖାରଜ ହୁଏ, ତେବେ ସେମାନଙ୍କୁ ନିଜ ଖର୍ଚ୍ଚରେ ଏହାକୁ ଭାଙ୍ଗିବାକୁ ପଡ଼ିବ ବୋଲି ଖଣ୍ଡପୀଠ କହିଛନ୍ତି। ଏହି ମାମଲାରେ ଆଇନଜୀବୀ ଜୁଲଫିକର ହାଇଦର, ପ୍ରଫେସର ଅଲ୍ଲୀ ଅହମ୍ମଦ ଏବଂ ଅନ୍ୟ ୪ ଜଣ  ବ୍ୟକ୍ତି ଆବେଦନକାରୀ ଥିଲା। ସୂଚନାଯୋଗ୍ୟ, ଆହ୍ଲାବାଦ ହାଇକୋର୍ଟରେ ଆବେଦନ ଖାରଜ ହେବା ପରେ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ଶନିବାର ବିଳମ୍ବିତ ରାତିରେ କର୍ତ୍ତୃପକ୍ଷଙ୍କ ଦ୍ୱାରା ନୋଟିସ୍ ଜାରି କରାଯାଇଥିଲା ଏବଂ ପରଦିନ ଉଚ୍ଛେଦ କରାଯାଇଥିଲା। ଏହି କାର୍ଯ୍ୟକୁ ଚ୍ୟାଲେଞ୍ଜ କରିବାକୁ ସେମାନଙ୍କୁ ସୁଯୋଗ ମିଳିନଥିଲା। ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣି କହିଛନ୍ତି ଯେ ଆବେଦନକାରୀମାନେ ଡିସେମ୍ବର ୮, ୨୦୨୦ ଏବଂ ପରେ ଜାନୁଆରି ଏବଂ ମାର୍ଚ୍ଚ ୨୦୨୧ରେ ନୋଟିସ୍ ପାଇଥିଲେ। ଏଭଳି ସ୍ଥିତିରେ ପର୍ଯ୍ୟାପ୍ତ ପ୍ରକ୍ରିୟା ଅନୁସରଣ କରାଯାଇନାହିଁ ବୋଲି ଆମେ କହିପାରିବୁ ନାହିଁ। ତେବେ ଅଦାଲତ ରାଜ୍ୟ ସରକାରଙ୍କ ସ୍ପଷ୍ଟୀକରଣକୁ ଗ୍ରହଣ ନ କରି ଅନୁପଯୁକ୍ତ ଭାବେ ନୋଟିସ୍ ଦିଆଯାଇଥିବା କହିଛନ୍ତି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.