Breaking News

ୟୁରୋପୀୟ ଶୈଳୀରେ ଜେଲ୍,୨୦୨୬ ଫେବୃଆରୀ ସୁଦ୍ଧା ସରିବ ନିର୍ମାଣ

ଭୁବନେଶ୍ବର,୧୧/୧୨: ଏଣିକି କଏଦୀମାନେ ଆଉ ଚଟାଣରେ ଶୋଇବେନି । ୟୁରୋପିଆନ କାରାଗାର (ଜେଲ୍‌) ଶୈଳୀରେ ଲୁହା ଖଟରେ ଶୋଇବେ । ଉନ୍ନତମାନ ଚିକିତ୍ସାର ସୁବିଧା ପାଇବେ । ଏହି ଲକ୍ଷ୍ୟରେ ରାଜଧାନୀ ଉପକଣ୍ଠ ଜାମୁଝରୀସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ କାରାଶ୍ରମ ପରିସରରେ ନିର୍ମାଣ ଚାଲିଛି ସ୍ୱତନ୍ତ୍ର କାରାଗାର । ମଡେଲ ଜେଲରେ ଏକାବେଳକେ ୨୫୦୦ ଅନ୍ତେବାସୀ ରହିବା ଭଳି ବ୍ୟବସ୍ଥା ହୋଇଛି । ମୁକ୍ତାକାଶ କାରାଶ୍ରମଟି ୧୧୦ ଏକର ଯାଏଁ ବ୍ୟାପିଛି । ସେଥିରୁ ୪୦ ଏକର ଜାଗାରେ ଏହି ମଡେଲ ଜେଲର ନିର୍ମାଣ ଚାଲିଛି । ସେଥିରେ ଉନ୍ନତମାନ ହସ୍ପିଟାଲ ସହ ପ୍ରଶସ୍ତ ଖେଳପଡି଼ଆ, ଅତ୍ୟାଧୁନିକ ଜିମ୍‌, ଯୋଗାଶ୍ରମର ସୁବିଧା ରହିବ । ମୁକ୍ତାକାଶ ଥିଏଟରରେ ବିଭିନ୍ନ ସମାରୋହ, ପ୍ରାର୍ଥନା ସଭା ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ ହେବ । ଜେଲ ପରିସରରେ ସ୍ୱତନ୍ତ୍ର ଭାବେ ଏକ ସୁଧାର ଓ ସଂସ୍କାର ସେଣ୍ଟର ଖୋଲାଯିବ ।

ସେଥିରେ ବିଭିନ୍ନ ସଂସ୍କାର ମୂଳକ କାର୍ଯ୍ୟକ୍ରମ, ପାଠାଗାର, କମ୍ପ୍ୟୁଟର ଲାବ୍‌ ରହିବ । ଅନ୍ତେବାସୀଙ୍କ ପାଇଁ ମୋଟ ୨୬ଟି ବିଲ୍ଡିଂ ନିର୍ମାଣ ଚାଲିଛି । ପ୍ରଥମଥର ପାଇଁ ଜେଲ୍‌କୁ ଆସୁଥିବା ବିଚରାଧୀନ କଏଦୀଙ୍କ ପାଇଁ ୩ଟି ସ୍ୱତନ୍ତ୍ର ବ୍ଲକ ନିର୍ମାଣ ଚାଲିଛି । ସେମାନଙ୍କ ରହଣି ବେଳେ ଦୁର୍ଦ୍ଦାନ୍ତ କିମ୍ବା ପେସାଦାର କଏଦୀଙ୍କ ସଂସ୍ପର୍ଶରେ ନ ଆସିବା ଭଳି ବ୍ୟବସ୍ଥା ହେଉଛି । ସେହିପରି ପ୍ରଥମଥର ପାଇଁ ଆସୁଥିବା ଯୁବ ଅପରାଧୀଙ୍କ ରହିବାକୁ ୨ଟି ବ୍ଲକ ସହ ଅଭ୍ୟାସଗତ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ପାଇଁ ସ୍ୱତନ୍ତ୍ର ବ୍ଲକ ନିର୍ମାଣ ଚାଲିଛି । ଏହାଛଡ଼ା ଏକ ୪ ମହଲା ବିଶିଷ୍ଟ ବିଲ୍ଡିଂରେ କଏଦୀମାନେ ରହିବେ । ଏସବୁ ବ୍ଲକଠାରୁ ଦୂରରେ ଏକ ସ୍ୱତନ୍ତ୍ର ୩ ମହଲା ବିଶିଷ୍ଟ ବିଲ୍ଡିଂରେ ମହିଳା କଏଦୀମାନେ ରହି ପାରିବେ । ଜେଲର ଓ କର୍ମଚାରୀଙ୍କ ରହଣି ପାଇଁ ଟାଇପ୍‌-ଡି,ଇ ଓ ଏଫ୍‌ ବର୍ଗ କ୍ୱାର୍ଟର୍ସ ସାଙ୍ଗକୁ ସୁରକ୍ଷାକର୍ମୀଙ୍କ ପାଇଁ ୯ଟି ବାରାକ୍‌ ନିର୍ମାଣ କରାଯିବ । କାରାଗାରରେ ସୁରକ୍ଷା ପାଇଁ ୬ଟି ୱାଚ ଟାୱାର ରହିବ । କାରାଗାରର ମୁଖ୍ୟ ଫାଟକ ଓ ବ୍ଲକ ଭିତରେ ଥିବା ଫାଟକରେ ଉଚ୍ଚଶକ୍ତି ସମ୍ପନ୍ନ ସେନସର ଲାଗିବ । କାରାଗାର କର୍ମଚାରୀ ଓ ସୁରକ୍ଷାକର୍ମୀମାନେ ଫିଙ୍ଗରପ୍ରିଣ୍ଟ ଦେଲେ ହିଁ ଫାଟକ ଖୋଲିବ ।

ଆଉ ସବୁଟୁ ବଡ଼ କଥା ହେଲା, ମଡେଲ ଜେଲରେ ୩ଟି ପୃଥକ ପାଚେରି ନିର୍ମାଣ ହେବ । ସବୁ ପାଚେରି ଭିତରେ ୨୦ ଫୁଟ୍‌ ଦୂରତା ରହିବ । ଫଳରେ କେହି ବାହାରୁ ଜେଲ ପରିସରକୁ ମୋବାଇଲ୍‌ କିମ୍ବା ନିଶାଦ୍ରବ୍ୟ ଫିଙ୍ଗିପାରିବେନି । ଯଦି କେହି ସନ୍ଦିଗ୍ଧ ଜିନିଷପତ୍ର ଫିଙ୍ଗିବ, ୩ଟି ପାଚେରି ଭିତରେ ବୁଲୁଥିବା ସୁରକ୍ଷାକର୍ମୀ ସେସବୁକୁ ଜବତ କରିପାରିବେ । ଝାରପଡ଼ାସ୍ଥିତ ସ୍ୱତନ୍ତ୍ର ଜେଲ ପାଚେରି ଡେଇଁ ଫିଙ୍ଗାଯାଉଥିବା ମୋବାଇଲ୍‌ ଓ ନିଶାଦ୍ରବ୍ୟ ଅଭିଯାନରେ ପୂର୍ଣ୍ଣଛେଦ ପଡି଼ବ । ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ଏହି ମଡେଲ ଜେଲ ନିର୍ମାଣର ଦାୟିତ୍ୱ ମୁଣ୍ଡାଇଛି । ବିପିସି ଇନ୍‌ଫ୍ରା ପ୍ରୋଜେକ୍ଟ ନାମକ ଘରୋଇ ସଂସ୍ଥା ଜରିଆରେ ବିଲ୍ଡିଂ ନିର୍ମାଣ ହେଉଛି । ଗତ ମାର୍ଚ୍ଚ ପହିଲାରୁ ନିର୍ମାଣ ଆରମ୍ଭ ହୋଇଛି । ୨୦୨୬ ଫେବ୍ରୁଆରୀ ସୁଦ୍ଧା ନିର୍ମାଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ମଡେଲ ଜେଲ୍‌ ପାଇଁ ୩୦୦ କୋଟି ବ୍ୟୟ ଅଟକଳ ହୋଇଥିବା ବେଳେ ୨୮୫ କୋଟି ଟଙ୍କା ମଞ୍ଜୁର ହୋଇଛି ।

ସୌଜନ୍ୟ-ପ୍ରମେୟ

Comments are closed.