Breaking News

୧୦ ବର୍ଷରେ ୧୨ ଲକ୍ଷ କୋଟି ରାଇଟ୍‌ ଅଫ୍‌: ଟଙ୍କା ଫେରିନି, ଖାତାରୁ ହଟାଇଦେଲେ ବ୍ୟାଙ୍କ

ଦେଶରେ କାରବାର କରୁଥିବା ବ୍ୟାଙ୍କଗୁଡ଼ିକ କର୍ପୋରେଟ୍ ଓ ଶିଳ୍ପସଂସ୍ଥାକୁ କୋଟି କୋଟି ଟଙ୍କାର ଋଣ ଦେଉଛନ୍ତି। ତାହା ଅସୁଲ ହୋଇ ନ ପାରିଲେ ତାହାକୁ ରାଇଟ୍‌-ଅଫ୍‌ ଦର୍ଶାଇ ଖାତାରୁ ହଟାଇ ଦେଉଛନ୍ତି।

ନୂଆଦିଲ୍ଲୀ: ଦେଶରେ କାରବାର କରୁଥିବା ବ୍ୟାଙ୍କଗୁଡ଼ିକ କର୍ପୋରେଟ୍ ଓ ଶିଳ୍ପସଂସ୍ଥାକୁ କୋଟି କୋଟି ଟଙ୍କାର ଋଣ ଦେଉଛନ୍ତି। ତାହା ଅସୁଲ ହୋଇ ନ ପାରିଲେ ତାହାକୁ ରାଇଟ୍‌-ଅଫ୍‌ ଦର୍ଶାଇ ଖାତାରୁ ହଟାଇ ଦେଉଛନ୍ତି। ସେହି ରାଶି ବ୍ୟାଙ୍କ ଖାତାକୁ ଫେରି ନଥାଏ। କିନ୍ତୁ ଖାତା ସଫାସୁତୁରା ରହିଛି ବୋଲି ଦର୍ଶାଇବା ଲାଗି ବ୍ୟାଙ୍କ ତାହାକୁ ହିସାବରୁ ବାଦ ଦେଉଛନ୍ତି। ଗତ ୧୦ ବର୍ଷରେ ୧୨ ଲକ୍ଷ କୋଟି ଟଙ୍କାର ଋଣ ରାଇଟ୍‌ ଅଫ୍ କରାଯାଇଛି। ସେଥିରୁ ୬.୫ ଲକ୍ଷ କୋଟି ଟଙ୍କାକୁ ସରକାରୀ ବ୍ୟଙ୍କଗୁଡ଼ିକ ରାଇଟ୍‌ ଅଫ୍‌ କରିଛନ୍ତି। ସଂସଦରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏହି ସୂଚନା ଦେଇଛନ୍ତି।
୨୦୧୮-୧୯ରେ ସର୍ବାଧିକ ୨.୪ ଲକ୍ଷ କୋଟି ଟଙ୍କାର ଋଣ ରାଇଟ୍‌-ଅଫ୍‌ କରାଯାଇଛି। ୨୦୧୫ରେ ସମ୍ପତ୍ତି ମାନ ସମୀକ୍ଷା ଆରମ୍ଭ ହେବା ପରଠାରୁ ରାଇଟ୍‌-ଅଫ୍‌ ପ୍ରକ୍ରିୟା ଚାଲୁ ରହିଛି। ୨୦୨୩-୨୪ରେ ୧.୭ ଲକ୍ଷ କୋଟି ଟଙ୍କାର ଋଣ ରାଇଟ୍‌-ଅଫ୍‌ କରାଯାଇଛି ଯାହା ୧୬୫ ଲକ୍ଷ କୋଟି ଟଙ୍କାର ମୋଟ ବ୍ୟାଙ୍କର ଋଣର ମାତ୍ର ୧ ପ୍ରତିଶତ। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ୨ ଲକ୍ଷ କୋଟି ଟଙ୍କା ରାଇଟ୍‌ ଅଫ୍ କରିଥିବା ବେଳେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ୯୪,୭୯୨ କୋଟି ଟଙ୍କା ରାଇଟ୍‌ ଅଫ୍‌ କରିଛି। ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ବର ସୁଦ୍ଧା ସରକାରୀ ବ୍ୟାଙ୍କଗୁଡ଼ିକ ୪୨,୦୦୦ କୋଟି ଟଙ୍କାର ଋଣ ଛାଡ଼ କରିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗାଇଡ୍‌ଲାଇନ୍ ଓ ବ୍ୟାଙ୍କର ନିଜ ବୋର୍ଡର ନୀତି ଅନୁସାରେ ଚାରି ବର୍ଷ ପରେ ଏନ୍‌ପିଏକୁ ବ୍ୟାଙ୍କଗୁଡ଼ିକ ରାଇଟ୍‌ ଅଫ୍‌ କରୁଛନ୍ତି। ତେବେ ଏହା ଦ୍ବାରା ଗ୍ରାହକଙ୍କୁ କୌଣସି ଆଶ୍ବସ୍ତି ମିଳେନାହିଁ। ପୂର୍ବଭଳି ଋଣ ରାଶି ଫେରାଇ ଆଣିବା ଲାଗି ବ୍ୟାଙ୍କ ଉଦ୍ୟମ ଜାରି ରଖିଥାଏ ବୋଲି ସେ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ‌ଯେ ଚଳିତ ବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ଦେଶର ମୋଟ ଅନାଦେୟ ଋଣ ବା ଏନ୍‌ପିଏ ୩,୧୬,୩୩୧ କୋଟି ଟଙ୍କା ରହିଛି। ସେଥିରୁ ୧,୩୪,୩୩୯ କୋଟି ଟଙ୍କାର ଏନ୍‌ପିଏ ଘରୋଇ ବ୍ୟାଙ୍କରେ ରହିଛନ୍ତି। ସରକାରୀ ବ୍ୟାଙ୍କଗୁଡ଼ିକର ମୋଟ ଏନ୍‌ପିଏ ୩.୦୧ ପ୍ରତିଶତ ଥିବା ବେଳେ ଘରୋଇ ବ୍ୟାଙ୍କରେ ତାହା ଯଥେଷ୍ଟ କମ୍ ୧.୮୬ ପ୍ରତିଶତ ରହିଛି।

 

ସୌଜନ୍ୟ – ସମ୍ବାଦ

Comments are closed.