ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ୧୫୪୨ଟି ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର ଶୁଭାରମ୍ଭ କରିଛନ୍ତି। ପୂର୍ବର  ୨୭୧୧ଟି ପ୍ୟାକ୍ସକୁ ମିଶାଇ ରାଜ୍ୟରେ ସମୁଦାୟ ପ୍ୟାକ୍ସ ସଂଖ୍ୟା ୪୨୫୩ରେ ପହଞ୍ଚିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୭୭ଟି ପ୍ୟାକ୍ସକୁ ଆଦର୍ଶ ପ୍ୟାକ୍ସ ଭାବରେ ବିକଶିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେଗୁଡ଼ିକରେ ଗୋଟିଏ ଛାତ ତଳେ କୃଷି ସମ୍ବନ୍ଧୀୟ ସବୁ ପ୍ରକାର ସୁବିଧା ମିଳିବ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୧୫ ମସିହାରୁ ବନ୍ଦ ହୋଇ ପଡ଼ିଥିବା ଭୁବନେଶ୍ୱର ସହରାଞ୍ଚଳ ସମବାୟ ବ୍ୟାଙ୍କର ସମସ୍ତ ଜମାକାରୀଙ୍କୁ ଜମାରାଶି ଫେରସ୍ତ କରାଯିବ। ଏହାଦ୍ୱାରା ସମବାୟ ବ୍ୟାଙ୍କ ଉପରେ ଲୋକମାନଙ୍କ ଆସ୍ଥା ପୁନର୍ବାର ପ୍ରତିଷ୍ଠାରେ ସହାୟକ ହେବ। ଅନେକ ସଂସ୍ଥା ଏବେ ବି ଏକ୍ସେଲ ସିଟ୍‌ରେ ହିସାବ କିତାବ କରି ଅପ୍‌ଲୋଡ୍‌ କରୁଛନ୍ତି। ତେଣୁ ସବୁ ପ୍ରାଥମିକ ସମବାୟ ସମିତିର ଖାତାପତ୍ର ଅଡିଟ୍‌ କରାଯିବ।। ଗୁଜରାଟ ପରି ଓଡ଼ିଶାରେ ସମବାୟ ଆନ୍ଦୋଳନକୁ ଏକ ଗଣ ଆନ୍ଦୋଳନରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସବୁ ସମିତିର ଖାତାପତ୍ର ଅଡିଟ୍ ନିର୍ଦ୍ଦେଶ
ଭୁବନେଶ୍ୱର ସମବାୟ ବ୍ୟାଙ୍କ ଜମାକାରୀଙ୍କୁ ସରକାର ଫେରାଇବେ ଟଙ୍କା

ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଥିଲେ, ଅଦିନିଆ ବର୍ଷାର ସମ୍ମୁଖୀନ ହୋଇଥିବା ଚାଷୀଙ୍କୁ ବୀମାଭୁକ୍ତ କରାଯାଇଛି। ସେମାନେ କ୍ଷତି ସହିବେ ନାହିଁ। ଯେଉଁ ଚାଷୀ ମାନେ ବୀମା କରି ନାହାନ୍ତି ସେମାନଙ୍କୁ ବୀମା କରିବା ପାଇଁ ସମବାୟ ସଂସ୍ଥାମାନେ ଉଦ୍ୟମ କରିବାକୁ ସେ ଅନୁରୋଧ କରିଥିଲେ। ନାବାର୍ଡର ଉପ ପରିଚାଳନା ନିର୍ଦ୍ଦେଶକ ଅଜୟ କୁମାର ସୁଦ୍ ଉପସ୍ଥିତ ଥିଲେ। ଏହି ଅବସରରେ ଗୋପାଳପୁର ସମବାୟ ତାଲିମ କେନ୍ଦ୍ରର ବିକାଶ ପାଇଁ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ମୁଖ୍ୟମନ୍ତ୍ରୀ କେତେକ ସମବାୟ ସଂସ୍ଥାର ସଦସ୍ୟଙ୍କୁ ମାଇକ୍ରୋ ଏଟିଏମ୍‌ ଓ ରୁପେ କାର୍ଡ ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟ ସଚିବ ମନୋଜ ଆହୁଜା, ସମବାୟ ସଚିବ ରାଜେଶ ପ୍ରଭାକର ପାଟିଲ, ସମବାୟ ନିବନ୍ଧକ ସନ୍ତୋଷ କୁମାର ଦାଶ, କୃଷି ସଚିବ ଅରବିନ୍ଦ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।