Breaking News

୧୫ ହଜାର ହେକ୍ଟର ଜମିରେ ହେବ ଆଳୁଚାଷ,ଏନ୍‌ଏସ୍‌ସି ଅନୁବନ୍ଧିତ ଫାର୍ମ ଯୋଗାଇବ ବିହନ

ଭୁବନେଶ୍ୱର,୩୦/୧୧: ରାଜ୍ୟରେ ଲାଗି ରହିଛି ଆଳୁ ସମସ୍ୟା । ଖୁବଶୀଘ୍ର ରାଜ୍ୟରେ ତ୍ୱରାନ୍ୱିତ ହେବ ଆଳୁ ଚାଷ । ପ୍ରଥମ ଥର ପାଇଁ ୧୫,୦୨୩ ହେକ୍ଟର ଜମିରେ ଚାଷ ହେବ । ସେଥିପାଇଁ ୧ ଲକ୍ଷ ୨ ହଜାର ୯୬୪ କ୍ୱିଣ୍ଟାଲ ଉନ୍ନତମାନର ଆଳୁ ବିହନ ଚାଷୀଙ୍କୁ ଯୋଗାଇ ଦିଆଯାଇଛି । ଅଦ୍ୟାବଧି ୫,୬୪୯ ହେକ୍ଟର ଜମିରେ ଆଳୁ ବିହନ ଲାଗିସାରିଛି । ଶୁକ୍ରବାର ରାଜ୍ୟ କୃଷି ଭବନସ୍ଥିତ କୃଷି ସମୀକ୍ଷା କେନ୍ଦ୍ରରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ସୂଚନା ଦେବା ସହ ଆଳୁ ବିହନ ଯୋଗାଣ ନେଇ ସମୀକ୍ଷା କରିଛନ୍ତି ।

ତେବେ ବୈଠକରେ ଉପମୁଖ୍ୟମନ୍ତ୍ରୀ ସିଂହଦେଓ କହିଛନ୍ତି, ଆଳୁଚାଷରେ ରାଜ୍ୟକୁ ଆତ୍ମନିର୍ଭର କରିବା ପାଇଁ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ରହିଛି । ତେବେ ରବି ଆଳୁ ଚାଷକୁ ଦୃଷ୍ଟିରେ ରଖି ଅକ୍ଟୋବର- ନଭେମ୍ବର ମାସରୁ ହିଁ ବିହନ ଯୋଗାଇ ଦେଇଛନ୍ତି । ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଆଭାସୀ ମାଧ୍ୟମରେ ଯୋଗଦେଇଥିବା ସମସ୍ତ ଜିଲ୍ଲାର କୃଷି ଓ ଉଦ୍ୟାନ କୃଷି ଅଧିକାରୀଙ୍କ ଠାରୁ ଆବଶ୍ୟକ ପରିମାଣର ଆଳୁ ବିହନ ଯୋଗାଣ ବାବଦରେ ଅବଗତ ହୋଇଥିଲେ । ଚାଷୀମାନେ ପ୍ରାମାଣିକ ଆଳୁ ବିହନ କିଲୋ ପିଛା ୨୦ ଟଙ୍କାରେ କ୍ରୟ କରିବେ ଏବଂ ବିହନ ଲଗାଇବା ପରେ କିଲୋ ପିଛା ୧୦ଟଙ୍କା ନିଜ ଆକାଉଣ୍ଟକୁ ଫେରସ୍ତ ପାଇବେ । ଏହି ପ୍ରକ୍ରିୟାରେ କୌଣସି ପ୍ରକାର ଦୁର୍ନୀତି ଅଭିଯୋଗ ଆସିଲେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଜ୍ୟରେ ବିହନ ଯୋଗାଣ ନିମନ୍ତେ କେବଳ ଏନ୍‌ଏସ୍‌ସି ଅନୁବନ୍ଧିତ ଫାର୍ମ ହିଁ ଆଳୁ ବିହନ ଯୋଗାଉଛନ୍ତି । ଆଜି ସୁଦ୍ଧା ରାଜ୍ୟର ୩୦ ଗୋଟି ଜିଲ୍ଲାରେ ଏ ନେଇ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇସାରିଛି । ୩୪୭୦ଟି ସଚେତନତା ବୈଠକ କରାଯାଇ ଆଳୁଚାଷର ପ୍ରଣାଳୀ ବିଷୟରେ ଅବଗତ କରାଯାଇଛି । ରାଜ୍ୟରେ ୩୦୫୮ଟି କ୍ଲଷ୍ଟର ବଛାଯାଇଛି । ଯେଉଁଥିରେ ପ୍ରମୁଖ ଭାବେ ଆଳୁଚାଷ କରାଯିବ ଏବଂ ଏଥିପାଇଁ ୯୫,୮୪୧ ଜଣ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ବୈଠକରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ ପ୍ରମୁଖ ଉପସ୍ଥିତ ଥିଲେ ।
ସୌଜନ୍ୟ-ପ୍ରମେୟ

Comments are closed.