Breaking News

୧୮ବର୍ଷ ହେଲା କମୁନି ଗୁଣିଗାରେଡ଼ି ରାଗ: ପୁଲିସ ସାମ୍ନାରେ ବାନ୍ଧି ପିଟିଲେ

ଗୁଣିଗାରେଡ଼ି ସନ୍ଦେହରେ ୧୮ ବର୍ଷ ଧରି ଏକ ପରିବାରକୁ ସାମାଜିକ ବାସନ୍ଦ କଲେ ଗ୍ରାମବାସୀ। ଗତ ମାସ ୨୩ ତାରିଖରେ ଉକ୍ତ ପରିବାରର ଜଣେ ମହିଳାଙ୍କ ମୃତ୍ୟୁ ପରେ ଶେଷକୃତ୍ୟ ବି କରାଇବାକୁ ଦେଲେନି।

0

କଳାବାଡ଼ିଆ: ଗୁଣିଗାରେଡ଼ି ସନ୍ଦେହରେ ୧୮ ବର୍ଷ ଧରି ଏକ ପରିବାରକୁ ସାମାଜିକ ବାସନ୍ଦ କଲେ ଗ୍ରାମବାସୀ। ଗତ ମାସ ୨୩ ତାରିଖରେ ଉକ୍ତ ପରିବାରର ଜଣେ ମହିଳାଙ୍କ ମୃତ୍ୟୁ ପରେ ଶେଷକୃତ୍ୟ ବି କରାଇବାକୁ ଦେଲେନି। ଫଳରେ ୨୮ ଘଣ୍ଟା ଧରି ଶବ ପଡ଼ି ରହିଥିଲା। ପୁଲିସ ହସ୍ତ‌କ୍ଷେପ ପରେ ଶେଷରେ ରାତିଅଧରେ ଶବକୁ ପୋତା ଯାଇଥିଲା। ଏତିକିରେ ଗ୍ରାମବାସୀଙ୍କ ମନ ଶାନ୍ତି ହେଲାନି। ଆଜି ଉକ୍ତ ମହିଳାଙ୍କ ଶୁଦ୍ଧିକ୍ରିୟା ପାଇଁ ଆୟୋଜନ ଚାଲିଥିବା ବେଳେ ପୀଡ଼ିତ ପରିବାରର ସମର୍ଥନରେ ଆସିଥିବା ଆଦିବାସୀ ସଂଗଠନର କମକର୍ତ୍ତାଙ୍କୁ ପୁଲିସ ଉପସ୍ଥିତି‌ରେ ବାନ୍ଧିପକାଇ ମାଡ଼ ମାରିଲେ ଓ ଶୁଦ୍ଧିକ୍ରିୟା କରାଇ ଦେଲେନି। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଧୀନ ଦୀଘି ପଞ୍ଚାୟତ ଦୋରକଣ୍ଟିଆ ଗ୍ରାମର ଏହି ଘଟଣାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି।

ଏହି ଗ୍ରାମର ସୁନ୍ଦର ମାଝୀଙ୍କୁ ଗୁଣିଗ‌ାରେଡ଼ି ସନ୍ଦେହରେ ୧୮ ବର୍ଷ ତଳେ ୨୫ ହଜାର ଟଙ୍କା ଜରିମାନା କରିଥିଲେ ଗ୍ରାମବାସୀ। ସେ ଏତେ ଟଙ୍କା ଦେବାରେ ଅସମର୍ଥ ହେବାରୁ ତାଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିଲା। ସୁନ୍ଦରଙ୍କ ପତ୍ନୀ ସାକ୍ର (୪୫) ଗତମାସ ୨୩ ତାରିଖରେ ପ୍ରାଣ ହରାଇଥି‌ଲେ। ତେବେ ଗ୍ରାମବାସୀ ଶବ ସତ୍କାର କରାଇ ଦେଇନଥିଲେ। ଶେଷରେ ପୁଲିସ ଓ ଆଦିବାସୀ ସାଙ୍ଗେଲ ଅଭିଯାନର କର୍ମକର୍ତ୍ତାଙ୍କ ହସ୍ତକ୍ଷେପ ପରେ ଶବ ପୋତା ଯାଇଥିଲା। ହେଲେ ଗୁଣିଗାରେଡ଼ି ନୁହେଁ, ବରଂ ସୁନ୍ଦରଙ୍କ ପୁଅ ସହିତ ଜଣେ ମହିଳାଙ୍କ ଅନୈତିକ ସମ୍ପର୍କ ରହିଥିବାରୁ ଉକ୍ତ ଜରିମାନା କରାଯାଇଥିବା ପୁଲିସକୁ କହିଥିଲେ ଗ୍ରାମବାସୀ।

ଶବ ସତ୍କାର କରାଇ ଦେଇ ନଥିଲେ
ଶୁଦ୍ଧିକ୍ରିୟା ବି କରାଇ ଦେଲେନି
ପୁଲିସ ସାମ୍ନାରେ ବାନ୍ଧି ପିଟିଲେ
ପ୍ରତିବାଦରେ ରାଜପଥ ଅବରୋଧ

ଏହି ଘଟଣା ପରଠୁ ସେଙ୍ଗେଲ ଅଭିଯାନ ଓ ଉକ୍ତ ବାସନ୍ଦ ପରିବାର ଉପରେ ଗ୍ରାମବାସୀ ରକ୍ତଚାଉଳ ଚୋବାଉଥିଲେ। ଏପଟେ ଆଜି ସାକ୍ରଙ୍କ ଶୁଦ୍ଧିକ୍ରିୟା ଥିବାରୁ ଗ୍ରାମବାସୀ ବିରୋଧ କରିବାର ଭୟ ବି ଥିଲା। ତେଣୁ ଆଗୁଆ ପୁଲିସ ପ୍ରଶାସନର ସୁରକ୍ଷା ଲୋଡ଼ିଥିଲା ପୀଡ଼ିତ ପରିବାର। ପୁଲିସ ମଧ୍ୟ ଗାଁରେ ପହଞ୍ଚିଥିଲା। ତେବେ ଶୁଦ୍ଧିକ୍ରିୟା ଆୟୋଜନରେ ଉକ୍ତ ପରିବାରକୁ ଗ୍ରାମବାସୀ ସାହାଯ୍ୟ କରୁନଥିବାରୁ ଓଡ଼ିଶା ସାଙ୍ଗେଲ ପାର୍‌ଗାନାର ସଭାପତି ନାରାୟଣ ମୁର୍ମୁ ଓ ସାରସକଣା ବ୍ଲକ୍‌ ସଭାପତି କାଶରାୟ ଟୁଡ଼ୁ ଗାଁରେ ପହଞ୍ଚିଥିଲେ। ହେଲେ ଉଭୟଙ୍କୁ ସେଠାରେ ଦେଖି ଦୋରକଣ୍ଟିଆ ଗ୍ରାମବାସୀ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲେ। ପୁଲିସ ଉପସ୍ଥିତିରେ ଉଭୟଙ୍କୁ ବାନ୍ଧି ମାଡ଼ ମାରିଥିଲେ ଓ ଶୁଦ୍ଧିକ୍ରିୟା କରାଇ ଦେଇନଥିଲେ।

ବହୁକଷ୍ଟରେ ପୁଲିସ ସେମାନଙ୍କୁ ଗ୍ରାମବାସୀଙ୍କ କବ୍‌ଜାରୁ ଉଦ୍ଧାର କରିଥିଲା। ହେଲେ ଏହି ଆକ୍ରମଣର ପ୍ରତିବାଦ ତଥା ପୀଡ଼ିତ ପରିବାରକୁ ନ୍ୟାୟ ଦାବିରେ ସାଙ୍ଗେଲ ଅଭିଯାନର କର୍ମକର୍ତ୍ତା ୪୯ ନଂ ଜାତୀୟ ରାଜପଥ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଖବର ପାଇ ବାରିପଦା ସଦର ଏସ୍‌ଡିପିଓ ସୁଜିତ କୁମାର ପ୍ରଧାନ, ଥାନା ଅଧିକାରୀ ରୋଜାଲିନ ବେହେରା, ତହସିଲଦାର ଦାମୋଦର ପ୍ରଧାନ, ବିଡିଓ ଶିବଶଙ୍କର ମୁର୍ମୁ ଓ ୧ ପ୍ଲାଟୁନ ଫୋର୍ସ ପହଞ୍ଚି ବୁଝାସୁଝା କରିବା ସହ ୭ଦିନ ମଧ୍ୟରେ ଏହି ଘଟଣାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ସୋମବାର ରାତିରେ ନାରାୟଣ ମୁର୍ମୁ ବାଙ୍ଗିରିପୋଷି ଥାନାରେ ତାଙ୍କୁ ମାଡ଼ ମାରିଥିବା ୫ଜଣଙ୍କ ବିରୋଧରେ ଏତଲା ଦେଇଛନ୍ତି। ଏପଟେ ଦୋରକଣ୍ଟିଆ ଗ୍ରାମରେ ମଧ୍ୟ ଉତ୍ତେଜନା ପରିସ୍ଥିତି ଲାଗିରହିଛି।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.