ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ବୁଧବାର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମୌନୀ ଅମାବାସ୍ୟାରେ ସ୍ନାନ କରିବାକୁ ଆସିଥିବା ବେଳେ ସେଠାରେ ଦଳାଚକଟା ଘଟି ୩୦ ଜଣଙ୍କ ମୃତ୍ୟୁ ଘଟିଛି। ଏକ ବ୍ୟାରିୟର ଭୁଶୁଡ଼ି ପଡ଼ିବା ପରେ ବିଶୃଙ୍ଖଳା ସୃଷ୍ଟି ହେବାରୁ ଶତାଧିକ ଲୋକ ଆହତ ହୋଇଥିବା ବେଳେ ଅନେକ ଲୋକ ଫସି ଯାଇଥିଲେ। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିଶ୍ୱର ସର୍ବବୃହତ୍ ଧାର୍ମିକ ସମାବେଶ ଭାବେ ପରିଗଣିତ କୁମ୍ଭମେଳାରେ ଅତୀତରେ ମଧ୍ୟ ଏକାଧିକ ଦଳାଚକଟା ଦେଖିବାକୁ ମିଳିଥିଲା।

କୁମ୍ଭ ଦଳାଚକଟାର ଇତିହାସ
୧୯୫୪: ସ୍ୱାଧୀନତା ପରେ ୧୯୫୪ରେ ପ୍ରଥମ ଥର ପାଇଁ ଆୟୋଜିତ କୁମ୍ଭମେଳା ଭାରତ ପାଇଁ ଏକ ଐତିହାସିକ ଘଟଣା ଥିଲା, କିନ୍ତୁ ଏହା ଏକ ଦୁଃଖଦ ଘଟଣା ଭାବରେ ମଧ୍ୟ ସ୍ମରଣୀୟ। ୩ ଫେବ୍ରୁଆରି ୧୯୫୪ରେ ଆହ୍ଲାବାଦ (ବର୍ତ୍ତମାନ ପ୍ରୟାଗରାଜ)ର କୁମ୍ଭମେଳାରେ ମୌନୀ ଅମାବାସ୍ୟାର ପବିତ୍ର ଅବସରରେ ଶାହୀ ସ୍ନାନ କରିବା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ପାଖାପାଖି ୮୦୦ ଲୋକ ଦଳାଚକଟାରେ କିମ୍ବା ନଦୀରେ ବୁଡ଼ି ପ୍ରାଣ ହରାଇଥିଲେ।

୧୯୮୬: ହରିଦ୍ୱାରର କୁମ୍ଭମେଳାରେ ଏକ ଦୁଃଖଦ ଦଳାଚକଟା ଦେଖିବାକୁ ମିଳିଥିଲା ଯେଉଁଥିରେ ଅତି କମ୍‌ରେ ୨୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା। ଉତ୍ତର ପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବୀର ବାହାଦୁର ସିଂହ ବିଭିନ୍ନ ରାଜ୍ୟର ଅନେକ ମନ୍ତ୍ରୀ ଓ ସାଂସଦଙ୍କ ସହ ହରିଦ୍ୱାରରେ ପହଞ୍ଚିବା ପରେ ଏହି ବିଶୃଙ୍ଖଳା ସୃଷ୍ଟି ହୋଇଥିଲା।  ଭିଡ଼ ଅସମ୍ଭାଳ ହେବା ସହ ଅନିୟନ୍ତ୍ରିତ ହୋଇପଡ଼ିଥିଲା, ଯାହା ଫଳରେ ଭୟଙ୍କର ଦଳାଚକଟା ସୃଷ୍ଟି ହୋଇଥିଲା।

୨୦୦୩: ୨୦୦୩ ମସିହାରେ ମହାରାଷ୍ଟ୍ରର ନାସିକରେ କୁମ୍ଭମେଳା ସମୟରେ ପବିତ୍ର ସ୍ନାନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଗୋଦାବରୀ ନଦୀରେ ଏକାଠି ହୋଇଥିବା  ମହିଳାଙ୍କ ସମେତ ୩୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଥିଲେ।

୨୦୧୩: ୨୦୧୩ ଫେବ୍ରୁଆରି ୧୦ ତାରିଖରେ କୁମ୍ଭମେଳା ସମୟରେ ଆହ୍ଲାବାଦ ରେଳ ଷ୍ଟେସନରେ ଏକ ଫୁଟ୍‌ବ୍ରିଜ୍ ଭୁଶୁଡ଼ି ପଡ଼ିବାରୁ ବ୍ୟାପକ ଆତଙ୍କ ସୃଷ୍ଟି ହୋଇଥିଲା। ଏହି ଦୁର୍ଘଟଣାରେ ୪୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୫ ଜଣ ଆହତ ହୋଇଛନ୍ତି।

୨୦୨୫: ମହାକୁମ୍ଭରେ ନଦୀକୂଳର ୧୨ କିଲୋମିଟର ଲମ୍ବା ରେଞ୍ଜରେ ସୃଷ୍ଟି ହୋଇଥିବା ସଙ୍ଗମ ଓ ଅନ୍ୟାନ୍ୟ ଘାଟରେ ପ୍ରବଳ ଜନସମାଗମ ମଧ୍ୟରେ ବୁଧବାର ରାତି ପ୍ରାୟ ୨ଟା ବେଳେ ଦଳାଚକଟା ଘଟିଛି। ଏଥିରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଆହତ ହୋଇଛନ୍ତି। ଜାନୁଆରି ୧୩ ତାରିଖରୁ ଆରମ୍ଭ ହୋଇଥିବା ମହାକୁମ୍ଭ  ଫେବ୍ରୁଆରି ୨୬ ପର୍ଯ୍ୟନ୍ତ ଚାଲିବ। ଏଥିରେ ପ୍ରାୟ ୪୦ କୋଟି ଲୋକ ଯୋଗଦେବେ ବୋଲି ଆକଳନ କରାଯାଇଛି।