ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ସେନା ମୁଖ୍ୟାଳୟରୁ ୧୯୭୧ ମସିହାରେ ପାକିସ୍ତାନର ଆତ୍ମସମର୍ପଣର ଚିତ୍ର ହଟାଯିବା ପରେ ସୃଷ୍ଟି ହୋଇଥିବା ବିବାଦର ଜବାବ ଦେଇଛି ଭାରତୀୟ ସେନା। ଏଥିରେ ସ୍ପଷ୍ଟ କରାଯାଇଛି ଯେ ଏହି ଆଇକନିକ୍ ପେଣ୍ଟିଂକୁ ଏହାର ‘ସବୁଠାରୁ ଉପଯୁକ୍ତ ସ୍ଥାନ’କୁ ସ୍ଥାନାନ୍ତର କରାଯାଇଛି।
ଅତିରିକ୍ତ ଜନସୂଚନା ନିର୍ଦ୍ଦେଶାଳୟର ସୂଚନା ଅନୁଯାୟୀ, ବିଜୟ ଦିବସ ଭାବେ ପାଳନ କରାଯାଉଥିବା ପାକିସ୍ତାନ ଉପରେ ଭାରତର ବିଜୟ ଏବଂ ବାଂଲାଦେଶ ଗଠନର ୪୩ତମ ବାର୍ଷିକୀ ଅବସରରେ ମାନେକସା ସେଣ୍ଟରରେ ଏହି ଚିତ୍ର ସ୍ଥାପନ କରାଯାଇଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ଏଡିଜିପିଆଇ ଏହି ସୂଚନା ଦେଇଛନ୍ତି। ଏଥିରେ କୁହାଯାଇଛି ଯେ, ଚିତ୍ରକୁ ଏହାର ‘ସବୁଠାରୁ ଉପଯୁକ୍ତ ସ୍ଥାନ’ ମାନେକସା ସେଣ୍ଟରରେ ସ୍ଥାପନ କରାଯାଇଛି, ଯେଉଁ ଭବନର ନାମ ୧୯୭୧ ଯୁଦ୍ଧର ସ୍ଥପତି ଓ ହିରୋ ଫିଲ୍ଡ ମାର୍ସାଲ ସାମ ମାନେକସାଙ୍କ ନାମରେ ନାମିତ କରାଯାଇଛି। ଏହି ଅବସରରେ ବରିଷ୍ଠ ଅଧିକାରୀ ଓ କାର୍ଯ୍ୟରତ ଅଧିକାରୀମାନେ ଉପସ୍ଥିତ ଥିଲେ। ସେନା କହିଛି ଯେ ଏହି ଚିତ୍ରଟି ସଶସ୍ତ୍ର ବାହିନୀର ଅନ୍ୟତମ ଶ୍ରେଷ୍ଠ ସାମରିକ ବିଜୟ ଏବଂ ‘ସମସ୍ତଙ୍କ ପାଇଁ ନ୍ୟାୟ’ ଲାଗି ଦେଶର ପ୍ରତିବଦ୍ଧତାର ପ୍ରମାଣ। ଏହା ସହ ମାନେକସା ସେଣ୍ଟରରେ ଏହାକୁ ସ୍ଥାନିତ କରିବା ଦ୍ୱାରା ବହୁ ଦର୍ଶକ ଉପକୃତ ହେବେ ବୋଲି
ଏଥିରେ ଦର୍ଶାଯାଇଛି।

ପୂର୍ବରୁ ଦିଲ୍ଲୀସ୍ଥିତ ସେନା ମୁଖ୍ୟାଳୟରେ ଏହି ଚିତ୍ର ଲଗାଯାଇଥିଲା। କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲୋକସଭାରେ ଶୂନ୍ୟକାଳରେ ଏହାକୁ ହଟାଯିବା ପ୍ରସଙ୍ଗ ଉଠାଇଥିଲେ। ସୋମବାର ଭାରତୀୟ ସେନା ମୁଖ୍ୟାଳୟକୁ ନେପାଳ ସେନା ମୁଖ୍ୟଙ୍କ ଗସ୍ତ ସମୟର ଦୃଶ୍ୟରେ ମଧ୍ୟ ଏହି ତଥ୍ୟ ସାମ୍ନାକୁ ଆସିଥିଲା। ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯେଉଁ ସ୍ଥାନରେ ଏହି ଚିତ୍ର ଥିଲା ସେଠାରେ ଏବେ ‘କର୍ମ କ୍ଷେତ୍ର’ ନାମକ ଆଉ ଏକ ଚିତ୍ର ରହିଛି।