Breaking News

୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ମାମଲା: ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାର ଦୋଷୀ, ଫେବ୍ରୁଆରି ୧୮ରେ ଦଣ୍ଡାଦେଶ

ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାର ଆଜି ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ମାମଲାରେ ଦୋଷୀସାବ୍ୟସ୍ତ ହୋଇଛନ୍ତି। ହିଂସା ଘଟିବାର ଦୀର୍ଘ ୪୦ ବର୍ଷ ପରେ ଆଜି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ସଜ୍ଜନ କୁମାରଙ୍କୁ ଜଣେ ଶିଖ୍‌ ବାପା-ପୁଅଙ୍କୁ ହତ୍ୟା କରିବା ମାମଲାରେ ଦୋଷୀସାବ୍ୟସ୍ତ କରିଛନ୍ତି।

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାର ଆଜି ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ମାମଲାରେ ଦୋଷୀସାବ୍ୟସ୍ତ ହୋଇଛନ୍ତି। ହିଂସା ଘଟିବାର ଦୀର୍ଘ ୪୦ ବର୍ଷ ପରେ ଆଜି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ସଜ୍ଜନ କୁମାରଙ୍କୁ ଜଣେ ଶିଖ୍‌ ବାପା-ପୁଅଙ୍କୁ ହତ୍ୟା କରିବା ମାମଲାରେ ଦୋଷୀସାବ୍ୟସ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଶିଖ୍‌ ବିରୋଧୀ ଦଙ୍ଗାର ଅନ୍ୟ ଏକ ମାମଲାରେ କୁମାର ଆଜୀବନ କାରାଦଣ୍ଡ ଭୋଗୁଥିବା ବେଳେ ତାଙ୍କୁ ଆଜି ପୁଣି ଆଉ ଏକ ମାମଲାରେ ଦୋଷୀସାବ୍ୟସ୍ତ କରାଯାଇଛି। ଆଜି ରାୟ ଶୁଣାଣି ସମୟରେ ସଜ୍ଜନ କୁମାରଙ୍କୁ ତିହାର ଜେଲ୍‌ ପରିସରରୁ କୋର୍ଟରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ହାଜର କରାଯାଇଥିଲା। ମାମଲାର ଦଣ୍ଡାଦେଶ ଆସନ୍ତା ଫେବ୍ରୁଆରି ୧୮ ତାରିଖରେ ହେବ।

ଉଲ୍ଲେଖଯୋଗ୍ୟ, ୧୯୮୪ ଅକ୍ଟୋବର ୩୧ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ କିଛି ଅସ୍ତ୍ରଧାରୀ ହିଂସ୍ର ଜନତା ବଡ଼ ଧରଣର ଲୁଟପାଟ୍‌, ଭଙ୍ଗାରୁଜା ଏବଂ ଆକ୍ରମଣ କରିଥିଲେ।  ଦଙ୍ଗାକାରୀମାନେ ଶିଖ୍‌ ସମ୍ପ୍ରଦାୟକୁ ଟା‌ର୍ଗେଟ୍‌ କରିଥିଲେ ଏବଂ ସେମାନଙ୍କ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ପୋଡ଼ାଜଳା କରିଥିଲେ।  ଏହି ଦଙ୍ଗାରେ ଜଶୱନ୍ତ ସିଂହ ଏବଂ ତାଙ୍କ ପୁଅ ତରୁଣଦୀପ ସିଂହଙ୍କୁ ସରସ୍ବତୀ ବିହାରରେ ହତ୍ୟା କରାଯାଇଥିଲା ଏବଂ ତାଙ୍କ ଘରୁ ଲୁଟ୍‌ କରି ଘରେ ନିଆଁ ଲଗାଇ ଦିଆଯାଇଥିଲା।  ଆଜି କୋର୍ଟ ଏହି ମାମଲାରେ ସଜ୍ଜନ କୁମାରଙ୍କୁ ଦୋଷୀସାବ୍ୟସ୍ତ କରିଥିବାରୁ ଦିଲ୍ଲୀ ଶିଖ୍‌ ଗୁରୁଦ୍ବାର ପରିଚାଳନା କମିଟି (ଡିଏସ୍‌ଜିଏମ୍‌ସି) ମହାସଚିବ ଜଗଦୀପ ସିଂହ କୋର୍ଟ  ରାୟକୁ ସ୍ବାଗତ କରିଛନ୍ତି ଏବଂ ଏହା ନ୍ୟାୟ ଅଭିମୁଖେ ଏକ ବଡ଼ ପଦକ୍ଷେପ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ସଜ୍ଜନ କୁମାରଙ୍କ ବିରୋଧରେ ଦଫା ୩୦୨ (ହତ୍ୟା), ୧୪୭ (ଦଙ୍ଗା), ୧୪୮ (ମାରାତ୍ମକ ଅସ୍ତ୍ର ବ୍ୟବହାର କରି ଦଙ୍ଗା), ୧୪୯ (ସାଧାରଣ ଉଦ୍ଦେଶ୍ୟରେ କରାଯାଇଥିବା ଅପରାଧ ଏବଂ ବେଆଇନ ସମାବେଶ ପାଇଁ ଦୋଷୀ), ୩୦୮ (ଅନିଚ୍ଛାକୃତ ହତ୍ୟା ଉଦ୍ୟମ), ୩୨୩ (ସ୍ବେଚ୍ଛାକୃତ ଭାବେ ଆଘାତ ଦେବା), ୩୯୫ (ଡକାୟତି) ଆଦିରେ ମାମଲା ରୁଜୁ ହୋଇଥିଲା।   ୨୦୧୫ରେ ଗୃହ ମନ୍ତ୍ରଣାଳୟ ୧୯୮୪ ଦଙ୍ଗା ମାମଲାର ପୁନଃ ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଗଠନ କରିଥିଲା, ଯାହା ପରେ ଏହି ମାମଲାରେ ଅଭିଯୋଗକାରୀଙ୍କ ବୟ ୨୦୧୬ ନଭେମ୍ବର ୨୩ରେ ତାଙ୍କ ବୟାନ ରେକର୍ଡ କରିଥିଲେ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.