ବାଣିଜ୍ୟ

୧ ଏପ୍ରିଲରୁ ସାରା ଭାରତରେ ବାଧ୍ୟତାମୂଳକ ହେବ ଏହି ପେଟ୍ରୋଲ ବିକ୍ରି, ଜାଣନ୍ତୁ ଆପଣଙ୍କ ଗାଡ଼ି ଉପରେ ପଡିବ କିପରି ପ୍ରଭାବ

କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି, ଯାହା ସିଧା ଆପଣଙ୍କ ପକେଟ ଓ ଡ୍ରାଇଭିଂ ଉପରେ ପଡିବ। ୧ ଏପ୍ରିଲରୁ ସାରା ଦେଶରେ ପେଟ୍ରୋଲର ପରିଭାଷା ବଦଳିବାକୁ ଯାଉଛି। ପେଟ୍ରୋଲିୟମ ମନ୍ତ୍ରାଳୟଙ୍କ ତାଜା ଅଧିସୂଚନା ଅନୁସାରେ ଏବେ ସାରା ଦେଶରେ ଉଚ୍ଚ କ୍ୱାଲିଟିର ପରିବେଶ ଅନୁକୂଳ ପେଟ୍ରୋଲ ହିଁ ବିକ୍ରି ହେବ।

ନୂଆଦିଲ୍ଲୀ ୨୬।୨: ଭାରତରେ ଇନ୍ଧନର ଭବିଷ୍ୟତକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି, ଯାହା ସିଧା ଆପଣଙ୍କ ପକେଟ ଓ ଡ୍ରାଇଭିଂ ଉପରେ ପ୍ରଭାବ ପକାଇବ। ୧ ଏପ୍ରିଲରୁ ସାରା ଦେଶରେ ପେଟ୍ରୋଲର ପରିଭାଷା ବଦଳିବାକୁ ଯାଉଛି। ସରକାର ଏବେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ E20 ପେଟ୍ରୋଲ (୨୦% ଏଥନଲ ମିଶ୍ରିତ) ଓ 95 RON (ରିସର୍ଚ୍ଚ ଅକ୍ଟେନ ନମ୍ବର) ଇନ୍ଧନ ବିକ୍ରିକୁ ବାଧ୍ୟତାମୂଳକ କରିଛନ୍ତି। ପେଟ୍ରୋଲିୟମ ମନ୍ତ୍ରାଳୟଙ୍କ ତାଜା ଅଧିସୂଚନା ଅନୁସାରେ ଏବେ ସାରା ଦେଶରେ ଉଚ୍ଚ କ୍ୱାଲିଟିର ପରିବେଶ ଅନୁକୂଳ ପେଟ୍ରୋଲ ହିଁ ବିକ୍ରି ହେବ। ଏହି ନିଷ୍ପତ୍ତି ନା କେବଳ ବିଦେଶରୁ ତୈଳ ଆମଦାନୀ ପାଇଁ ହେଉଥିବା ମୋଟା ରକମର ଖର୍ଚ୍ଚକୁ ନିୟନ୍ତ୍ରଣ କରିବ ବରଂ ପ୍ରଦୂଷଣ ସମସ୍ୟା ମୁକାବିଲା ନିମନ୍ତେ ଏକ ବଡ଼ ଅସ୍ତ୍ର ପ୍ରମାଣିତ ହେବ।

ପ୍ରାୟତଃ ପେଟ୍ରୋଲ ପମ୍ପରେ ଆମେ ପ୍ରିମିୟମ ପେଟ୍ରୋଲ ଦେଖିଥାଉ, ଏହି ନୂଆ ନିୟମ ସେହି ପ୍ରିମିୟମ କ୍ୱାଲିଟିର ମାନକ ହେବାକୁ ଯାଉଛି। ଆମେ ଯେଉଁ ସାଧାରଣ ପେଟ୍ରୋଲ ବ୍ୟବହାର କରୁଛେ ଏହାର ଅକ୍ଟେନ ନମ୍ବର ୯୦ ଆଖପାଖରେ ରହୁଛି। ଏଥିରେ 95 RON ପେଟ୍ରୋଲର ଅର୍ଥ ହେଉଛି ଏହି ଇନ୍ଧନ ଅଧିକ ଚାପ ସହି ପାରିବ ଓ ଇଞ୍ଜିନରେ ସମୟ ପୂର୍ବରୁ ଜଳେ ନାହିଁ (ପ୍ରି-ଇଗ୍ନେସନ)। ଯଦି ଇଞ୍ଜିନରେ ସଠିକ ସମୟରେ ପେଟ୍ରୋଲ ଜଳେ ତେବେ ନକିଂ (ଖଟଖଟ) ଶବ୍ଦ ଶୁଣାଯିବନି। ଏଣୁ ବାହାନକୁ ଆବଶ୍ୟକ ପାୱାର ମିଳିବ, ଏକ୍ସିଲେରେସନ ସ୍ମୁଥ ହେବ ଓ ଇଞ୍ଜିନର ଆୟୁ ବଢିବ। ଖାସ କରି ଆଧୁନିକ ଟର୍ବୋଚାର୍ଜଡ୍ ବା ହାଇ ପରଫର୍ମାନ୍ସ ଇଞ୍ଜିନ ଲାଗି ଏହି ଇନ୍ଧନ ବରଦାନ ଠାରୁ କମ୍ ନୁହେଁ।

ଏଥନଲର ଉତ୍ପାଦନ ଆଖୁ, ମକା ଓ ଖାଦ୍ୟଶସ୍ୟରୁ ହୋଇଥାଏ। ଏଣୁ ଏହାର ସିଧା ଲାଭ ଦେଶର ଚାଷୀଙ୍କୁ ମିଳିବ। ପେଟ୍ରୋଲିୟମ ମନ୍ତ୍ରାଳୟ ୧୭ ଫେବୃଆରୀ ଅଧିସୂଚନାରେ ସ୍ପଷ୍ଟ ଭାବେ କହିଛନ୍ତି ଯେ ତୈଳ କମ୍ପାନୀ ଏବେ ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍) ମାନ ଅନୁସାରେ ପେଟ୍ରୋଲ ବିକ୍ରି କରିବେ। ସରକାର ଏହା ବି କହିଛନ୍ତି ଯେ କିଛି ଦୁର୍ଗମ ଓ ବିଶେଷ କ୍ଷେତ୍ରକୁ ଆବଶ୍ୟକତା ପଡିଲେ ସ୍ୱଳ୍ପ ସମୟ ପାଇଁ ନିୟମରେ ରିହାତି ଦିଆଯାଇପାରେ।

ଏହି ଇନ୍ଧନ ବ୍ୟବହାର କଲେ ପୁରୁଣା ବାହନର ମାଇଲେଜ ୩ରୁ୭% ହ୍ରାସ ହୋଇପାରେ। ସେହିପରି ଏଥନଲର ଅଧିକ ମାତ୍ରା ଯୋଗୁ ପୁରୁଣା ଇଞ୍ଜିନର ରବର ଓ ପ୍ଲାଷ୍ଟିକ ପାଇପ ଓ ଅନ୍ୟ ଯନ୍ତ୍ରାଂଶ ଉପରେ ଏହାର ପ୍ରଭାବ ପଡିବାର ଆଶଙ୍କା ରହିଛି। ତେବେ 95 RONର ଉଚ୍ଚମାନ ଇଞ୍ଜିନର ଉତ୍ତମ ସ୍ୱାସ୍ଥ୍ୟ ଓ କମ ମେଣ୍ଟେନାନ୍ସ ମାଧ୍ୟମରେ ଭରଣା କରିବ। ଯଦି ଆପଣ ୨୦୨୩ ପୂର୍ବରୁ ନିର୍ମିତ ବାହନ ଚଳାଉଛନ୍ତି ଆପଣଙ୍କୁ ଟିକେ ସତର୍କ ରହିବାକୁ ପଡିବ। କାରଣ ୨୦୨୩ ପରେ ତିଆରି ଅଧିକାଂଶ ବାହନକୁ E20 ଇନ୍ଧନ ଅନୁସାରେ ତିଆରି କରାଯାଇଛି। ଏଣୁ ପୁରୁଣା ବାହନ ଚଳାଉଥିଲେ ଆପଣଙ୍କୁ ଇଞ୍ଜିନର ନିୟମିତ ସର୍ଭିସିଂ କରାଇବାକୁ ପଡିବ ଓ ସମୟ ସମୟରେ ଫ୍ୟୁଲ ସିଷ୍ଟମର ପାର୍ଟସ ଯାଞ୍ଚ କରାଇ ନିଅନ୍ତୁ, ଯାହା ଦ୍ୱାରା ନୂଆ ଇନ୍ଧନ ଦ୍ୱାରା ଆପଣଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button