Breaking News

୨୦୨୪ରେ ଆଇପିଓ ବର୍ଷା: ୯୦ କମ୍ପାନି ସଂଗ୍ରହ କଲେ ୧.୬ ଲକ୍ଷ କୋଟି

୨୦୨୪ ମସିହା ଆଇପିଓ(ପ୍ରାରମ୍ଭିକ ପବ୍ଲିକ ଅଫର୍‌) ପାଇଁ ଏକ ଉତ୍ତମ ବର୍ଷ ସାବ୍ୟସ୍ତ ହୋଇଛି। ଦେଶର ୯୦ଟି କମ୍ପାନି ଆଇପିଓ ଜରିଆରେ ବଜାରରୁ ରେକର୍ଡ ୧.୬ ଲକ୍ଷ କୋଟି ଟଙ୍କା ଆଦାୟ କରିଛନ୍ତି।

ନୂଆଦିଲ୍ଲୀ: ୨୦୨୪ ମସିହା ଆଇପିଓ(ପ୍ରାରମ୍ଭିକ ପବ୍ଲିକ ଅଫର୍‌) ପାଇଁ ଏକ ଉତ୍ତମ ବର୍ଷ ସାବ୍ୟସ୍ତ ହୋଇଛି। ଦେଶର ୯୦ଟି କମ୍ପାନି ଆଇପିଓ ଜରିଆରେ ବଜାରରୁ ରେକର୍ଡ ୧.୬ ଲକ୍ଷ କୋଟି ଟଙ୍କା ଆଦାୟ କରିଛନ୍ତି। ୨୦୨୩ରେ ୫୭ଟି କମ୍ପାନି ଆଇପିଓ ଦ୍ବାରା ୪୯,୪୩୬ କୋଟି ଟଙ୍କା ଗୋଟାଇବାରେ ସକ୍ଷମ ହୋଇଥିଲେ। ଦେଶର ଆର୍ଥିକ ଅଭିବୃଦ୍ଧି ସାଙ୍ଗକୁ ବଜାର ସ୍ଥିତି ଭଲ ରହିବା ଏବଂ ନିୟାମକ ଢାଞ୍ଚାରେ ସୁଧାର ଆଦି କାରଣରୁ ଏପରି ହୋଇଛି। କେବଳ ସେତିକି ନୁହେଁ ଆସନ୍ତା ୨୦୨୫ ମଧ୍ୟ ଆଇପିଓ ପାଇଁ ଆଉ ଏକ ଭଲ ବର୍ଷ ହେବ ବୋଲି ଆକଳନ କରାଯାଉଛି।

ପୂର୍ବରୁ ୨୦୨୧ ମସିହାରେ ଦେଶର ୬୩ଟି କମ୍ପାନି ଆଇପିଓ ଜରିଆରେ ୧.୨ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ସମର୍ଥ ହୋଇଥିଲେ ଯାହାକି ଦୁଇ ଦଶନ୍ଧି ମଧ୍ୟରେ ସବୁଠୁ ଅଧିକ ରହିଥିଲା। ୨୦୨୪ରେ ହୁଣ୍ଡାଇ ମୋଟର ଇଣ୍ଡିଆର ୨୭,୮୭୦ କୋଟି ଟଙ୍କାର ଆଇପିଓ ଆସିଛି। ଏହା ଭାରତ ଇତିହାସରେ ସବୁଠୁ ବଡ଼ ଆଇପିଓ। ଏହାବାଦ୍ ସ୍ବିଗି ୧୧,୩୨୭ କୋଟି ଟଙ୍କାର, ଏନ୍‌ଟିପିସି ଗ୍ରିନ ଏନର୍ଜି ୧୦ ହଜାର କୋଟି ଟଙ୍କାର, ବଜାଜ୍‌ ହାଉସିଂ ଫାଇନାନ୍ସ ୬୫୬୦ କୋଟି ଟଙ୍କାର ଏବଂ ଓଲା ଇଲେକ୍ଟ୍ରିକ୍ ମୋବିଲିଟି ୬୧୪୫ କୋଟି ଟଙ୍କାର ଆଇପିଓ ଆଣିଛନ୍ତି। ଅନ୍ୟପକ୍ଷରେ ବିଭୋର ଷ୍ଟିଲ୍ ଟ୍ୟୁବ୍‌ସ ପକ୍ଷରୁ ସବୁଠୁ ଛୋଟ ଅର୍ଥାତ୍‌ ୭୨ କୋଟି ଟଙ୍କାର ଆଇପିଓ ମଧ୍ୟ ଆସିଛି।

ବଡ଼, ‌ମଧ୍ୟମ ଏବଂ ଛୋଟ କମ୍ପାନିଗୁଡ଼ିକ ସେୟାର ବିକ୍ରି କରି ପାଣ୍ଠି ସଂଗ୍ରହ କରିଛନ୍ତି। ୨୦୨୪ରେ ଆଇପିଓର ହାରାହାରି ଆକାର ବୃଦ୍ଧି ପାଇ ୧୭୦୦ କୋଟି ଟଙ୍କାରେ ପହଞ୍ଚିଛି। ୨୦୨୩ରେ ଏହା ୮୬୭ କୋଟି ଟଙ୍କାରେ ରହିଥିଲା। ପ୍ରାଇମଡାଟାବେସ୍‌ ଡଟ୍ କମ୍‌ର ସୂଚନା ମୁତାବକ ଛୋଟ ଓ ମଧ୍ୟମ କମ୍ପାନି (ଏସଏମଇ) ମଧ୍ୟ ଚଳିତବର୍ଷ ଆଇପିଓରେ ଅଧିକ ସଂଖ୍ୟାରେ ଭାଗ ନେଇଛନ୍ତି। ୨୩୮ଟି ଏସଏମଇ) ସେୟାର ଜାରି କରି ୮୭୦୦ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ୨୦୨୩ରେ ଏସଏମଇ ଗୁଡ଼ିକ ଆଇପିଓ ଜରିଆରେ ୪୬୮୬ କୋଟି ଟଙ୍କା ସଂଗ୍ରହ କରିଥିଲେ। କେବଳ ଡିସେମ୍ବର ମାସରେ ପାଖାପାଖି ୧୫ଟି ଆଇପିଓ ଆସିଛି। ବଜାର ବିଶେଷଜ୍ଞଙ୍କ କହିବାନୁଯାୟୀ, ନୂଆବର୍ଷରେ ମଧ୍ୟ ଆଇପିଓ ଜରିଆରେ ପୁଞ୍ଜି ସଂଗ୍ରହ ଅଧିକ ମାତ୍ରାରେ ଦେଖିବାକୁ ମିଳିବ। ଚଳିତବର୍ଷର ଆଇପିଓ ରାଶିକୁ ଏହା ଅତିକ୍ରମ କରଯାଇପାରେ। ଏହି ରାଶି ୨.୫ ଲକ୍ଷ କୋଟି ଟଙ୍କା ଟପିଯାଇପାରେ ବୋଲି କୁହାଯାଉଛି।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.