Breaking News

୨୦୨୪ର ଭାରତୀୟ ମହିଳାଙ୍କ ବହୁ ଚର୍ଚ୍ଚିତ ଆତ୍ମଜୀବନୀ

ଅନେକ ଅସାଧାରଣ ଭାରତୀୟ ମହିଳାଙ୍କୁ ନେଇ ଆମେ ଗର୍ବ କରୁ, ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରି ଦୃଢ଼ତା ଓ ସଙ୍କଳ୍ପ ପ୍ରଦର୍ଶନ କରିଛନ୍ତି। ଇତିହାସ ପୃଷ୍ଠାରେ ଅବିଶ୍ୱସନୀୟ ସଫଳତା ହାସଲ କରି ଭବିଷ୍ୟତ ପିଢ଼ି ପାଇଁ ଆଦର୍ଶ ପାଲଟିଛନ୍ତି।

ଅନେକ ଅସାଧାରଣ ଭାରତୀୟ ମହିଳାଙ୍କୁ ନେଇ ଆମେ ଗର୍ବ କରୁ, ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରି ଦୃଢ଼ତା ଓ ସଙ୍କଳ୍ପ ପ୍ରଦର୍ଶନ କରିଛନ୍ତି। ଇତିହାସ ପୃଷ୍ଠାରେ ଅବିଶ୍ୱସନୀୟ ସଫଳତା ହାସଲ କରି ଭବିଷ୍ୟତ ପିଢ଼ି ପାଇଁ ଆଦର୍ଶ ପାଲଟିଛନ୍ତି। ୨୦୨୪ ମସିହାରେ ସେହିଭଳି କିଛି ଚର୍ଚ୍ଚିତ ଓ ପ୍ରସିଦ୍ଧ ଭାରତୀୟ ମହିଳାଙ୍କ ଆତ୍ମଜୀବନୀ ପୁସ୍ତକ ବିଶ୍ୱରେ ସୁଖ୍ୟାତି ପାଇଛି। ଏହି ପୁସ୍ତକଗୁଡ଼ିକ ସେମାନଙ୍କ ଜୀବନଯାତ୍ରାର ଧୈର୍ଯ୍ୟ, ସାହସ, ଗଭୀର ଆତ୍ମବିଶ୍ବାସ, ଦୃଢ଼ ସଂକଳ୍ପ ଓ ସଫଳତାର ମୂଲ୍ୟବାନ ଶିକ୍ଷାପ୍ରଦାନ କରିଥାଏ ଯାହା ସାଧାରଣ ମହିଳାଙ୍କୁ ପ୍ରେରଣା ଦେବାରେ ଖୁବ୍‌ ସହାୟକ ହେବ। ଗତ ମାସରେ ଜର୍ମାନର ଫ୍ରାଙ୍କ୍‌ଫୁର୍ଟ ପଡ଼ିଆରେ ଆୟୋଜିତ ବିଶ୍ୱର ସର୍ବ ବୃହତ୍‌ ‘ଫ୍ରାଙ୍କ୍‌ଫୁର୍ଟ ପୁସ୍ତକ ମେଳା’ (ଏଫ୍. ବି. ଏମ୍.)ରେ ଉକ୍ତ ପରୁସ୍ତକଗୁଡ଼ିକ ଶ୍ରେଷ୍ଠ ଓ ସର୍ବାଧିକ ବିକ୍ରି ହୋଇଥିବା ପୁସ୍ତକ ତାଲିକାର ମାନ୍ୟତା ହାସଲ କରିଛି। ଉଲ୍ଲେଖଯୋଗ୍ୟ, ଅକ୍‌ଟୋବର ମଧ୍ୟଭାଗରେ ଏହି ପାଞ୍ଚଦିନିଆ ବାର୍ଷିକ ପୁସ୍ତକ ମେଳା ଅନୁଷ୍ଠିତ ହୁଏ।

ଦି ଫୁଲ୍‌ଷ୍ଟପ୍‌ ଇନ୍‌ ମାଇଁ ଲାଇଫ୍‌
ମୋ ଜୀବନରେ ପୂର୍ଣ୍ଣଛେଦ (ଦି ଫୁଲ୍‌ଷ୍ଟପ୍‌ ଇନ୍‌ ମାଇଁ ଲାଇଫ୍‌) ଫର୍ଚ୍ୟୁନ୍‌ ୫୦ କମ୍ପାନିର ନେତୃତ୍ୱ ନେଇଥିବା ପ୍ରଥମ ମହିଳା ତଥା ପ୍ରବାସୀ ଭାରତୀୟ ମହିଳା ଭାବେ ଇନ୍ଦ୍ରା ନୁଇଙ୍କ ଆତ୍ମଜୀବନୀ ସମସ୍ତ ବର୍ଗର ନାଗରିକ ମୁଖ୍ୟତଃ ଯୁବପିଢ଼ିଙ୍କ ପାଇଁ ଆଜିର ଦିନରେ ସଂଘର୍ଷରୁ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖୁଥିବା ଉଚ୍ଚ ଅଭିଳାଷର ଏକ ବ୍ଲୁପ୍ରିଣ୍ଟ ସଦୃଶ ପୁସ୍ତକ। ଭାରତରେ ତାଙ୍କର ପିଲାବେଳ ଓ ଶିକ୍ଷା, ବିଶ୍ୱ କର୍ପୋରେଟ୍‌ ଜଗତରେ ତାଙ୍କର ସଂଘର୍ଷ ଓ ଉତ୍‌ଥାନ ଏବଂ ସୁପରିଚିତ ମୃଦୁପାନୀୟ କମ୍ପାନି ‘ପେପ୍‌ସି କୋ’ ସିଇଓ ଭାବେ ତାଙ୍କର କାର୍ଯ୍ୟକାଳ ବିଷୟରେ ଅତି ସରଳ ଭାଷାରେ ବାସ୍ତବ ବର୍ଣ୍ଣନାକୁ ଅନେକ ଉଦାହରଣ ମାଧ୍ୟମରେ ଲେଖିଛନ୍ତି। ସେ ନିଜ ଆତ୍ମଜୀବନୀରେ ଗୋଟିଏ କମ୍ପାନୀର କାର୍ଯ୍ୟଧାରା ଉଦ୍ଦେଶ୍ୟର ଭାବନା ଭରି ଦେଇଛନ୍ତି। ତାଙ୍କ କାହାଣୀରେ ରଣନୀତିକ ଚିନ୍ତାଧାରା, ନେତୃତ୍ୱ, ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସନ୍ତୁଳନ ରକ୍ଷାର ଆହ୍ୱାନ ପ୍ରତିଫଳିତ ହୋଇଛି। କର୍ପୋରେଟ୍‌ ଜଗତରେ ଏକ ନିଜସ୍ୱ ସ୍ଥାନ ସୃଷ୍ଟି କରିବାକୁ ଅଭିଳାଷ ରଖିଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ଇନ୍ଦ୍ରା ନୁଇଙ୍କ ଆତ୍ମଜୀବନୀ ଏକ ଅତ୍ୟାବଶ୍ୟକ ପୁସ୍ତକ।

ଅନ୍‌ଫିନିସ୍‌ଡ ମେମୋରି
ଗ୍ଲୋବାଲ୍‌ ଆଇକନ୍‌ ପ୍ରିୟଙ୍କା ଚୋପ୍ରା ଜୋନାସ୍‌ଙ୍କ ଅତ୍ୟନ୍ତ ଆବେଗମୟ ହୃଦୟସ୍ପର୍ଶୀ ଆତ୍ମଜୀବନୀ ‘ଅସମ୍ପୂର୍ଣ୍ଣ ସ୍ମୃତି’ (ଅନଫିନିସ୍‌ଡ୍‌ ମେମୋରି) ପୁସ୍ତକ ପାଠକମାନଙ୍କୁ ତାଙ୍କ ପ୍ରେରଣାଦାୟୀ ଜୀବନଯାତ୍ରାର ସଫଳତା ଦିଗକୁ ଟାଣି ନେଇ ବହିର ପ୍ରତ୍ୟେକ ପୃଷ୍ଠାରେ ନିମଗ୍ନ କରିଦିଏ। ସମାଜର ସାଧାରଣ ନିନ୍ଦା ଅପବାଦ ଓ ଟାହି ଟାପରାକୁ ଖାତିର ନକରି ନିଜ ଲକ୍ଷ୍ୟପଥରେ ଦୃଢ଼ ଆତ୍ମବିଶ୍ୱାସ ନେଇ ଆଗେଇ ଗଲେ ସଫଳତା କିପରି ତୁମ ହାତ ଧରି ବାଟ କଢ଼ାଇ ନେବ ତାହାକୁ ନିଜ ଆତ୍ମଜୀବନୀରେ ପ୍ରିୟଙ୍କା ବର୍ଣ୍ଣନା କରିଛନ୍ତି। ଭାରତରେ ତାଙ୍କ ପିଲାଦିନର ସାମାଜିକ ଚିତ୍ରଣ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚି ସଫଳତା ହାସଲ କରିବାର ଗୂଢ଼ ରହସ୍ୟକୁ ସେ ସୁନ୍ଦର ଓ ଶିକ୍ଷଣୀୟ ଭାବରେ ବର୍ଣ୍ଣନା କରିଛନ୍ତି। ବିଭିନ୍ନ ପ୍ରତିଯୋଗିତାରେ ଯୁବତୀ ଓ ନାରୀ ସମାଜ କିପରି ଆହ୍ବାନ ଓ ସମସ୍ୟାର ସମ୍ମୁଖୀନ ହୁଅନ୍ତି ଏବଂ ଏହାକୁ ଅତିକ୍ରମ କରି କିପରି ବାଜିମାତ୍‌ କରି ଆଗକୁ ବଢ଼ିବାର କଳା କୌଶଳର ଶୈଳୀ, ବିବିଧ ସଂସ୍କୃତିରେ ଖାପ ଖୁଆଇ ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରି ଜିତିବାର ଧାରା ଏବଂ ମିସ୍‌ ୱାର୍ଲଡ୍‌ ହେବାରୁ ନେଇ ହଲିଉଡ୍‌ରେ ଅଭିନେତ୍ରୀ ଭାବେ ପ୍ରବେଶ କରିବା ପର୍ଯ୍ୟନ୍ତ ଲିଙ୍ଗଗତ ପ୍ରତିବନ୍ଧକ ଓ ସାଂସ୍କୃତିକ ଆହ୍ୱାନକୁ ଅତିକ୍ରମ କରିବାର ଅଭିଜ୍ଞତା ସେ ନିଜ ଆତ୍ମଜୀବନୀରେ ସମସ୍ତଙ୍କ ପାଇଁ ବଖାଣିଛନ୍ତି। ନିକ୍‌ ଜୋନାସ୍‌ଙ୍କ ସହ ବିବାହ ଓ ନିଜର ସ୍ୱର୍ଗୀୟ ପିତାଙ୍କ ସହ ଅନାବିଳ ବନ୍ଧନ ସମେତ ତାଙ୍କ ବ୍ୟକ୍ତିଗତ ଜୀବନର ଅନେକ ଦିଗ ଉପରେ ମଧ୍ୟ ନିଜ ଆତ୍ମଜୀବନୀରେ ସେ ପାଠକଙ୍କ ଉଦ୍ଦେଶ୍ୟରେ ଏକ ନିଆରା ଶୈଳୀରେ ଆଲୋକପାତ କରିଛନ୍ତି। ତାଙ୍କ ଆତ୍ମଜୀବନୀ ପୁସ୍ତକ ହେଉଛି ଉଚ୍ଚାକାଂକ୍ଷା, ନମନୀୟତା ତଥା ସ୍ୱପ୍ନର ଅନୁଧାବନ କରିବାର ଏକ ଆକର୍ଷଣୀୟ କାହାଣୀ, ଯାହା ପାଠକମାନଙ୍କୁ ଏକ ଗଭୀର ପ୍ରୋତ୍ସାହନ ଓ ପ୍ରେରଣା ପ୍ରଦାନ କରିବାକୁ ସକ୍ଷମ। ପ୍ରିୟଙ୍କାଙ୍କ ଆତ୍ମଜୀବନୀ ପୁସ୍ତକ ‘ଫ୍ରାଙ୍କ୍‌ଫୁର୍ଟ ପୁସ୍ତକ ମେଳା’ ର ଅନ୍ୟତମ ସର୍ବାଧିକ ବିକ୍ରି ହୋଇଥିବା ପୁସ୍ତକ।

‘ଅନ୍‌ବ୍ରେକେବଲ୍‌’ ମେରିକମ୍‌
ଭାରତର ମହାନତମ ମହିଳା ବକ୍ସିଂ ଚାମ୍ପିଅନ୍ ମେରୀକମ୍‌ଙ୍କ ଜୀବନର ଆରମ୍ଭରୁ ନେଇ ବିଶ୍ୱ ବକ୍ସିଂ ଚାମ୍ପିଅନ୍‌ ହେବା ଏବଂ ଅଲିମ୍ପିକ୍‌ସ ପଦକ ବିଜେତା ସଫଳଯାତ୍ରାକୁ ସେ ନିଜ ପୁସ୍ତକର ପୃଷ୍ଠାରେ ବର୍ଣ୍ଣନା କରିଛନ୍ତି। ମେରି ନିଜେ ଲେଖିଥିବା ତାଙ୍କ ଆତ୍ମଜୀବନୀରେ ନିଜର ପିଲାଦିନ, ପ୍ରାରମ୍ଭିକ ସଂଘର୍ଷ, ବ୍ୟକ୍ତିଗତ ସମ୍ପର୍କ ଏବଂ ବିଶ୍ୱସ୍ତରରେ ସ୍ୱୀକୃତି ହାସଲ କରିବା ପାଇଁ ସେ ସମ୍ମୁଖୀନ ହୋଇଥିବା ପ୍ରତିଟି ଆହ୍ୱାନର ନିଚ୍ଛକ ଘଟଣା ସବୁର ବିବରଣୀ ଲେଖିଛନ୍ତି। ତାଙ୍କ କାହାଣୀ ଅସୀମ ଧୈର୍ଯ୍ୟ, କଠିନ ପରିଶ୍ରମ ଓ ମାନସିକ ଦୃଢ଼ତାର ଏକ ପ୍ରମାଣ ଯାହା ଏହି ପୁସ୍ତକକୁ ପ୍ରତିବନ୍ଧକକୁ ଭାଙ୍ଗିବା ଏବଂ ପ୍ରତିକୂଳ ପରିସ୍ଥିତିକୁ ପ୍ରତିହତ କରିବାର ଏକ ଶକ୍ତିଶାଳୀ କାହାଣୀରେ ପରିଣତ କରିଛି।

ଦି ସାଇଣ୍ଟିଷ୍ଟ ଏଣ୍ଟେର୍‌ପ୍ରିନ୍ୟୁୟର୍‌ 
ଡ. କଳ୍ପନା ଶଙ୍କର

ବୈଜ୍ଞାନିକ ଉଦ୍ୟୋଗୀ ଡ. କଳ୍ପନା ଶଙ୍କରଙ୍କ ଲକ୍ଷ୍ୟ ହେଉଛି ମହିଳାଙ୍କୁ ସଶକ୍ତ କରିବା। ଜଣେ ପରମାଣୁ ବିଜ୍ଞାନୀ ଭାବେ ବିଶ୍ୱରେ ନିଜସ୍ୱ ପରିଚୟ ହାସଲ କରି ସାମାଜିକ ଉଦ୍ୟୋଗୀ ଭାବେ ବର୍ତ୍ତମାନ ଜଣେ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ପାଲଟିଛନ୍ତି। ସେ ତାଙ୍କ ପ୍ରେରଣାଦାୟୀ ଆତ୍ମଜୀବନୀ ମାଧ୍ୟମରେ ନେତୃତ୍ୱରେ ଥିବା ମହିଳାମାନଙ୍କ ବିଷୟରେ ଥିବା ଭ୍ରାନ୍ତ ଧାରଣାକୁ ଚାଲେଞ୍ଜ କରିଛନ୍ତି। କାଞ୍ଚିପୁରମ୍‌ରେ ଏକ ସାଧାରଣ କୋଠରୀରେ ‘ହ୍ୟାଣ୍ଡ୍‌ ଇନ୍‌ ହ୍ୟାଣ୍ଡ୍‌ ଇଣ୍ଡିଆ’ର ସହ-ପ୍ରତିଷ୍ଠାତା ଭାବେ ସେ ଏକ ଅଭିନବ ବ୍ୟାବସାୟିକ ମଡେଲ୍‌ ବିକଶିତ କରିଥିଲେ, ଯାହା ଶହ ଶହ ଗ୍ରାମୀଣ ମହିଳାଙ୍କୁ ସଶକ୍ତ କରିଥିଲା ଏବଂ ଜାତିସଂଘର ସେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ବିଶ୍ୱସମୁଦାୟକୁ ଉଦ୍‌ବୋଧନ ଦେଇଥିଲେ। ତାଙ୍କ କାହାଣୀ କେବଳ ତାଙ୍କର ବ୍ୟକ୍ତିଗତ ଯାତ୍ରାକୁ ଦର୍ଶାଇ ନାହିଁ, ବରଂ ସମାଜର ଅବହେଳିତ ବର୍ଗଙ୍କ ସହିତ ତାଙ୍କ କାର୍ଯ୍ୟ କରିବାର ନିଜସ୍ୱ ଶୈଳୀ ଉପରେ ମଧ୍ୟ ଆଲୋକପାତ କରିଛି। ତାଙ୍କର ଆତ୍ମଜୀବନୀ ଆକାଂକ୍ଷୀ ସାମାଜିକ ଉଦ୍ୟୋଗୀ ଓ ସମାଜରେ କିଛି ନୂତନ ଭାବେ ପରିବର୍ତ୍ତନ ଆଣିବାକୁ ଚାହୁଥିବା ଯୁବତୀମାନଙ୍କ ପାଇଁ ଏକ ଉତ୍କୃଷ୍ଟ ସମ୍ବଳ।

 

 

 

ସୌଜନ୍ୟ-ସମ୍ୱାଦ

Comments are closed.