Breaking News

୨୦୨୪ ବିଶ୍ବ ନିର୍ବାଚନ: କ୍ଷମତାସୀନଙ୍କୁ ଝଟ୍‌କା

୨୦୨୪କୁ ଏକ ନିର୍ବାଚନର ବର୍ଷ ବୋଲି କୁହାଯାଇପାରେ। କାରଣ ଏହି ଗୋଟିଏ ବର୍ଷରେ ବିଶ୍ୱର ୪ଟି ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ, ଇଣ୍ଡୋନେସିଆ, ଆମେରିକା ଓ ପାକିସ୍ତାନରେ ନିର୍ବାଚନ ଅନୁଷ୍ଠିତ ହୋଇଥିବା...

୨୦୨୪କୁ ଏକ ନିର୍ବାଚନର ବର୍ଷ ବୋଲି କୁହାଯାଇପାରେ। କାରଣ ଏହି ଗୋଟିଏ ବର୍ଷରେ ବିଶ୍ୱର ୪ଟି ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ, ଇଣ୍ଡୋନେସିଆ, ଆମେରିକା ଓ ପାକିସ୍ତାନରେ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ୟୁରୋପୀୟ ସଂଘର ୨୭ଟି ସଦସ୍ୟ ରାଷ୍ଟ୍ରରେ ସଂସଦୀୟ ନିର୍ବାଚନ ହୋଇଛି। ଏକ ଆକଳନ ଅନୁଯାୟୀ, ଚଳିତ ବର୍ଷ ଅଧା ମାନବ ଜାତି ବାସ କରୁଥିବା ୭୦ରୁ ଅଧିକ ଦେଶରେ ନିର୍ବାଚନ ହୋଇଛି। ଅଧିକାଂଶ ପ୍ରମୁଖ ନିର୍ବାଚନ ଫଳାଫଳ କ୍ଷମତାସୀନ ସରକାରମାନଙ୍କ ପାଇଁ ଅତ୍ୟନ୍ତ ଖରାପ ରହିଛି। ଆମେରିକାରେ କ୍ଷମତାସୀନ ଦଳର ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସ ଏବଂ ବ୍ରିଟେନରେ କଞ୍ଜରଭେଟିଭ ଦଳର ଋଷି ସୁନକଙ୍କ ପରାଜୟ ନାଟକୀୟ ପରିବର୍ତ୍ତନ ଥିଲା। କିନ୍ତୁ ଭାରତରେ ନରେନ୍ଦ୍ର ମୋଦୀ, ଜାପାନରେ ଶିଗେରୁ ଇଶିବା, ଦକ୍ଷିଣ ଆଫ୍ରିକାରେ ସିରିଲ ରାମାଫୋସା ଏବଂ ଫ୍ରାନ୍ସରେ ଇମାନୁଏଲ ମାକ୍ରନଙ୍କ ଭଳି ପ୍ରସଙ୍ଗ ମଧ୍ୟ ରହିଛି, ଯେଉଁମାନେ ନିର୍ବାଚନୀ ଝଟ୍‌କା ସତ୍ତ୍ୱେ ମେଣ୍ଟ ସହଯୋଗରେ କ୍ଷମତାରେ ରହିଛନ୍ତି। ଗତ ୧୨ ମାସ ମଧ୍ୟରେ ସରକାରରେ ଥିବା ପ୍ରତ୍ୟେକ ରାଜନୈତିକ ଦଳର ଭୋଟ୍ ହାର ହ୍ରାସ ପାଇଛି।

ଆଲଜେରିଆ, ଆଜରବାଇଜାନ କିମ୍ବା ରୁଆଣ୍ଡା ଭଳି କେତେକ କମ୍ ଗଣତାନ୍ତ୍ରିକ ସରକାରଙ୍କର ସେମାନଙ୍କ ରାଜନୈତିକ ପ୍ରକ୍ସିଙ୍କ ପାଇଁ ଭୋଟ୍ ପ୍ରତିଶତରେ ଉନ୍ନତି ପରିଲକ୍ଷିତ ହୋଇଛି। କିନ୍ତୁ ଏଠାରେ ମଧ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିଛି। ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଜାନୁଆରି ମାସରେ ଏକ ତ୍ରୁଟିପୂର୍ଣ୍ଣ ପ୍ରକ୍ରିୟାରେ ପୁନର୍ବାର ନିର୍ବାଚିତ ହୋଇଥିଲେ କିନ୍ତୁ ପୂର୍ବ ତୁଳନାରେ କମ୍ ବ୍ୟବଧାନରେ। ସେପ୍ଟେମ୍ବର ବେଳକୁ ଜନପ୍ରତିବାଦରେ ତାଙ୍କୁ ବହିଷ୍କାର କରାଯାଇଥିଲା। ଇରାନରେ ହେଲିକପ୍ଟର ଦୁର୍ଘଟଣାରେ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ଘଟିବା ପରେ ସଂସ୍କାରବାଦୀ ପ୍ରାର୍ଥୀ ମାସୁଦ ପେଜେଶକିଆନ ଜୁଲାଇରେ ନିର୍ବାଚିତ ହୋଇ ତାଙ୍କ ସ୍ଥାନ ନେଇଥିଲେ। ସମୀକ୍ଷକମାନେ ମନ୍ଥର ବିଶ୍ୱ ଅର୍ଥନୀତି ଉପରେ ଧ୍ୟାନ କେନ୍ଦ୍ରିତ କରି ବିଶ୍ୱବ୍ୟାପୀ କ୍ଷମତାସୀନ ସରକାରମାନଙ୍କ ପାଇଁ ଖରାପ ଫଳାଫଳକୁ ବୁଝାଇଛନ୍ତି।  ୟୁକ୍ରେନ ଯୁଦ୍ଧ ଯୋଗୁଁ ଖାଦ୍ୟ ଓ କିଛି ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଇଛି। ମଧ୍ୟପ୍ରାଚ୍ୟ ସଂଘର୍ଷ ଲୋହିତ ସାଗର ଦେଇ ଜାହାଜ ଚଳାଚଳର ବିପଦ କାରଣରୁ ଯୋଗାଣ ଶୃଙ୍ଖଳକୁ ପ୍ରଭାବିତ କରିଛି। ଏଭଳି ସ୍ଥିତିରେ ହୋଇଥିବା ନିର୍ବାଚନ ଅଧିକାଂଶ ରାଷ୍ଟ୍ରରେ ଶାସକ ଦଳମାନଙ୍କ ପାଇଁ ବିପର୍ଯ୍ୟୟ ଆଣିଛି।

ବ୍ୟତିକ୍ରମ ପୁଟିନ୍‌

 ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଭ୍ଲାଦିମିର ପୁଟିନଙ୍କ ଜବରଦସ୍ତ ବିଜୟ ପୂର୍ବ ନିର୍ଦ୍ଧାରିତ ଥିଲା ବୋଲି କୁହାଯାଉଥିଲେ ମଧ୍ୟ ପୁଟିନଙ୍କ ପ୍ରତି ବିପୁଳ ଜନସମର୍ଥନ ତାଙ୍କ ରାଜନୈତିକ ସାମର୍ଥ୍ୟକୁ ପ୍ରତିପାଦିତ କରିଛି।  ପୁଟିନଙ୍କ ବିଜୟକୁ ସୁନିଶ୍ଚିତ କରିବା ପାଇଁ କ୍ରେମଲିନ କୌଣସି ସୁଯୋଗ ହାତଛଡ଼ା କରିନଥିବା ବେଳେ ଯୁଦ୍ଧରତ ରାଷ୍ଟ୍ରର ଭବିଷ୍ୟତ ପାଇଁ ଏଥର ନିର୍ବାଚନରେ ପୁଟିନ ବହୁତ କିଛି ବାଜିରେ ଲଗାଇଥିଲେ।  ଯୁଦ୍ଧ ବିରୋଧୀ ପ୍ରାର୍ଥୀ ବୋରିସ୍ ନାଦେଜଦିନଙ୍କୁ ନିର୍ବାଚନରେ ଭାଗ ନେବାରୁ ବାରଣ କରାଯାଇଥିଲା ଏବଂ ତାଙ୍କ ଦଳର ସଦସ୍ୟମାନଙ୍କୁ ଗିରଫ କରାଯାଇଥିଲା। ନିର୍ବାଚନର ଏକ ମାସ ପୂର୍ବରୁ ପୁଟିନଙ୍କ ମୁଖ୍ୟ ସମାଲୋଚକ ତଥା ବନ୍ଦୀ ଥିବା ବିରୋଧୀ ଦଳ ନେତା ଆଲେକ୍ସି ନାଭାଲନିଙ୍କୁ ଚୁପ୍ କରାଯାଇଥିଲା।

ଏହା ସତ୍ତ୍ୱେ, ଫଳାଫଳ – ରେକର୍ଡ ମତଦାନ (୭୭%) ଏବଂ ପୁଟିନ୍  ପାଇଥିବା ଭୋଟ୍ ହାର (୮୭%) ବିଶ୍ବକୁ ବଡ଼ ବାର୍ତ୍ତା ଦେଇଛି।  ରାଷ୍ଟ୍ରପତି ନିର୍ବାଚନରେ ପ୍ରଥମ ଥର ପାଇଁ ଇଲେକ୍ଟ୍ରୋନିକ୍ ଭୋଟିଂର ବ୍ୟବହାର ସ୍ପଷ୍ଟତାର ଆଉ ଏକ ସ୍ତର ଯୋଡ଼ିଥିବା ଦାବି କରାଯାଇଛି ।  ସରକାରୀ ଫଳାଫଳରେ ଏହା ମଧ୍ୟ ଦାବି କରାଯାଇଛି ଯେ ବିଦେଶରେ ଥିବା ୭୨% ରୁଷୀୟ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ସରକାରରୁ ପଳାୟନ କରିଥିଲେ, ପୁଟିନଙ୍କୁ ଭୋଟ୍ ଦେଇଛନ୍ତି। ଦ୍ବିତୀୟତଃ, କ୍ରେମ୍‌ଲିନ  ଆରମ୍ଭରୁ ନିର୍ବାଚନକୁ ଯୁଦ୍ଧ ପାଇଁ ଜନମତ ଭାବେ ଚଳାଇଥିଲା।   ପୁଟିନ୍ କାର୍ଯ୍ୟରତ ସୈନିକମାନଙ୍କ ସହ ଏକ ବୈଠକରେ ନିର୍ବାଚନ ନେଇ ତାଙ୍କ ଆଭିମୁଖ୍ୟ ମଧ୍ୟ ସ୍ପଷ୍ଟ କରିଥିଲେ। ଯୁଦ୍ଧକାଳରେ ନିର୍ବାଚନକୁ ସଫଳତାର ସହ ପରିଚାଳନା କରିଥିବା ପୁଟିନ୍   ଯୁଦ୍ଧକୁ ସର୍ବାଧିକ ପ୍ରାଥମିକତା ଦେଇଥିଲେ। ସାମରିକ ଓ ନିରାପତ୍ତା ଆବଶ୍ୟକତା ପାଇଁ ପୂର୍ବରୁ ଦେଶ ବଜେଟର ପ୍ରାୟ ୪୦% ଆବଣ୍ଟନ ହୋଇସାରିଛି। ଯୁଦ୍ଧ ଆରମ୍ଭ ହେବା ପରଠାରୁ ପୁଟିନ ଯେକୌଣସି ସମୟ ତୁଳନାରେ ଅଧିକ ଆତ୍ମବିଶ୍ୱାସୀ ଥିବା ଜଣାପଡିଛି। ରୁଷ୍ ଏହାର ଅର୍ଥନୈତିକ ଖର୍ଚ୍ଚ ବହନ କରିପାରିବ ଏବଂ ଏହାର ରାଜନୈତିକ ଚାପ ବି ବହନ କରିପାରିବ ବୋଲି ସେ ସୂଚନା ଦେଇଛନ୍ତି। ୟୁକ୍ରେନରେ ରୁଷ୍‌ର ଯୁଦ୍ଧ ଏବଂ ପଶ୍ଚିମ ରାଷ୍ଟ୍ରଙ୍କ ବିରୋଧରେ ଏହାର ଯୁଦ୍ଧକୁ ବଢ଼ାଇବା ପାଇଁ  ପୁଟିନଙ୍କ ବିଶାଳ ବୈଶ୍ବିକ ରଣନୀତିର ଭବିଷ୍ୟତ ଉପରେ ଅନେକ କିଛି ନିର୍ଭର କରୁଛି।

 ଟ୍ରମ୍ପଙ୍କ ଐତିହାସିକ ବିଜୟ

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଏଥର ଭୋଟର୍‌ ଅତି ଗଭୀର ଭାବେ ବିଭାଜିତ ଥିଲେ।  ଏଭଳି ସ୍ଥିତିରେ ରିପବ୍ଲିକାନ ଦଳ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଐତିହାସିକ ବିଜୟ ହାସଲ କରିଛନ୍ତି। ଡେମୋକ୍ରାଟିକ୍‌ ପ୍ରାର୍ଥୀ କମଳା ହାରିସଙ୍କୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିବା ବେଳେ ଦଳର ଅନେକ ଦୁର୍ବଳତା ସାମ୍ନାକୁ ଆସିଛି। ନିଜର ନୈତିକ ବିଫଳତା ଓ ପ୍ରଥମ ଆମେରିକୀୟ ରାଷ୍ଟ୍ରପତି ଭାବେ ଦୋଷୀ ସାବ୍ୟସ୍ତ ହେବା ସତ୍ତ୍ବେ ନିର୍ବାଚନ ଫଳାଫଳ ଟ୍ରମ୍ପ୍‌ଙ୍କ ସପକ୍ଷରେ ଯାଇଛି। ପୂର୍ବତନ ରିପବ୍ଲିକାନ୍ ରାଷ୍ଟ୍ରପତି ଆମେରିକାର ଅର୍ଥନୀତିକୁ ସୁଧାରିବା ଏବଂ ରକ୍ଷଣଶୀଳ ସଂସ୍କୃତିର ରକ୍ଷା କରିବାର ପ୍ରତିଶ୍ରୁତି ଦେଇ ନିରାଶ ଭୋଟରଙ୍କ ମନ ଜିଣିଥିଲେ। ୨୦୨୫ ଜାନୁଆରି ୨୦ ତାରିଖରେ ଟ୍ରମ୍ପ ନିର୍ଦ୍ବନ୍ଦ୍ବରେ ହ୍ବାଇଟ୍ ହାଉସ୍‌ରେ ପ୍ରବେଶ କରିବାକୁ ଯାଉଛନ୍ତି। ଦୁଇ ଦଶନ୍ଧି ମଧ୍ୟରେ ପ୍ରଥମ ରିପବ୍ଲିକାନ୍ ଭାବେ ପପୁଲାର ଭୋଟ୍ ଜିତି ଟ୍ରମ୍ପ୍‌ ଇତିହାସ ରଚିଛନ୍ତି।

ଟ୍ରମ୍ପ୍ ଆମେରିକାର ଅର୍ଥନୀତିରେ ଉନ୍ନତି ଆଣିବା, ଦକ୍ଷିଣ ସୀମାରେ ପ୍ରବାସୀଙ୍କ ପ୍ରବାହକୁ ରୋକିବା ଏବଂ ‘ମେକ୍ ଆମେରିକା ଗ୍ରେଟ୍ ଏଗେନ୍‘ ଆହ୍ୱାନ ଦେଇ ଭୋଟରଙ୍କ ମନ ଜିଣିଥିଲେ। ମୋଟାମୋଟି ଭାବେ ଟ୍ରମ୍ପଙ୍କ ପ୍ରାୟ ଅଧା ମତଦାତା କହିଛନ୍ତି ଯେ ମୁଦ୍ରାସ୍ଫୀତି ସେମାନଙ୍କ ନିର୍ବାଚନ ନିଷ୍ପତ୍ତିର ସବୁଠାରୁ ବଡ଼ ପ୍ରସଙ୍ଗ ଥିଲା। ଆମେରିକା ଇତିହାସରେ ସର୍ବବୃହତ୍ ଗଣ ପ୍ରତ୍ୟର୍ପଣ ପାଇଁ ଟ୍ରମ୍ପ  ପ୍ରତିଶ୍ରୁତି ଦେଇଥିଲେ, ଯଦିଓ ଏହାକୁ କିପରି କାର୍ଯ୍ୟକାରୀ କରିବେ ସେ ବିଷୟରେ ସେ ସ୍ପଷ୍ଟ କରିନାହାନ୍ତି। ସେ ଚୀନ୍‌ ଓ ଅନ୍ୟ ଆମେରିକୀୟ ଶତ୍ରୁଙ୍କ ପ୍ରମୁଖ ଉତ୍ପାଦ ଉପରେ ବ୍ୟାପକ ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି, ଯାହା ସାଧାରଣ ଆମେରିକୀୟଙ୍କ ପାଇଁ ମୂଲ୍ୟ ବୃଦ୍ଧି କରିପାରେ ବୋଲି ଅର୍ଥନୀତିଜ୍ଞମାନେ ଚେତାବନୀ ଦେଇଛନ୍ତି।

ଟ୍ରମ୍ପ ଗଭୀର ରାଜନୈତିକ ଓ ସାଂସ୍କୃତିକ ଫାଟ ଏବଂ ଚିନ୍ତିତ ଭୋଟର ଥିବା ରାଷ୍ଟ୍ରର ଉତ୍ତରାଧିକାରୀ ହେବାକୁ ଯାଉଛନ୍ତି। ସେମାନଙ୍କ ଭୋଟ୍ ଉପରେ କ’ଣ ସବୁଠାରୁ ଅଧିକ ପ୍ରଭାବ ପକାଇଛି ବୋଲି ପଚାରାଯିବାରୁ ପ୍ରାୟ ଅଧା ଭୋଟର ଗଣତନ୍ତ୍ରର ଭବିଷ୍ୟତ ବିଷୟରେ ଉଲ୍ଲେଖ କରିଥିଲେ। ମୁଦ୍ରାସ୍ଫୀତି, ଆପ୍ରବାସନ କିମ୍ବା ଗର୍ଭପାତ ନୀତି ବିଷୟରେ ସମାନ ଢଙ୍ଗରେ ଉତ୍ତର ଦେଇଥିବା ଅଂଶ ତୁଳନାରେ ଏହା ଅଧିକ ଥିଲା। ଅନେକ ଭୋଟର ଟ୍ରମ୍ପଙ୍କ ବିରୋଧରେ ଥିବା ଆପରାଧିକ ଅଭିଯୋଗକୁ ଗୁରୁତ୍ବ ଦେଇ ନ ଥିଲେ। ବରଂ ଏହା ତାଙ୍କ ପାଇଁ ସମବେଦନା ଭୋଟ୍‌ ହାସଲରେ ସାହାଯ୍ୟ କରିଥିଲା। ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି ଭୋଟରମାନେ ବିଶ୍ବାସ କରିଥିଲେ।

ଦୁର୍ନୀତି ଓ ଦାରିଦ୍ର୍ୟ ବିରୋଧରେ ଲଢ଼ିବେ ଦିସାନାୟକେ
୨୦୨୪ ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ ଓ ସାଧାରଣ ନିର୍ବାଚନରେ ଅନୁରା କୁମାର ଦିସାନାୟକେଙ୍କ ବାମଦଳ ବିପୁଳ ବିଜୟ ଲାଭ କରିଛି।  ନୂତନ ବାମପନ୍ଥୀ ରାଷ୍ଟ୍ରପତି ଦାରିଦ୍ର୍ୟ ଓ ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ପାଇବେ। ଦଶନ୍ଧି ଧରି ପାରିବାରିକ ଦଳ କବଳିତ ଦେଶରେ ରାଜନୈତିକ ବାହାର ଲୋକ ଦିସାନାୟକେ ସେପ୍ଟେମ୍ବର ମାସରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ସହଜ ବିଜୟ ଲାଭ କରିଥିଲେ। କିନ୍ତୁ ନିର୍ବାଚନ ପୂର୍ବରୁ ତାଙ୍କର ମାର୍କ୍ସବାଦୀ ମେଣ୍ଟ ନ୍ୟାସନାଲ ପିପୁଲ୍ସ ପାୱାର (ଏନ୍‌ପିପି)ର ସଂସଦରେ ୨୨୫ ଆସନ ମଧ୍ୟରୁ ମାତ୍ର ୩ଟି ଆସନ ଥିଲା। ତେଣୁ ସେ ଏହାକୁ ଭଙ୍ଗ କରି ନୂତନ ଜନାଦେଶ ଲୋଡ଼ିଥିଲେ। ଶ୍ରୀଲଙ୍କା ନିର୍ବାଚନ ଆୟୋଗଙ୍କ ୱେବ୍‌ସାଇଟ୍‌ରେ ପ୍ରକାଶିତ ସଦ୍ୟତମ ଫଳାଫଳ ଅନୁଯାୟୀ, ନିର୍ବାଚନରେ ଏନ୍‌ପିପି ପ୍ରାୟ ୬୨ ପ୍ରତିଶତ ଭୋଟ୍ ପାଇ ୧୦୭ଟି ଆସନରେ ବିଜୟୀ ହୋଇ ସଂସଦରେ ସଂଖ୍ୟାଗରିଷ୍ଠତା ସୀମା ଅତିକ୍ରମ କରିଛି।

ଅନ୍ୟପକ୍ଷରେ ସାଜିଥ ପ୍ରେମଦାସାଙ୍କ ଏସ୍‌ଜେପି ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇ ମାତ୍ର ୪୦ ଆସନ ପାଇଛି। ଦିସାନାୟକେଙ୍କୁ ଏବେ ଟିକସ ହ୍ରାସ, ସ୍ଥାନୀୟ ବ୍ୟବସାୟକୁ ସମର୍ଥନ କରିବା ଓ ଦାରିଦ୍ର୍ୟ ବିରୋଧରେ ଲଢ଼ିବା ତଥା ଗୁରୁତ୍ୱପୂର୍ଣ୍ଣ ପ୍ରତିଶ୍ରୁତି ପୂରଣ କରିବା ପାଇଁ ବଦ୍ଧପରିକର ବୋଲି ଘୋଷଣା କରିଛନ୍ତି। ୨୨ ନିୟୁତ ଜନସଂଖ୍ୟା ବିଶିଷ୍ଟ ଶ୍ରୀଲଙ୍କା ୨୦୨୨ରେ ଘୋର ଆର୍ଥିକ ସଙ୍କଟ ଭିତରକୁ ଠେଲି ହୋଇଯାଇଥିଲା। ୨୦୨୨ରେ ଏହାର ଅର୍ଥନୀତି ୭.୩ ପ୍ରତିଶତ ଏବଂ ଗତବର୍ଷ ୨.୩ ପ୍ରତିଶତ ହ୍ରାସ ପାଇଥିଲା। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର ୨.୯ ବିଲିୟନ ଡଲାରର ବେଲଆଉଟ୍ ପ୍ୟାକେଜ୍ ଦ୍ୱାରା ପ୍ରୋତ୍ସାହିତ ଅର୍ଥନୀତି ଅସ୍ଥାୟୀ ପୁନରୁଦ୍ଧାର ଆରମ୍ଭ କରିଛି। କିନ୍ତୁ ଉଚ୍ଚ ଜୀବନଧାରଣ ଖର୍ଚ୍ଚ ଏବେ ବି ଅନେକଙ୍କ ପାଇଁ, ବିଶେଷକରି ଗରିବଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇ ରହିଛି।

ଲେବର୍‌ ବିଜୟ, ଟୋରି ବିପର୍ଯ୍ୟୟ, ବ୍ରିଟେନ୍‌ ସାଧାରଣ ନିର୍ବାଚନ

୨୦୨୪ ବ୍ରିଟେନ ସାଧାରଣରେ  କଞ୍ଜରଭେଟିଭ୍‌ ପାର୍ଟିର ୧୪ ବର୍ଷର ଶାସନର ପରିସମାପ୍ତି ବିଶ୍ବ ରାଜନୈତିକ ଦୃଶ୍ୟପଟରେ ଅନ୍ୟତମ ପ୍ରମୁଖ ଘଟଣା।  ଋଷି ସୁନକଙ୍କ ନେତୃତ୍ୱାଧୀନ କଞ୍ଜରଭେଟିଭ୍‌  ପାର୍ଟି ଇତିହାସରେ ସବୁଠାରୁ ଖରାପ ପ୍ରଦର୍ଶନ କରି ବିଦାୟ ନେଲା। ସୁନକଙ୍କ ପ୍ରଧାନମନ୍ତ୍ରିତ୍ବ କାଳରେ ଯେଉଁ ସବୁ ସଂସ୍କାର ଆଶା କରାଯାଉଥି‌ଲା, ସେ ନେଇ କାର୍ଯ୍ୟ କରିବାରେ ସୁନକଙ୍କ ବିଫଳତା ଦଳର ପାଇଁ ବହୁତ ବଡ଼ ବିପର୍ଯ୍ୟୟ ଆଣିଲା। ବ୍ରିଟେନ ସଂସଦର ୬୫୦ ଆସନ ବିଶିଷ୍ଟ ହାଉସ୍ ଅଫ୍ କମନ୍ସର ପ୍ରାୟ ଦୁଇ ତୃତୀୟାଂଶ ଆସନ ଆସନରେ ହାରିଥିବା ଏହି ଦଳର ଭୋଟ୍‌ ପ୍ରତିଶତ ୨୦ ପ୍ରତିଶତ କମିଯିବା ସମସ୍ତଙ୍କୁ ବିସ୍ମିତ କରିଛି।  ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍, ଗୃହର ନେତା ପେନି ମୋରଡାଉଣ୍ଟ ଏବଂ ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ସାର୍ ଜାକବ ରିସ୍-ମୋଗ୍ ଙ୍କ ସମେତ ପ୍ରମୁଖ ଟୋରି ନେତାମାନେ ନିଜ ଆସନ ହରାଇବା ଦଳରେ ବିପର୍ଯ୍ୟୟ ଆଣିଛି। ଅନ୍ୟପକ୍ଷରେ ଲେବର ପାର୍ଟିର ବିଶାଳ ବିଜୟ ଦଳରେ ନୂଆ ଶକ୍ତି ସଂଚାର କରିଛି ଏବଂ କେଅର ଷ୍ଟର୍ମର ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିବା ପରଠାରୁ ଅନେକ  ସଂସ୍କାରମୁଖୀ ପଦକ୍ଷେପ ଗ୍ରହଣ କରି ଲୋକଙ୍କ ମନ ଜିଣିବାକୁ ପ୍ରୟାସ କରୁଛନ୍ତି ।

ଦକ୍ଷିଣ କୋରିଆ ନିର୍ବାଚନ ୟୁନ୍‌ଙ୍କ ରାଷ୍ଟ୍ରପତିତ୍ବର ପରୀକ୍ଷା

ଦକ୍ଷିଣ କୋରିଆର ଡେମୋକ୍ରାଟିକ୍ ପାର୍ଟି ଏପ୍ରିଲ ୨୦୨୪ ନିର୍ବାଚନରେ ବିବାଦୀୟ ରାଷ୍ଟ୍ରପତି ୟୁନ୍ ସୁକ-ୟେଲ ଓ ତାଙ୍କ ପିପୁଲ ପାୱାର ପାର୍ଟି ବିରୋଧରେ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କରିଥିଲା। ଯଦିଓ ରାଜନୈତିକ ଚିତ୍ର ନାଟକୀୟ ଭାବରେ ବଦଳି ନ ପାରେ, ତଥାପି ଏକ ନୂତନ ବିରୋଧୀ ଅଧ୍ୟୁଷିତ ନ୍ୟାସନାଲ ଆସେମ୍‌ବ୍ଲି ସହିତ ଶାସନ କରିବା ସମୟରେ ଧ୍ରୁବୀକୃତ ଭୋଟରଙ୍କୁ ପୁନର୍ବାର ଏକାଠି କରିବାରେ ୟୁନ୍ ତାଙ୍କର ସବୁଠାରୁ କଠିନ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି। ୧୦ ଏପ୍ରିଲ ୨୦୨୪ରେ ଦକ୍ଷିଣ କୋରିଆ ଲୋକସଭା ନିର୍ବାଚନରେ ବିରୋଧୀ ଡେମୋକ୍ରାଟିକ୍ ପାର୍ଟି ଅଫ୍ କୋରିଆ (ଡିପିକେ) ୧୭୫ଟି ଆସନ ଜିତିଥିବା ବେଳେ ଶାସକ ପିପୁଲ ପାୱାର ପାର୍ଟି (ପିପିପି) ୩୦୦ ଆସନରୁ ୧୦୮ଟି ଆସନରେ ବିଜୟୀ ହୋଇଥିଲା। ପିପିପିର ଅନେକ ନୀତିଗତ ପଦକ୍ଷେପକୁ ଡିପିକେ ନିୟନ୍ତ୍ରିତ ନ୍ୟାସନାଲ ଆସେମ୍‌ବ୍ଲି କ୍ରମାଗତ ଭାବେ ବିଫଳ କରିଥିବାରୁ ଶାସକ ଦଳ ପାଇଁ ଆରମ୍ଭରୁ ନିର୍ବାଚନୀ ଦୃଶ୍ୟପଟ କଷ୍ଟକର ଓ ପ୍ରତିକୂଳ ଥିଲା। ଶାସକ ଦଳ ପାଇଁ ଏହି ନିର୍ବାଚନର ପ୍ରତିକୂଳ ଫଳାଫଳ ଦଳ ସମ୍ମୁଖୀନ ହେବାକୁ ଥିବା ଆହ୍ୱାନକୁ ତୀବ୍ର କରିବ।

ଯଦିଚ ନିର୍ବାଚନ ପୂର୍ବରୁ ଡିପିକେ ଓ ଏହାର ସହଯୋଗୀ ଦଳମାନଙ୍କ ହାତରେ ପ୍ରାୟ ୫୦ ପ୍ରତିଶତ ଆସନ ଥିଲା, ତଥାପି ଏହି ଫଳାଫଳ ରାଷ୍ଟ୍ରପତି ୟୁନ୍‌ଙ୍କ ପ୍ରଶାସନ ପାଇଁ ଏକ ଝଟକା ଥିଲା। ପିପିପି ୬ଟି ଆସନ ହରାଇଥିଲା ଏବଂ ଡିପିକେ ଓ ଏହାର ସହଯୋଗୀମାନେ ୩୦ଟି ଅଧିକ ଆସନ ହାସଲ କରିଥିଲେ। ପରବର୍ତ୍ତୀ ସମୟରେ ରାଷ୍ଟ୍ରପତି ୟୁନ୍ କହିଛନ୍ତି ଯେ ସେ ନମ୍ରତାର ସହ ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେବେ। ଏହି ନିର୍ବାଚନ ୟୁନ୍‌ଙ୍କ ରାଷ୍ଟ୍ରପତି କାର୍ଯ୍ୟକାଳର ମଧ୍ୟଭାଗରେ ଅନୁଷ୍ଠିତ ହୋଇଥିଲା, ଯାହା ବର୍ତ୍ତମାନ ପ୍ରଶାସନର ମଧ୍ୟବର୍ତ୍ତୀକାଳୀନ ମୂଲ୍ୟାଙ୍କନ ଭାବରେ କାର୍ଯ୍ୟ କରିଥିଲା। ରାଷ୍ଟ୍ରପତି ୟୁନ୍ ସୁକ-ୟେଲ ଚଳିତ ଡିସେମ୍ବରରେ ଅଚାନକ ସାମରିକ ଶାସନ ଜାରି କରି ଦେଶରେ ହଇଚଇ ସୃଷ୍ଟି କରିଥିବା ବେଳେ ସଂସଦରେ ସଂଖ୍ୟାଗରିଷ୍ଠତା ନଥିବାରୁ ତାଙ୍କର ଏହି ଯୋଜନା ପଣ୍ଡ ହୋଇଯାଇଛି। ସେ ମହାଭିଯୋଗର ସମ୍ମୁଖୀନ ହେବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କୋରମ୍‌ ଅଭାବରୁ ଏହି ପ୍ରସ୍ତାବ କାଟ ଖାଇଥିଲା। ତେବେ ୟୁନ୍‌ଙ୍କୁ ତୁରନ୍ତ ସାମରିକ ଶାସନ ପ୍ରତ୍ୟାହାର କରିବା ସହ ଦେଶବାସୀଙ୍କୁ କ୍ଷମା ମାଗିବାକୁ ପଡ଼ିଥିଲା।

ରିଗିଂ, ଘୋଡ଼ାବେପାର ଓ ବଂଶବାଦ, ପାକିସ୍ତାନରେ ସରିଫ୍‌ ଶାସନ
ପାକିସ୍ତାନରେ ଗତ ଫେବ୍ରୁଆରି ମାସରେ ଅନୁଷ୍ଠିତ ସଂସଦୀୟ ନିର୍ବାଚନ ପାକ୍‌ ନିର୍ବାଚନୀ ଇତିହାସର ଆଉ ଏକ ଅନ୍ଧକାର ଅଧ୍ୟାୟ ଥିଲା।  ସଂସଦର ନିମ୍ନ ସଦନରେ ୨୬୬ ଆସନ ପାଇଁ ୪୪ଟି ଦଳ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ସଂଖ୍ୟାଲଘୁ ଓ ମହିଳାଙ୍କ ପାଇଁ ଆଉ ୭୦ଟି ଆସନ ସଂରକ୍ଷିତ ରଖାଯାଇଛି। ହିଂସା, ସମସ୍ତ ମୋବାଇଲ୍ ଫୋନ୍ ସେବାକୁ ଅଭୂତପୂର୍ବ ଭାବେ ବନ୍ଦ କରିବା ଏବଂ ଭୋଟ୍ ଜାଲିଆତି ଯୋଗୁଁ ମତଦାନ ପ୍ରଭାବିତ ହୋଇଥିଲା। ଏହି ନିର୍ବାଚନରେ ବିଳମ୍ବ, ବଂଶବାଦ ଓ ଭୋଟ୍ ରିଗିଂ ପରି ଘଟଣା ଦେଖିବାକୁ ମିଳିଥିଲା।  ନିର୍ବାଚନ ଶେଷ ହେବାର ୧୫ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ନିର୍ବାଚନ ଆୟୋଗ କୌଣସି ଫଳାଫଳ ପ୍ରକାଶ କରି ନ ଥିଲେ। ପାକିସ୍ତାନର ଜାତୀୟ ମାନବାଧିକାର ସଂଗଠନ ନିର୍ବାଚନରେ ସ୍ୱଚ୍ଛତାର ଅଭାବକୁ ନେଇ ଚିନ୍ତା ପ୍ରକଟ  କରିଥିବା ବେଳେ ଆମେରିକା ଓ ୟୁରୋପୀୟ ସଂଘ ସମେତ ଅନ୍ତର୍ଜାତୀୟ ସମୁଦାୟ ମଧ୍ୟ ସମସ୍ତ ଫଳାଫଳ ପ୍ରକାଶ କରିବାକୁ କେତେ ସମୟ ଲାଗିବ ତାହାକୁ ନେଇ ଚିନ୍ତିତ ଥିଲେ।

ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ଭୀଷଣ ନିର୍ବାଚନୀ ଅନିୟମିତତା ରିପୋର୍ଟ  କରିଥିଲେ।   ମୋଟ ୧୨୭ ନିୟୁତ ଭୋଟରଙ୍କ ମଧ୍ୟରୁ ୬୦ ନିୟୁତ ଲୋକ ମତଦାନ କରିଥିଲେ। ଏହା ୪୭% ମତଦାନ, ଯାହା କି ୨୦୧୮ ସଂସଦୀୟ ନିର୍ବାଚନ ତୁଳନାରେ କମ୍। ସଂଗଠନ ଆହୁରି କହିଛି ଯେ ଇମ୍ରାନଙ୍କ ପିଟିଆଇ ଦଳ ସମର୍ଥିତ ରାଜନୈତିକ ଦଳ କିମ୍ବା ସ୍ୱାଧୀନ ପ୍ରାର୍ଥୀଙ୍କୁ ଅଧିକ ଭୋଟ୍ ମିଳିଛି ଏବଂ ପ୍ରମୁଖ ଦଳଗୁଡ଼ିକ ସେମାନଙ୍କ ପାରମ୍ପରିକ ଗଡ଼ ବାହାରେ ସମର୍ଥନ ପାଇଛନ୍ତି। ସାଧାରଣ ନିର୍ବାଚନରେ କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ କରି ନ ଥିଲେ। ତେଣୁ ମେଣ୍ଟ ଅନିବାର୍ଯ୍ୟ ହେବା ସହ ଘୋଡ଼ାବେପାର ଆରମ୍ଭ ହୋଇଯାଇଥିଲା। ତିନି ଥର ପ୍ରଧାନମନ୍ତ୍ରୀ ଥିବା ନୱାଜ ସରିଫଙ୍କ ସାନ ଭାଇ ଶେହବାଜ ସରିଫ୍‌ ପୁଣି ପ୍ରଧାନମନ୍ତ୍ରୀ ହୋଇଛନ୍ତି।   ଏଭଳି ସ୍ଥିତିରେ ପାକିସ୍ତାନ ରାଜନୀତି ଏକ ପାରିବାରିକ ପ୍ରସଙ୍ଗ ପାଲଟିଯାଇଛି।

 

 

 

ସୌଜନ୍ୟ-ସମ୍ୱାଦ

Comments are closed.