Breaking News

୨୦୨୫‌ରେ ଜନଗଣନା! ୨୦୨୮ ସୁଦ୍ଧା ଲୋକସଭା ସୀମା ପୁନଃନିର୍ଦ୍ଧାରଣ

କରୋନା ମହାମାରୀ ପାଇଁ ସ୍ଥଗିତ ଥିବା ୨୦୨୧ ଜନଗଣନା କାର୍ଯ୍ୟ ସରକାର ଆସନ୍ତାବର୍ଷ ଆରମ୍ଭ କରିପାରନ୍ତି। ୨୦୨୫ରେ ଦେଶର ଜନଗଣନା ଆରମ୍ଭ ହୋଇ ୨୦୨୬ରେ ଶେଷ ହେବ। ଜନଗଣନା ଶେଷ ହେବା ପରେ ବହୁ ପ୍ରତୀକ୍ଷିତ ଲୋକସଭା ଆସନର ସୀମା ପୁନଃନିର୍ଦ୍ଧାରଣ ଆରମ୍ଭ ହେବ।

0

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସ୍ଥଗିତ ଥିବା ୨୦୨୧ ଜନଗଣନା କାର୍ଯ୍ୟ ସରକାର ଆସନ୍ତାବର୍ଷ ଆରମ୍ଭ କରିପାରନ୍ତି। ୨୦୨୫ରେ ଦେଶର ଜନଗଣନା ଆରମ୍ଭ ହୋଇ ୨୦୨୬ରେ ଶେଷ ହେବ। ଜନଗଣନା ଶେଷ ହେବା ପରେ ବହୁ ପ୍ରତୀକ୍ଷିତ ଲୋକସଭା ଆସନର ସୀମା ପୁନଃନିର୍ଦ୍ଧାରଣ ଆରମ୍ଭ ହେବ। ୨୦୨୮ ସୁଦ୍ଧା ସୀମା ପୁନଃନିର୍ଦ୍ଧାରଣ କାର୍ଯ୍ୟ ଶେଷ ହେବ ବୋଲି ସରକାରୀ ଅଧିକାରୀମାନଙ୍କ ସୂତ୍ରରୁ ଜଣାଯାଇଛି। ୨୦୨୫ ମସିହା‌ରେ ଏହା ହେଲେ ଜନଗଣନା ବର୍ଷ ଚକ୍ର ବଦଳିଯିବାର ସମ୍ଭାବନା ରହିଛି। ୨୦୨୫ ପରେ ୨୦୩୫ରେ ଏବଂ ୨୦୪୫ ମସିହା‌ରେ ଏଭଳି ଜନଗଣନା ହେବ।

ଅନ୍ୟପକ୍ଷରେ ସରକାର ଜନଗଣନାରେ ଜାତିଗତ ଜନସଂଖ୍ୟାର ଗଣନା କରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। କେବଳ ବିରୋଧୀ ଦଳ ନୁହେଁ ଏନଡିଏର କେତେକ ସହଯୋଗୀ ଦଳ ମଧ୍ୟ ଜାତିଗତ ଜନଗଣନା ପାଇଁ ଦାବି କରି ଆସୁଛନ୍ତି। ଜନଗଣନା ପରେ ଦେଶରେ ଲୋକସଭା ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ପୁନଃନିର୍ଦ୍ଧାରଣ ହୋଇପାରେ। ସମ୍ବିଧାନର ଧାରା ୮୨ ଅନୁଯାୟୀ ୨୦୨୬ ପରବର୍ତ୍ତୀ ଜନଗଣନା ରିପୋର୍ଟ ଅନୁସାରେ ଲୋକସଭାର ସୀମା ପୁନଃନିର୍ଦ୍ଧାରଣ ହେବ। ବର୍ତ୍ତମାନ ପ୍ରଶ୍ନ ଉଠୁଛି ୨୦୨୫ର ଜନଗଣନା ତଥ୍ୟ ଯଦି ୨୦୨୬ରେ ପ୍ରକାଶ ପାଏ, ତା’ହେଲେ ଏହା ସୀମା ପୁନଃନିର୍ଦ୍ଧାରଣ ପାଇଁ ବ୍ୟବହାର ହୋଇପାରିବ କି? ଯଦି ଏହା କରାଯାଏ ତେବେ ସମ୍ବିଧାନର ଧାରା ୮୨ରେ ସଂଶୋଧନ ଆବଶ୍ୟକ ପଡ଼ିବ। ସୀମା ପୁନଃନିର୍ଦ୍ଧାରଣ କ୍ଷେତ୍ରରେ ଏସବୁ ବିଷୟ ବିଚାରକୁ ନିଆଯିବ ବୋଲି ସରକାରୀ ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି।

ଏଭଳି ସ୍ଥିତିରେ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ଏକ ସର୍ବଦଳୀୟ ବୈଠକ ପାଇଁ ଦାବି କରାଯାଇଛି। ୧୯୫୧ ମସିହାଠାରୁ ଜନଗଣନାରେ ତଫସିଲଭୁକ୍ତଜାତି ଏବଂ ଜନଜାତିବର୍ଗଙ୍କ ସଂଖ୍ୟା ବିଷୟ ଉଲ୍ଲେଖ କରାଯାଇ ଆସୁଛି। କଂଗ୍ରେସ ମୁଖ୍ୟତଃ ଦୁଇଟି ବିଷୟରେ ସ୍ପଷ୍ଟୀକରଣ ଚାହୁଛି। ପ୍ରଥମଟି ହେଲା ଏସ୍‌ସି ଏବଂ ଏସ୍‌ଟି ବ୍ୟତୀତ ଦେଶର ସବୁଜାତିର ଲୋକଙ୍କ ସଂଖ୍ୟା ଜନଗଣନା ରିପୋର୍ଟରେ ସ୍ଥାନ ପାଇବ କି ନାହିଁ। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ସମ୍ବିଧାନ ଅନୁସାରେ ଏଭଳି ଜାତିଗତ ଜନଗଣନା ହେଉଛି କେନ୍ଦ୍ର ସରକାରଙ୍କ ସଂପୂର୍ଣ୍ଣ ଦାୟିତ୍ବ। ଦ୍ବିତୀୟ ପ୍ରସଙ୍ଗଟି ହେଲା ଜନଗଣନା ତଥ୍ୟକୁ ସମ୍ବିଧାନର ଧାରା ୮୨ ଅନୁଯାୟୀ ପ୍ରତ୍ୟେକ ରାଜ୍ୟର ଲୋକସଭା ଆସନ ସଂଖ୍ୟା ନିର୍ଦ୍ଧାରଣରେ ବ୍ୟବହାର କରାଯିବ କି ନାହିଁ। ଯେଉଁ ରାଜ୍ୟଗୁଡ଼ିକ ପରିବାର ନିୟନ୍ତ୍ରଣ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଆଗରେ ରହିଛନ୍ତି ସେହି ରାଜ୍ୟଗୁଡ଼ିକର ଲୋକସଭା ଆସନସଂଖ୍ୟା କମିଯିବା ସମ୍ଭାବନା ରହିଛି। ତେଣୁ ଏସବୁ ପ୍ରସଙ୍ଗ ଉପରେ ସରକାର ସର୍ବଦଳୀୟ ବୈଠକ ଡାକି ସ୍ପଷ୍ଟ କରିବା ଉଚିତ ବୋଲି ଜୟରାମ ଦାବି କରିଛନ୍ତି। କେବଳ ଜୟରାମ ନୁହନ୍ତି, କଂଗ୍ରେସ ନେତା ମଣିକମ୍‌ ଟାଗୋର, ଜେଡିୟୁ ରାଷ୍ଟ୍ରୀୟ ମୁଖପାତ୍ର ରାଜୀବ ରଞ୍ଜନ ସିଂହ, ଲୋକଜନଶକ୍ତି ପାର୍ଟି (ରାମବିଳାସ)ର ସାଂସଦ ଶାମ୍ଭବୀ ଚୌଧୁରୀ ଭଳି ନେତା ମଧ୍ୟ ସାମାଜିକ ଗଣମାଧ୍ୟମରେ ଜନଗଣନା ସହ ବିସ୍ତୃତ ଜାତି ଜନଗଣନା ନିମନ୍ତେ ଦାବି କରିଛନ୍ତି। ସୂଚନାଯୋଗ୍ୟ, ନିକଟରେ ଜନଗଣନା ଆୟୁକ୍ତ ମୃତ୍ୟୁଞ୍ଜୟ କୁମାର ନାରାୟଣଙ୍କ କାର୍ଯ୍ୟକାଳକୁ ଅଗଷ୍ଟ ୨୦୨୬ ଯାଏଁ ବୃଦ୍ଧି କରାଯାଇଛି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜନଗଣନା ସଂପର୍କରେ ଗତ ଅଗଷ୍ଟରେ ମତ ରଖିଥିଲେ। ଏହା ଉପଯୁକ୍ତ ସମୟରେ ହେବ ବୋଲି ସେ କହିଥିଲେ। ନିଷ୍ପତ୍ତି ନିଆଯିବା ପରେ ଏ ନେଇ ଘୋଷଣା କରାଯିବ। ଏଥିସହିତ ପରବର୍ତ୍ତୀ ଜନଗଣନା ସଂପୂର୍ଣ୍ଣ ଭାବେ ଡିଜିଟାଲ ଉପାୟରେ ମୋବାଇଲ ‌ଫୋନ୍ ଆପ୍ଲିକେସନ୍‌ ମାଧ୍ୟମରେ ହେବ ବୋଲି ସେ କହିଥିଲେ। ୨୦୧୧ ଜନଗଣନା ରିପୋର୍ଟ ଅନୁଯାୟୀ, ଦେଶର ମୋଟ ଜନସଂଖ୍ୟା ୧୨୧ କୋଟି ରହିଥିଲା। ଲିଙ୍ଗଗତ ଅନୁପାତକୁ  ୧୦୦୦ ପୁରୁଷରେ ୯୪୦ ଜଣ ମହିଳା ରହିଥିଲେ। ସେହିଭଳି ସାକ୍ଷରତା ହାର ୭୪.୦୪ ପ୍ରତିଶତ ଥିବାବେଳେ ୨୦୦୧ରୁ ୨୦୧୧ ମଧ୍ୟରେ ଜନସଂଖ୍ୟାରେ ୧୭.୬୪ ପ୍ରତିଶତ ବୃଦ୍ଧି ଘଟିଥିଲା।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.