Breaking News

୨୧ରୁ କଳିଙ୍ଗ ସାହିତ୍ୟ ମହୋତ୍ସବ: ଭୁବନେଶ୍ୱରର ତିନୋଟି ସ୍ଥାନରେ ହେବ କାର୍ଯ୍ୟକ୍ରମ

ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ତିନିଦିନିଆ କଳିଙ୍ଗ ସାହିତ୍ୟ ମହୋତ୍ସବ (କେଏଲ୍‌ଏଫ୍‌)। ହୋଟେଲ ମେ’ ଫେୟାର ଲାଗୁନ୍, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଓ ଉତ୍କଳ ମଣ୍ଡପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଭୁବନେଶ୍ୱର: ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ତିନିଦିନିଆ କଳିଙ୍ଗ ସାହିତ୍ୟ ମହୋତ୍ସବ (କେଏଲ୍‌ଏଫ୍‌)। ହୋଟେଲ ମେ’ ଫେୟାର ଲାଗୁନ୍, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଓ ଉତ୍କଳ ମଣ୍ଡପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କେଏଲ୍‌ଏଫ୍‌ର ଏକାଦଶ ସଂସ୍କରଣରେ ବିଶ୍ୱର ୨୫ଟି ଭାଷାର ୪୦୦ରୁ ଅଧିକ ଲେଖକ, ଚିନ୍ତକ ତଥା ବୁଦ୍ଧିଜୀବୀ ଯୋଗଦେଇ ଚଳିତ ବର୍ଷର ବିଷୟବସ୍ତୁ ସାହିତ୍ୟ ଏବଂ ବିଶ୍ୱ: ଅନ୍ତର୍ଭୁକ୍ତି, ପରିଚୟ ଏବଂ ସମ୍ପୃକ୍ତି’ ଉପରେ ବିଶଦ ଆଲୋଚନା କରିବେ।

ଭୁବନେଶ୍ୱରର ତିନୋଟି ସ୍ଥାନରେ ହେବ କାର୍ଯ୍ୟକ୍ରମ
ବିଶ୍ୱର ୨୫ଟି ଭାଷାର ୪ ଶହରୁ ଅଧିକ ଲେଖକ ଯୋଗଦେବେ
ମମତା କାଲିଆ ଓ ଯତୀନ୍ଦ୍ର ନାୟକ ପାଇବେ କଳିଙ୍ଗ ସାହିତ୍ୟ ପୁରସ୍କାର

ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍‌ପାଟି, ସମ୍ମାନିତ ଅତିଥି ଭାବେ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ଏଚ୍.ଇ. ଇନା ହାଗ୍ନିନତ୍ୟସ କୃଷ୍ଣମୂର୍ତ୍ତି, ରାଜ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ପଦ୍ମ ବିଭୂଷଣ ସୁଦର୍ଶନ ସାହୁ ଏବଂ କେନ୍ଦ୍ର ସାହିତ୍ୟ ଅକାଦେମି ସଚିବ କେ. ଶ୍ରୀନିବାସ ରାଓ ଉପସ୍ଥିତ ରହିବେ। ଏହି ଅବସରରେ ହିନ୍ଦୀ ଭାଷାର ପ୍ରସିଦ୍ଧ ଲେଖିକା ମମତା କାଲିଆ ଓ ପ୍ରତିଷ୍ଠିତ ଅନୁବାଦକ ତଥା ଶିକ୍ଷାବିତ୍ ପ୍ରଫେସର ଯତୀନ୍ଦ୍ର କୁମାର ନାୟକଙ୍କୁ ‘କଳିଙ୍ଗ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବ। ସେହିପରି ସଂସ୍କୃତ ବିଦ୍ୱାନ ଡ. ଶ୍ରୀନୁରୁଦ୍ଧସ ଦାଶଙ୍କୁ କଳିଙ୍ଗ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାରରେ ସମ୍ମାନିତ କରାଯିବ। ନେପାଳର ଲୋକପ୍ରିୟ ଲେଖିକା ଡ. ମମତା ମିଶ୍ରଙ୍କୁ କଳିଙ୍ଗ ସାହିତ୍ୟ ପୁରସ୍କାର (ଯୁବ) ପ୍ରଦାନ କରାଯିବ। ଇଣ୍ଡୋନେସିଆର ସାଂସ୍କୃତିକ ସଂଗଠନ ‘ବେଲନତାରା ବୁଦୟା ଇଣ୍ଡୋନେସିଆ ଫାଉଣ୍ଡେସନ୍’ ନୁସନତାରା ମେଦଲୀ ନୃତ୍ୟ, ମାଣ୍ଡାଉ ନୃତ୍ୟ, ମାଉମେରେ ନୃତ୍ୟ, ଉତ୍ତର ସୁମାତ୍ରାର ଟୋର ଟୋର ନୃତ୍ୟ, ପଶ୍ଚିମ ଜାଭାର ସୋଲୋ ଜାଇପଙ୍ଗ ନୃତ୍ୟ ଏବଂ ପୂର୍ବ ଜାଭା ଅଧୀନ ମଦୁରାର ଗେଲାଙ୍ଗ ରୁମ୍ ନୃତ୍ୟ ପରିବେଷଣ କରିବେ।

ସାମ୍ବାଦିକ ସମ୍ମିଳନୀରେ କେଏଲ୍‌ଏଫ୍‌ର ସିଇଓ ଅଶୋକ କୁମାର ବଳ କହିଛନ୍ତି, ମହୋତ୍ସବରେ ନେପାଳ, ଶ୍ରୀଲଙ୍କା, ଭୁଟାନ, ଇଣ୍ଡୋନେସିଆ, ଜାପାନ, ୟୁକେ, ସ୍ପେନ, ଫ୍ରାନ୍ସ, ଆମେରିକା ଏବଂ ଅନ୍ୟାନ୍ୟ ଦେଶର ବିଶିଷ୍ଟ ଲେଖକମାନେ ବକ୍ତା ଭାବରେ ଯୋଗଦେବେ। ୧୦୦ରୁ ଅଧିକ କଳାକାର କଳିଙ୍ଗ କଳା ମହୋତ୍ସବରେ ସାମିଲ ହେବେ। ମହୋତ୍ସବର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ରଶ୍ମି ରଞ୍ଜନ ପରିଡ଼ା କହିଛନ୍ତି, କେଏଲଏଫ୍ ଭାରତୀୟ ସାହିତ୍ୟ ଏବଂ କଳାତ୍ମକ ଐତିହ୍ୟକୁ ପ୍ରୋତ୍ସାହନ ଦେବା ସହିତ ଏହା ସହ ବିଶ୍ୱ ସାହିତ୍ୟକୁ ମଧ୍ୟ ଯୋଡ଼ୁଛି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.