Breaking News

୨୫ ବର୍ଷର ପ୍ରତିଶୋଧ: ୧୨ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫି, ନ୍ୟୁଜିଲାଣ୍ଡକୁ ୪ ୱିକେଟ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ

୧୪୫ କୋଟି ଭାରତୀୟଙ୍କ ନଜର ଟେଲିଭିଜନ୍ ପରଦା ଉପରେ ଥିଲା। ହିଟ୍ ମ୍ୟାନ୍ ରୋହିତ ଶର୍ମା (୭୬) ଚୌକା, ଛକା ମାରି ଚାଲିଥିଲେ। ଯୁବ ବୀର ଶୁବମନ ଗିଲ୍‌ (୩୧)ଙ୍କ ସହ ମିଶି ମାତ୍ର ୧୮.୩ ଓଭରରେ ୧୦୫ ରନ୍ ଅମଳ କରିସାରିଥିଲେ ସେ।

ଦୁବାଇ: ୧୪୫ କୋଟି ଭାରତୀୟଙ୍କ ନଜର ଟେଲିଭିଜନ୍ ପରଦା ଉପରେ ଥିଲା। ହିଟ୍ ମ୍ୟାନ୍ ରୋହିତ ଶର୍ମା (୭୬) ଚୌକା, ଛକା ମାରି ଚାଲିଥିଲେ। ଯୁବ ବୀର ଶୁବମନ ଗିଲ୍‌ (୩୧)ଙ୍କ ସହ ମିଶି ମାତ୍ର ୧୮.୩ ଓଭରରେ ୧୦୫ ରନ୍ ଅମଳ କରିସାରିଥିଲେ ସେ। ହେଲେ ଗିଲ୍ ଆଉଟ୍ ହେବାର ଗୋଟିଏ ରନ୍ ପରେ କିଂବଦନ୍ତି କୋହଲି ୧ ରନ୍‌ରେ ଆଉଟ୍ ହେବା ସହ ନ୍ୟୁଜିଲାଣ୍ଡ ୧୭ ରନ୍‌ରେ ୩ ୱିକେଟ୍ ନେବା ସମସ୍ତଙ୍କ ହୃତ୍‌ସ୍ପନ୍ଦନକୁ ବଢ଼ାଇ ଦେଇଥିଲା। ଶ୍ରେୟସ୍ ଆୟର (୪୮), ଅକ୍ଷର ପଟେଲ (୨୯) ଓ କେଏଲ୍ ରାହୁଲ (୩୪*) କିନ୍ତୁ ସ୍ଥିତି ସମ୍ଭାଳି ନେଇଥି‌ଲେ। ରାହୁଲଙ୍କ ବନ୍ଧୁ ହାର୍ଦିକ ପାଣ୍ଡ୍ୟା (୧୮) ମଧ୍ୟ ଛୋଟିଆ ହେଲେ ଉପଯୋଗୀ ପାଳି ଖେଳିଥିଲେ। ଶେଷରେ ଘଡ଼ି ଘଡ଼ିକେ ମୋଡ଼ ବଦଳାଇଥିବା ନାଟକୀୟ ଫାଇନାଲ୍‌ରେ  ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା (୯*ରନ୍, ୬ ବଲ୍)ଙ୍କ ସହ ମିଶି ରାହୁଲ ଭାରତର ବିଜୟରେ ମୁଣ୍ଡି ମାରିଥିଲେ। ଜାଡ଼େଜା ବିଜୟୀ ଚୌକା ମାରିବା ସହ ଭାରତ ୬ ବଲ୍ ପୂର୍ବରୁ ୬ ୱିକେଟ୍ ବିନିମୟରେ ୨୫୨ ରନ୍‌ର ବିଜୟ ଲକ୍ଷ୍ୟକୁ ହାସଲ କରି ନେଇ ତୃତୀୟ ଥର ଚାମ୍ପିଅନ୍ସ ଟ୍ରଫିର ବିଜେତା ହୋଇଥିଲା। ୪ ୱିକେଟ୍‌ରେ ଫାଇନାଲ୍ ଜିତି ଆକର୍ଷଣୀୟ ଟ୍ରଫି ହାସଲ କରିବା ସହ ପୂରା ପ୍ରତିଯୋଗିତାରେ ଅପରାଜେୟ ରହିବାର ଅନନ୍ୟ କୀର୍ତ୍ତିମାନ କରିଥିଲା। ଫାଇନାଲ୍ ବିଜୟ ପରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ ଭାରତୀୟ ଦଳର ଜୟଘୋଷରେ କମ୍ପି ଉଠିଥିଲା। ଖେଳାଳି, ପ୍ରଶଂସକ, ଦର୍ଶକ ସମସ୍ତେ ବନ୍ଦେ ମାତରମ୍‌, ସାରେ ଜାହାଁ ସେ ଆଚ୍ଛା ହିନ୍ଦୋସ୍ତାଁ ହାମାରା ଗୀତରେ ଭାବବିହ୍ବଳ ହୋଇ ଏହି ସ୍ମରଣୀୟ ମୁହୂର୍ତ୍ତର ମୂକସାକ୍ଷୀ ପାଲଟିଥିଲେ।

ଭାରତକୁ ତୃତୀୟ ଚାମ୍ପିଅନ୍ସ ଟ୍ରଫି
ରୋହିତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି
ରାଚିନ ପ୍ରତିଯୋଗିତାର ଶ୍ରେଷ୍ଠ

ଆତସବାଜିରେ ଦୁବାଇ ଆକାଶ ଝଲସି ଉଠିଥିଲା। ପୂରା ଦେଶ ବି ଖୁସିରେ ଝୁମି ଉଠିଥିଲା। ପରସ୍ପରକୁ ଅଭିନନ୍ଦନ ଜଣାଇ ଆଗୁଆ ହୋଲି ଉତ୍ସବ ପାଳିଥିଲେ ଭାରତବାସୀ। ଭାରତୀୟ କ୍ରିକେଟ୍ ଦଳ ୧୨ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଚାମ୍ପିଅନ୍ସ ଟ୍ରଫି ଜିତିବାର ଗୌରବ ହାସଲ କରି ନେଇଥିଲା। ପ୍ରଥମ ଦଳ ଭାବେ ମଧ୍ୟ ଏହି ସମ୍ମାନଜନକ ପ୍ରତିଯୋଗିତାକୁ ୩ଥର ଜିତିବାର ଐତିହାସିକ ସଫଳତା ଲାଭ କରିଥିଲା। ପୁଣି ୨୫ବର୍ଷ ତଳେ ନ୍ୟୁଜିଲାଣ୍ଡଠାରୁ ଫାଇନାଲ୍ ହାରିବାର ମଧୁର ପ୍ରତିଶୋଧ ନେଇଥିଲା। ୨୦୨୪ ମସିହାରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିବା ପରେ ଭାରତର ଏହା ମଧ୍ୟ ଲଗାତାର ଦ୍ବିତୀୟ ଆଇସିସି ଟ୍ରଫି ଥିଲା।

ଶେଷ ଥର ପାଇଁ ଭାରତ ଓ ନ୍ୟୁଜିଲାଣ୍ଡ ୨୦୦୦ ମସିହାରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ଲଢ଼ିଥିଲେ। ସେଥର ଭାରତ ପଞ୍ଝାରୁ ନ୍ୟୁଜିଲାଣ୍ଡ ଚାମ୍ପିଅନ୍ସ ଟ୍ରଫି ଛଡ଼ାଇ ନେଇଥିଲା। ସଂଯୋଗବଶତଃ ଅଢ଼େଇ ଦଶନ୍ଧି ତଳେ ଖେଳିଥିବା ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ ଭାରତକୁ ନ୍ୟୁଜିଲାଣ୍ଡ ୪ ୱିକେଟ୍‌ରେ ମାତ୍ ଦେଇଥିଲା ବେଳେ ଭାରତ ତାକୁ ରବିବାର ସେହି ୪ ୱିକେଟ୍‌ରେ ହରାଇଥିଲା। ପ୍ରତିଯୋଗିତାର ଦୁଇ ଦକ୍ଷ ଦଳ ଫାଇନାଲ୍‌ରେ ଲଢ଼ାଲଢ଼ି ହେଉଥିବାରୁ ରବିବାର ଫାଇନାଲ୍ ଉପରେ ସାରା ବିଶ୍ବର ନଜର ଥିଲା। ଭାରତୀୟ ଦଳ ବି ନିରାଶ କରି ନଥିଲା। ଲଗାତାର ୧୫ ଟସ୍ ହାରିବାର ଆଲୋଡ଼ା ରେକର୍ଡ ସତ୍ତ୍ବେ ଉତ୍ସାହୀ ନ୍ୟୁଜିଲାଣ୍ଡକୁ ୨୫୧/୯ରେ ଅଟକାଇ ଦେଇଥିଲା। ୨୫୨ ରନ୍‌ର ଲକ୍ଷ୍ୟକୁ ହାସଲ କରି ୨୦୦୨ (ଶ୍ରୀଲଙ୍କା ସହ ଯୁଗ୍ମ ବିଜେତା), ୨୦୧୩ ପରେ ୨୦୨୫ରେ ଚାମ୍ପିଅନ୍ସ ଟ୍ରଫିରେ ବିଜେତା ହେବାର ଅନନ୍ୟ ଫର୍ଦ୍ଦ ନିଜ କ୍ରିକେଟ୍ ଇତିହାସରେ ଯୋଡ଼ିଥିଲା। ଭାରତର ପଶ୍ଚାତ୍‌ଧାବନ ଥିଲା ବେଶ୍ ଧମାକାଦାର। ଅଧିନାୟକ ରୋହିତ ମାତ୍ର ୪୧ ବଲ୍‌ରୁ କୌଣସି ଆ‌ଇସିସି ଟ୍ରଫିର ଫାଇନାଲ୍‌ରେ ପ୍ରଥମ ଏବଂ ମୋଟ ଉପରେ ୫୮ତମ ଅର୍ଦ୍ଧଶତକ ହାସଲ କରି ଏହାର ସଫଳ ନେତୃତ୍ବ ନେଇଥିଲେ। ସେ ମଧ୍ୟ ଆଶାଜନକ ଭାବେ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.