Breaking News

୨ ଅତ୍ୟାଧୁନିକ ଶ୍ମଶାନର ଭିତ୍ତିପ୍ରସ୍ତର ସ୍ଥାପନ: ଜାଗମରା, ଆଇଗିଣିଆରେ ଉଦ୍‌ଘାଟନ କେବେ?

ଡୁମୁଡୁମାରେ ଆଜି ଦୁଇଟି ନୂତନ ଶ୍ମଶାନଗୃହର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏଥି‌‌ରେ ଅତିଥି ଭାବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସାର୍ବଜନୀନ ଉଦ୍ୟୋଗ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ମହାପାତ୍ର...

ଖଣ୍ଡଗିରି: ଡୁମୁଡୁମାରେ ଆଜି ଦୁଇଟି ନୂତନ ଶ୍ମଶାନଗୃହର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏଥି‌‌ରେ ଅତିଥି ଭାବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସାର୍ବଜନୀନ ଉଦ୍ୟୋଗ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ମହାପାତ୍ର, ଏକାମ୍ର ବିଧାୟକ ବାବୁ ସିଂ, ଅତିରିକ୍ତ ପୁଲିସ କମିସନର ଉମାଶଙ୍କର ଦାଶ, ବିଡିଏର ଉପାଧ୍ୟକ୍ଷ ଏନ୍‌. ତିରୁମାଲା ନାଏକ ଯୋଗଦେଇ ଆଜି ଶ୍ମଶାନଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରସ୍ତାବିତ ଶ୍ମଶାନଟି ୧.୫୮ ଏକର ଜମିରେ ନିର୍ମିତ ହେବ। ଏଥିପାଇଁ ୪.୬୦ କୋଟି ପ୍ରଦାନ କରାଯିବ। ଗୋଟିଏ କାଠ ଚୁଲା ଶ୍ମଶାନ ସହ ଅତ୍ୟାଧୁନିକ ବୈଦ୍ୟୁତିକ ଓ ଗ୍ୟାସ୍ ଚାଳିତ ଶ୍ମଶାନ ନିର୍ମାଣ ହେବ। ଏହାସହ ଏକ ପ୍ରଶସ୍ତ ପ୍ରତୀକ୍ଷାଗୃହ, ପୁରୁଷ ଓ ମହିଳାଙ୍କ ପାଇଁ ପୃଥକ ପୋଷାକ ପରିବର୍ତ୍ତନ କକ୍ଷ, ଏକ ପ୍ରାଶାସନିକ ବ୍ଲକ୍‌, ଜଳାଶୟ ଏହା ଭିତରେ ରହିବ। ସମସ୍ତ ସମ୍ପ୍ରଦାୟର ସଦସ୍ୟଙ୍କ ପାଇଁ ପ୍ରବେଶଯୋଗ୍ୟ ସାଇନେଜ୍ ରହିବ ବୋଲି ସୂଚନା ମିଳିଛି।

ଖଣ୍ଡଗିରିରେ ୨୨ଟି ଟ୍ରାଫିକ୍ ସହାୟତା କେନ୍ଦ୍ରକୁ ଆଜି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଉଦ୍‌ଘାଟନ କରିଛନ୍ତି। ଦୀର୍ଘ ସମୟ ଧରି କାର୍ଯ୍ୟରତ ଥିବା ଟ୍ରାଫିକ୍ ପୁଲିସଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି କେନ୍ଦ୍ରଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। ଏଠାରେ ପାନୀୟଜଳ, ବିଶ୍ରାମସ୍ଥଳ, ପରିସ୍ରାଗାର ଭଳି ସୁବିଧା ରହିଛି। ଏହି କେନ୍ଦ୍ରଗୁଡ଼ିକ ନିର୍ମାଣ ପାଇଁ ମୋଟ ୨.୬ କୋଟି ଟଙ୍କା ବ୍ୟୟ ହୋଇଥିବା ସୂଚନା ମିଳିଛି।

ଭୁବନେଶ୍ବର: ଅତ୍ୟାଧୁନିକ ତଥା ପରିବେଶ ଅନୁକୂଳ ଆଦର୍ଶ ଶ୍ମଶାନ ତିଆରି ହେଲା। କୋଟିକୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇ ଖତଖାଇଲା ସିନା ଲୋକଙ୍କ କାମରେ ଆସିଲାନି। ସେ ସବୁର ପରିଚାଳନା ପାଇଁ ନା ଅଧିକାରୀ ନଜର ଦେଲେ ନା ଜନପ୍ରତିନିଧି। ଏଭଳି ସ୍ଥିତିରେ ଆଜି ପୁଣି ଆଉ ଦୁଇଟି ଅତ୍ୟାଧୁନିକ ଶ୍ମଶାନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପରିଜନଙ୍କର ଶବ ବିଦ୍ୟୁତ୍‌ କିମ୍ବା ଗ୍ୟାସ୍‌ ସାହାଯ୍ୟରେ ଦାହ ହେଲେ ଅନେକ ଲୋକ ଅସନ୍ତୋଷ ପ୍ରକାଶ କରିଥାନ୍ତି। ପୂର୍ବରୁ ଏଭଳି ବ୍ୟବସ୍ଥା ଫେଲ୍‌ ମାରିବା ପ୍ରମାଣ ଥିବାରୁ ଏଥିରେ କାଠର ବ୍ୟବସ୍ଥା ମଧ୍ୟ କରାଯାଇଛି। ତେବେ ଏସବୁ ଗୁଡ଼ିକର ନିର୍ମାଣ ସରିବା ପୂର୍ବରୁ ପରିଚାଳନା ବ୍ୟବସ୍ଥା ନହେଲେ ପୁଣି ୟେ ୨ ବି ଖତଖାଇବା ଥୟ ହୋଇଛି।

ଆଇଗିଣିଆ ଓ ଜାଗମରାରେ ଗେଲ୍‌ ଇଣ୍ଡିଆ ପକ୍ଷରୁ ଦୁଇଟି ଅତ୍ୟାଧୁନିକ ଆଦର୍ଶ ମଶାଣି ନିର୍ମାଣ ହୋଇଛି। ଏଠାରେ ଶବ ପୋଡ଼ିବାକୁ ବର୍ଣ୍ଣର, ଅସ୍ଥି ସଂଗ୍ରହ ଗୃହ, ଡିଜି ଗୃହ ନିର୍ମାଣ ହୋଇ ସମସ୍ତ ଆନୁଷଙ୍ଗିକ ସାମଗ୍ରୀ ମଧ୍ୟ ଉପଲବ୍ଧ କରାଯାଇଛି। ଏସବୁ ନିର୍ମାଣ ପାଇଁ ବିଏମ୍‌ସି ପାଣ୍ଠିରୁ ଖର୍ଚ୍ଚ ହୋଇନାହିଁ ବରଂ ଗେଲ୍‌ ଇଣ୍ଡିଆ ସାମାଜିକ ଦାୟିତ୍ବ ବୋଧ ପାଣ୍ଠି( ସିଏସ୍‌ଆର୍‌)ରୁ ଖର୍ଚ୍ଚ କରାଯାଇଛି। ବର୍ଷେ ହେବ ଏହାର ନିର୍ମାଣ ସରିଲାଣି। କାମ ସରିବା ପରେ ଏହାର ସମ୍ପୁର୍ଣ୍ଣ ରକ୍ଷଣା ବେକ୍ଷଣା ପାଇଁ ଗେଲ୍‌, ଟେଲିକମ୍ ଇଞ୍ଜିନିୟର କମ୍ପାନିକୁ ଦାୟିତ୍ବ ହସ୍ତାନ୍ତର କରିସାରିଛି। କମ୍ପାନି ପକ୍ଷରୁ ଏହି ଅତ୍ୟାଧୁନିକ ମେସିନ୍‌କୁ ଚଳାଇବା ପାଇଁ ପ୍ରଶିକ୍ଷଣପ୍ରାପ୍ତ ଅପରେଟର ଓ ୩ଟି ମଶାଣିର ତଦାରଖ ପାଇଁ ଜଣେ ସୁପରଭାଇଜର ମଧ୍ୟ ନିଯୁକ୍ତି ଦିଆଯାଇଛି। ହେଲେ ଏହା ଉଦ୍‌ଘାଟନ ହୋଇ ପାରୁନି। ସ୍ଥାନୀୟ ଲୋକେ ପୂର୍ବପରି କାଠରେ ଶବ ପୋଡ଼ୁଛନ୍ତି। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଶବଦାହ ମେସିନ୍ ଏବେ ଖତ ଖାଇବାକୁ ବସିଲାଣି। ୩ ମାସ  ଠିକା ସଂସ୍ଥାର କର୍ମଚାରୀ କାମ କରିବା ପରେ ବିଏମ୍‌ସି ଦାୟିତ୍ବ ନେବାକଥା। କିନ୍ତୁ ଗୋଟିଏ ବର୍ଷ ବିତିଥିଲେ ମଧ୍ୟ ଏହା ଶୃଙ୍ଖଳିତ ହୋଇପାରୁନି। ଏହି ଦୁଇମଶାଣିରେ ଏବେ ବି କାଠରେ ପୋଡ଼ା ଚାଲିଛି। ବାକି ମେସିନ୍‌ ସବୁ ଖତଖାଉଛି।

ସେହିପରି ବରମୁଣ୍ଡା‌ରେ ଥିବା ମଶାଣି ଉପରେ ଲୋକ ଅଧିକ ନିର୍ଭର କରୁଥିବା ବେଳେ ଏଠାରେ ଯେଉଁଭଳି ବ୍ୟବସ୍ଥା ରହିବା କଥା ତାହା ନାହିଁ। ସ୍ଥାନୀୟ ଲୋକ ବହୁ ଦିନରୁ ଏହାକୁ ସ୍ମାର୍ଟ ସ୍ମସାନ କରିବାକୁ ଦାବି କରୁଥିଲେ ହେଁ କିଛି ସୁଫଳ ମିଳୁନାହିଁ।  ଅନୁରୂପଭାବେ ଘାଟିକିଆରେ ଥିବା ମଶାଣି ପାଇଁ ୪ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ହୋଇଥିଲେ ବି ତାକୁ ମଧ୍ୟ ବ୍ୟବସ୍ଥିତ କରାଯାଇ ପାରି ନାହିଁ। ମଶାଣିରେ ଘାସ ଚରିଗଲାଣି। ଅଧା ତିଆରି ଶବ ଦାହ ସ୍ଥାନ ଗଛ ଲଟାରେ ଲୁଚି ଗଲାଣି। ଏ ସମସ୍ତ ମଶାଣିକୁ ଭଲ ଭାବରେ ପରିଚାଳନା ବ୍ୟବସ୍ଥା ନ କରି ଆଉ ଦୁଇ ମଶାଣି ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ଜାଗମରା ଅଞ୍ଚଳର ନିର୍ମଳ ସାମଲ୍‌ଙ୍କ କହିବ‌ା କଥା, ଟଙ୍କା ଖର୍ଚ୍ଚ କରିବା ପାଇଁ କେବଳ ମଶାଣି ନିର୍ମାଣ ଚାଲିଛି। ଲୋକ ଉପକୃତ ହେବା ଭଳି କିଛି ‌କାମ ହେଉନି। ଯେତିକି ମଶାଣି ଅଛି ତାକୁ ଭଲ ଭାବେ ଚଳାଇବା ପରେ ନୂଆ ମଶାଣି କଥା ଚିନ୍ତା କରିବା କଥା‌।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.