Breaking News

୨ ବନ୍ଧୁକ ବେପାରୀଙ୍କୁ ସଜ୍ଜା

ବିହାର ମୁଙ୍ଗେରରୁ ବନ୍ଧୁକ ଚାଲାଣ କରି ଓଡ଼ିଶାରେ ବିଭିନ୍ନଧରଣର ଗ୍ୟାଙ୍ଗ୍‌ଷ୍ଟର୍‌ ‌ଗୋଷ୍ଠୀ ଓ ମାଫିଆମାନଙ୍କୁ ଯୋଗାଉଥିବା ଖୋର୍ଦ୍ଧାର ୨ ବେପାରୀଙ୍କୁ ଆଜି କୋର୍ଟ ଦଣ୍ଡିତ କରିଛନ୍ତି।

ଭୁବନେଶ୍ବର: ବିହାର ମୁଙ୍ଗେରରୁ ବନ୍ଧୁକ ଚାଲାଣ କରି ଓଡ଼ିଶାରେ ବିଭିନ୍ନଧରଣର ଗ୍ୟାଙ୍ଗ୍‌ଷ୍ଟର୍‌ ‌ଗୋଷ୍ଠୀ ଓ ମାଫିଆମାନଙ୍କୁ ଯୋଗାଉଥିବା ଖୋର୍ଦ୍ଧାର ୨ ବେପାରୀଙ୍କୁ ଆଜି କୋର୍ଟ ଦଣ୍ଡିତ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍, ଦୁଇ ଆସାମୀ ବସନ୍ତ ମହାରଣା ଓ କୃଷ୍ଣଚନ୍ଦ୍ର ଶ୍ରୀଚନ୍ଦନ ଓରଫ୍‌ ଜଗନକୁ ତିନି ବର୍ଷ ‌ଲେଖାଏଁ ସଶ୍ରମ କାରାଦାଣ୍ଡରେ ଦଣ୍ଡିତ କରିବା ସହ ଜରିମାନା ନିର୍ଦ୍ଦେଶ କରିଛନ୍ତି। ୨୦୨୧ ଜୁଲାଇରେ ଏହି ଦୁଇ ବନ୍ଧୁକ ବେପାରୀ କ୍ରାଇମ୍‌ବ୍ରାଞ୍ଚ୍‌ ଏସ୍‌ଟିଏଫ୍‌ ପଞ୍ଝାରେ ପଡ଼ିଥିଲେ।

ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ସିକୋ ଅଞ୍ଚଳରେ ଚୋରା ବନ୍ଧୁକ କାରବାର ହେଉଥିବା ନେଇ କ୍ରାଇମ୍‌ବ୍ରାଞ୍ଚ୍‌ ଏସ୍‌ଟିଏଫ୍‌କୁ ଗୁଇନ୍ଦା ସୂଚନା ମିଳିଥିଲା। ତାପଙ୍ଗ ଅଞ୍ଚଳର ମୁଗୁନି ପଥର ମାଫିଆ, ଖୋର୍ଦ୍ଧା ଅଞ୍ଚଳର ମାଙ୍କଡ଼ା ପଥର ଖଣି ମାଫିଆ, ବ୍ରାଉନ୍‌ସୁଗାର ମାଫିଆ ଓ ବାଲି ମାଫିଆମାନଙ୍କୁ ଚୋରାରେ ବନ୍ଧୁକ ମିଳୁଥିଲା ବୋଲି ଏସ୍‌ଟିଏଫ୍‌କୁ ସୂଚନା ମିଳିଥିଲା। ଛାନ୍‌ଭିନ୍‌ କରୁକରୁ ଏସ୍‌ଟିଏଫ୍‌ ଟିମ୍‌ ଦୁଇ ବନ୍ଧୁକ ବେପାରୀ ବସନ୍ତ ଓ କୃଷ୍ଣଚନ୍ଦ୍ରକୁ ଠାବ କରିଥିଲା। ନୟାଗଡ଼ ଜିଲ୍ଲା ରଣପୁର ଥାନା ଶାମୁକାସାହିର ବସନ୍ତ ଓ ଖୋର୍ଦ୍ଧା ଥାନା ଜରିପୁଟ ଜାମୁସାହିର କୃଷ୍ଣଚନ୍ଦ୍ର ବିହାର ମୁଙ୍ଗେରରୁ ବନ୍ଧୁକ ଆଣି ମାଫିଆମାନଙ୍କୁ ବିକୁଥିବା ଜଣାପଡ଼ିବା ପରେ ଏସ୍‌ଟିଏଫ୍‌ ସେମାନଙ୍କ ପିଛା କରିବା ଆରମ୍ଭ କରିଥିଲା। ୨୦୧୨ ଜୁଲାଇ ୧୭ରେ ଏସ୍‌ଟିଏଫ୍‌ ସ୍କ୍ବାଡ୍‌ ସିକୋ ଅଞ୍ଚଳରେ ଚଢ଼ଉ କରିଥିଲା।

ଚଢ଼ଉ ବେଳେ ସେମାନଙ୍କ ନିକଟରୁ ୧୦ ବନ୍ଧୁକ ଓ ୮ ଗୁଳି ମିଳିଥିଲା। ବନ୍ଧୁକ ମଧ୍ୟରେ ଥିଲା ୫ଟି ଦେଶୀ ଏସ୍‌ବିଏମ୍‌ଏସ୍‌ ପିସ୍ତଲ, ଗୋଟିଏ ୯ ଏମ୍‌ଏମ୍‌ ପିସ୍ତଲ, ଗୋଟିଏ ରିଭଲ୍‌ଭର୍‌, ୩ଟି ଦେଶୀ ସିଙ୍ଗଲ୍‌ ସଟ୍‌ ପିସ୍ତଲ। ବିହାରରୁ ଆଣି ଓଡ଼ିଶାରେ ମାତିଥିବା ଗ୍ୟାଙ୍ଗ୍‌ଷ୍ଟର୍‌ ଓ ମାଫିଆମାନଙ୍କୁ ବିକୁଥିଲେ ବୋଲି ୨ ଆସାମୀ ବସନ୍ତ ଓ କୃଷ୍ଣଚନ୍ଦ୍ର ସ୍ବୀକାର କରିଥିଲେ। ଏହି ମାମଲାରେ ପୁଲିସ ୬ଜଣ ସାକ୍ଷୀଙ୍କୁ କୋର୍ଟରେ ହାଜର କରିବା ସହ ୮ଟି ପ୍ରଯୁଜ୍ୟ ଦସ୍ତାବିଜ ଦାଖଲ କରିଥିଲା। ଅତିରିକ୍ତ ପିପି ବୀରେନ୍ଦ୍ର କୁମାର ପ୍ରହରାଜ ସରକାରଙ୍କ ପକ୍ଷରୁ ଏହି ମାମଲା ପରିଚାଳନା କରିଥିଲେ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.