Breaking News

୩ କ୍ରେଡିଟ୍‌କାର୍ଡରୁ ଉଡ଼ାଇନେଲେ ସାଢ଼େ ୩ ଲକ୍ଷ

ଜଣେ ବ୍ୟକ୍ତିଙ୍କ ୩ଟି କ୍ରେଡିଟ୍‌ କାର୍ଡ ହ୍ୟାକ୍‌ କରି ସାଇବର ଲୁଟେରା ୩ ଲକ୍ଷ ୫୮ ହଜାର ଟଙ୍କା ଲୁଟି ନେଇଛନ୍ତି। ଅନ୍ୟ ଉପାୟ ନପାଇ ଠକାମିର ଶିକାର ହୋଇଥିବା ବ୍ୟକ୍ତି ଭୁବନେଶ୍ବର ସାଇବର୍‌ ଥାନାରେ ଅଭିଯୋଗ କରିଛନ୍ତି।

ଭୁବନେଶ୍ବର: ଜଣେ ବ୍ୟକ୍ତିଙ୍କ ୩ଟି କ୍ରେଡିଟ୍‌ କାର୍ଡ ହ୍ୟାକ୍‌ କରି ସାଇବର ଲୁଟେରା ୩ ଲକ୍ଷ ୫୮ ହଜାର ଟଙ୍କା ଲୁଟି ନେଇଛନ୍ତି। ଅନ୍ୟ ଉପାୟ ନପାଇ ଠକାମିର ଶିକାର ହୋଇଥିବା ବ୍ୟକ୍ତି ଭୁବନେଶ୍ବର ସାଇବର୍‌ ଥାନାରେ ଅଭିଯୋଗ କରିଛନ୍ତି। ସାଇବର ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଭୁବନେଶ୍ବରରେ ରହୁଥିବା ଆଶୁତୋଷ ରାୟ ନାମକ  ଘରୋଇ ସଂସ୍ଥାର  ଜଣେ କର୍ମଚାରୀଙ୍କର ୩ଟି କ୍ରେଡିଟ୍‌ କାର୍ଡ ଅଛି। ଗତ ମାର୍ଚ୍ଚ ମାସରେ ସେ ଏସ୍‌ବିଆଇ କ୍ରେଡିଟ୍‌ କାର୍ଡରେ ୨୨ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ମାତ୍ର ଏପ୍ରିଲ୍‌ ମାସରେ ତାଙ୍କ ପାଖକୁ ୧ ଲକ୍ଷ ୩୯ ହଜାର ଟଙ୍କାର ବିଲ୍‌ ଆସିଛି।

ଏହା ଜାଣିବା ପରେ ସେ ଏସ୍‌ବିଆଇ କ୍ରେଡିଟ୍‌ କାର୍ଡଟିକୁ ବ୍ଲକ୍‌ କରିଦେଇଥିଲେ। ଏହା ପରେ ସେ ନିଜର ଅନ୍ୟ କ୍ରେଡିଟ୍‌ କାର୍ଡ ଯାଞ୍ଚ କରିବା ପରେ ସେ ମୁଣ୍ଡରେ ହାତଦେଇଥିଲେ। ସାଇବର ଲୁଟେରାମାନେ ତାଙ୍କ ସବୁ କ୍ରେଡିଟ୍‌ କାର୍ଡରୁ ଟଙ୍କା ଲୁଟିଥିବା ଜାଣି ସେ ବ୍ୟସ୍ତ ହୋଇପଡ଼ିଥିଲେ। ଶ୍ରୀ ରାୟଙ୍କ ଆର୍‌ବିଏଲ୍‌  କ୍ରେଡିଟ୍‌ କାର୍ଡରୁ ୨ଟି ପର୍ଯ୍ୟାୟରେ ୨ ଲକ୍ଷ ୫ଶହ ଟଙ୍କା ଓ ଆକ୍ସିସ୍‌ ବ୍ୟାଙ୍କ୍‌ କ୍ରେଡିଟ୍‌ କାର୍ଡରୁ ୩୭ହଜାର ୮ଶହ ଟଙ୍କା ଖର୍ଚ୍ଚ ହୋଇଛି। ମାତ୍ର ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ତାଙ୍କ ପାଖରେ କ୍ରେଡିଟ୍‌ କାର୍ଡ ଅଛି। କ୍ରେଡିଟ୍‌ କାର୍ଡ ତାଙ୍କ ମୋବାଇଲ୍‌ ନମ୍ବର ସହ ସମ୍ପୃକ୍ତ। ଏହା ସତ୍ତ୍ବେ ଏତେ ଟଙ୍କାର କାରବାର ନେଇ ତାଙ୍କ ପାଖକୁ କୌଣସି ସୂଚନା ଆସିନାହିଁ। ସ୍ବାଭାବିକ ଭାବେ କ୍ରେଡିଟ୍‌ କାର୍ଡରୁ ଟଙ୍କା କଟିଲେ,  କାର୍ଡଧାରୀଙ୍କ ମୋବାଇଲ୍‌କୁ ମେସେଜ୍‌ ଆସେ, ମେଲ୍‌ ଆଇଡିରେ ମଧ୍ୟ ସୂଚନା ଆସେ। କିନ୍ତୁ ଆଶୁତୋଷଙ୍କ କ୍ଷେତ୍ରରେ ସେପରି କିଛି ହୋଇନାହିଁ। ଆଶୁତୋଷଙ୍କ ମୋବାଇଲ୍‌ ଫୋନ୍‌ ଓ କ୍ରେଡିଟ୍‌ କାର୍ଡ  ହ୍ୟାକ୍‌ ହୋଇଥିବା ପୁଲିସ ଆଶଙ୍କା କରୁଛି। ଏ ସମ୍ପର୍କରେ ସାଇବର ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.