Breaking News

୩ ମାସ ମଧ୍ୟରେ ସବୁ ଓଡ଼ିଆ ପରିବାରଙ୍କ ପାଖରେ ପହଞ୍ଚିବ ‘ଆୟୁଷ୍ମାନ ଭାରତ’ କାର୍ଡ

ଓଡ଼ିଶାର ବିକାଶ ଇତିହାସରେ ଆଜି ଗୋଟିଏ ଫର୍ଦ୍ଦ ଯୋଡ଼ି ହୋଇଯାଇଛି। ରାଜ୍ୟର ୧ କୋଟି ୩ ଲକ୍ଷ ପରିବାର ପାଇଁ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା' ଓ 'ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା' ଏବଂ 'ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା' ଲାଗୁ ହୋଇଯାଇଛି।

କଟକ: ଓଡ଼ିଶାର ବିକାଶ ଇତିହାସରେ ଆଜି ଗୋଟିଏ ଫର୍ଦ୍ଦ ଯୋଡ଼ି ହୋଇଯାଇଛି। ରାଜ୍ୟର ୧ କୋଟି ୩ ଲକ୍ଷ ପରିବାର ପାଇଁ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ ଓ ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’ ଏବଂ ‘ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା’ ଲାଗୁ ହୋଇଯାଇଛି। ଏହି ସ୍ବାସ୍ଥ୍ୟ କାର୍ଡ ଓଡ଼ିଶା ସହିତ ରାଜ୍ୟ ବାହାରେ ଥିବା ୨୯ ହଜାର ଡାକ୍ତରଖାନାରେ କାମ କରିବ। ଏହି କାର୍ଡଗୁଡ଼ିକ ଆଗାମୀ ୩ ମାସ ମଧ୍ୟରେ ସମସ୍ତଙ୍କର ପାଖରେ ପହଞ୍ଚିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

କଟକ ବାଲିଯାତ୍ରା ତଳପଡ଼ିଆରେ ଜନସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ୬ ବର୍ଷ ଆଗରୁ ଲାଗୁ ହେବାର ଥିଲା। କିନ୍ତୁ ତତ୍କାଳୀନ ସରକାର ଏହାକୁ ଲାଗୁ କରିନଥିଲେ। ରାଜ୍ୟରେ ନୂଆ ସରକାର ଆସିବାର ବର୍ଷେ ନପୁରୁଣୁ ପରେ ଏହି ଯୋଜନା ଲାଗୁ ହୋଇପାରିଛି। ଏଥି ସହିତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ମଧ୍ୟ ଆରମ୍ଭ ହୋଇଯାଇଛି। ଓଡ଼ିଶା ବାହାରେ ରହୁଥିବା ଓଡ଼ିଆ ଲୋକମାନେ ମଧ୍ୟ ଏହି ଯୋଜନାରୁ ଲାଭବାନ ହେବେ। ଏହା ପୁଣି ନିଃଶୁଳ୍କ ମାଧ୍ୟମରେ।

ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶା, ଦିଲ୍ଲୀ ସମତେ ଦେଶର ୩ଟି ରାଜ୍ୟରେ ଲାଗୁ ହୋଇପାରି ନଥିଲା। ଏବେ ମୋଦୀ ସରକାର ଓଡ଼ିଶା ଓ ଦିଲ୍ଲୀରେ ଲାଗୁ କରିଛନ୍ତି। ଡବଲ ଇଂଜିନ ସରକାର ବିକାଶର ଗତିକୁ ବଢ଼ାଇ ପାରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ୧୦ ମାସ ମଧ୍ୟରେ ୪୦୦୦ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତି ଦିଆଯାଇଛି। ଆଗାମୀ ଦିନରେ  ଆହୁରି ୫୩୭୪ ଡାକ୍ତରଙ୍କୁ ନିଯୁକ୍ତି ମିଳିବ। ସ୍ବାସ୍ଥ୍ୟ ହିଁ ସଂପଦ। ଏହାକୁ ଲକ୍ଷ୍ୟରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଆୟୁଷ୍ମାନ ଭାରତ ଯୋଜନା’ର ଶୁଭାରମ୍ଭ କରିଥିଲେ। ଗରିବ ଲୋକଙ୍କୁ କିଭଳି ଉପଯୁକ୍ତ ଚିକିତ୍ସା ଦିଆଯାଇପାରିବ, ତାହା ହିଁ ଲକ୍ଷ୍ୟ ରଖାଯାଇଥିଲା।

ରାଜ୍ୟର ୨୩ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ଦେୟମୁକ୍ତ ଚିକିତ୍ସା ପାଇପାରିବେ। ଏହି କାର୍ଡ ପରିବାରର ଜଣେ ବ୍ୟକ୍ତିଙ୍କୁ ଦିଆଯାଉନାହିଁ। ବରଂ ପରିବାରର ସମସ୍ତ ସଦସ୍ୟଙ୍କୁ ଏହି କାର୍ଡ ଦିଆଯାଉଛି। ରାଜ୍ୟରେ ଆଗାମୀ ଦିନରେ ଭଦ୍ରକଜଗତସିଂହପୁର, ନବରଂଗପୁର ଓ ଢେଙ୍କାନାଳ ଜିଲ୍ଲାରେ ମେଡିକାଲ କଲେଜ ହେବ। ସେହିପରି ଅନ୍ୟ ୪ଟି ଜିଲ୍ଲରେ ଡେଣ୍ଟାଲ କଲେଜ ପ୍ରତିଷ୍ଠା କରାଯିବ। ସରକାର ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ବପୂର୍ଣ୍ଣ ମନେ କରୁଛନ୍ତି। ଏଥି ପାଇଁ ଏକ ସୁସ୍ଥ ବଜେଟ୍ ବ୍ୟବସ୍ଥା କରିଛନ୍ତି।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.