Breaking News

୪ ରାଜ୍ୟ ସହିତ ୧୪ଟି ଜିଲ୍ଲାର ଆନ୍ତଃ-ରାଜ୍ୟ ସୀମା ବିବାଦ ଲାଗି ରହିଛି: ମନ୍ତ୍ରୀ

ପଡ଼ୋଶୀ ୪ ରାଜ୍ୟ ସହିତ ରାଜ୍ୟ ୧୪ଟି ଜିଲ୍ଲାର ଆନ୍ତଃ-ରାଜ୍ୟ ସୀମା ବିବାଦ ଲାଗି ରହିଛି ବୋଲି ଆଜି ଗୃହରେ ଉତ୍ତର ରଖି କହିଛନ୍ତି ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ବିଧାୟକ ରମେଶ ବେହେରାଙ୍କ ପ୍ରଶ୍ନରେ ଉତ୍ତର ଦେଇ ମନ୍ତ୍ରୀ ଏହା କହିଛନ୍ତି।

ଭୁବନେଶ୍ବର: ପଡ଼ୋଶୀ ୪ ରାଜ୍ୟ ସହିତ ରାଜ୍ୟ ୧୪ଟି ଜିଲ୍ଲାର ଆନ୍ତଃ-ରାଜ୍ୟ ସୀମା ବିବାଦ ଲାଗି ରହିଛି ବୋଲି ଆଜି ଗୃହରେ ଉତ୍ତର ରଖି କହିଛନ୍ତି ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ବିଧାୟକ ରମେଶ ବେହେରାଙ୍କ ପ୍ରଶ୍ନରେ ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟ ସହ ଓଡ଼ିଶାର ୧୪ଟି ଜିଲ୍ଲାର ଆନ୍ତଃ ରାଜ୍ୟ ସୀମା ସଂଲଗ୍ନ ଅଛି। ଯାହାକୁ ନେଇ ବିବାଦ ଲାଗି ରହିଛି। ତେବେ କୋଟିଆ ଗ୍ରାମପୁଞ୍ଜକୁ ଛାଡ଼ିଦେଲେ ଅନ୍ୟ କେଉଁ ସ୍ଥାନରେ ବିବାଦ ସେତେ ବଡ଼ ଧରଣର ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟୋକ୍ତି ରଖିଛନ୍ତି ।

ବିଜେଡି ବିଧାୟକ ରମେଶ ବେହେରା ଏନେଇ ଗୃହରେ ପ୍ରଶ୍ନ କରିଥିଲେ। ସେ ପଚାରିଥିଲେ ଯେ, ଆନ୍ତଃ ରାଜ୍ୟ ସୀମା ବିବାଦର ସମାଧାନ ଓ ଅନୁପ୍ରବେଶ ରୋକିବାକୁ ସରକାର କି କି ପଦକ୍ଷେପ ନେଉଛନ୍ତି। ଆଉ କେଉଁ କେଉଁ ସୀମାନ୍ତ ରାଜ୍ୟ ସହ କେତୋଟି ବିବାଦ ରହିଛି? ଏହାର ଉତ୍ତର ଦେଇ ମନ୍ତ୍ରୀ ଏହି ସମ୍ପର୍କରେ ସୂଚନା ଦେଇଥିଲେ। ମନ୍ତ୍ରୀଙ୍କ ସୂଚନା ମୁତାବକ, କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜକୁ ନେଇ ଆନ୍ଧ୍ରପ୍ରଦେଶ ସହିତ ୧୯୬୮ ମସିହାରୁ ସୀମା ବିବାଦ ରହିଛି। ଏନେଇ ଓଡ଼ିଶା ସରକାର ଆନ୍ଧ୍ର ସରାକରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ମାମଲା ଦାୟର କରିଛନ୍ତି। ତେବେ ଏହି ମାମଲାକୁ ଖାରଜ କରିବା ସହ ଆଲୋଚନା ମାଧ୍ୟମରେ ଏହାର ଫଇସଲା କରିବାକୁ ସୁପ୍ରିମକୋର୍ଟ କହିଛନ୍ତି ବୋଲି ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ।

ଅନ୍ୟପଟେ ବିବାଦୀୟ କୋଟିଆ ଅଞ୍ଚଳର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ୧୦୮ କୋଟି ୫୩ ଲକ୍ଷ ୧୨ ହଜାର ୩୩୯ ଟଙ୍କା ଖର୍ଚ୍ଚ କରାଯାଇଛି। ପ୍ରତି ଗ୍ରାମକୁ ରାସ୍ତା, ବିଦ୍ୟାଳୟ ଗୃହ, ଆବାସିକ ଶ୍ରେଣୀ ଗୃହ, ଅଙ୍ଗନବାଡି ଗୃହ, ମିଶନ ଶକ୍ତି ଗୃହ, ୧୦ ଶଯ୍ୟା ବିଶିଷ୍ଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ବଜାର ପିଣ୍ଡି, ପୁଲିସ ଥାନା ନିର୍ମାଣ କରିବା ସଙ୍ଗେ ସଙ୍ଗେ ବିଦ୍ୟୁତ ସଂଯୋଗ ଓ ମୋବାଇଲ ଟାୱାର ସ୍ଥାପନ ସହ ଲୋକମାନଙ୍କ ପାଇଁ ଜୀବିକାର ମଧ୍ୟ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
ସୌଜନ୍ୟ-ସମ୍ୱାଦ

Comments are closed.