Breaking News

୫ଟି ବୃହତ୍‌ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଜଳସମ୍ପଦ ବିଭାଗର ବିଭିନ୍ନ ଡ୍ୟାମ୍‌ ଓ ବୃହତ୍‌ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରି ୫ଟି ବୃହତ୍‌ ଜଳସେଚନ ପ୍ରକଳ୍ପ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଜଳସମ୍ପଦ ବିଭାଗର ବିଭିନ୍ନ ଡ୍ୟାମ୍‌ ଓ ବୃହତ୍‌ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରି ୫ଟି ବୃହତ୍‌ ଜଳସେଚନ ପ୍ରକଳ୍ପ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ସୁନ୍ଦରଗଡ଼ ଜିଲ୍ଲାରେ ଇବ୍‌ ଜଳସେଚନ ପ୍ରକଳ୍ପ, ବରଗଡ଼ ଜିଲ୍ଲାରେ ଅଙ୍ଗ ଜଳସେଚନ ପ୍ରକଳ୍ପ, କେନ୍ଦୁଝର ଜିଲ୍ଲାରେ ଭୀମକୁଣ୍ଡ ବ୍ୟାରେଜ୍‌ ପ୍ରକଳ୍ପ, ଝାରପଡ଼ା ଜଳସେଚନ ପ୍ରକଳ୍ପ ଓ କାନପୁର ଜଳସେଚନ ପ୍ରକଳ୍ପର ବର୍ତ୍ତମାନର ସ୍ଥିତି ଏବଂ ଆଗାମୀ ଦିନରେ ଏହି ପ୍ରକଳ୍ପଗୁଡ଼ିକ କିପରି ତ୍ୱରାନ୍ୱିତ ହେବ ସେ ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ।
ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପ ବହୁଦିନ ଧରି ପ୍ରସ୍ତାବିତ ହେବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ। ତେଣୁ ଅଧିକାରୀମାନେ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ।

ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ସମସ୍ତ ଅଞ୍ଚଳରେ ଚାଷୀମାନଙ୍କ ଜଳସେଚନ ସମସ୍ୟା ଦୂର କରିବା ପାଇଁ ବ୍ୟାରେଜ ଏବଂ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ତୁରନ୍ତ କାର୍ଯ୍ୟକାରୀ ହେବା ଆବଶ୍ୟକ। ଉଭୟ ଖରିଫ୍‍ ଏବଂ ରବି ଋତୁରେ ଏହି ପ୍ରକଳ୍ପ ମାଧ୍ୟମରେ ଚାଷୀ ଭାଇଭଉଣୀମାନେ ଉପକୃତ ହେବା ଦରକାର। ଏହାସହ ଉକ୍ତ ଅଞ୍ଚଳରେ ଏହି ପ୍ରକଳ୍ପ ମାଧ୍ୟମରେ ପାନୀୟ ଜଳ ଯୋଗାଣକୁ ମଧ୍ୟ ବ୍ୟବସ୍ଥିତ କରାଯାଇ ପାରିବ। ବୈଠକରୁ ଜଣାପଡ଼ିଛି ଯେ  ଇବ୍‍  ଜଳସେଚନ ପ୍ରକଳ୍ପ ଦ୍ୱାରା ପ୍ରାୟ ୧,୦୬,୨୭୯ ହେକ୍ଟର, ଅଙ୍ଗ ଜଳସେଚନ ପ୍ରକଳ୍ପ ଦ୍ୱାରା ପ୍ରାୟ ୩୦,୦୦୦ ହେକ୍ଟର, ଭୀମକୁଣ୍ଡ ବ୍ୟାରେଜ ପ୍ରକଳ୍ପ ଦ୍ୱାରା  ୩୧,୮୩୫ ହେକ୍ଟର,  ଝାରପଡ଼ା ଜଳସେଚନ ପ୍ରକଳ୍ପ ଦ୍ୱାରା  ୧୭,୫୦୦ ହେକ୍ଟର, ଓ କାନପୁର ଜଳସେଚନ ପ୍ରକଳ୍ପ ଦ୍ୱାରା ପ୍ରାୟ ୨୯,୫୭୮ ହେକ୍ଟର ଚାଷଜମିକୁ ଜଳସେଚନର ସୁବିଧା ଯୋଗାଇ ଦିଆ ଯାଇପାରିବ। ଏହି ୫ଟି ପ୍ରକଳ୍ପ ଦ୍ୱାରା ସମୁଦାୟ ୨,୧୫, ୧୯୨ ହେକ୍ଟର ଜମିରେ ଜଳସେଚନ ସୁବିଧା ମିଳିପାରିବ। ଏଥିପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ତୁରନ୍ତ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ମୁଖ୍ୟ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ, ଉନ୍ନୟନ କମିସନର ତଥା ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ଏବଂ ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.