Breaking News

୫ ବର୍ଷରେ ଅନଲାଇନ୍ ଟ୍ରେଡିଂ ଠକେଇର ଶିକାର ହୋଇଛନ୍ତି ୫୯,୪୩୭

ଭୁବନେଶ୍ଵର, ୦୯/୧୨ : କାଳ ସାଜୁଛି ଅନଲାଇନ୍ ଟ୍ରେଡିଂ। ଅଧିକ ଟଙ୍କା ପାଇବା ଆଶାରେ ଏବେ ଅଧିକାଂଶ ଯୁବବର୍ଗ ଅନଲାଇନ୍ ଟ୍ରେଡିଂ ଆପଣାଉଛନ୍ତି। ହେଲେ ଏହି ଅନଲାଇନ୍ ଟ୍ରେଡିଂରେ ସର୍ବସ୍ଵ ହରାଇ ଜୀବନ ହାରୁଛନ୍ତି। ଗତ ୫ ବର୍ଷ ମଧ୍ୟରେ ଅନଲାଇନ୍ ଟ୍ରେଡିଂ ଠକେଇର ଶିକାର ହୋଇଛନ୍ତି ୫୯ ହଜାର ୪୩୭ ଲୋକ। ୨୦୧୯ରେ ୧୮ ଜଣ, ୨୦୨୦ରେ ୨୮ ଜଣ, ୨୦୨୧ରେ ୨୨ ଜଣ ଏବଂ ୨୦୨୨ ରେ ମାତ୍ର ୧୦୫ ଜଣ ଲୋକ ଅନଲାଇନ ଟ୍ରେଡିଂ ଠକେଇର ଶିକାର ହୋଇଥିବା ବେଳେ ହଠାତ୍ ୨୦୨୩ ରେ ମାମଲା ସାଙ୍ଘାତିକ ଭାବେ ବଢ଼ିଛି। କେବଳ ୨୦୨୩ରେ ୧୮ ହଜାର ୯୯୪ ଲୋକ ଅନଲାଇନ୍ ଟ୍ରେଡିଂ ଠକେଇର ଶିକାର ହୋଇଥିବା ବେଳେ ୨୦୨୪ ରେ ଗତ ୧୧ ମାସ ମଧ୍ୟରେ ୪୦ ହଜାର ୨୭୦କୁ ସଂଖ୍ୟା ପହଁଚିଛି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି।

ଅନଲାଇନ୍ ଟ୍ରେଡିଂ ସ୍କାମ୍ କ’ଣ ?

ଅନଲାଇନ୍ ଟ୍ରେଡିଂ ସ୍କାମ୍ ସେତେବେଳେ ହୋଇଥାଏ ଯେତେବେଳେ ଜଣେ ସ୍କାମଷ୍ଟର ନିଜକୁ ବ୍ରୋକର ଭାବରେ ପରିଚୟ ଦେଇ ଏକ ବିନିଯୋଗରେ ଟ୍ରେଡିଂ କରିବା ପାଇଁ ଲୋକମାନଙ୍କୁ ଏକ ନକଲି ୱେବସାଇଟରେ ଟ୍ରେଡିଂ କରିବାକୁ ପ୍ରବର୍ତ୍ତାଇଥାଏ। ଏପରି ବିନିଯୋଗ ଷ୍ଟକ୍, ବଣ୍ଡ, ମ୍ୟୁଚୁଆଲ ଫଣ୍ଡ, ଆସେଟ୍ ଇତ୍ଯାଦି ହୋଇପାରେ। ସ୍କାମଷ୍ଟରମାନେ ବାରମ୍ବାର ବିନିଯୋଗକାରୀମାନଙ୍କୁ ଖୁବ କମ୍ କିମ୍ୱା ଆଦୌ ରିସ୍କ ନଥିବା ଅସମ୍ଭବ ଲାଭର ଅଫର୍ ଦିଅନ୍ତି। ଏହି ପ୍ରକାରର ସ୍କାମରମାନେ ସାଧାରଣତଃ ଟ୍ରେଡିଂ ପ୍ଲାଟଫର୍ମ କିମ୍ବା ବିନିଯୋଗ ବ୍ୟବସାୟକୁ ନକଲ କରୁଥିବା ସୋସିଆଲ ମିଡିଆ ଏବଂ ୱେବସାଇଟ ମାଧ୍ୟମରେ ଅନଲାଇନରେ ନିଜର ପ୍ରଚାର କରନ୍ତି। ଏମାନେ ଫଣ୍ଡକୁ ଅଟକାଇପାରିବେ ଏବଂ ନକଲି ଟିକସ, ଫି କିମ୍ବା ଅନ୍ୟ ଚାର୍ଜଗୁଡ଼ିକ ପାଇଁ ଦେୟ ଦାବି କରି ଆପଣଙ୍କୁ ଠକିବାକୁ ମଧ୍ଯ ଚେଷ୍ଟା କରିପାରନ୍ତି। ଅଧିକାଂଶ ଟ୍ରେଡିଂ ସ୍କାମ୍ ସୋସିଆଲ ମିଡିଆ କିମ୍ବା ମେସେଜିଂ ଆପ୍ଲିକେସନ ମାଧ୍ୟମରେ ଆରମ୍ଭ ହୋଇଥାଏ। ଯଦି ଆପଣ ହଠାତ୍ ଜଣେ ଅଜଣା ବ୍ଯକ୍ତିଙ୍କଠାରୁ କଲ୍ ପାଆନ୍ତି ଯିଏ କି ଆପଣଙ୍କୁ କେବେ ଶୁଣି ନଥିବା ଏକ ଟ୍ରେଡିଂ ୱେବସାଇଟ ସହ ପରିଚିତ କରାନ୍ତି, ତେବେ ଏହା ସ୍କାମ୍ ହେବାର ସମ୍ଭାବନା ଅଧିକ ରହିଛି।

ସୌଜନ୍ୟ-ପ୍ରମେୟ

Comments are closed.