Breaking News

୫ ବିଶ୍ବବିଦ୍ୟାଳୟ ମୁରବିଶୂନ୍ୟ: ସେଲ୍‌ଫ ଫାଇନାନ୍ସିଂରେ ଚାଲିଛି ୩୭୫ ମହାବିଦ୍ୟାଳୟ, ଅନୁଦାନପ୍ରାପ୍ତ କଲେଜର ପରିଚାଳନା କମିଟି ଗଠନ ପ୍ରକ୍ରିୟା ଆରମ୍ଭ

ଉଚ୍ଚଶିକ୍ଷା ବିଭାଗ ଅଧୀନ ୧୭ଟି ସରକାରୀ ବିଶ୍ବବିଦ୍ୟାଳୟ ମଧ୍ୟରୁ ୫ଟିରେ କୁଳପତି ନାହାନ୍ତି। ସେଗୁଡ଼ିକ ହେଲା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ, ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ମା’ ମାଣିକେଶ୍ବରୀ...

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ଅଧୀନ ୧୭ଟି ସରକାରୀ ବିଶ୍ବବିଦ୍ୟାଳୟ ମଧ୍ୟରୁ ୫ଟିରେ କୁଳପତି ନାହାନ୍ତି। ସେଗୁଡ଼ିକ ହେଲା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ, ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ମା’ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ଓ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ। ଇତିମଧ୍ୟରେ ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନର ସଂଶୋଧିତ ହେବା ସହ କ୍ୟାବିନେଟ୍‌ ବୈଠକରେ ପାରିତ ହୋଇଛି। ଏହା ଆଇନରେ ପରିଣତ ହେବା ସହ ସ୍ଥାୟୀ କୁଳପତି ନିଯୁକ୍ତି ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ବିଧାୟକ ବ୍ୟୋମକେଶ ରାୟଙ୍କ ଏକ ପ୍ରଶ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଧାନସଭାରେ ଉତ୍ତର ରଖିଛନ୍ତି।

ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି ‌ଯେ ରାଜ୍ୟର ମୋଟ ୮୨ଟି ସରକାରୀ ମହାବିଦ୍ୟାଳୟ, ୬୬ଟି ସରକାରୀ ଡିଗ୍ରି ମହାବିଦ୍ୟାଳୟ ଓ ୧୬ଟି ସରକାରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ରହିଛି। ସରକାରୀ ଡିଗ୍ରି ମହାବିଦ୍ୟାଳୟରେ ୧୯୭୧ଜଣ ଓଇଏସ୍‌ କ୍ୟାଡର ଅଧ୍ୟାପକ ଓ ସରକାରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ୩୨୨ଜଣ ଓଇଏସ୍‌ କ୍ୟାଡର(ଟିଇ) ଅଧ୍ୟାପକ ରହିଛନ୍ତି। ଖାଲିଥିବା ପଦବିଗୁଡ଼ିକ ପୂରଣ ନିମନ୍ତେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)କୁ ଚୟନ ପ୍ରକ୍ରିୟା କରିବାକୁ ଅନୁରୋଧ କରାଯାଇଛି। ଚୟନ ପରେ ଖାଲିଥିବା ଅଧ୍ୟାପକ ପଦବିଗୁଡ଼ିକ ପର୍ଯ୍ୟାୟକ୍ରମେ ପୂରଣ କରାଯିବ। ସେହିପରି ୩୦୫ଟି ୪୮୮ ବର୍ଗ ମହାବିଦ୍ୟାଳୟରେ ୮୩୨ଟି ଶିକ୍ଷକ ପଦବି ଖାଲି ରହିଛି। ୭୮୬ ଏସ୍‌ଏସ୍‌ବି ଅଧ୍ୟାପକ ପଦବି ପୂରଣ ନିମନ୍ତେ ରାଜ୍ୟ ପ୍ରବରଣ ଆୟୋଗ ଦ୍ବାରା ମାର୍ଚ୍ଚ ୯ରେ ବିଜ୍ଞାପନ ପ୍ରକାଶ ସହ ପ୍ରାର୍ଥୀଙ୍କଠାରୁ ଆବେଦନପତ୍ର ଗ୍ରହଣ କରାଯାଇଥିଲା। ତେବେ ହାଇକୋର୍ଟ ଉକ୍ତ ବିଜ୍ଞାପନକୁ ରଦ୍ଧ କରିଛନ୍ତି। ତାହାକୁ ଚାଲେଞ୍ଜ କରି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରିଟ୍‌ ଅପିଲ୍‌ ଦାଖଲ ହୋଇଛି। ରାଜ୍ୟରେ ଥିବା ୩୪୩ଟି ୬୬୨ ବର୍ଗ ମହାବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକମାନଙ୍କ ଚାକିରୀ ସର୍ତ୍ତାବଳୀ ନାହିଁ। ତେଣୁ ସେମାନଙ୍କ ଅବସର ପରେ ସେଠାରେ ନୂଆ ନିଯୁକ୍ତି ଦିଆଯାଏ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ସୂରଜ ଲିଖିତ ଉତ୍ତରରେ ଦର୍ଶାଇଛନ୍ତି।

ସେହିପରି ବିଧାୟକ ଇରାସିସ୍‌ ଆଚାର୍ଯ୍ୟଙ୍କ ଆଉ ଏକ ପ୍ରଶ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ୩୭୫ଟି ମହାବିଦ୍ୟାଳୟ ସେଲ୍ଫ ଫାଇନାନ୍ସିଂ ମୋଡ୍‌ରେ ଚାଲିଛି। ସେଥିରେ ୨୦୪ଟି ସାଧାରଣ ଡିଗ୍ରି କଲେଜ ଓ ୧୭୧ଟି ପ୍ରଫେସନାଲ କଲେଜ ରହିଛି। ୨୦୪ଟି ସେଲ୍ଫ ଫାଇନାନ୍ସିଂ ଜେନେରାଲ ଡିଗ୍ରି କଲେଜ ମଧ୍ୟରୁ ୧୫୯ଟି ମହାବିଦ୍ୟାଳୟ ଟ୍ରଷ୍ଟ ଦ୍ବାରା ପରିଚାଳିତ ହେଉଛି। ୪୫ଟି ମହାବିଦ୍ୟାଳୟ ସୋସାଇଟି ମାଧ୍ୟମରେ ଚାଲିଛି। ୧୭୧ଟି ପ୍ରଫେସନାଲ କଲେଜ ମଧ୍ୟରୁ ୧୫୫ଟି ଟ୍ରଷ୍ଟ ଦ୍ବାରା ଏବଂ ୧୬ଟି ସୋସାଇଟି ମାଧ୍ୟମରେ ପରିଚାଳିତ ହେଉଛି। ସୋସାଇଟି ମାଧ୍ୟମରେ ପରିଚାଳିତ ହେଉଥିବା ‌ସେଲ୍ଫ ଫାଇନାନ୍ସିଂ ଜେନେରାଲ କଲେଜଗୁଡ଼ିକ ସମ୍ପର୍କରେ ବିଚାର କରିବାକୁ ଡିସେମ୍ବର ୧୯ରେ ଏକ ସ୍ବତନ୍ତ୍ର ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିବା ସେ ସୂଚନା ଦେଇଛନ୍ତି। ବିଧାୟକ ଅଶ୍ବିନୀ କୁମାର ପାତ୍ରଙ୍କ ଦ୍ବାରା ପଚରାଯାଇଥିବା ଆଉ ଏକ ପ୍ରଶ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଥିବା ସରକାରୀ ଅନୁଦାନପ୍ରାପ୍ତ ଡିଗ୍ରି ମହାବିଦ୍ୟାଳୟଗୁଡ଼ିକର ନୂତନ ପରିଚାଳନା କମିଟି ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.