Breaking News

୬ଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ଉଦ୍‌ଘାଟିତ: ‘ସଭ୍ୟ ଦେଶର ମାନଦଣ୍ଡ ହେଉଛି ପୁସ୍ତକ ମନସ୍କତା’

ଆମେରିକାର ଡାଲି, ଚାଉଳ ଦୋକାନରେ ୱାଲ୍ଡ କ୍ଲାସିକ୍‌ ବିକ୍ରି ହୁଏ। ସେ ଦେଶର ଚିନ୍ତା ଓ ଚେତନାର ଅଗ୍ରଗତି ତାଙ୍କ ପୁସ୍ତକରୁ ହିଁ ମିଳେ। ଯେକୌଣସି ସଭ୍ୟ ଦେଶର ମାନଦଣ୍ଡ ହେଉଛି ପୁସ୍ତକ ମନସ୍କତା ଏବଂ ଯେକୌଣସି ସଭ୍ୟ ଦେଶର...

ଭୁବନେଶ୍ୱର: ଆମେରିକାର ଡାଲି, ଚାଉଳ ଦୋକାନରେ ୱାଲ୍ଡ କ୍ଲାସିକ୍‌ ବିକ୍ରି ହୁଏ। ସେ ଦେଶର ଚିନ୍ତା ଓ ଚେତନାର ଅଗ୍ରଗତି ତାଙ୍କ ପୁସ୍ତକରୁ ହିଁ ମିଳେ। ଯେକୌଣସି ସଭ୍ୟ ଦେଶର ମାନଦଣ୍ଡ ହେଉଛି ପୁସ୍ତକ ମନସ୍କତା ଏବଂ ଯେକୌଣସି ସଭ୍ୟ ଦେଶର ପ୍ରଥମ ଥର୍ମୋ‌ମିଟର ହେଉଛି ସେ ଦେଶର ଲୋକ ବହି ବିଷୟରେ କେତେ କଥା ବାର୍ତ୍ତା ହେଉଛନ୍ତି। ତେଣୁ ନୂଆ ସରକାର ଟଙ୍କିକିଆ ଚାଉଳକୁ ପଛରେ ରଖି ସାହିତ୍ୟ ଓ ସଂସ୍କୃତିକୁ ସବା ଆଗରେ ରଖନ୍ତୁ। ଦେଶ ଆପେ ଆପେ ଅଗ୍ରଗତି କରିବ। ଆଜି ଷଷ୍ଠ ରାଜ୍ୟ ପୁସ୍ତକ ମହୋତ୍ସବ ଉଦ୍‌ଘାଟନୀ ସନ୍ଧ୍ୟାରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ ଆଚାର୍ଯ୍ୟ ଏହା କହିଛନ୍ତି। ସ୍ଥାନୀୟ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏହି ସଭାରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ‘‘ମୁଁ ନୂଆ ସରକାରଙ୍କୁ ଅନୁରୋଧ କରୁଛି, ପ୍ରଥମେ ସଂସ୍କୃତି ବିଭାଗକୁ ସୁଦୃଢ଼ କରନ୍ତୁ। ଓଡ଼ିଆ ଭାଷାକୁ ସୁଦୃଢ଼ ନକରିବା ଯାଏଁ ଏ ଦେଶରେ ଭାରତୀୟତା ପ୍ରକାଶ ପାଇ ପାରିବ ନାହିଁ। ଇଂରେଜ ଭାଷାଠାରୁ ବହୁ ପୁରୁଣା ଓଡ଼ିଆ ଭାଷା। ଶାସ୍ତ୍ରୀୟ ଭାଷା ଓଡ଼ିଆ କିନ୍ତୁ ଇଂରାଜୀ ନୁହେଁ। ଏ କଥାକୁ ସାଧାରଣ ଲୋକଙ୍କ ମନରେ ବୁଣିବା ପାଇଁ ଶିକ୍ଷା ଓ ସଂସ୍କୃତି ବିଭାଗର ଗୁରୁ ଦାୟିତ୍ବ ଅଛି। ଏହା ଅର୍ଥନୈତିକ ଦାୟିତ୍ବଠାରୁ ଆହୁରି ଉର୍ଦ୍ଧ୍ବରେ।’’

ପୁସ୍ତକମେଳା ପ୍ରବେଶ ପଥର ବାମ ପାର୍ଶ୍ବରେ ଖୋଲିଛି ‘ଆମ ଓଡ଼ିଶା’ ପ୍ରକାଶନୀ। ମେଳାର ଷ୍ଟଲ୍‌ ଗୁଡ଼ିକର ନାମକରଣ ଅନୁସାରେ ‘ବି-୧ ଓ ବି-୨’ରେ ଆମ ଓଡ଼ିଶାର ସମସ୍ତ ପୁସ୍ତକ ବିକ୍ରି କରାଯାଉଛି। ଆଜି ଏହି ଷ୍ଟଲ୍‌କୁ ‘ସମ୍ବାଦ’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ‘ଆମ ଓଡ଼ିଶା’ ପ୍ରକାଶନୀ ସଂପାଦକ ଅସିତ୍‌ ମହାନ୍ତି, ବିଶିଷ୍ଟ ସାହିତ୍ୟିକ ଗୋବିନ୍ଦ ଚାନ୍ଦ, ବିନୋଦ ପଣ୍ଡା, ପ୍ରଦୀପ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ମହୋତ୍ସବକୁ ଏକାମ୍ର ବିଧାୟକ ବାବୁ ସିଂ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି କହିଲେ, ପୁସ୍ତକ ସମାଜର ଦର୍ପଣ। ବଡ଼ ବଡ଼ ବିପ୍ଳବ ପୁସ୍ତକ ପାଇଁ ହୋଇଛି। ପୁସ୍ତକ ହିଁ ସମାଜକୁ ନୂଆ ଦିଶା ଦେଇ ଥାଏ। ତେଣୁ ଚଳିତ ବର୍ଷ ପୁସ୍ତକ ମହୋତ୍ସବକୁ ସରକାର ଅଭିନବ ଢଙ୍ଗରେ ଗୁରୁତ୍ବ ଦେଇ ଆୟୋଜନ କରିଛନ୍ତି। ପୁସ୍ତକ‌ମେଳାକୁ ଆସି ପୁସ୍ତକ କ୍ରୟ କରିବା ସହ ଉପହାରରେ ବହିଟିଏ ଦଅନ୍ତୁ। ସମ୍ମାନିତ ଅତିଥି ଭାବେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ବାଲେଶ୍ବର ବିଧାୟକ ମାନସ ଦତ୍ତ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଓ ମୁମ୍ବାଇ ଓଡ଼ିଆ ସମାଜର ସଭାପତି ବିପିନ ବିହାରୀ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସ୍ବାଗତ ଭାଷଣ ଓ ବିଭାଗର ନିର୍ଦ୍ଦେଶକ ବିଜୟକେତନ ଉପାଧ୍ୟାୟ ଧନ୍ୟବାଦ ଦେଇଥିଲେ।
ଏହି ଅବସରରେ ଅତିବଡ଼ି ଜଗନ୍ନାଥ ଦାସଙ୍କ କୃତ ‘ଶ୍ରୀମଦ ଭାଗବତ’, ଡ଼. ହରିହର କାନୁନ୍‌ଗୋଙ୍କ ଦ୍ୱାରା ରଚିତ ପୁସ୍ତକ ‘ବିବର୍ତ୍ତନରେ ଓଡ଼ିଆ ଭାଷା’, ଡ଼. ଅରବିନ୍ଦ ପଟ୍ଟନାୟକଙ୍କ ଦ୍ୱାରା ରଚିତ ‘ଓଡ଼ିଆ ଲୋକ ସାହିତ୍ୟ ଓ ସଂସ୍କୃତି’ ଏବଂ ବିଜୟ କୁମାର ପଢ଼ିହାରୀଙ୍କ ଦ୍ୱାରା ରଚିତ ଗୁରୁଚରଣ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ।

ସୌଜନ୍ୟ-ସମ୍ୱାଦ

Comments are closed.