ନୂଆଦିଲ୍ଲୀ: ୨୦୨୫ ଡିସେମ୍ବର ୩୧ରେ ହୋଇଥିବା ଏକ ଧର୍ମଘଟ ଦେଶରେ ଏକ ନୂଆ ବିତର୍କକୁ ଜନ୍ମ ଦେଇଛି। ସେହି ବିତର୍କରେ ରାଜନେତାଙ୍କଠାରୁ ଆରମ୍ଭ କରି କର୍ପୋରେଟ୍ ଲିଡର୍ ଓ କମ୍ପାନି ଗଢ଼ିଥିବା ପ୍ରତିଷ୍ଠାତାମାନେ ଯୋଡ଼ିହୋଇ ନିଜ ନିଜ ପକ୍ଷ ରଖୁଛନ୍ତି। ଏହି ବିତର୍କର ସିଧାସଳଖ ସମ୍ପର୍କ ସେହି ୭୭ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ସହିତ ରହିଛି ଯେଉଁମାନେ ଖରା, ବର୍ଷା, ଶୀତକୁ ଖାତିର ନ କରି ବର୍ଷତମାମ ଲୋକଙ୍କ ପାଖରେ ଭୋଜନଠାରୁ ଆରମ୍ଭ କରି ପନିପରିବା ପର୍ଯ୍ୟନ୍ତ ଅନେକ କିଛି ଜିନିଷ ପହଞ୍ଚାଉଛନ୍ତି। ସେମାନେ ହେଉଛନ୍ତି ଅନ୍ଲାଇନ୍ ପ୍ଲାଟ୍ଫର୍ମଗୁଡ଼ିକ ପାଇଁ କାମ କରୁଥିବା ଡେଲିଭରି ଏଜେଣ୍ଟ୍। ସେମାନଙ୍କ ବୃହତ୍ ପରିସରକୁ ଗିଗ୍ ଅର୍ଥନୀତିର ନାମ ଦିଆଯାଇଛି ଓ ସେମାନଙ୍କୁ ଗିଗ୍ ଶ୍ରମିକ କୁହାଯାଉଛି। ସ୍ବିଗି, ଜୋମାଟୋ, ବ୍ଲିଙ୍କଇଟ୍ ଭଳି ଅନ୍ଲାଇନ୍ ପ୍ଲାଟ୍ଫର୍ମ ପାଇଁ ସେମାନେ କାମ କରୁଛନ୍ତି।

