Breaking News

ୱକଫ୍‌ ଆଇନର ଧାରା ୪୦ ଇତିହାସ ହେବ: ଜମିକୁ ରାତାରାତି ୱକଫ୍ ସମ୍ପତ୍ତିରେ ପରିଣତ କରାଯାଇପାରିବ ନାହିଁ

ଲୋକସଭାରେ ଉପସ୍ଥାପିତ ୱକଫ୍ (ସଂଶୋଧନ) ବିଲ୍ ୨୦୨୫ରେ ୱକଫ୍ ଆଇନର ଧାରା ୪୦କୁ ଉଚ୍ଛେଦ କରିବାକୁ ପ୍ରସ୍ତାବ ରହିଛି। ଏହି ଧାରା ୱକଫ୍ ବୋର୍ଡ ଓ ଟ୍ରିବ୍ୟୁନାଲକୁ କୌଣସି ଜମିକୁ ୱକଫ୍ ସମ୍ପତ୍ତି ଭାବରେ ଘୋଷଣା କରିବାକୁ ଅନୁମତି ଦେଇଥାଏ।

ନୂଆଦିଲ୍ଲୀ: ଲୋକସଭାରେ ଉପସ୍ଥାପିତ ୱକଫ୍ (ସଂଶୋଧନ) ବିଲ୍ ୨୦୨୫ରେ ୱକଫ୍ ଆଇନର ଧାରା ୪୦କୁ ଉଚ୍ଛେଦ କରିବାକୁ ପ୍ରସ୍ତାବ ରହିଛି। ଏହି ଧାରା ୱକଫ୍ ବୋର୍ଡ ଓ ଟ୍ରିବ୍ୟୁନାଲକୁ କୌଣସି ଜମିକୁ ୱକଫ୍ ସମ୍ପତ୍ତି ଭାବରେ ଘୋଷଣା କରିବାକୁ ଅନୁମତି ଦେଇଥାଏ। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହାକୁ ସବୁଠାରୁ କଠୋର ବ୍ୟବସ୍ଥା (ଡ୍ରାକୋନୀୟ) ବୋଲି କହିବା ସହ ବ୍ୟାପକ ଜମି ହଡ଼ପ ପାଇଁ ଏହାର ଅପବ୍ୟବହାର କରାଯାଉଥିବା ଅଭିଯୋଗ କରିଛନ୍ତି। ନୂଆ ବିଲ୍‌ରେ ଏହି ନିଷ୍ପତ୍ତିକୁ ଅଦାଲତରେ ଚ୍ୟାଲେଞ୍ଜ କରିବାର ସୁବିଧା ରହିଛି।

ବୁଧବାର ଲୋକସଭାରେ ୱକଫ୍ ସଂଶୋଧନ ବିଲ୍ ଆଗତ କରିବା ପରେ ରିଜିଜୁ ଏହାକୁ ସମର୍ଥନ କରି କହିଥିଲେ ଯେ ଏହି ବିଲ୍ ମୁସଲମାନ ସମ୍ପ୍ରଦାୟର କୌଣସି ଜମି ଛଡ଼ାଇ ନେବ ନାହିଁ। ସେ କହିଛନ୍ତି ଯେ ବର୍ତ୍ତମାନର ୱକଫ୍ ଆଇନର ଧାରା ୪୦କୁ କିଛି ଲୋକ ନିଜ ସ୍ୱାର୍ଥ ପାଇଁ ଅପବ୍ୟବହାର କରୁଛନ୍ତି। ସେଥିପାଇଁ ଵକଫ୍ ସମ୍ପତ୍ତି ଲକ୍ଷାଧିକ ସଂଖ୍ୟାରେ ବୃଦ୍ଧି ପାଇଛି। ସରକାରୀ ତଥ୍ୟ ଅନୁଯାୟୀ, ଭାରତର ଵକଫ୍ ବୋର୍ଡ ୯.୪ ଲକ୍ଷ ଏକର ବିଶିଷ୍ଟ ୮.୭୨ ଲକ୍ଷ ସମ୍ପତ୍ତିକୁ ନିୟନ୍ତ୍ରଣ କରୁଛି। ଵକଫ୍ ଆସେଟ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ ଅଫ୍ ଇଣ୍ଡିଆର ଅଫିସିଆଲ୍ ୱେବ୍‌ସାଇଟ୍ ଅନୁଯାୟୀ, ସମଗ୍ର ଭାରତରେ ୩୦ଟି ଵକଫ୍ ବୋର୍ଡ ରହିଛି।

ଵକଫ୍ ଆଇନର ଧାରା ୪୦ ଅନୁଯାୟୀ, ୱକଫ୍ ବୋର୍ଡଗୁଡ଼ିକୁ ଏକ ସମ୍ପତ୍ତି ୱକଫ୍ ସମ୍ପତ୍ତି କି ନାହିଁ ତାହା ସ୍ଥିର କରିବାର ଅଧିକାର ଦିଆଯାଇଥିଲା। ଵକଫ୍ ଟ୍ରିବ୍ୟୁନାଲ ଦ୍ୱାରା ପ୍ରତ୍ୟାହାର କିମ୍ବା ସଂଶୋଧନ ନ ହେଲେ ବୋର୍ଡର ନିଷ୍ପତ୍ତି ଚୂଡ଼ାନ୍ତ ଥିଲା। ଅଦାଲତରେ ଏହାର ନିଷ୍ପତ୍ତି ବିରୋଧରେ ଆବେଦନ କରାଯାଇପାରିବ ନାହିଁ। ଵକଫ୍ ସଂଶୋଧନ ବିଲ୍‌ରେ ଵକଫ୍ ଟ୍ରିବ୍ୟୁନାଲର ନିଷ୍ପତ୍ତିକୁ ଚୂଡ଼ାନ୍ତ ରୂପ ଦେବାର ବ୍ୟବସ୍ଥାକୁ ବାଦ୍ ଦିଆଯାଇଛି ଏବଂ ଏହାର ଆଦେଶକୁ ୯୦ ଦିନ ମଧ୍ୟରେ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇପାରିବ। ରିଜିଜୁଙ୍କ କହିବା ଅନୁଯାୟୀ, ୱକଫ୍ ସମ୍ପତ୍ତିକୁ ନେଇ ୪୦ ହଜାରରୁ ଅଧିକ ମାମଲା ରହିଛି। ଯଦି କେହି ଵକଫ୍ ବୋର୍ଡ ଓ ଟ୍ରିବ୍ୟୁନାଲ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୁଅନ୍ତି, ତେବେ ସେ ଅଦାଲତଙ୍କ ଦ୍ୱାରସ୍ଥ ହୋଇପାରିବେ।  ବିଲ୍‌ରେ ପ୍ରସ୍ତାବ ଦିଆଯାଇଛି ଯେ କୌଣସି ସମ୍ପତ୍ତି ୱକଫ୍ ସମ୍ପତ୍ତି କି ନାହିଁ ତାହା ସ୍ଥିର କରିବାର କ୍ଷମତା ଜିଲ୍ଲାପାଳଙ୍କ ପାଖରେ ରହିବା ଉଚିତ।

ଉମ୍ମିଦ ବିଲ୍ ଅନୁଯାୟୀ, ଅତି କମ୍‌ରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଇସଲାମ ଧର୍ମ ପାଳନ କରୁଥିବା ବ୍ୟକ୍ତି ହିଁ ଵକଫ୍ ଘୋଷଣା କରିପାରିବେ ଏବଂ ସମ୍ପତ୍ତି ତାଙ୍କ ନିଜ ମାଲିକାନାରେ ଥିବା ଆବଶ୍ୟକ। ସମ୍ପତ୍ତିକୁ ଵକଫ୍ ସମ୍ପତ୍ତିରେ ପରିଣତ କରିବାରେ ଵକଫ୍ ଆଇନର ସ୍ବେଚ୍ଛାଚାର ବିଷୟରେ ବୁଝାଇବାକୁ ଚେଷ୍ଟା କରି ରିଜିଜୁ କହିଛନ୍ତି ଯେ ସଂସଦ ଭବନ, ଦିଲ୍ଲୀ ବିମାନବନ୍ଦର ପରିସର ଓ ସିଜିଓ କମ୍ପ୍ଲେକ୍ସକୁ ୱକଫ୍ ସମ୍ପତ୍ତି ଘୋଷଣା କରାଯିବାର ସମ୍ଭାବନା ଥିଲା ଏବଂ ଏହାକୁ ରୋକିବା ପାଇଁ ନୂତନ ବିଲ୍‌ରେ ପ୍ରୟାସ କରାଯାଇଛି।

ୱକଫ୍‌ ବିଲ୍‌ର ନୂଆ ନାମ ‘ଉମ୍ମିଦ’
ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଆଜି ୱକଫ୍‌ ବିଲ୍‌ର ନୂଆ ନାମ  ଘୋଷଣା କରିଛନ୍ତି। ଏବେ ଏହା ୟୁନିଫାଇଡ୍ ଵକଫ୍ ମ୍ୟାନେଜମେଣ୍ଟ ଏମ୍ପାୱାରମେଣ୍ଟ, ଏଫିସିଏନ୍ସି ଆଣ୍ଡ୍ ଡେଭ୍‌ଲପ୍‌ମେଣ୍ଟ ବିଲ୍ (ଉମ୍ମିଦ)ନାମରେ ପରିଚିତ ହେବ। ରିଜିଜୁ କହିଛନ୍ତି ‘ଆମେ ଯେଉଁ ୱକଫ୍ (ସଂଶୋଧନ) ବିଲ୍ ଉପସ୍ଥାପନ କରିଛୁ ସେଥିରେ ଜେପିସିର ଅନେକ ସୁପାରିସ ରହିଛି, ଯାହାକୁ ଆମେ ଗ୍ରହଣ କରିଛୁ ଏବଂ ଏହି ବିଲ୍‌ ଅନ୍ତର୍ଭୁକ୍ତ କରିଛୁ। ଏହି ବିଲ୍‌ରେ ଜେପିସିର ସୁପାରିସକୁ ଅନ୍ତର୍ଭୁକ୍ତ କରାଯାଇ ନାହିଁ ବୋଲି କହିବା ଭୁଲ୍। ଏହି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ନବଗଠିତ ବ୍ୟବସ୍ଥା ଓ ଏକୀକୃତ ୱକଫ୍‌ ପରିଚାଳନା। ‘ଉମ୍ମିଦ’ ହେଉଛି ‘ଆଶା’ ଏବଂ ଏହା  ନୂତନ ଆଶାର ସଂଚାର କରିବ।

ୱକଫ୍ ସଂଶୋଧନ ବିଲ୍‌: ପ୍ରମୁଖ ସଂସ୍କାର
ନୂଆଦିଲ୍ଲୀ: ‘ଇସଲାମରେ ପବିତ୍ର, ଧାର୍ମିକ କିମ୍ବା ଦାନକାରୀ ଉଦ୍ଦେଶ୍ୟରେ ସ୍ଥାବର କିମ୍ବା ଅସ୍ଥାବର ସମ୍ପତ୍ତିର ସ୍ଥାୟୀ ସମର୍ପଣକୁ ‘ଵକଫ୍’ କୁହାଯାଏ।  ଭାରତରେ ମସଜିଦ, ଇଦ୍‌ଗାହ, ଦରଘା,  ଇମାମବାଡ଼ା ଓ କବରସ୍ତାନ ଆଦି ସମ୍ପତ୍ତି ଵାକଫ ଅଧୀନରେ ରହିଛି। ୧୯୫୪ର ୱକଫ୍ ଆଇନ ଅନୁଯାୟୀ ୱକଫ୍ ସମ୍ପତ୍ତି ହେଉଛି ମୁସଲମାନ ଆଇନ ଦ୍ୱାରା  ଦାତବ୍ୟ ଭାବରେ ସ୍ୱୀକୃତିପ୍ରାପ୍ତ କୌଣସି ଉଦ୍ଦେଶ୍ୟରେ ଯେ କୌଣସି ସ୍ଥାବର କିମ୍ବା ଅସ୍ଥାବର ସମ୍ପତ୍ତିର ସ୍ଥାୟୀ ଦାନ। ୧୯୯୫ ମସିହାରେ  ‘ଓକାଫ’ (ୱକଫ୍‌ ଭାବରେ ଦାନ ଏବଂ ବିଜ୍ଞପ୍ତି ପ୍ରାପ୍ତ ସମ୍ପତ୍ତି)କୁ ନିୟନ୍ତ୍ରଣ କରିବା ପାଇଁ ୱକଫ୍‌ ଆଇନ ପ୍ରଣୟନ କରାଯାଇଥିଲା। ପରବର୍ତ୍ତୀ ସମୟରେ ୨୦୧୩ରେ ୟୁପିଏ ସରକାର ଉକ୍ତ ଆଇନରେ ସଂଶୋଧନ କରିଥିଲେ। ଏବେ ଏନ୍‌ଡିଏ ସରକାରଙ୍କ ୱକଫ୍‌ ବିଲ୍ ଅଧୀନରେ ପ୍ରସ୍ତାବିତ ସଂଶୋଧନର ଉଦ୍ଦେଶ୍ୟ ହେଉଛି ୱକଫ୍‌ର ଉନ୍ନତ ପରିଚାଳନା, ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା।  ଦେଶରେ ୱକଫ୍ ପ୍ରଶାସନରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ବିଲ୍‌ରେ ପ୍ରାବଧାନ ରହିଛି। ୱକଫ୍ ସମ୍ପତ୍ତି ପରିଚାଳନା ପାଇଁ ଏକ ସୁବ୍ୟବସ୍ଥିତ, ଜ୍ଞାନକୌଶଳ ଭିତ୍ତିକ ଏବଂ ଆଇନଗତ ଭାବେ ସୁଦୃଢ଼ ଢାଞ୍ଚା ସୃଷ୍ଟି କରିବା ଏବଂ ଏହା ସହିତ ଉଦ୍ଦିଷ୍ଟ ହିତାଧିକାରୀଙ୍କ ପାଇଁ ସାମାଜିକ-ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ବିଲ୍‌ରେ ବ୍ୟବସ୍ଥା ରହିଛି।

    ଵକଫ୍ ଠାରୁ ଟ୍ରଷ୍ଟକୁ ଅଲଗା କରିବା: କୌଣସି ଆଇନ ଅନୁଯାୟୀ ମୁସଲମାନମାନଙ୍କ ଦ୍ୱାରା ଗଠିତ ଟ୍ରଷ୍ଟଗୁଡ଼ିକୁ ଆଉ ୱକଫ୍ ଭାବରେ ବିବେଚନା କରାଯିବ ନାହିଁ। ଟ୍ରଷ୍ଟ ଅଲଗା ରହିବ ଓ ଭିନ୍ନ ଆଇନ ଦ୍ବାରା ପରିଚାଳିତ ହେବ। 

    ଟେକ୍ନୋଲୋଜି ଏବଂ ସେଣ୍ଟ୍ରାଲ ପୋର୍ଟାଲ: ଏକ କେନ୍ଦ୍ରୀଭୂତ ପୋର୍ଟାଲ ପଞ୍ଜୀକରଣ, ଅଡିଟ୍, ଅଂଶଗ୍ରହଣ   ସମେତ ୱକଫ୍‌ ସମ୍ପତ୍ତି ପରିଚାଳନାକୁ ସ୍ୱୟଂଚାଳିତ କରିବ, ଦକ୍ଷତା ଏବଂ ସ୍ୱଚ୍ଛତା ସୁନିଶ୍ଚିତ କରାଯିବ।ଏହା ମଧ୍ୟ ୱକଫ୍‌ ପରିଚାଳନାର ଅଟୋମେସନ୍ ପାଇଁ ଟେକ୍ନୋଲୋଜି  ବ୍ୟବହାର ହେବ।  

    ପାରିବାରିକ ଵକଫ୍‌ରେ ମହିଳାଙ୍କ ଅଧିକାର: ଵକଫ୍‌ ସମର୍ପଣ ପୂର୍ବରୁ ମହିଳାମାନେ ସେମାନଙ୍କର ଉଚିତ ଉତ୍ତରାଧିକାର ପାଇବା ଆବଶ୍ୟକ। ବିଧବା, ଛାଡ଼ପତ୍ର ପ୍ରାପ୍ତ ମହିଳା ଏବଂ ଅନାଥଙ୍କ ପାଇଁ ବିଲ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। 

    ସ୍ୱଚ୍ଛ ୱକଫ୍ ପରିଚାଳନା: ଉତ୍ତରଦାୟିତ୍ୱ ବଢ଼ାଇବା ପାଇଁ ମୁତାୱାଲି(ସୁପର୍‌ଭାଇଜର)ଙ୍କୁ ୬ ମାସ ମଧ୍ୟରେ କେନ୍ଦ୍ରୀୟ ପୋର୍ଟାଲରେ ସମ୍ପତ୍ତି ବିବରଣୀ ଦାଖଲ କରିବାକୁ ପଡ଼ିବ। 

    ସରକାରୀ ଜମି ଓ ଵକଫ୍ ବିବାଦ: ଜିଲ୍ଲାପାଳ ପାହ୍ୟାର ଜଣେ ଅଧିକାରୀ ୱକଫ୍‌ ଭାବେ ଦାବି କରାଯାଉଥିବା ସରକାରୀ ସମ୍ପତ୍ତିର ଯାଞ୍ଚ କରିବେ, ଯାହା ଦ୍ୱାରା ଅଯଥା ଦାବିକୁ ରୋକାଯାଇପାରିବ। 

    ୱକଫ୍ ଟ୍ରିବ୍ୟୁନାଲକୁ ସୁଦୃଢ଼ କରିବା: ଏକ ଗଠନମୂଳକ ଚୟନ ପ୍ରକ୍ରିୟା ଏବଂ ନିର୍ଦ୍ଧାରିତ କାର୍ଯ୍ୟକାଳ ବିବାଦ ସମାଧାନରେ ସ୍ଥିରତା ଏବଂ ଦକ୍ଷତା ସୁନିଶ୍ଚିତ କରେ। ଏଥିପାଇଁ ବିଲ୍‌ରେ ପ୍ରାବଧାନ ରହିଛି। 

    ଅଣ-ମୁସଲମାନ ପ୍ରତିନିଧିତ୍ୱ: ଅନ୍ତର୍ଭୁକ୍ତୀକରଣ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ୱକଫ୍‌ ବୋର୍ଡରେ ଦୁଇ ଜଣ ଅଣମୁସଲମାନ ସଦସ୍ୟଙ୍କୁ ଅନ୍ତର୍ଭୁକ୍ତ କରାଯିବ। ଏହା ସହିତ ଵକଫ୍ ବୋର୍ଡରେ ଵକଫ୍ ଅନୁଷ୍ଠାନର ବାଧ୍ୟତାମୂଳକ ଅବଦାନକୁ ୭%ରୁ ୫%କୁ ହ୍ରାସ କରାଯାଇଛି, ଯାହା ଦ୍ୱାରା ପରୋପକାରୀ କାର୍ଯ୍ୟ ପାଇଁ ଅଧିକ ପାଣ୍ଠି ଉପଲବ୍ଧ ହେବ। 

    ଲିମିଟେସନ୍ ଆକ୍ଟ: ଲିମିଟେସନ୍ ଆକ୍ଟ, ୧୯୬୩ ଏବେ ଵକଫ୍ ସମ୍ପତ୍ତି ଦାବି ଉପରେ ଲାଗୁ ହେବ, ଯାହା ଦ୍ୱାରା ଦୀର୍ଘ ସମୟ ଧରି ମାମଲା ହ୍ରାସ ପାଇବ। 

    ବାର୍ଷିକ ଅଡିଟ୍ : ବାର୍ଷିକ ୧ ଲକ୍ଷ ଟଙ୍କାରୁ ଅଧିକ ଆୟ କରୁଥିବା ଵକଫ୍ ଅନୁଷ୍ଠାନଗୁଡ଼ିକୁ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଅଡିଟରଙ୍କ ଦ୍ୱାରା ଅଡିଟ୍ କରିବାକୁ ପଡ଼ିବ। 

    ମନଇଚ୍ଛା ସମ୍ପତ୍ତି ଦାବି  ଉଚ୍ଛେଦ : ଏହି ବିଲ୍ ଧାରା ୪୦କୁ ହଟାଇଦେଇଛି, ଯାହା ୱକଫ୍ ବୋର୍ଡକୁ ମନଇଚ୍ଛା ବିଭିନ୍ନ ସମ୍ପତ୍ତିକୁ ୱକଫ୍ ଘୋଷଣା କରିବାରୁ ରୋକିବ। ସମଗ୍ର ଗ୍ରାମକୁ ଵକଫ୍ ଘୋଷଣା କରିବା ଭଳି ଅପବ୍ୟବହାରକୁ ଏଡ଼ାଇ ଦିଆଯିବ।

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.