ଖେଳ

ୱାଙ୍ଖ୍‌ଡେରେ ବ୍ରିଟିସ୍‌ଙ୍କୁ ପାନେ, ୭ ରନ୍‌ରେ ହାରିଲା: ଫାଇନାଲ୍‌ରେ ଭାରତ

ୱାଙ୍ଖ୍‌ଡେରେ ରନ୍‌ ବର୍ଷା ଭିତରେ ବାଜି ମାରି ନେଇଛି ଭାରତ। ଇଂଲଣ୍ଡକୁ ୭ ରନ୍‌ରେ ହରାଇ ଭାରତ ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଫାଇନାଲ୍‌ରେ ପହଞ୍ଚିଛି। ପୁଣି ସଂଜୁ ସାସମନ୍‌ (୪୨ ବଲ୍‌ରୁ ୮୯ ରନ୍)ଙ୍କ ବଳରେ ବଳିୟାନ ଭାରତ ୨୫୩ ରନ୍‌ର ଆହ୍ବାନଭରା ସ୍କୋର୍‌ କରିଥିଲା।

ମୁମ୍ବାଇ: ୱାଙ୍ଖ୍‌ଡେରେ ରନ୍‌ ବର୍ଷା ଭିତରେ ବାଜି ମାରି ନେଇଛି ଭାରତ। ଇଂଲଣ୍ଡକୁ ୭ ରନ୍‌ରେ ହରାଇ ଭାରତ ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଫାଇନାଲ୍‌ରେ ପହଞ୍ଚିଛି। ପୁଣି ସଂଜୁ ସାସମନ୍‌ (୪୨ ବଲ୍‌ରୁ ୮୯ ରନ୍)ଙ୍କ ବଳରେ ବଳିୟାନ ଭାରତ ୨୫୩ ରନ୍‌ର ଆହ୍ବାନଭରା ସ୍କୋର୍‌ କରିଥିଲା। ଜବାବରେ ଜ୍ୟାକବ୍‌ ବେଥେଲଙ୍କ ପ୍ରଥମ ଶତକ (୪୮ ବଲ୍‌ରୁ ୧୦୫ ରନ୍) ସତ୍ତ୍ବେ ଇଂଲଣ୍ଡ ୨୪୬ ରନ୍‌ରେ ଅଟକିଯାଇଥିଲା। ଶେଷ ୩ ଓଭରରୁ ଇଂଲଣ୍ଡକୁ ୪୫ ରନ୍‌ ଆବଶ୍ୟକ ହେଉଥିବାବେଳେ ୧୮ତମ ଓଭରରେ ବୁମ୍‌ରା ୬ ରନ୍‌ ଏବଂ ୧୯ତମ ଓଭରରେ ହାର୍ଦିକ ୯ ରନ୍ ଦେଇ ବିଜୟ ଛଡ଼ାଇ ଆଣିଥିଲେ। ଶିବମ ଦୁବେ‌ ବୋଲିଂ କରିଥିବା ୨୦ତମ ଓଭରରୁ ଆର୍ଚର ୩ ଛକା ମାରିଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇନଥିଲା। ଭାରତ ରବିବାର ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ନ୍ୟୁଜିଲାଣ୍ଡ୍‌ ସହ ଫାଇନାଲ୍‌ ‌‌ଖେଳିବ।

ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଶେଷ ସୁପର୍‌-୮ର ବିଜୟୀ ଏକାଦଶରେ କୌଣସି ପରିବର୍ତ୍ତନ ନକରି ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇଥିଲା। ରବିବାର ଯେଉଁଠାରେ ନିଜ ମ୍ୟାଚ୍‌ ବିଜୟୀ ପାଳିକୁ ଛାଡ଼ିଥିଲେ ଗୁରୁବାର ସଂଜୁ ସାମସନ୍‌ ସେହିଠାରୁ ଆରମ୍ଭ କରିଥିଲେ। ପ୍ରଥମ ରାଉଣ୍ଡ୍‌ରେ ଜୋଫ୍ରା ଆର୍ଚରଙ୍କ ବିପକ୍ଷରେ ବ୍ୟକ୍ତିଗତ ଲଢ଼େଇ‌ରେ ବାଜି ମାରି ନେଇଥିଲେ ସଂଜୁ। ଗୋଟିଏ ଚୌକା ଓ ଛକା ସହ ୧୨ ରନ୍‌ ଆଦାୟ ହୋଇଥିଲା ଏହି ଓପନିଂ ଓଭରରୁ। ଦ୍ବିତୀୟ ଓଭର ଶେଷ ବଲ୍‌ରେ ଅଭିଷେକ ଶର୍ମା (୭ ବଲ୍‌ରୁ ୯ ରନ୍)ଙ୍କୁ ୱିଲ୍‌ ଜ୍ୟାକ୍‌ ଶିକାର କରି ନେଇଥିଲେ। ଆର୍ଚରଙ୍କ ଓଭରରେ କିନ୍ତୁ ସଂଜୁଙ୍କ କ୍ୟାଚ୍‌କୁ ହାତଛଡ଼ା କରି ହ୍ୟାରି ବ୍ରୁକ୍‌ ସେମିଫାଇନାଲ୍‌ ବିଜୟ ସୁଯୋଗ ହରାଇ ଦେଇଥିଲେ। ସଂଜୁଙ୍କ ସହ ଈଶାନ କିଶନ ଯୋଗଦେବା ପରେ ରନ୍‌ ଗତି ବଳବତ୍ତର ରହିଥିଲା। ପାୱାର ପ୍ଲେ’ ୬ ଓଭରରୁ ଭାରତ ଅଭିଷେକଙ୍କ ଏକମାତ୍ର ୱିକେଟ୍‌ ବିନିମୟରେ ୬୭ ରନ୍‌ ଆଦାୟ କରିଥିଲା। ସଂଜୁ ମାତ୍ର ୨୬ ବଲ୍‌ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରିବା ସହ ଈଶାନ କିଶନଙ୍କ ସହ ଦ୍ବିତୀୟ ୱିକେଟ୍‌ରେ ୯୭ ରନ୍‌ ଯୋଡ଼ିଥିଲେ। ଏଥି ପାଇଁ ଉଭୟ ମାତ୍ର ୪୫ ବଲ୍‌ ଖେଳିଥିଲେ। ଈଶାନ କିଶନ ୧୮ ବଲ୍‌ରୁ ୩୯ ରନ୍‌ ସଂଗ୍ରହ କରି ଆଦିଲ ରସିଦ୍‌ଙ୍କ ଶିକାର ହୋଇଥିଲେ।

ରେକର୍ଡ ଛକା ବର୍ଷା 
ବେଥେଲ୍‌ଙ୍କ ଶତକ ବୃଥା

ଏହା ପରେ ସଂଜୁ ଓ ଶିବମ ଦୁବେ ମଧ୍ୟ ଏକ ଜୋରଦାର ଭାଗୀଦାର ଗଢ଼ିଥିଲେ। ୨୨ ବଲ୍‌ରୁ ୪୩ ରନ୍‌ ଯୋଡ଼ିବାରୁ ଭାରତ ୧୨.୪ ଓଭରରେ ୧୫୦ ରନ୍‌ ଅତିକ୍ରମ କରିଯାଇଥିଲା। ହାର୍ଦିକଙ୍କ ସହ ଭୁଲ ବୁଝାମଣା ପାଇଁ ଶିବମ ଦୁବେ (୨୫ ବଲ୍‌ରୁ ୪୩ ରନ୍) ରନ୍‌ ଆଉଟ୍‌ ହୋଇଯାଇଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ (୧୧ ରନ୍) ଆଦିଲ ରସିଦ୍‌ଙ୍କୁ ଛକା ମାରିବାର ପରବର୍ତ୍ତୀ ବଲ୍‌ରେ ଷ୍ଟମ୍ପିଂ ହୋଇଯାଇଥିଲେ। ସଂଜୁ (୪୨ ବଲ୍‌ରୁ ୮୯ ରନ୍‌, ୮ ଚୌକା, ୭ ଛକା) ପୁଣି ଥରେ ଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ ଶେଷ ଭାଗରେ ହାର୍ଦିକ ପାଣ୍ଡ୍ୟା (୧୨ ବଲ୍‌ରୁ ୨୭ ରନ୍) ଏବଂ ତିଳକ ବର୍ମା (୭ ବଲ୍‌ରୁ ୨୧ ରନ୍) ବିସ୍ଫୋରକ ବ୍ୟାଟିଂ କରିବାରୁ ଭାରତ ୨୫୩ ରନ୍‌ରେ ଅଭିଯାନ ଶେଷ କରିଥିଲା। ଜୋଫ୍ରା ଆର୍ଚର (୧/୬୧) ଏବଂ ସାମ କରନ୍‌ (୦/୫୩) ସବୁଠାରୁ ମହଙ୍ଗା ବୋଲର ଥିଲେ। ଭାରତ ଏକମାତ୍ର ଦଳ ଭାବେ ଦ୍ବିତୀୟ ଥର ବିଶ୍ବକପ୍‌ ନକ୍‌ ଆଉଟ୍‌ ମ୍ୟାଚ୍‌ରେ ୨୫୦+ ସ୍କୋର୍‌ କରିଥିବାବେଳେ ମୋଟ ଉପରେ ୬ ଥର ୨୫୦+ ସ୍କୋର୍ କରିଛି। ଗୋଟିଏ ବିଶ୍ବକପ୍‌ ପାଳିରେ ଯୁଗ୍ମ ସର୍ବାଧିକ ଛକା (୧୯*) ରେକର୍ଡ ବି ନିଜ ନାମରେ ଲେଖି ଦେଇଥିଲା। ପୂର୍ବରୁ ୨୦୧୪ରେ ଆୟର୍ଲାଣ୍ଡ୍‌ ବିପକ୍ଷରେ ନେଦରଲାଣ୍ଡ୍‌ ଏବଂ ଚଳିତ ସଂସ୍କରଣରେ ଜିମ୍ବାୱେ ବିପକ୍ଷରେ ୱେଷ୍ଟଇଣ୍ଡିଜ୍‌ ମଧ୍ୟ ସମାନ ୧୯ ଲେଖାଏଁ ଛକା ମାରିଥିଲେ। ସବୁ ମ୍ୟାଚ୍‌ରେ ସୁଯୋଗ ପାଇନଥିଲେ ମଧ୍ୟ ସଂଜୁ ସାମସନ୍‌ ଏକାକୀ ୧୬ ଛକା ମାରି ଭାରତର ଅଗ୍ରଣୀ ବ୍ୟାଟର୍‌ ଅଛନ୍ତି। ଭାରତ ମୋଟ ୮୮ ଛକା ମାରି ଗୋଟିଏ ସଂସ୍କରଣ ରେକର୍ଡକୁ ମଧ୍ୟ ନିଜ ନାମରେ କରିଛି।

ସଂକ୍ଷିପ୍ତ ସ୍କୋର: ଭାରତ ୨୦ ଓଭରରେ ୨୫୩/୭ (ସଂଜୁ ସାମସନ୍‌-୮୯, ଶିବମ ଦୁବେ-୪୩, ଈଶାନ କିଶନ-୩୯, ହାର୍ଦ୍ଦିକ ପାଣ୍ଡ୍ୟା-୨୭, ତିକଳ ବର୍ମା-୨୧, ୱିଲ୍‌ ଜ୍ୟାକ୍ସ-୨/୪୦, ଆଦିଲ ରସିଦ୍-୨/୪୧, ଜୋର୍ଫା ଆର୍ଚର-୧/୬୧)। ଇଂଲଣ୍ଡ ୨୦ ଓଭରରେ ୨୪୬/୭ (ଜ୍ୟାକବ୍‌ ବେଥେଲ-୧୦୫, ୱିଲ୍‌ ଜ୍ୟାକ୍ସ-୩୫, ଜୋସ୍‌ ବଟଲର୍‌-୨୫, ଜୋଫ୍ରା ଆର୍ଚର-୧୯*, କରନ୍‌-୧୮, ହାର୍ଦିକ ପାଣ୍ଡ୍ୟା-୨/୩୮, ଯଶପ୍ରୀତ୍‌ ବୁମ୍‌ରା-୧/୩୩, ଅକ୍ଷର ପଟେଲ୍‌-୧/୩୫, ଅର୍ଶଦୀପ ସିଂହ-୧/୫୧ ବରୁଣ ଚକ୍ରବର୍ତ୍ତୀ-୧/୬୪)।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button