Breaking News

ୱିଣ୍ଡ୍‌ଫଲ୍‌ ଟିକସ ଉଚ୍ଛେଦ ପ୍ରଭାବ: ତେଲ ଟିକସ ଆଦାୟ ହ୍ରାସ

ପେଟ୍ରୋଲ୍ ଓ ଡିଜେଲ୍‌ରୁ ଟିକସ ଆକାରରେ ହେଉଥିବା ଆୟ ହ୍ରାସ ପାଇବାରେ ଲାଗିଛି। ୨୦୨୪ର ଏପ୍ରିଲ୍‌ରୁ ସେପ୍ଟେମ୍ବର ଭିତରେ ପେଟ୍ରୋଲିୟମ୍ ସାମଗ୍ରୀରୁ ୧.୨୨ ଲକ୍ଷ କୋଟି ଟଙ୍କାର ଟିକସ ସଂଗ୍ରହ ହୋଇଛି।

ନୂଆଦିଲ୍ଲୀ: ପେଟ୍ରୋଲ୍ ଓ ଡିଜେଲ୍‌ରୁ ଟିକସ ଆକାରରେ ହେଉଥିବା ଆୟ ହ୍ରାସ ପାଇବାରେ ଲାଗିଛି। ୨୦୨୪ର ଏପ୍ରିଲ୍‌ରୁ ସେପ୍ଟେମ୍ବର ଭିତରେ ପେଟ୍ରୋଲିୟମ୍ ସାମଗ୍ରୀରୁ ୧.୨୨ ଲକ୍ଷ କୋଟି ଟଙ୍କାର ଟିକସ ସଂଗ୍ରହ ହୋଇଛି। ଦେଶ ଭିତରେ ଉତ୍ପାଦନ ହେଉଥିବା ତେଲ ଉପରୁ ୱିଣ୍ଡ୍‌ଫଲ୍‌ ଟିକସ ଉଚ୍ଛେଦ କରାଯାଇଥିବାରୁ ଆଗାମୀ ଦିନରେ ସରକାରଙ୍କ ଆୟ ଆହୁରି ହ୍ରାସ ପାଇବା ଆଶଙ୍କା କରାଯାଉଛି। ୨୦୨୩-୨୪ ଆର୍ଥିକ ବର୍ଷ ସାରାରେ ତେଲ ଟିକସ ବାବଦରେ ୨.୭୩ ଲକ୍ଷ କୋଟି ଟଙ୍କା ଆୟ ହୋଇଥିଲା। ୨୦୨୨ ମେ’ରେ ଶେଷ ଥର ଲାଗି ପେଟ୍ରୋଲ୍ ଓ ଡିଜେଲର ଉତ୍ପାଦନ ଶୁଳ୍କ ବଦଳିଥିଲା। ୨୦୨୩-୨୪ର ପ୍ରଥମ ଆଠ ମାସରେ ୧୫୨.୩୭ ଏମ୍‌ଟି ତେଲ ବିକ୍ରି ହୋଇଥିଲା। ଚଳିତ ଆର୍ଥିକ ବର୍ଷର ସେହି ସମାନ ସମୟରେ ତା’ଠାରୁ ଅଧିକ ୧୫୭.୩୩ ଏମ୍‌ଟି ତେଲ ବିକ୍ରି ହୋଇଛି। ତେଣୁ ଟିକସ ଆୟ ପଛ‌ରେ ତେଲ ଚାହିଦା ଏକ କାରଣ ନୁହେଁ। ପେଟ୍ରୋଲ୍‌ ଉପରେ ଲିଟର ପିଛା ୧୯ ଟଙ୍କା ୯୦ ପଇସା ଓ ଡିଜେଲ୍ ଉପରେ ୧୫ ଟଙ୍କା ୮୦ ପଇସାର ଉତ୍ପାଦନ ଶୁଳ୍କ ଲାଗୁ କରାଯାଇଛି।

ଏହା ବ୍ୟତୀତ ରାଜ୍ୟ ସରକାର ଭାଟ୍ ଲଗାଉଛନ୍ତି। ତେବେ ଦେଶ ଭିତରେ ଉତ୍ପାଦନ ହେଉଥିବା ଅଶୋଧିତ ତୈଳ ଏବଂ ପେଟ୍ରୋଲ୍‌, ଡିଜେଲ୍ ଓ ଆଭିଏସନ୍ ଟର୍ବାଇନ୍ ଫୁଏଲ୍‌ (ଏଟିଏଫ୍‌) ଉପରେ ସ୍ବତନ୍ତ୍ର ଅତିରିକ୍ତ ଉତ୍ପାଦନ ଶୁଳ୍କ ବା ୱିଣ୍ଡ୍‌ଫଲ୍‌ ଟିକସ ଲଗାଯାଇଥିଲା। ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ପରେ ୨୦୨୨ ଜୁଲାଇ ୧ରୁ ଏହାକୁ ଲାଗୁ କରାଯାଇଥିଲା। ଦେଶରେ ଉତ୍ପାଦିତ ତେଲ ରପ୍ତାନିକୁ ନିରୁତ୍ସାହିତ କରିବା ଲାଗି ଏହି ଟିକସ ଲଗାଯାଇଥିଲା। କିନ୍ତୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ କମ୍ ହେବା ପରେ ଏହି ଟିକସ ପ୍ରାସଙ୍ଗିକତା ହରାଇଥିଲା। ୨୯ ମାସ ପରେ ଗତ ସପ୍ତାହରେ ସରକାର ୱିଣ୍ଡ୍‌ଫଲ୍ ଟିକସକୁ ପ୍ରତ୍ୟାହାର କରିଛନ୍ତି।

ସୌଜନ୍ୟ-ସମ୍ୱାଦ

Comments are closed.