2 Arrested ପୂର୍ବଶତ୍ରୁତାରୁ ହଣାକଟା: ୨ ଗିରଫ, ବାଳସୁଧାର ଗୃହକୁ ଗଲା ନାବାଳକ
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସେକ୍ଟର-୨୧ ନୟାବଜାର ଅଞ୍ଚଳରେ ୨ ଗୋଷ୍ଠୀ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା। ଏହି ଘଟଣାରେ ପ୍ଲାଣ୍ଟସାଇଟ୍ ପୁଲିସ ଉଭୟ ଗୋଷ୍ଠୀର ୨ ଜଣଙ୍କୁ arrest କରିଥିବାବେଳେ ଜଣେ ନାବାଳକଙ୍କୁ ବାଳସୁଧାର ଗୃହକୁ ପଠାଇଛି।

ରାଉରକେଲା: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସେକ୍ଟର-୨୧ ନୟାବଜାର ଅଞ୍ଚଳରେ ୨ ଗୋଷ୍ଠୀ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା। ଏହି ଘଟଣାରେ ଝରିଆବାହାଲ ଅଞ୍ଚଳର ସୁମିତ ଆହତ ହୋଇଥିବାବେଳେ ଟିମ୍ବର କଲୋନିର ପ୍ରଦୀପ ବିଶ୍ବାଳ ଚାପଡ଼ ଚୋଟରେ ଗୁରୁତର ହୋଇ ହାଇଟେକ୍ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣାରେ ପ୍ଲାଣ୍ଟସାଇଟ୍ ପୁଲିସ ଉଭୟ ଗୋଷ୍ଠୀର ୨ ଜଣଙ୍କୁ ଗିରଫ କରିଥିବାବେଳେ ଜଣେ ନାବାଳକଙ୍କୁ ବାଳସୁଧାର ଗୃହକୁ ପଠାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଫଟାପାଇପ୍ ଅଞ୍ଚଳର ଆନନ୍ଦ ଗୌଡ଼(୨୬) ଓ ଟିମ୍ବର କଲୋନିର ସୁରଜ ନାୟକ(୨୨)। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।
ବସ୍ତି ଯୁବକଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା
ସୂଚନାନୁଯାୟୀ, ଅନେକ ଦିନ ହେଲା ଟିମ୍ବର କଲୋନି ଓ ନୟାବଜାର ଝରିଆବାହାଲ ବସ୍ତି ଯୁବକଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା। ଏହିକ୍ରମରେ ୩ ଦିନ ପୂର୍ବେ ଉଭୟ ଗୋଷ୍ଠୀମଧ୍ୟରେ ବଚସା ହୋଇଥିଲା। ମଙ୍ଗଳବାର ରାତିରେ ଟିମ୍ବର କଲୋନିର ସୁରଜ ନାୟକ ଝରିଆବାହାଲ ଅଞ୍ଚଳକୁ ଯାଇଥିଲା। ସେଠାରେ ସୁମିତ ନାମକ ଜଣେ ଯୁବକଙ୍କ ସହ ତାର ଝଗଡ଼ା ହୋଇଥିଲା। ସୁରଜ କ୍ରୋଧରେ ସୁମିତକୁ ପିଟି ମୁଣ୍ଡ ଫଟାଇ ସେଠାରୁ ଚମ୍ପଟ୍ ମାରିଥିଲା।
କିଛି ସମୟ ପରେ ଅର୍ଥାତ୍ ସାଢ଼େ ୯ଟାବେଳେ ସ’ମିଲ୍ ଛକରେ ଆନନ୍ଦ ଗୌଡ଼ ଓ ଜଣେ ନାବାଳକ(୧୭) ଟିମ୍ବର କଲୋନିର ପ୍ରଦୀପଙ୍କୁ ଭେଟିଥିଲେ। ସେଠାରେ ସାମାନ୍ୟ ବଚସାରୁ ଝଗଡ଼ା ବଢ଼ିଥିଲା। ନାବାଳକ ଜଣକ ଏକ ଚାପଡ଼ରେ ପ୍ରଦୀପର ମୁଣ୍ଡ ଓ ପିଠିକୁ ହାଣି ଦେଇଥିଲେ। ପ୍ରତ୍ୟକ୍ଷଦର୍ଶୀମାନେ ତୁରନ୍ତ ତାଙ୍କୁ ହାଇଟେକ୍ ମେଡିକାଲରେ ଭର୍ତ୍ତି କରିଥିଲେ। ଏନେଇ ଉଭୟ ଗୋଷ୍ଠୀ ତରଫରୁ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଘଟଣାର ତନାଘନା କରି ଆନନ୍ଦ ଓ ସୁରଜକୁ ଗିରଫ କରିଥିବାବେଳେ ନାବାଳକଙ୍କୁ ବାଳସୁଧାର ଗୃହକୁ ପଠାଇଥିଲା।
ସୌଜନ୍ୟ ସମ୍ବାଦ




