
ନବରଙ୍ଗପୁର (ସୁରେଶ ନାଇଡୁ): ନିୟନ୍ତ୍ରିତ ବଜାର କମିଟି, ନବରଙ୍ଗପୁର ଦ୍ଵାରା ଆୟୋଜିତ ଧାନ ମଣ୍ଡି ଉଦ୍ଘାଟନ ହୋଇଛି। ଉଦ୍ଘାଟନୀ ଉତ୍ସବରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜିଠାରୁ ଜିଲ୍ଲାରେ ଚାଷୀଙ୍କ ଠାରୁ ଧାନ ସଂଗ୍ରହଣ ବ୍ୟବସ୍ଥାର ଶୁଭାରମ୍ଭ କଲେ। ମଞ୍ଚରେ ସମ୍ମାନୀତ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରଥମେ ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ଜିଲ୍ଲାରେ ପ୍ରଶାସନ ତରଫରୁ ଧାନ ସଂଗ୍ରହଣ ବ୍ୟବସ୍ଥା ଉପରେ ତଥ୍ୟ ଉପସ୍ଥାପନ ପୂର୍ବକ ସମସ୍ତଙ୍କୁ ସ୍ବାଗତ କରିଥିଲେ। କୃଷକ ସମୃଦ୍ଧି ଯୋଜନା, ଚାଷୀଙ୍କୁ ଧାନ ମୁଲ୍ୟ ସହ ପ୍ରୋତ୍ସାହନ ରାଶି ପ୍ରଦାନ, ଚାଷୀଙ୍କୁ ସରକାରଙ୍କ ପ୍ରାଥମିକତା ଉପରେ ମନ୍ତ୍ରୀ ଗଣ୍ଡ ବିଶେଷ ମତ ରଖିଥିଲେ। ଏହି ଧାନ ସଂଗ୍ରହଣ କାର୍ଯ୍ୟକୁ ସୁଚାରୁ ରୂପେ ସଂପାଦନ ପାଇଁ ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଦେଶ ଦେଲେ। ଡାବୁଗାଁ ବିଧାୟକ ମନୋହର ରନ୍ଧାରି ନିଜ ବକ୍ତବ୍ୟରେ ଅଭାବ ବିକ୍ରିକୁ ରୋକିବା ଏବଂ ଚାଷୀଙ୍କୁ ମଣ୍ଡିରେ ସମସ୍ତ ସୁବିଧା ଦେବାକୁ ଗୁରୁତ୍ବ ଦେଲେ। ଜିଲ୍ଲାପାଳ ଡ଼ ସ୍ୱାଇଁ ନିଜ ବକ୍ତବ୍ୟରେ ଧାନମଣ୍ଡିରେ ଚାଷୀମାନଙ୍କ ପାଇଁ ସୁବ୍ୟବସ୍ଥା, ଶାନ୍ତି ଶୃଙ୍ଖଳା ସହ ସଂଗ୍ରହଣ କାର୍ଯ୍ୟକୁ ସମାପନ ପାଇଁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
୫୮ଟି ଧାନ ସଂଗ୍ରହଣ କେନ୍ଦ୍ର
୨୦୨୫-୨୬ ଖରିଫ ଋତୁ ସକାଶେ ଚାଷୀମାନେ ନିଜର ଉଦ୍ଘାଟିତ ଧାନକୁ ୫୮ଟି ଧାନ ସଂଗ୍ରହଣ କେନ୍ଦ୍ରରେ ବିକ୍ରୟ କରିପାରିବେ। ମୋଟ ୫୨ଟି ଧାନ କ୍ରୟ ଏଜେନ୍ସୀ ରୁ ୧୩ ଗୋଟି ଲ୍ୟାମ୍ପସ, ୨ଟି ପାଣି ପଞ୍ଚାୟତ ଓ ୩୭ ଗୋଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସପ୍ତାହର ବିଭିନ୍ନ ବାରରେ ସଂଲଗ୍ନ କରାଯାଇଥିବା ମଣ୍ଡିରେ ଚାଷୀଙ୍କ ଠାରୁ ଧାନ କ୍ରୟ କରିବେ। ଚଳିତ ବର୍ଷ ଚାଷୀଙ୍କୁ କ୍ଵିଣ୍ଟାଲ ପିଛା ସାଧାରଣ ଏଫ୍ଏକ୍ୟୁ ମାନର ଧାନ ମୂଲ୍ୟ ୨୩୬୯ ଟଙ୍କା ଏବଂ ‘କ’ ଶ୍ରେଣୀର ଏଫ୍ଏକ୍ୟୁୁ ମାନର ଧାନ ମୂଲ୍ୟ ୨୩୮୯ ଟଙ୍କା ସହ ପ୍ରୋତ୍ସାହନ ରାଶି ୭୩୧ ଟଙ୍କା ଦେବାକୁ ସରକାର ସ୍ଥିର କରିଛନ୍ତି। ପ୍ରତ୍ୟେକ ମଣ୍ଡିରେ ପାନୀୟଜଳ, ଆଲୋକ, ଶୌଚାଳୟ, ଓଜନ ମେସିନ, ଟାରପୋଲିନ, ପ୍ରାଥମିକ ଚିକିତ୍ସା କିଟ୍, ଟେବୁଲ ଓ ଚୌକି, ପଲିଥିନ ଇତ୍ୟାଦିର ସୁବ୍ୟବସ୍ଥା କରାଯାଇଛି।
୫୦,୯୧୯ ଚାଷୀଙ୍କ ନାମ ପଂଜୀକରଣ
ଚଳିତ ବର୍ଷ ୫୦୯୧୯ ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜୀକୃତ ହୋଇଛନ୍ତି। ସେଭଳି ଚଳିତ ବର୍ଷ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ୧୪,୮୮,୦୦୦ କ୍ଵିଣ୍ଟାଲ ଧାନ ସଂଗ୍ରହଣ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସିଏସ ଓ ଦେବାଶିଷ ମହାନ୍ତି, ଡିଆରସିଏସ ସଦାନନ୍ଦ ବେହେରା, ସିଡିଏଓ ସୁଧୀର ରଞ୍ଜନ ବେହେରା, ଡିଆଇପିଆରଓ ମନୋଜ ବେହେରା, ବିଡିଓ ସୁନିଲ ଖରା, ଡିଏସଡବ୍ଲୁଓ ଦ୍ରପୌଦୀ କହଁର, ସମାଜସେବୀ କୁଞ୍ଜ ବିହାରୀ ଦାସ, ଚାମ୍ବର ସଭାପତି କାହ୍ନୁ ଚରଣ ଦାସ, ଚାଷୀ ନେତା ଝାଡେଶ୍ୱର୍ ଖାଡାଙ୍ଗା, ଅଗ୍ରଣୀ ଚାଷୀ ସରୋଜ ପାତ୍ର, ରାଜେନ୍ଦ୍ର ତ୍ରିପାଠୀ ଉପସ୍ଥିତ ଥିଲେ। ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ କପିଳେନ୍ଦ୍ର ସାସମଲ ସଭା ପରିଚାଳନା କରିଥିଲେ।



