Breaking News

କନ୍ଧମାଳର ବିକାଶରେ ଆସିବ ବୈପ୍ଳବିକ ପରିବର୍ତ୍ତନ, ସ୍ୱାସ୍ଥ୍ୟ ସେବାରେ ବଡ ରୂପାନ୍ତର ଆଣିବ ମେଡିକାଲ କଲେଜ

୫-ଟି ସଚିବଙ୍କ କନ୍ଧମାଳ ଗସ୍ତର ଦ୍ୱିତୀୟ ଦିନ

  • ମେଡିକାଲ କଲେଜରେ ଆସନ୍ତା ବର୍ଷରୁ ପାଠ୍ୟକ୍ରମ ଆରମ୍ଭ ହେବ
  • ମିଶନ ଶକ୍ତି କାଫେରେ ଖାଇଲେ ୫-ଟି ସଚିବ
  • ମହାନଦୀରୁ ପାଣି ଆଣିବା ପାଇଁ ୫୦୦ କୋଟି ଟଙ୍କାର ଟେଣ୍ଡର
  • ୭ ଦିନ ମଧ୍ୟରେ କସମ୍ ପାଇଁ ହେବ ରିଭଲଭିଂ ଫଣ୍ଡ
  • ଦାରିଙ୍ଗବାଡ଼ିରେ ଆମ ହଷ୍ଟିଟାଲ ରୁପାନ୍ତରୀକରଣ ପାଇଁ ୨କୋଟି ୭୦ଲକ୍ଷ ଏବଂ ଘରେ ପାଣି ପହଞ୍ଝିବା ପାଇଁ ୧୧୩କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର
  • ଜି.ଉଦୟଗିରିରେ ୨ଗୋଟି ଟୁରିଷ୍ଟ ସ୍ପଟର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହେବ ଖୁବ୍ ଶିଘ୍ର
ଫୁଲବାଣୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଥିବା  ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ ଦ୍ୱିତୀୟ ଦିନରେ ଶନିବାର କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ, ଫୁଲବାଣୀ, ଦାରିଙ୍ଗବାଡୀ, କେ. ନୂଆଗାଁ, ବାଲିଗୁଡା ଓ ଜି.ଉଦୟଗିରି ବ୍ଲକ ଗସ୍ତ କରିବା ସହ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ। ବିଭିନ୍ନ ବିକାଶ କାମର ସମୀକ୍ଷା କରିଥିଲେ ଏବଂ ଜନସାଧାରଣଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଶୁଣିଥିଲେ। ଶୁକ୍ରବାର ୫-ଟି ସଚିବ ଶ୍ରୀ ପାଣ୍ଡିଆନ ତାଙ୍କ ଅଭିଭାଷଣରେ କନ୍ଧମାଳ ମେଡିକାଲ କଲେଜ ଓ ମେଗା ପାନୀୟ ଜଳ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ପାନୀୟ ଜଳ ପ୍ରକଳ୍ପ ୫୦୦ କୋଟି ଟଙ୍କରେ କାର୍ଯ୍ୟକାରୀ କରାଯିବ। ମହାନଦୀରୁ ପାଇପ ଯୋଗେ ପାଣି ଅଣା ଯାଇ କନ୍ଧମାଳର ସବୁ ଅଞ୍ଚଳର ଲୋକଙ୍କୁ ଭଲ ପିଇବା ପାଣି ଯୋଗାଇ ଦିଆଯିବ। ଏହି ଦୁଇଟି ପ୍ରକଳ୍ପ ସହିତ ପର୍ଯ୍ୟଟନ ଓ ଯୋଗାଯୋଗର ଉନ୍ନତି କନ୍ଧମାଳର ବିକାଶରେ ବୈପ୍ଳବିକ ପରିବର୍ତ୍ତନ ଆଣିବ। ଫୁଲବାଣୀ ଜିଲ୍ଲାର ଉଦ୍ୟାନ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ଦ୍ୱାରା ପରିଚାଳିତ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ବୁଲି ଦେଖିବା ସହ ଏହି କାର୍ଯ୍ୟର ଉଚ୍ଚପ୍ରଶଂସା କରିଥିଲେ ଏବଂ ସେମାନଙ୍କୁ ମାର୍କେଟିଁ କ୍ଷେତ୍ରରେ ବିଭିନ୍ନ ସାହାଯ୍ୟ ଯୋଗାଇ ଦେବା ପାଇଁ ପରାମର୍ଶ ଦେଇଥିଲେ।
୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ଗସ୍ତର ଦ୍ୱିତୀୟ ଦିନରେ ସେ ୧୮ ଗୋଟି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଦ୍ୱିତୀୟ ଦିନର ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଥମେ ସେ ଜିଲା ଉଦ୍ୟାନ କୃଷି ପରିସରରେ ଥିବା ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ପରିଦର୍ଶନ କରିଥିଲେ। କଠିନ ପରିଶ୍ରମ କର ଏବଂ ଯଦି କିଛି ଅସୁବିଧା ଦେଖା ଦେବ ତେବେ ଆମକୁ ଜଣାଇବ। ସମାଧାନ ପାଇଁ ଚେଷ୍ଟା କରିବୁ ବୋଲି ଶ୍ରୀ ପାଣ୍ଡିଆନ ସେହି ମା’ମାନଙ୍କୁ କହିଥିଲେ।
ଫୁଲବାଣୀଠାରେ ୧୦୦୦ କୋଟି ଟଙ୍କାରେ ନିର୍ମାଣାଧୀନ ୬୫୦ ଶଯ୍ୟାବିଶିଷ୍ଟ ମେଡିକାଲ କଲେଜ ଓ ହସ୍ପିଟାଲର କାମ ଶ୍ରୀ ପାଣ୍ଡିଆନ ବୁଲି ଦେଖିଥିଲେ ଓ କାର୍ଯ୍ୟ ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ମେଡିକାଲ କଲେଜରେ ଆସନ୍ତା ବର୍ଷରୁ ପାଠ୍ୟକ୍ରମ ଆରମ୍ଭ ହେବ । ଏହା ଦ୍ୱାରା ଜିଲ୍ଲାର ସ୍ୱାସ୍ଥ୍ୟ ସେବାରେ ବଡ ରୂପାନ୍ତର ଆଣିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।
ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗାଁରେ ଥିବା ଆଦର୍ଶ ବିଦ୍ୟାଳୟକୁ ୫-ଟି ସଚିବ ବୁଲି ଦେଖିଥିଲେ ଏବଂ ଛାତ୍ର, ଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟମାନଙ୍କ ସହ ଆଲୋଚନା କରି ବିଦ୍ୟାଳୟର ସମ୍ପତ୍ତି ଓ ପରିବେଶର ସୁରକ୍ଷା ଏବଂ ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ। ଏହି ବିଦ୍ୟାଳୟଟି ନିକଟରେ ୫-ଟି ସ୍କୁଲ ରୂପାନ୍ତରରେ ସାମିଲ ହୋଇଥିଲା।ପରେ ଫିରିଙ୍ଗିଆ ବ୍ଲକକୁ ଯାଇ ସେଠାରେ ମିଶନ ଶକ୍ତି କାଫେ ବୁଲି ଦେଖିଥିଲେ। ଫିରିଙ୍ଗିଆ ମିନି ଷ୍ଟାଡିଅମ ଠାରେ ସମାଜର ବିଭିନ୍ନ ବର୍ଗର ଲୋକ ଓ ସଙ୍ଗଠନମାନଙ୍କୁ ଭେଟିଥିଲେ । ସେମାନଙ୍କ ଅନୁରୋଧକ୍ରମେ ଫିରିଙ୍ଗିଆ ନୂଆ ବସ ଷ୍ଟାଣ୍ଡ ଉପରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସେ କହିଥିଲେ । ଗ୍ରାମାଞ୍ଚଳରର ଜନସାଧାରଣ ଯେପରି ସୁବିଧାରେ ଯାତାୟତ କରିପାରିବେ ତାକୁ ଦୃଷ୍ଟିରେ ରଖି ଏହି ବ୍ଲକରେ ସବୁ ଗ୍ରାମପଞ୍ଚାୟତକୁ ପରିବହନ ସେବା ଯୋଗାଇ ଦିଆଯିବ ବୋଲି ୫-ଟି ସଚିବ  ସୂଚନା ଦେଇଥିଲେ ।
ସେଠାରେ ଥିବା ମିନି ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କ ଠାରୁ ଅଭିଯୋଗ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ଫିରିଙ୍ଗିଆ ବ୍ଲକ ପାଇଁ ମହାନଦୀରୁ ପାଣି ଆଣିବା ବ୍ୟବସ୍ଥା କରିଛନ୍ତି। ସେଥିପାଇଁ ୫୦୦ କୋଟି ଟଙ୍କାର ଟେଣ୍ଡର ମଧ୍ୟ ହୋଇସାରିଛି। ଖୁବ୍ ଶିଘ୍ର କାମ ଆରମ୍ଭ ହୋଇଯିବ। ଆଗାମି ୫୦ ବର୍ଷ ପାଇଁ ଏଠାରେ ପାଣିର ଅଭାବ ରହିବ ନାହିଁ । ଖୁବ୍ ଶିଘ୍ର ମୁଖ୍ୟମନ୍ତ୍ରୀ ନୂଆବସ୍ ଷ୍ଟାଣ୍ଡ ମଞ୍ଜୁର କରିବେ। ଏହି ବ୍ଲକ ପାଇଁ କେତେଗୋଟି ରାସ୍ତା ଓ ବ୍ରିଜ୍ ମଧ୍ୟ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। ସେହିପରି ଜିଲ୍ଲାର ଜନଜାତି ଭାଇ ଭଉଣୀମାନଙ୍କର କଳା ସଂସ୍କୃତିକୁ ବଂଚାଇ ରଖିବା ପାଇଁ ମୁଖ୍ୟ ମନ୍ତ୍ରୀ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ କରିଛନ୍ତି ଯାହାକି ଅନ୍ୟ କୌଣସି ରାଜ୍ୟରେ କରାଯାଇ ନାହିଁ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ପରେ ୫-ଟି ଅଧୀନରେ ରୂପାନ୍ତରୀତ ହୋଇଥିବା ରତଙ୍ଗ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ।
ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ନବନିର୍ମିତ ମିଶନ ଶକ୍ତିର କାଫେକୁ ବୁଲିଦେଖିଥିଲେ I ଫିରିଙ୍ଗିଆରେ ଥିବା ମିଶନଶକ୍ତି କାଫେରେ ସକାଳ ଭୋଜନ କଲେ ଭିକେ ପାଣ୍ଡିଆନ । ଏହି ସମୟରେ ମିଶନଶକ୍ତି ମହିଳାଙ୍କ ହାତ ତିଆରି ଖାଦ୍ୟର ପ୍ରଶଂସା କରିବା ସହ ପତ୍ନୀ ତଥା ମିଶନ ଶକ୍ତି କମିଶନର କମ୍ ସଚିବ ସୁଜାତା ଆର କାର୍ତ୍ତିକେୟନଙ୍କ ସହ ଭିଡ଼ିଓ କଲରେ କଥା କରାଇଥିଲେ । ମିଶନ ଶକ୍ତି ମହିଳାଙ୍କ କାମକୁ ପ୍ରଶଂସା କରିବା ସହ ସେମାନଙ୍କୁ ସାଧୁବାଦ ଦେଇଥିଲେ । ଖୁବଶୀଘ୍ର ସେ କନ୍ଧମାଳ ଯାଇ ସେମାନଙ୍କୁ ଭେଟିବେ ବୋଲି କହିଛନ୍ତି । କ୍ୟାଫେର ଉନ୍ନତି ପାଇଁ ଆଉ ଯାହା ଆବଶ୍ୟକ ତାହା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସୁଜାତା କାର୍ତ୍ତିକେୟନ ।
କନ୍ଧମାଳ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ବନ୍ଧଗଡ଼ ସ୍ଥିତ ମସଲା ପ୍ରକ୍ରିୟାକରଣ ପ୍ରକଳ୍ପ ‘କସମ୍’ ପରିଦର୍ଶନ କରିଛନ୍ତି ୫-ଟି ସଚିବ। ୧୨୦୦୦ ହଳଦୀ ଚାଷୀଙ୍କୁ ନେଇ ଏହି ୟୁନିଟ ୧୯୯୨ରେ ପ୍ରତିଷ୍ଠା ହୋଇଥିଲା । ସଂପୂର୍ଣ୍ଣ ଜୈବିକ ପ୍ରଣାଳୀରେ ଏହି ଚାଷ ହେବା ପରେ ଏହାକୁ ପ୍ରକ୍ରିୟାକରଣ କରାଯାଉଛି । ବିଦେଶକୁ ମଧ୍ୟ ଯାଉଛି କନ୍ଧମାଳ କସମର ହଳଦୀ । କସମ୍ ପାଇଁ ଏକ ରିଭଲଭିଂ ଫଣ୍ଡ ଗଠନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ୭ ଦିନରେ ଗଠନ ହେବ ଏହି ଫଣ୍ଡ । ଏହି ଫଣ୍ଡ ଗଡନ ହେଲେ କସମରେ ଅର୍ଥ ସମସ୍ୟା ରହିବନି ।
୫-ଟି ରୂପାନ୍ତରରେ ସାମିଲ ହୋଇଥିବା ରତାଙ୍ଗ ହାଇସ୍କୁଲ ଶ୍ରୀ ପାଣ୍ଡିଆନ ବୁଲି ଦେଖିବା ସହ ଛାତ୍ରଛାତ୍ରୀ, ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ । ରତାଙ୍ଗ ମଡେଲ ଟ୍ୟାଙ୍କ ବୁଲି ଦେଖିବା ସହିତ ମିଶନ ଶକ୍ତି ମା ମାନଙ୍କ ଦ୍ୱରା କରାଯାଉଥିବା ମାଛ ଚାଷ ବିଷୟରେ ବୁଝିଥିଲେ ଏବଂ ଏହା ପର୍ଯ୍ୟଟନର ସମ୍ଭାବନା ରହିଥିବାରୁ ତା’ର ପୂର୍ଣ୍ଣ ବିନିଯୋଗ କରିବା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ପରେ ଫିରିଙ୍ଗିଆ ବ୍ଲକର ବନ୍ଧଗଡାରେ ଥିବା କାସମ ଖାଦ୍ୟପ୍ରକ୍ରିୟାକରଣ ୟୁନିଟ, ଶ୍ରୀ ପାଣ୍ଡିଆନ ବୁଲି ଦେଖିବା ସହ  ଅର୍ଗାନିକ ଫାର୍ମିଂ କୁ ଉତ୍ସାହିତ କରିବା ପାଇଁ ପରାମର୍ଶ ଦେଇଥିଲେ ।
କେ. ନୂଆଗାଁ ବ୍ଲକରେ ୫ଟି ସଚିବ ଶ୍ରୀ ପାଣ୍ଡିଆନ ବିଭିନ୍ନ ଅନୁଷ୍ଠାନ ସହ ଭେଟି ସେମାନଙ୍କ ସୁବିଧା ଓ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ ଓ ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ । ୫-ଟି ସଚିବ ଶ୍ରୀ ପାଣ୍ଡଆନ କେ. ନୂଆଗାଁରେ ଥିବା ମଡେଲ ଡିଗ୍ରୀ କଲେଜ ପରିଦର୍ଶନ କରିବା ସହିତ ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କ ଠାରୁ ଅଭିଯୋଗ ଗ୍ରହଣ କରିଥିଲେ।
ଏହି ଗସ୍ତ ଅବସରରେ ଶ୍ରୀ ପାଣ୍ଡିଆନ ବାଲିଗୁଡାରେ ଥିବା ପ୍ରସିଦ୍ଧ ମା ପାଟ୍ଟଖଣ୍ଡା ମନ୍ଦିର ଏବଂ ଜଗନ୍ନାଥ ମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିଥିଲେ। ମନ୍ଦିର ଦ୍ୱୟର ବିକାଶ ଓ ସୌନ୍ଦର୍ଯ୍ୟକରଣ ବିଷୟରେ ଉଭୟ ମନ୍ଦିରର ପରିଚାଳନା କମିଟି ୫-ଟି ସଚିବ ଶ୍ରୀ ପାଣ୍ଡିଆନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମା ପଟ୍ଟଖଣ୍ଡା ମନ୍ଦିର ଓ ଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟୀକରଣ ଓ ବିକାଶ ସମ୍ପର୍କରେ ଡି.ପି.ଆର୍ ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ। ବାଲିଗୁଡ଼ା ରେ ଥିବା ପାଟଖଣ୍ଡା ମନ୍ଦିର ଓ ଜଗନ୍ନାଥ ମନ୍ଦିର ଦର୍ଶନ କରିବା ସହିତ ମନ୍ଦିର କମିଟି ସହ ଆଲୋଚନା କରିଥିଲେ। ବାଲିଗୁଡାଠରେ ଆମ ହସ୍ପିଟାଲ ବୁଲି ଦେଖି ରୋଗୀ ଓ ଡାକ୍ତର ମାନଙ୍କ  ସହ ମତ ବିନିମୟ କରିଥିଲେ ଏବଂ ସ୍ୱାସ୍ଥ୍ୟସେବାରେ ଅଧିକ ଉନ୍ନତି ଆଣି ରୋଗୀମାନଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇଦେବାକୁ ପରାମର୍ଶ ଦେଇଥିଲେ। ବାଲିଗୁଡା ମିନି ଷ୍ଟାଡିଅମ ଠାରେ ଜନସାଧାରଣ, ବିଭିନ୍ନ ସଂଗଠନ, କ୍ରୀଡାବିତଙ୍କୁ ଭେଟିଥିଲେ ଏବଂ ସେଠାରେ ମିନି ଷ୍ଟାଡିଅମ ଓ ଇଣ୍ଡୋର ଷ୍ଟାଡିଅମର ବିକାଶ ଓ ସୌନ୍ଦର୍ଯ୍ୟୀକରଣ ପାଇଁ ଶୀଘ୍ର ଡି.ପି.ଆର୍ ପ୍ରସ୍ତୁତ ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ। ବାଲିଗୁଡ଼ା ମିନି ଷାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କ ଠାରୁ ଅଭିଯୋଗ ଗ୍ରହଣ କରିଥିଲେ ଏବଂ ଇନ୍ଡୋର୍ ଷ୍ଟାଡିୟମ ପରିଦର୍ଶନ କରିଥିଲେ।
ଦାରିଙ୍ଗବାଡି ବ୍ଲକରେ ମଧ୍ୟ ୫-ଟି ସଚିବ ମିନି ଷ୍ଟାଡିଅମକୁ ବୁଲି ଦେଖିଥିଲେ । ମିଶନ ଶକ୍ତି ର ସଦସ୍ୟା, ସାଧାରଣ ଜନତା ଓ ବିଭିନ୍ନ ସଙ୍ଗଠନ ସହ ମିଶି ସେମାନଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ ଓ ସମାଧାନ ପାଇଁ ଆଶ୍ୱାସନା ଦେଇଥିଲେ। ପରିବେଶ ପର୍ଯ୍ୟଟନ ପାଇଁ ପ୍ରସିଦ୍ଧ ଦାରିଙ୍ଗବାଡୀରେ ଥିବା ହିଲ-ଭିୟୁ ପାର୍କ ଓ ବଟରଫ୍ଲାଏ ପାର୍କକୁ ୫-ଟି ସଚିବ ବୁଲି ଦେଖିଥିଲେ ୫-ଟି ସଚିବ ବୁଲି ଦେଖିଥିଲେ । ଦାରିଙ୍ଗବାଡିର ପର୍ଯ୍ୟଟନର ବିକାଶ ପାଇଁ ବିପୂଳ ସୂଯୋଗ ରହିଛି ବୋଲି ସେ ମତ ଦେଇଥିଲେ ।  ଏହି ପାର୍କ ଗୁଡିକର ପରିଚାଳନା ଦାୟିତ୍ୱରେ ଥିବା ବନ ବିଭାଗର ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ଦାରିଙ୍ଗବାଡିରେ ପର୍ଯ୍ୟଟନର ଅଧିକ ବିକାଶ ପାଇଁ  ଡି.ପି.ଆର୍ ପ୍ରସ୍ତୁତ କରି ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ଏହା ପରେ ସେ ଦାରିଙ୍ଗବାଡିର ପ୍ରସିଦ୍ଧ ଇକୋ କର୍ଟେଜ ବୁଲି ଦେଖିଥିଲେ। ଏଠାରେ ମିଶନ ଶକ୍ତିର ସଦସ୍ୟାମାନେ ଅତ୍ୟନ୍ତ ବୃତ୍ତିଗତ ଢଙ୍ଗରେ ଏହାର ପରିଚାଳନା କରୁଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ । ଦାରିଙ୍ଗିବାଡ଼ି ମିନି ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ବ୍ଲକ ଓ ଜିଲ୍ଲାରେ ପର୍ଯ୍ୟଟନର ସମୃଦ୍ଧି ସମ୍ପର୍କରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କ ଠାରୁ ଅଭିଯୋଗ ଗ୍ରହଣ କରିଥିଲେ। ଦାରିଙ୍ଗବାଡ଼ି ଆମ ହଷ୍ଟିଟାଲ ରୁପାନ୍ତରୀକରଣ ପାଇଁ ୨କୋଟି ୭୦ଲକ୍ଷ ଏବଂ ଘରେ ଘରେ ପାଣି ପହଞ୍ଝିବା ପାଇଁ ପାଖାପାଖି ୧୧୩କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ଯାହାର କାର୍ଯ୍ୟ ୬ ମାସ ମଧ୍ୟରେ ଶେଷ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ କହିଥିଲେ। ପରେ ଶ୍ରୀ ପାଣ୍ଡିଆନ ହିଲ୍ ଭିୟୁ ପାର୍କ ଓ ବଟରି ଗାର୍ଡନ୍ ପରିଦର୍ଶନ କରିଥିଲେ।

ଜି. ଉଦୟଗିରୀରେ ୫-ଟି ସଚିବ ଏନ.ଏ.ସିର ମଲ୍ଟି-ପର୍ପୋଜ୍ ହଲ ବୁଲି ଦେଖିଥିଲେ ଏବଂ ସେଠାରେ ଏକ ମାସ ମଧ୍ୟରେ ଇଣ୍ଡୋର ଷ୍ଟାଡିଅମର ବିଭିନ୍ନ ଅତ୍ୟାଧୁନିକ ସୁଯୋଗ ଓ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ ।

ଜି.ଉଦୟଗିରୀର କଳିଙ୍ଗ ମହାବିଦ୍ୟାଳୟ ଠାରେ ଜନସାଧାରଣଙ୍କୁ ଭେଟିଥିଲେ ଓ ସେମାନଙ୍କ ଆପତ୍ତି ଅଭିଯୋଗ ଶୁଣି ଏହାର ତୁରନ୍ତ ସମାଧାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।  ମିନି ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କ ଠାରୁ ଅଭିଯୋଗ ଗ୍ରହଣ କରିଥିଲେ। ଜି.ଉଦୟଗିରି ଲୋକମାନଙ୍କ ଦାବିକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ୨ଗୋଟି ଟୁରିଷ୍ଟ ସ୍ପଟର ଉନ୍ନତିକରଣ ପାଇଁ ମଞ୍ଜୁରୀ କରିଛନ୍ତି ଯାହାର କାର୍ଯ୍ୟ ଖୁବ୍ ଶିଘ୍ର ଆରମ୍ଭ ହେବ। ଏହି ଅବସରରେ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଆପଣମାନଙ୍କ ଅର୍ଥରେ ହିଁ ଆପଣଙ୍କର ବିକାଶ ହୋଇପାରିବ। ତେଣୁ ଆପଣଙ୍କର ସହଯୋଗର ଆବଶ୍ୟକତା ରହିଛି। ପ୍ରଥମ ପର୍ଯ୍ୟାୟରେ ଆମେ ଆପଣ ମାନଙ୍କୁ ଦେଇଥିବା ଅର୍ଥରାଶିର ସୁବିନିଯୋଗ କଲେ ଖୁବ୍ ଶୀଘ୍ର ଦ୍ବିତୀୟ ଓ ତୃତୀୟ କିସ୍ତି ଦେବାପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି ମତବ୍ୟକ୍ତ କରିଥିଲେ। ସେହିପରି ସ୍ବୟଂ ସହାୟକ ଗୋଷ୍ଠୀ କିପରି ସ୍ୱାମ୍ବଲମ୍ବି ହୋଇପାରିବେ ସେଡିଗରେ ମତବ୍ୟକ୍ତ କରିଥିଲେ। ବିଜୁ ସ୍ବାସ୍ଥ୍ୟ କାର୍ଡରେ ମହିଳାଙ୍କୁ ଦଶଲକ୍ଷ, ପୁରୁଷଙ୍କ ପାଇଁ ପାଞ୍ଚଲକ୍ଷ ଓ ଚାଷୀଙ୍କୁ ବିନା ସୁଧରେ ଏକଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ ଆଦି ସଂପର୍କରେ ଅବଗତ କରାଇଥିଲେ।

ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରତି ମାସରେ ପ୍ରାୟ ୨୨୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ନଚେତ୍ ସେହି ଅର୍ଥ ବୋଝ ଓଡ଼ିଶାର ଗରୀବ ଲୋକମାନଙ୍କ ଉପରେ ପଡ଼ିଥାନ୍ତା ବୋଲି ସେ କହିଥିଲେ। ପରେ ଶ୍ରୀ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ୬କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ବିଜୁ ପଟ୍ଟନାୟକ ଖେଳ ଭବନ ପରିଦର୍ଶନ କରି ଭୁବନେଶ୍ୱର ଫେରିଯାଇଥିଲେ।

୫-ଟି ସଚିବଙ୍କ ଜିଲ୍ଲା ପରିଦର୍ଶନ ସମୟରେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ, କ୍ରୀଡା ସଚିବ ଆର୍. ଭିନିଲ୍ କ୍ରୀଷ୍ଣା ଓ ଜିଲ୍ଲାପାଳ ଉପସ୍ଥିତ ଥିଲେ। କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ, ଜିଲା ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର, କନ୍ଧମାଳ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ମହନ୍ତ, ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବଣୁଆ, ତହସିଲଦାର ଏମ.ଅନୁରାଧା, ମୁଖ୍ୟ ଉନ୍ନୟନ ଅଧିକାରୀ -ତଥା- କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲା ପରିଷଦ ରାଜେନ୍ଦ୍ର କୁମାର ରଣଜିତ୍ , ଉପ-ଜିଲାପାଳ କନ୍ଧମାଳ ଓ ବାଲିଗୁଡ଼ା , ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଓ ବାଲିଗୁଡ଼ାର ପ୍ରକଳ୍ପ ପ୍ରଶାସକ, ସଂପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କ ସମେତ ଅନ୍ୟାନ୍ୟ ସରକାରୀ ପଦାଧିକାରୀମାନେ ଏହି ଗସ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

 

 

Comments are closed.