Breaking News

ସ୍ବେରେଜ୍‌ ଯନ୍ତ୍ରଣା: ଦୁର୍ଗନ୍ଧରେ ଫାଟିପଡ଼ୁଛି, ଘରେ ପଶିଯାଉଛି ପାଇଖାନା ଆବର୍ଜନା

ଭୁବନେଶ୍ବରରେ ସ୍ବେରେଜ୍‌ ବ୍ୟବସ୍ଥା ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। କେଉଁଠି ରାତି ଅଧିଆ ରାସ୍ତା ତାଡ଼ି ଦିଆଯାଉଛି, ଆଉ କେଉଁଠି ପାଇପ୍‌ ଫାଟି ରାସ୍ତା ଉପରେ ଆବର୍ଜନା ଭାସୁଛି। ଅଧିକାରୀ ବଦଳୁଛନ୍ତି, ହେଲେ ବର୍ଷ ବର୍ଷ ଧରି ଏହି ସମସ୍ୟା ସମାଧାନ ହୋଇ ପାରୁ ନାହିଁ।

ଭୁବନେଶ୍ବର: ଭୁବନେଶ୍ବରରେ ସ୍ବେରେଜ୍‌ ବ୍ୟବସ୍ଥା ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। କେଉଁଠି ରାତି ଅଧିଆ ରାସ୍ତା ତାଡ଼ି ଦିଆଯାଉଛି, ଆଉ କେଉଁଠି ପାଇପ୍‌ ଫାଟି ରାସ୍ତା ଉପରେ ଆବର୍ଜନା ଭାସୁଛି। ଅଧିକାରୀ ବଦଳୁଛନ୍ତି, ହେଲେ ବର୍ଷ ବର୍ଷ ଧରି ଏହି ସମସ୍ୟା ସମାଧାନ ହୋଇ ପାରୁ ନାହିଁ। ତେବେ ନୂଆପଲ୍ଲୀର ଏନ୍‌-୪ ଅଞ୍ଚଳରେ ବିଚିତ୍ର ଅବସ୍ଥା ସୃ‌ଷ୍ଟି ହୋଇଛି। ନୂଆ ସ୍ବେରେଜ୍‌ ଲାଇନ୍‌ ବିଛାଇଛନ୍ତି, ହେଲେ ମୁଖ୍ୟ ଲାଇନ୍‌କୁ ସଂଯୋଗ ନଥିବାରୁ ପଡ଼ୋଶୀ ଘର ଆବର୍ଜନା ଆସି ଘରେ ପଶି ଯାଉଛି। ଘର ସାରା ଝାଡ଼ା ପରିସ୍ରା ଭାସୁଛି। ଏଭଳି ସ୍ଥିତିରେ ପ୍ରାୟ ୨୦ରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକ ଫସି ରହିଛନ୍ତି। ୩ ଥର ଅଧିକାରୀଙ୍କୁ ଭେଟିବା ସହ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ଅଧିକାରୀ ବି ଆଶ୍ବାସନା ଦେଇଛନ୍ତି। ହେଲେ ସମସ୍ୟା ସମାଧାନ ହେଉନି। ଗୋଟିଏ ଦୁଇ ଦିନ ସାମୟିକ ସମାଧାନ ପରେ ହଠାତ୍‌ ରାତି ଅଧିଆ ଆବର୍ଜନା ପାଣି ଘରେ ଲହଡି ମାରୁଛି। ଫଳରେ ସମ୍ପୃକ୍ତ ଅଞ୍ଚଳରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ତେବେ ସ୍ବେରେଜ୍‌ ପରିଚାଳନା କରୁଥିବା ୱାଟ୍‌କୋ(ଡିଭିଜନ୍‌-୧)ର ବରିଷ୍ଠ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଗୋଟିଏ ସପ୍ତାହ ସମୟ ନେଇଛନ୍ତି।

ଏନ୍‌-୪ର ପ୍ଲଟ୍‌ ନଂ ୩୪୪ରୁ ୩୪୬, ୩୪୯, ୧୫୩ରୁ ୧୬୦, ୧୭୧ରୁ ୧୮୦ ପର୍ଯ୍ୟନ୍ତ ସ୍ବେରେଜ୍‌ ଲାଇନ୍‌ ସଂଯୋଗ ଦୁଇ ମାସ ହେଲା ଦିଆଯାଇଛି। ହେଲେ ଏହା ଶେଷ ମୁଣ୍ଡକୁ ସଂଯୁକ୍ତ ହୋଇ ନାହିଁ। କେବଳ ଏହି ସମସ୍ୟା ନୁହେଁ, ବରଂ ଏହି ଲାଇନ୍ ସବୁ ଜାଗାରେ ସମାନ ଗଭୀର ନାହିଁ। କମ୍‌ ବେଶି ଗଭୀର ଯୋଗୁ ମଝିରେ ମଝିରେ ଆବର୍ଜନା ଜମା ହୋଇ ରହିଯାଉଛି। ଫଳରେ ଏଭଳି ସମସ୍ୟା ହୋଇଛି। ୨୦ରୁ ଊର୍ଦ୍ଧ୍ବ ପରିବାର ଏଭଳି ସ୍ବେରେଜ୍‌ ଯନ୍ତ୍ରଣାର ଶିକାର ହୋଇଛନ୍ତି। ଭାବଗ୍ରାହୀ ମହନ୍ତଙ୍କ ଅଭିଯୋଗ ହେଉଛି, ସ୍ବେରେଜ୍‌ ପାଇପ୍‌ ବ୍ଲକେଜ୍‌ ହୋଇଯିବାରୁ ପାଣି ଆଉ ଯାଉ ନାହିଁ। ଫଳରେ ଗାଧୁଆଘର ଭର୍ତ୍ତି ହୋଇ ଘର ଭିତରକୁ ଆବର୍ଜନା ପଶି ଆସୁଛି। ନିଷ୍କାସନ ନଳାରେ ଯେଉଁଠି ଜାଲି ଅଛି ସେଥିରୁ ଆବର୍ଜନା ପାଣି ଓଭରଫ୍ଲୋ ହେଇ ଘର ଭିତରେ ପଶୁଛି। ପାଇଖାନା ବ୍ୟବହାର ହେଉ ନଥିଲେ ମଧ୍ୟ ଆଉ କାହା ଘରର ଆବର୍ଜନା ପାଣି ଆମ ଘରେ ଭାସୁଛି। ଆମେ ପ୍ରାୟ ସମସ୍ତେ ବରିଷ୍ଠ ନାଗରିକ ରହୁଛୁ। ଏଭଳି ଯନ୍ତ୍ରଣା ଆମକୁ ମାନସିକସ୍ତରରେ ଆଗାତ ଦେଇଛି। ଆମେ ତିନିଥର ଭେଟିବା ସହ ଲିଖିତ ଅଭିଯୋଗ କରିଛୁ। ହେଲେ କୌଣସି ସମାଧାନ ହୋଇ ନାହିଁ। କେବଳ ଶ୍ରୀ ମହନ୍ତ ନୁହନ୍ତି, ବରଂ କବିତା କର, ଅନନ୍ୟା ପ୍ରିୟଦର୍ଶିନୀ ଦାଶ, ମାନସ ରଞ୍ଜନ ପ୍ରଧାନ, ଦିବ୍ୟସିଂହ ମହାନ୍ତି ପ୍ରମୁଖ ଅନୁରୂପ ଅଭିଯୋଗ କରିବା ସହ ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି।

ୱାଟ୍‌କୋ(ଡିଭିଜନ୍‌-୧) ମହାପ୍ରବନ୍ଧକ ଶାରଦା ନାୟକ ବରିଷ୍ଠ ନାଗରିକମାନଙ୍କର ଅଭିଯୋଗକୁ ସ୍ବୀକାର କରିଛନ୍ତି। ସେ କହିଛନ୍ତି, ବରି‌ଷ୍ଠ ନାଗରିକମାନେ ଅପିସ ଆସି ଭେଟି ଅଭିଯୋଗ କରିବା ପରେ ମୁଁ ନିଜେ ଘଟଣାସ୍ଥଳ ପରିଦର୍ଶନ କରିଛି। ୧୯୮୫ ମସିହାର ସ୍ବେରେଜ୍‌ ପାଇପ୍‌ ଲାଇନ୍‌ ମାଟି ତଳେ ରହିଛି। କେତେବେଳେ ଖୋଳାଖୋଳି ହେବା ବେ‌ଳେ କିମ୍ବା ଆପେ ଦବି ଯିବାରୁ ଚୋକ୍‌ ହୋଇଯାଉଛି। ଏନ୍‌-୪ର ଏହି ଅଞ୍ଚଳର ସ୍ଥାୟୀ ସମାଧାନ ଆମେ ଗୋଟିଏ ସପ୍ତାହ ମଧ୍ୟରେ କରୁଛୁ। ଏହା ଛଡ଼ା ସବୁ ଅଞ୍ଚଳ ପାଇଁ ଏକ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରୁଛୁ। ଫଳରେ ଅନ୍ୟମାନେ ଯେଭଳି ଏହି ସମସ୍ୟା ନ ‌ଭୋଗିବେ।
ସୌଜନ୍ୟ-ସମ୍ୱାଦ

Comments are closed.