ସଡ଼କ ଦୁର୍ଘଟଣା ନେଲା ବଲିଉଡ ନିର୍ଦ୍ଦେଶକଙ୍କ ପୁଅର ଜୀବନ, ସାଥିରେ ଥିବା ସାଙ୍ଗ ଗିରଫ

ମୁମ୍ବାଇ: ନଭେମ୍ବର ୨୩ତାରିଖ ସକାଳେ ମୁମ୍ବାଇରେ ଏକ ବଡ଼ କାର ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଅଜୟ ଦେବଗନ ଫିଲ୍ମ ‘ସନ୍ ଅଫ୍ ସର୍ଦ୍ଦାର’ ଓ ‘ଅତିଥି ତୁମ କବ୍ ଜାଓଗେ’ର ନିର୍ଦ୍ଦେଶକ ଅଶ୍ୱିନୀ ଧୀରଙ୍କ ୧୮ବର୍ଷର ପୁଅ ଜଲଜ ଧୀରଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେ ତାଙ୍କର ତିନିଜଣ ସାଙ୍ଗଙ୍କ ସହ କାରରେ ଯାଉଥିବା ବେଳେ ସେମାନଙ୍କ କାର ଭିଲେ ପାର୍ଲେର ୱେଷ୍ଟର୍ଣ୍ଣ ଏକ୍ସପ୍ରେସ ହାଇୱେରେ ଏକ ଡିଭାଇଡର୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। କୁହାଯାଉଛି ଯେ, ଜଲଜଙ୍କ ବନ୍ଧୁ ସାହିଲ ମେନ୍ଧା(୧୮) ମଦ୍ୟପାନ କରି ଗାଡି ଚଳାଉଥିବାରୁ ଏହି ଦୁଃଖଦ ଘଟଣା ଘଟିଥିଲା।

ପୁଲିସର କହିବା ମୁତାବକ, ଘଟଣା ଦିନ ଜଲଜଙ୍କ ଘରେ ସାହିଲ ମଦ୍ୟପାନ କରିଥିଲେ। ଏହା ପରେ ବିଳମ୍ବିତ ରାତିରେ ଜଲଜ ତାଙ୍କ ସାଙ୍ଗ ସାହିଲ, ସାର୍ଥ କୌଶିକ୍(୧୮) ଓ ଜେଡନ ଜିମ୍ମି(୧୮)ଙ୍କ ସହିତ ବାନ୍ଦ୍ରାରୁ ଗୋରେଗାଓଁ ପର୍ଯ୍ୟନ୍ତ ଯିବାକୁ ବାହାରିଥିଲେ। ସାହାରା ଷ୍ଟାର ହୋଟେଲ ନିକଟରେ, ସାହିଲ କାର ଉପରୁ ନିୟନ୍ତ୍ରଣ ହରାଇବାରୁ କାରଟି ସିଧାସଳଖ ଯାଇ ଡିଭାଇଡରରେ ଧକ୍କା ଖାଇଥିଲା | ଏହି ଦୁଃଖଦ ଦୁର୍ଘଟଣାରେ ଜଲଜ ଏବଂ ସାର୍ଥ କୌଶିକଙ୍କ ମୃତ୍ୟୁ ହୋଇଥିବା ବେଳେ ବଞ୍ଚିଯାଇଥିଲେ ଜେଡନ ଓ ସାହିଲ। ପୁଲିସ ଜେଡନଙ୍କ ବୟାନ ଅଧାରରେ ସାହିଲଙ୍କୁ ଗିରଫ କରିଛି। ସାହିଲ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବାରୁ ଏହି ଦୁର୍ଘଟଣା ଘଟିଥିବା କହିଛନ୍ତି ଜେଡନ।
ସୌଜନ୍ୟ-ସମ୍ୱାଦ

Back to top button