‘କମନ୍‌ ସିଲ୍‌’ ନିଖୋଜ: କୌଣସି ଚୁକ୍ତିନାମାରେ ଲାଗୁନି

ଭୁବନେଶ୍ବର: ସରକାର ହସ୍ତକ୍ଷେପ କରିବେନି। ଲୋକ ପ୍ରତିନିଧିମାନେ ନିର୍ବାଚିତ ହୋଇ ଆସିବେ। ସୁଖରେ ସହାବସ୍ଥାନ ପାଇଁ ନିଜେ ନିଜ ସହରକୁ ଗଢ଼ିବେ, ନିଷ୍ପତ୍ତି ନେବେ। ଏଭଳି ଉଦ୍ଦେଶ୍ୟ ରଖି ଗଠନ ହୋଇଥିଲା ସ୍ଥାନୀୟ ସ୍ବାୟତ୍ତ ଶାସନ। ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଏଭଳି ଆଦର୍ଶର ଅନ୍ୟତମ ଉଦାହରଣ। ହେଲେ ଏଠାରେ ଜନପ୍ରତିନିଧିଙ୍କର କୌଣସି ମୂଲ୍ୟ ନାହିଁ। କର୍ପୋରେସନକୁ କୌଣସି ଅଧିକାରୀ ଖାତିର କରୁନାହାନ୍ତି। କେବଳ ଅଧିକାରୀଙ୍କ ଶାସନ ଚାଲିଛି। କର୍ପୋରେଟର ତ ପଛ କଥା, ମେୟର ଜାଣୁ ନାହାନ୍ତି ଅନେକ ନିଷ୍ପତ୍ତି ହୋଇଯାଉଛି। ବର୍ଷ ବର୍ଷ ଧରି ‘ଭୁବନେଶ୍ବର ମହାନଗର ନିଗମ’ ଲିଖିତ ‘କମନ୍‌ ସିଲ୍‌’ ବ୍ୟବହାର ହେଉନାହିଁ। ଫଳରେ କମିସନର ଉତ୍ତରଦାୟୀ ରହୁନାହାନ୍ତି। ପ୍ରତ୍ୟେକ ବୈଠକରେ କିଛି ହାତଗଣତି କର୍ପୋରେଟର ହୋ ହଲ୍ଲା କରୁଛନ୍ତି, ଧାରଣା ଦେଉଛନ୍ତି। ହେଲେ କିଛି ଫଳ ହେଉନାହିଁ।

‘କମନ୍‌ ସିଲ୍‌’ ହେଉଛି ଏକ ରବର ଷ୍ଟାମ୍ପ ଯାହା କମିସନରଙ୍କ ହେଫାଜତରେ ରହିବା କଥା। ପ୍ରତ୍ୟେକ ଚୁକ୍ତିନାମାକୁ ଆମୂଳଚୂଳ ପଢ଼ିବା ପରେ ଏହି ସିଲ୍‌ ବାଜିବା କଥା। ଏହା ପୂର୍ବରୁ ମେୟର ଓ କର୍ପୋରେସନ ବୈଠକରେ ଏହା ସ୍ବୀକୃତି ଲାଭ କରିବା କଥା। ଅର୍ଥାତ୍‌ ଯା ବି ନିଷ୍ପତ୍ତି ହେବ ବା କାର୍ଯ୍ୟ ହେବ ତାହାର ଉତ୍ତରଦାୟୀ କମିସନର ରହିବେ ଏବଂ ମେୟର ଓ କର୍ପୋରେଟରମାନେ ଅବଗତ ରହିବେ। ପଛରେ ଆଉ କେହି ଏହାକୁ ଭୁଲ୍‌ ନିଷ୍ପତ୍ତି କିମ୍ବା ଅଯଥା ଖର୍ଚ୍ଚ ହେଲା ବୋଲି କହିବେ ନାହିଁ। ମେୟର ଓ ଅନ୍ୟ ଲୋକପ୍ରତିନିଧିମାନେ ସାଧାରଣ ଜନତାଙ୍କ ନିକଟରେ ଉତ୍ତରଦାୟୀ ରହିବେ। ବିଗତ ୧୦ ବର୍ଷ ହେବ ଏହି କମନ ସିଲ୍‌ ବ୍ୟବହାର ହେଉନାହିଁ। ଏହା ବିଏମ୍‌ସିରୁ ଏକ ପ୍ରକାର ଉଭାନ୍‌ ହୋଇ ଯାଇଛି। ଯେଉଁ ଅଧିକାରୀଙ୍କର ଅଧିକାର ନାହିଁ ସେମାନେ କୋଟି କୋଟି ଟଙ୍କାର ଚୁକ୍ତିନାମାରେ ଦସ୍ତଖତ କରୁଛନ୍ତି। ପ୍ରତ୍ୟେକ କର୍ପୋରେସନ ବୈଠକରେ ଅଧିକାଂଶ ନିଷ୍ପତ୍ତି ଉପରେ ‘ଏହା କେମିତି ହେଲା?’ ବୋଲି ଗୋଟିଏ ପ୍ରଶ୍ନ ଶିରୋନାମା ପାଲଟୁଛି।

କୌଣସି ଚୁକ୍ତିନାମାରେ ଲାଗୁନି
କେହି ଉତ୍ତରଦାୟୀ ରହୁନାହାନ୍ତି
କର୍ପୋରେସନର ମୂଲ୍ୟ ଶୂନ
ଯିଏ ଯେମିତି ପାରୁଛି ଲୁଟୁଛି

ନିକଟ ଅତୀତରେ ବିଏମ୍‌ସି ଆଇଟି ଉପ ବିଭାଗ ୯୮ଟି କମ୍ପ୍ୟୁଟର, ୫ଟି ଲ୍ୟାପ୍‌ଟପ୍‌, ୧୨୧ୟୁପିଏସ୍‌, ୮୨ ପ୍ରିଣ୍ଟର କିଣିଛି। ଦୁଇଟି ଟେଣ୍ଡର ଜରିଆରେ ଏହି ସବୁ ସାମଗ୍ରୀ କିଣାଯାଇଥିଲା। ଏଥିରେ ୧କୋଟି ୮ଲକ୍ଷ ୮୯ ହଜାର ୨୪୦ ଟଙ୍କା ଖର୍ଚ୍ଚ ହୋଇଛି। ଏହା କାହିଁକି ଦରକାର ହେଲା ସେ ନେଇ ପୂର୍ବରୁ ଆଲୋଚନା ହେଲା ନାହିଁ। କେହି ଜାଣିପାରିଲେନି। ସବୁ ସରିବା ପରେ ଏହାର ସ୍ବୀକୃତି(ପୋଷ୍ଟ ଆପ୍ରୁଭାଲ୍‌) ପାଇଁ କର୍ପୋରେସନକୁ ଅଣାଗଲା। ଏଥିରେ ହୋଇଥିବା ଚୁକ୍ତିନାମାରେ କମନ ସିଲ୍‌ ରହିଲା ନାହିଁ। ବଡ଼କଥା ହେଉଛି ଚଳିତ ମାସରେ ଆଉ ଦୁଇଟି ଆପଲ୍‌ ଆଇମାକ୍‌ କମ୍ପ୍ୟୁଟର କିଣିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ କର୍ପୋରେସନର ସ୍ବୀକୃତି ନିଆଯାଇ ନାହିଁ। ୧୦ରୁ ଊର୍ଦ୍ଧ୍ବ ଏନ୍‌ଜିଓଙ୍କୁ ୬ଟି ପ୍ୟାକେଜ୍‌ରେ ନିଯୁକ୍ତି ଦିଆଯାଇଥିଲା। ଏନ୍‌ଜିଓମାନେ ଘର ଘର ବୁଲି ସଚେତନ କରୁଥିଲେ। ଏଥିପାଇଁ ୪ କୋଟି ଟଙ୍କା ଖର୍ଚ୍ଚ ହେଉଥିଲା। ଘର ଘର ବୁଲି ଆବର୍ଜନା ସଂଗ୍ରହ କରୁଥିବା ଗାଡ଼ି, ଡ୍ରାଇଭର, ହେଲ୍ପର, ତେଲ ବିଏମ୍‌ସିର। ଏହାକୁ ତଦାରଖ କରିବା ପାଇଁ ପ୍ରତି ୱାର୍ଡ‌ରେ ୬ ଜଣ ସ୍ବଚ୍ଛସାଥୀ, ଜଣେ ସାନିଟାରି ଇନ୍‌ସ୍‌ପେକ୍ଟର, ୱାର୍ଡ ଅଫିସର ଓ କର୍ପୋରେଟର ବିଏମ୍‌ସିର। ଏ ସବୁ ସତ୍ତ୍ବେ ବିଏମ୍‌ସି ଏନ୍‌ଜିଓମାନଙ୍କ ଜରିଆରେ ୪ କୋଟି ଖର୍ଚ୍ଚ କରୁଥିଲା। ଏମାନଙ୍କ ସହ ହୋଇଥିବା ଚୁକ୍ତିନାମାରେ କମନ ସିଲ୍‌ ନଥିଲା। ଯେଉଁଥିପାଇଁ ଏ ବାବଦରେ କେହି ଜାଣିପାରୁନଥିଲେ। ଯଦିଓ ଗତ ବୈଠକରେ କେତେକ କର୍ପୋରେଟର ପ୍ରତିବାଦ କରିବାରୁ ନୂଆ ଟେଣ୍ଡରକୁ ବାତିଲ୍‌ କରାଯାଇଛି।

ଏହା କେବଳ କେତୋଟି ଉଦାହରଣ ମାତ୍ର। ରାସ୍ତା, ନଳା ତଥା ଅନ୍ୟାନ୍ୟ ସାଧାରଣ ଟେଣ୍ଡରରେ ହେଉଥିବା ଚୁକ୍ତିରେ କମନ ସିଲ୍‌ ବ୍ୟବହାର ହେଉ ନାହିଁ। ଯେଉଁଥିପାଇଁ କେହି କିଛି ଜାଣି ପାରୁ ନାହାନ୍ତି। ଅଫିସରମାନେ ଏହାର ଫାଇଦା ନେଇ ମାଲମାଲ୍‌ ହେଉଛନ୍ତି। ଏ ନେଇ ନୃପେଶ ନାୟକ କହିଛନ୍ତି, ବର୍ଷ ବର୍ଷ ଧରି ଲୁଟ୍‌ରାଜ ଚାଲିଛି। କୌଣସି ଗୋଟିଏ ପ୍ରତିବାଦର ସଠିକ୍‌ ଉତ୍ତର ଅଧିକାରୀମାନେ ଦେଇ ପାରୁନାହାନ୍ତି। କମନ୍‌ ସିଲ୍‌ ବ୍ୟବହାର ନେଇ ମୁଁ ବିଏମ୍‌ସିକୁ ବିଧିବଦ୍ଧ ଭାବରେ ଚିଠି ଲେଖିଛି। ଏନେଇ ବିଏମ୍‌ସି ପକ୍ଷରୁ କେହି କିଛି କହିବାକୁ ଚାହିନାହାନ୍ତି।

ସୌଜନ୍ୟ-ସମ୍ୱାଦ

Related Articles

Back to top button