Breaking News

ଦୁର୍ନୀତିର ନୂଆ ଫନ୍ଦି! ବ୍ୟବହାର କରିବାକୁ ବାଟ ନାହିଁ

ବିଏମ୍‌ସିର ଜଳାଶୟ ପୁନରୁଦ୍ଧାର ଦୁର୍ନୀତି ପାଇଁ ନୂଆ ବାଟ ‌ଖୋଲିଛି। ଉଦ୍ଦେଶ୍ୟ ପୂରଣ ହେଉ କି ନହେଉ କେହି ଚିନ୍ତା କରିବାକୁ ନାହାନ୍ତି। କେବଳ କେମିତି ଟଙ୍କା ଖର୍ଚ୍ଚ ହେବ ସେଥିରେ ମନ ଦେଇଛନ୍ତି।

ଭୁବନେଶ୍ବର:‌ ବିଏମ୍‌ସିର ଜଳାଶୟ ପୁନରୁଦ୍ଧାର ଦୁର୍ନୀତି ପାଇଁ ନୂଆ ବାଟ ‌ଖୋଲିଛି। ଉଦ୍ଦେଶ୍ୟ ପୂରଣ ହେଉ କି ନହେଉ କେହି ଚିନ୍ତା କରିବାକୁ ନାହାନ୍ତି। କେବଳ କେମିତି ଟଙ୍କା ଖର୍ଚ୍ଚ ହେବ ସେଥିରେ ମନ ଦେଇଛନ୍ତି। କେଉଁଠି ପୋଖରୀକୁ ଯିବାକୁ ପାଟ ନାହିଁ, ପୁନରୁଦ୍ଧାର ହୋଇଛି। ଆଉ କେଉଁଠି ନବୀକରଣର ଅଳ୍ପ କେଇଦିନ ଭିତରେ କୋଠା ଭୁଶୁଡ଼ି ପୋଖରୀ ଭିତରେ ପଡ଼ିଛି। ପାଖାପାଖି କୋଟିଏ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ପୋଖରୀ ଦ୍ବୟ ବ୍ୟବହାର ହୋଇ ପାରୁ ନାହିଁ। ୪୯ ନମ୍ବର ୱାର୍ଡରେ ଥିବା ଆଇଗିଣିଆ ପୋଖରୀ ଓ ଫୁଲେଶ୍ବରୀ ପୋଖରୀରେ ଏଭଳି ବିଚିତ୍ର ଅବସ୍ଥା ରହିଛି। ଆଇଗିଣିଆ ପୋଖରୀକୁ ୩ ବର୍ଷ ତଳେ ୪୦ଲକ୍ଷ ଟଙ୍କା ବ୍ୟୟରେ ପୁନରୁଦ୍ଧାର କରାଯାଇଥିଲା। ଚାରିପାଖେ ପେଭର୍‌ ବ୍ଲକ୍‌, ଚାରିକାନ୍ଥରେ ଚିତ୍ର, ପିଣ୍ତି ସହ ପାଣି ସଫା ହୋଇଥିଲା। ଗାଧୋଇବା ପରେ କପଡ଼ା ବଦଳାଇବା ପାଇଁ ବ୍ୟବସ୍ଥା ହୋଇ ନଥିବାରୁ ଗ୍ରାମର କିଛି ବ୍ୟକ୍ତି ନିଜ ପକେଟ୍‌ରୁ ଟଙ୍କା ଖର୍ଚ୍ଚ କରି ପୋଖରୀ ହୁଡ଼ାରେ ଘର ତିଆରି କଲେ। କିନ୍ତୁ ଏବେ ପୁଷ୍କରିଣୀର ଚିତ୍ର ଦେଖିଲେ କେହି ବିଶ୍ବାସ କରିବେନି ଯେ ୩ ବର୍ଷ ତଳେ ଏହାର କାମ ହୋଇଥିଲା। ଗତ ବର୍ଷା ଦିନେ ପୁ‌ଷ୍କରିଣୀକୁ ଲାଗି ହୋଇଥିବା ଗାଧୁଆଘର ସମ୍ପୂର୍ଣ୍ଣ ପା‌ଣି ଭିତରେ ଧସିଗଲା।

ବ୍ୟବହାର କରିବାକୁ ବାଟ ନାହିଁ
ଖୋଳାରେ ଖର୍ଚ୍ଚ ୧୭ଲକ୍ଷ
ପୋଖରୀ ଭିତରେ ଭୁଶୁଡ଼ି ପଡ଼ିଛି ଘର

ଏବେ ବି ପୂରା କୋଠା‌ ପାଣି ଭିତରେ। ଚାରିପଟ ରେଲିଂ, ପେଭର ବ୍ଲକ୍‌ ଭାଙ୍ଗିବା ସହିତ ମାଟି ଧସି ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହୋଇଛି। ୨୦୨୧ ଅଗଷ୍ଟ ମାସରେ ଉଦ୍‌ଘାଟିତ ହୋଇଥିବା ଏହି ପୋଖରୀର ନବ‌କଳେବର ୩ବର୍ଷରେ ନଷ୍ଟ ହୋଇଯାଇଛି। ଗ୍ରାମବାସୀ ବିଭିନ୍ନ କ୍ରିୟାକର୍ମରେ ଏହାକୁ ତୁଠ କାର୍ଯ୍ୟ ପାଇଁ ବ୍ୟବହାର କରୁଥିଲେ। ଏଥିପାଇଁ ସ୍ବତନ୍ତ୍ର ଗେଟ୍‌ ଓ ପିଣ୍ଡି ହୋଇଥିଲା। ପୋଖରୀ ହୁଡ଼ାରେ ଲାଇଟ୍‌ ଲଗା ଯାଇଥିଲା। ଗାଧୋଇବା ପରେ ବ୍ୟବହାର କରିବାକୁ ହୋଇଥିବା ଘର ସହିତ ଲାଇଟ୍‌ ଖୁଣ୍ଟ ମଧ୍ୟ ଭୁଶୁଡ଼ି ପଡ଼ିଥିଲା। ପେଭର୍‌ ବ୍ଲକ୍‌ ସହ ମାଟି ଅତଡ଼ା ଖସିପଡ଼ିଥିଲା। ଏଗୁଡ଼ିକ ସଫା କରାଯାଇ ନାହିଁ। ପୋଖରୀରୁ ଅଳିଆ ସଫା ହେଉନଥିବାରୁ ଦଶାହ କାମ ପାଇଁ ଆସୁଥିବା ଲୋକେ ହଇରାଣ ହେଉଛନ୍ତି। ପୋଖରୀଟିକୁ ଏବେ ମରାମତି ନକଲେ ଖୁବ୍‌ଶୀଘ୍ର ଏହା ଏକ ପରିତ୍ୟକ୍ତ ସ୍ଥାନରେ ପରିଣତ ହୋଇଯିବାର ଆଶଙ୍କା ରହିଛି।

ଆଇଗିଣିଆ ପୋଖରୀଠାରୁ ଫୁଲେଶ୍ବରୀ ପୋଖରୀର କଥା ଆହୁରି ହାସ୍ୟାସ୍ପଦ। ଓଁ ମା ଫୁଲେଶ୍ବରୀ‌ ମନ୍ଦିରଠାରୁ ୨ଶହ ମିଟର ଦୂରରେ ଏକ ଛୋଟ ଚୁଆଥିଲା। ଏହାର ଉନ୍ନତୀକରଣ ପା‌ଇଁ ୨୦୨୩ ମସିହା ଡିସେମ୍ବର ମାସରେ ୧୭ଲକ୍ଷରୁ ଅଧିକ ଟଙ୍କା ବ୍ୟୟବରାଦ ହେଲା‌। ପୋଖରୀର ଚାରିପା‌ଖରେ ବେସରକାରୀ ଜମି ଥିବାରୁ ପୋଖରୀକୁ ଯିବାକୁ ବାଟ ନାହିଁ। ଗୋଟିଏ ପାର୍ଶ୍ବରେ ଏକ ବଡ଼ ଗ୍ୟାରେଜ୍‌ ରହିଥିବା ବେଳେ ବାକି ତିନିପାଖରେ ଥିବା ଘରୋଇ ଜମିରେ ହୋଇଥିବା ପଥର କାନ୍ଥ ଏହି ପୋଖରୀକୁ ବେଢ଼ି ରହିଛି। ପୋଖରୀକୁ ଯିବା ପାଇଁ ବାଟ ନଥିବାବେଳେ ପୋଖରୀକୁ ଖୋଳିବାକୁ ବିଏମ୍‌ସି କାହିଁକି ନିଷ୍ପତ୍ତି ନେଲା ତାହା ବୁଝା ପଡ଼ୁନାହିଁ। କେବଳ ପିସି ଖାଇବା ପାଇଁ ପୋଖରୀ ଖୋଳା ହୋଇଥିବା ଅଭିଯୋଗ ହୋଇଛି। ଗୋଟିଏ ୱାର୍ଡର ଏହି ୨ ପୋଖରୀକୁ କେବଳ ଉଦାହରଣ ଭାବେ ଯଦି ନିଆଯାଏ ତେବେ ସହରରେ ଥିବା ଅନ୍ୟ ‌ପୋଖରୀର ଉନ୍ନତୀକରଣରେ କେତେ ସ୍ବଚ୍ଛତା ଥିବା ତାହା ସ୍ପଷ୍ଟ ଅନୁମେୟ। ଏ ନେଇ କର୍ପୋରେଟର୍‌ଙ୍କ କହିବା କଥା, ଆଇଗିଣିଆ ପୋଖରୀ ଖୁବ୍‌ଶୀଘ୍ର ସଫା‌ ହେବ ଓ ଫୁଲେଶ୍ବରୀ ପୋଖରୀ ପାଇଁ ଗ୍ରାମବ‌ାସୀ ବ୍ୟକ୍ତିଗତ ଜମି ଦେବାପରେ ବାଟ ବାହାରିବ।
ସୌଜନ୍ୟ-ସମ୍ୱାଦ

Comments are closed.