Breaking News

‘ବ୍ରିକ୍ସ’କୁ ଧମକାଇଲେ ଟ୍ରମ୍ପ୍‌: ଡଲାରର ବିକଳ୍ପ ଚିନ୍ତା କଲେ ୧୦୦% ଶୁଳ୍କ

ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ‘ବ୍ରିକ୍ସ’ ରାଷ୍ଟ୍ର ସମୂହକୁ କଡ଼ା ଚେତାବନୀ ଦେଇଛନ୍ତି। ଆମେରିକୀୟ ଡଲାର ବ୍ୟବହାର ନେଇ ସେ ବ୍ରିକ୍ସଠାରୁ ପ୍ରତିଶ୍ରୁତି ମାଗିଛନ୍ତି। ଡଲାର ବଦଳରେ ଅନ୍ୟ କୌଣସି ବିକଳ୍ପ ମୁଦ୍ରା ଆଣିଲେ ୧୦୦ ପ୍ରତିଶତ ଶୁଳ୍କ ଲଗାଯିବ ବୋଲି ଟ୍ରମ୍ପ୍ କହିଛନ୍ତି।

ନୂଆଦିଲ୍ଲୀ: ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ‘ବ୍ରିକ୍ସ’ ରାଷ୍ଟ୍ର ସମୂହକୁ କଡ଼ା ଚେତାବନୀ ଦେଇଛନ୍ତି। ଆମେରିକୀୟ ଡଲାର ବ୍ୟବହାର ନେଇ ସେ ବ୍ରିକ୍ସଠାରୁ ପ୍ରତିଶ୍ରୁତି ମାଗିଛନ୍ତି। ଡଲାର ବଦଳରେ ଅନ୍ୟ କୌଣସି ବିକଳ୍ପ ମୁଦ୍ରା ଆଣିଲେ ୧୦୦ ପ୍ରତିଶତ ଶୁଳ୍କ ଲଗାଯିବ ବୋଲି ଟ୍ରମ୍ପ୍ କହିଛନ୍ତି। ବ୍ରିକ୍ସ ସମୁହ ଅଧୀନରେ ବ୍ରାଜିଲ୍, ରୁଷ୍, ଭାରତ, ଚୀନ୍ ଓ ଦକ୍ଷିଣ ଆଫ୍ରିକା ଭଳି ପାଞ୍ଚଟି ଦେଶ ରହିଛନ୍ତି। ଟ୍ରମ୍ପ୍ ନିଜ ସୋସିଆଲ୍ ମିଡିଆ ‘ଟ୍ରୁଥ୍‌’ରେ ଏକ ପୋଷ୍ଟ କରି ଜଣାଇଛନ୍ତି ଯେ ଡଲାରଠାରୁ ଦୂରେଇ ଯିବା ଲାଗି ବ୍ରିକ୍ସ ଉଦ୍ୟମ କରୁଛି। ଆମେ ବସିରହି ଦେଖିବାର ଯୁଗ ଶେଷ। ବ୍ରିକ୍ସ ଯେଭଳି ନିଜର ନୂଆ ମୁଦ୍ରା ଗଠନ କରିବ ନାହିଁ ଓ ଡଲାରର ବିକଳ୍ପ ଭାବେ ଅନ୍ୟ କୌଣସି ମୁଦ୍ରାକୁ ସମର୍ଥନ କରିବ ନାହିଁ, ସେହି ପ୍ରତିଶ୍ରୁତି ଆମେ ବ୍ରିକ୍ସଠାରୁ ଚାହୁଛୁ।

ଯଦି ସେମାନେ ସେଭଳି କିଛି କରିବେ ତେବେ ସେମାନଙ୍କୁ ୧୦୦ ପ୍ରତିଶତ ଶୁଳ୍କ ସାମ୍ନା କରିବାକୁ ପଡ଼ିବ। ଆମେରିକୀୟ ଅର୍ଥନୀତିରେ ସେମାନେ କିଛି ବିକ୍ରି କରିପାରିବେ ନାହିଁ ବୋଲି ଟ୍ରମ୍ପ୍ କହିଛନ୍ତି। ଟ୍ରମ୍ପ ନିଜର ନିର୍ବାଚନ ପ୍ରଚାର ସମୟରେ ଡଲାରଠାରୁ ଦୂରେଇ ଯିବାକୁ ଚାହୁଥିବା ଦେଶଗୁଡ଼ିକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ସଂକଳ୍ପ ନେଇଥିଲେ। ନିୟମ ପାଳନକୁ ସୁନିଶ୍ଚିତ କରିବା ଲାଗି ଶୁଳ୍କକୁ ଅସ୍ତ୍ର ଭା‌ବେ ବ୍ୟବହାର କରାଯିବ ବୋଲି ସେ ଧମକ ଦେଇଥିଲେ। ଆସନ୍ତା ବର୍ଷ ଜାନୁଆରିରେ ଟ୍ରମ୍ପ୍‌ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବାକୁ ଯାଉଥିବାରୁ ପୁଣି ଥରେ ଏକଥା ମନେ ପକାଇବା ନିଶ୍ଚିତ ରୂପେ ଏହାର ଗୁରୁତ୍ବକୁ ବଢ଼ାଇଛି। ଡଲାରକୁ ବାଦ ଦେଇ ବିକଳ୍ପ ମୁଦ୍ରାରେ ଦ୍ବିପାକ୍ଷିକ କାରବାର କରିବା ଲାଗି ମିତ୍ର ଓ ଶତ୍ରୁ ରାଷ୍ଟ୍ରଗୁଡ଼ିକ କରୁଥିବା ଯୋଜନାକୁ ଭଣ୍ଡୁର କରିବା ଉପରେ ଟ୍ରମ୍ପ୍ କାର୍ଯ୍ୟ କରୁଛନ୍ତି।
ସୌଜନ୍ୟ-ସମ୍ୱାଦ

Comments are closed.